ଅଲିଭ୍‌ରିଡ୍‌ଲେ କଇଁଛଙ୍କ ପାଇଁ ପାଟ୍ରୋଲିଂ ଆରମ୍ଭ

ରେଂଜ ଅଫିସର

ରାଜନଗର: ଅଲିଭରିଡଲେ କଇଁଛଙ୍କ ପ୍ରଜନନ ଋତୁ ଆଜିଠାରୁ ଆରମ୍ଭ ହୋଇଛି। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବିରଳ କଇଁଛଙ୍କୁ ସୁରକ୍ଷା ଦେବା ପାଇଁ କଟକଣା ଜାରି କରାଯାଇଛି। କଇଁଛଙ୍କ ଆଗମନ, ପ୍ରଜନନ ଓ ବସାରେ ଅଣ୍ତା ଦେବା ଏବଂ ଛୁଆ ବାହାରିବା ଯାଏ ନଭେମ୍ବର ୧ରୁ ମେ’ ୩୧ ଯାଏ ଦୀର୍ଘ ୭ମାସ ଧରି ମାଛ ଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଏହି କଇଁଛଙ୍କ ଅନ୍ତୁଡିଶାଳ ଭାବେ ସମଗ୍ର ବିଶ୍ବରେ ପରିଚିତ ୧୪୩୫ ବର୍ଗ କିଲୋମିଟର ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ବର୍ଷତମାମ ମାଛ ଧରା ଉପରେ କଟକଣା ଥିବା ବେଳେ କଇଁଛ ଋତୁ ପାଇଁ ଧାମରା ମୁହାଣରୁ ଦେବୀ ମୁହାଣ ଯାଏ ୧୬୦ କିଲୋମିଟର ପର୍ଯ୍ୟନ୍ତ ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ସମୁଦ୍ର କୂଳଠାରୁ ୨୦ କିଲୋମିଟର ଯାଏ ଯନ୍ତ୍ରଚାଳିତ ଟ୍ରଲର, ବୋଟ, ଭୁଟୁଭୁଟି ଚଳାଚଳ ବନ୍ଦ ସହିତ ମାଛଧରା ଉପରେ ବନବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ବନବିଭାଗ ସହିତ ମେରାଇନ ପୁଲିସ, ପୁଲିସ, ମତ୍ସ୍ୟବିଭାଗ ଓ ତଟରକ୍ଷୀ ବାହିନୀ ପକ୍ଷରୁ ମିଳିତଭାବେ ପାଟ୍ରୋଲିଂ କରାଯିବ। ଭଦ୍ରକ ଡିଭିଜନର ସ୍ପିଡବୋଟ, ଧାମରା ପୋର୍ଟ ଅଥରିଟିଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ବୋଟ ସହିତ ସମୁଦାୟ ୭ଟି ଟ୍ରଲର ଓ ୪ଟି ସ୍ପିଡ ବୋଟ ସମୁଦ୍ର ମଧ୍ୟରେ ଅଲିଭରିଡଲେ କଇଁଛଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପାଟ୍ରୋଲିଂ କରିବ। କଇଁଛଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବା ବେଳେ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ଆରମ୍ଭ ହୋଇଛି। ଆଜି ଗହୀରମଥା ରେଞ୍ଜର କର୍ମଚାରୀମାନେ ଗଭୀର ସମୁଦ୍ରରେ ପାଟ୍ରୋଲିଂ ଆରମ୍ଭ କରିଛନ୍ତି। କିନ୍ତୁ ଏବର୍ଷ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ପାଇଁ ଅଭିନବ ପଦକ୍ଷେପ ନିଆଯାଇଛି। ପୂର୍ବରୁ ବନକର୍ମଚାରୀମାନେ ପାଟ୍ରୋଲିଂ ବାହାରିବା ବେଳେ ଟ୍ରଲର ମାଲିକ ଓ ଗଭୀର ସମୁଦ୍ରରେ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଡ୍ରାଇଭରମାନଙ୍କୁ ଟେଲିଫୋନରେ ଖବର ଦେଉଥିଲେ। ଏଥିପାଇଁ ତାଙ୍କଠାରୁ ମାସିକିଆ ଟଙ୍କା ବି ଆଣୁଥିଲେ। ଏ ଅଭିଯୋଗ ଆସିବା ପରେ ରାଜନଗର ଡିଏଫଓ ଡ. ଯଜ୍ଞଦତ ପତି ପାଟ୍ରୋଲିଂରେ ସ୍ବଚ୍ଛତା ଆଣିବା ପାଇଁ ଜଣେ ରେଂଜ ଅଫିସରଙ୍କ ବଦଳରେ ଡିଭିଜନ ଅଧୀନରେ ଥିବା ସବୁ ରେଂଜ ଅଫିସର ଓ ସବୁ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂରେ ସାମିଲ ହେବେ। କେଉଁ ଟିମ୍ କେତେବେଳେ ପାଟ୍ରୋଲିଂରେ ଯିବ, ତାହା ଅନ୍ୟ ରେଞ୍ଜର କର୍ମଚାରୀ ମଧ୍ୟ ଜାଣି ପାରିବେ ନାହିଁ। ଫଳରେ ବନବିଭାଗ କର୍ମଚାରୀଙ୍କ ସହ ଯୋଗାଯୋଗରେ ରହି ବେଧଡକ ଭାବେ ନିଷିଦ୍ଧାଂଚଳରେ ମାଛ ମାରୁଥିବା ଟ୍ରଲର ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏଥିସହ ବାବୁବାଲିଠାରେ ରାଜନଗର ବନବିଭାଗ ଓ ଭଦ୍ରକ ବନବିଭାଗ ପକ୍ଷରୁ ମିଳିତ ଭାବେ ପାଟ୍ରୋଲିଂ କରାଯିବ। ଯେଉଁ ଟ୍ରଲର ସବୁ ଜବତ ହେବ, ସେଗୁଡିକୁ କେବଳ ଶାସନପେଟାରେ ରଖା ନ ଯାଇ ଏ ବର୍ଷ ଗୁପ୍ତି ଓ ଶାସନପେଟାରେ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଫଳରେ ଟ୍ରଲର ଧରାହେବା ପରେ ମାଛ ବିକ୍ରି ନାଁରେ ଯେଉଁ ଘୋଟାଲା ହେଉଥିଲା, ସେଥିରେ ମଧ୍ୟ ରୋକ ଲାଗିବ। ଅଲିଭରିଡଲେ କଇଁଛ ଯେପରି ଗହୀରମଥା ଉପକୂଳକୁ ନିରାପଦ ଭାବେ ଆସିବେ ଓ ନିରାପଦ ଭାବେ ଫେରିବେ, ସେଥିଲାଗି ପାଟ୍ରୋଲିଂ ସହ ବେଳାଭୂମି ସଫେଇ କରାଯିବ। ବନବିଭାଗର କର୍ମଚାରୀ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ଯୁବକ ସଂଘ, ଇକୋ କ୍ଲବର ସଦସ୍ୟଙ୍କୁ ସଫେଇରେ ସାମିଲ କରାଯିବ ଓ କଇଁଛ ଋତୁରେ ବେଆଇନ ଟ୍ରଲର ଚଳାଚଳ ଓ ମାଛଧରିବାକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରାଯିବ। ଚଳିତ ବର୍ଷ ଉଚ୍ଚସ୍ତରୀୟ କମିଟିର ସୁପାରିଶ ମୁତାବକ ୭ମାସ କଇଁଛ ଋତୁ ସମୟରେ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କ ସଂଖ୍ୟା ବୃଦ୍ଧି କରାଯିବ ଓ ସେମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତା ରାଶି ମଧ୍ୟ ବୃଦ୍ଧି ପାଇବ ବୋଲି ଜଣାପଡିଛି। ସେହିପରି କଇଁଛଙ୍କ ସୁରକ୍ଷା ପାଇଁ ଭଦ୍ରକ ଡିଭିଜନରେ ୬ଟି, ରାଜନଗର ଡିଭିଜନରେ ୧୬ଟି ଅସ୍ଥାୟୀ ଶିବିର ସହିତ ବାବୁବାଲିଠାରେ ଭଦ୍ରକ ଓ ରାଜନଗର ଡିଭିଜନ ପକ୍ଷରୁ ମିଳିତ ଅଫିସର କ୍ୟାମ୍ପ ଓ ହୁକିଟୋଲା ପାଇଁ ଅଫିସର କ୍ୟାମ୍ପ କରାଯିବ। ଦୋବନ୍ଧି, ରାମତାରା, ସାତଭାୟା, ଚିଂଚିରି ଓ ଏକକୂଳା ଠାରେ ଅସ୍ଥାୟୀ ହାଚେରି ନିର୍ମାଣ କରାଯିବ। ସମୂହ ଅଣ୍ତାଦାନ ପୂର୍ବରୁ ବିକ୍ଷିପ୍ତ ଭାବେ ଅଣ୍ତା ଦେଉଥିବା କଇଁଛଙ୍କ ଅଣ୍ତା ସଂଗ୍ରହ କରାଯାଇ ଏହି ଅସ୍ଥାୟୀ ହାଚେରିରେ ରଖାଯିବ। ପୋର୍ଟ ଅଥରିଟି ଓ ଡିଆରଡିଏ ପକ୍ଷରୁ ଉଜ୍ଜ୍ବଳ ଆଲୋକ କମାଯିବା ସହିତ ଡିଆରଡିଏ ପକ୍ଷରୁ କ୍ଷେପଣାସ୍ତ୍ର ପରୀକ୍ଷା ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜନଗର ଡିଏଫଓ ଡ. ଯଜ୍ଞଦତ ପତି, ଏସିଏଫ ବିରଂଚି ନାରାୟଣ ସାମଲ ପାଟ୍ରୋଲିଂ ବ୍ୟବସ୍ଥା ତଦାରଖ କରୁଛନ୍ତି। ଏଥିସହ ଚଳିତ ବର୍ଷ ଅଲିଭରିଡଲେ ମୋବାଇଲ ଆପ୍ ‘ଫିସର ଫ୍ରେଣ୍ତ ମୋବାଇଲ ଆପ୍ଲିକେସନ’ ଏମଏସ ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ସହଯୋଗରେ ଲୋକାର୍ପିତ ହୋଇଛି। ଏହି ଅଫଲାଇନ ମୋବାଇଲ ଆପ୍ଲିକେସନ ବିନା ଇଂଟରନେଟରେ ଚାଲିବ। ଏହି ‘ଆପ୍’ ଡାଉନ୍‌ଲୋଡ୍‌ ପରେ ମାଛଧରା ନିଷିଦ୍ଧାଂଚଳ ପରିସୀମା, ପ୍ରବେଶ ବେଳେ ଉଭୟ ଭଏସ୍‌ ଏସଏମଏସ ଓ ବାର୍ତା ଏସଏମଏସ ଜରିଆରେ ସୂଚନା ଦେବ। ଫଳରେ ମତ୍ସ୍ୟଜୀବୀମାନେ ନିଷିଦ୍ଧାଂଚଳରେ ପଶିବା ପୂର୍ବରୁ ସୂଚନା ପାଇପାରିବେ। ପୂର୍ବରୁ ଟ୍ରଲର ମାଲିକମାନେ ଆମକୁ ନିଷିଦ୍ଧାଂଚଳ ବାହାରେ ଧରି ଗିରଫ କରିଛନ୍ତି ଓ ନିଷିଦ୍ଧାଂଚଳ ଆମେ ଜାଣିପାରୁନାହୁଁ ବୋଲି ଅଭିଯୋଗ କରି ଆସୁଥିଲେ। ଏ ବର୍ଷ ମୋବାଇଲ ଆପ୍ ସହିତ ପାଟ୍ରୋଲିଂର ତରିକା ବଦଳିଥିବାରୁ ପୂର୍ବରୁ ନିଷିଦ୍ଧାଂଚଳରେ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲରଗୁଡିକ ଆଉ ମାଛ ମାରିପାରିବେ ନାହିଁ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

ନିମାପଡ଼ା ତହସିଲଦାରଙ୍କ ଘରେ ପଶିଲା ଭିଜିଲାନ୍ସ ଚଢ଼ାଉ

Tue Nov 2 , 2021
କଟକ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ତହସିଲଦାରଙ୍କ ପୁରୀ ସରକାରୀ କ୍ବାର୍ଟର ଏବଂ କଟକ ସିଡିଏରେ ଥିବା ବାସଭବନ ସମେତ ଅନ୍ୟ କେତେକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ଦିନ ପ୍ରାୟ ୫ଟା ସମୟରେ ପୁରୀ ଜିଲ୍ଲାର ନିମାପଡ଼ା ତହସିଲଦାର ତଥା ଏବଂ ଇନ୍-ଚାର୍ଜ ସବ୍-ରେଜିଷ୍ଟ୍ରାର୍ ରାମଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଛି। ପୁରୀର ସରକାରୀ […]
ନିମାପଡ଼ା ତହସିଲଦାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial