ନବକଳେବର ହେବ ଭୁବନେଶ୍ୱର ରେଳ ଷ୍ଟେସନ

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରେ ନିର୍ମାଣ ହେବାକୁ ଥିବା ମଲ୍ଟି ମୋଡାଲ୍‌ ହବ୍‌ ଏବଂ ଷ୍ଟେସନ୍‌ ଆଧୁନିକୀକରଣ ପାଇଁ ରେଳ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହେବ। ଏଥିରେ ଅତ୍ୟାଧୁନିକ ଷ୍ଟେସନ ବିଲଡିଂ ନିର୍ମାଣ ହେବା ସହ ଆଉ ଏକ ପ୍ଲାଟଫର୍ମ ନିର୍ମାଣ ହେବ। ଏହାସହ ଷ୍ଟେସନ୍‌କୁ ଆଉ ଦୁଇଟି ଅତିରିକ୍ତ ରେଳ ଲାଇନ୍‌ ବିଛାଯିବ। ଏଥିପାଇଁ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।

ରେଳ ଷ୍ଟେସନ୍‌ର ଆଧୁନିକୀକରଣ ପାଇଁ ରେଳ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର କରିବାକୁ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଆସନ୍ତା ୨୩ତାରିଖ ଅପରାହ୍‌ଣ ୪ଟାରେ ନୂଆଦିଲ୍ଲୀସ୍ଥିତ ରେଳ ଭବନରେ ଏହି ଏମ୍‌ଓୟୁ ସ୍ୱାକ୍ଷର କରାଯିବ। ଏଥିରେ ଯୋଗଦେବାକୁ ଶ୍ରୀ ଗୋୟଲ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛନ୍ତି। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଏନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହ ଯୋଗାଯୋଗ କରିବାକୁ କୁହାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୮-୧୯ ରେଳ ବଜେଟ୍‌ରେ ଭୁବନେଶ୍ୱର ଷ୍ଟେସନର ଉନ୍ନତିକରଣ ପାଇଁ ସ୍ୱତନ୍ତ୍ର ବଜେଟ୍‌ ରଖା ଯାଇଥିଲା। ରାଜ୍ୟ ସରକାରଙ୍କ ସହଭାଗିତାରେ ଅତ୍ୟାଧୁନିକ ଷ୍ଟେସନ ବିଲଡିଂ ନିର୍ମାଣ କରିବାକୁ ଯୋଜନା ହୋଇଛି। ରାଜ୍ୟ ସରକାର ମଧ୍ୟ ସ୍ମାର୍ଟସିଟି ଯୋଜନାରେ ଭୁବନେଶ୍ୱର ଷ୍ଟେସନର ଆଧୁନିକୀକରଣ ପାଇଁ ଯୋଜନା କରିଛନ୍ତି। ତେଣୁ ଏହି ଏମ୍‌ଓୟୁ ମାଧ୍ୟମରେ ଭୁବନେଶ୍ୱର ରେଳ ଷ୍ଟେସନର ଉନ୍ନତିକରଣ କରାଯିବ ବୋଲି ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱର ରେଳ ଷ୍ଟେସନରେ ଏବେ ଥିବା ଷ୍ଟେସନ ବିଲଡିଂକୁ ଭଙ୍ଗା ଯାଇ ଅତ୍ୟାଧୁନିକ ଷ୍ଟେସନ ବିଲଡିଂ ନିର୍ମାଣ କରାଯିବ। ଏହାସହ ଏଠାରେ ଏବେ ୬ଟି ପ୍ଲାଟଫର୍ମ ଥିବା ବେଳେ ଏହାକୁ ୭କୁ ବୃଦ୍ଧି କରାଯିବ। ଏଥିପାଇଁ ପ୍ଲାଟଫର୍ମ ୧କୁ ଭଙ୍ଗାଯାଇ ସମ୍ପ୍ରସାରଣ କରାଯିବ। ଏହି ପାର୍ଶ୍ୱରେ ଆଉ ଏକ ପ୍ଲାଟଫର୍ମ ନିର୍ମାଣ ହେବ। ଏହାପରେ ବର୍ତ୍ତମାନ ଥିବା ପ୍ଲାଟଫର୍ମ ୧ ଭବିଷ୍ୟତରେ ପ୍ଲାଟଫର୍ମ ୨ ହୋଇଯିବ। ଏହାପରେ ଆଉ ସମ୍ପ୍ରସାରଣ ପାଇଁ କିନ୍ତୁ ସ୍ଥାନ ରହିବନି।

ସେହିପରି ଷ୍ଟେସନର ୬ଟି ପ୍ଲାଟଫର୍ମକୁ ଏବେ ୮ଟି ରେଳ ଧାରଣା ସଂଯୋଗ କରୁଥିବା ବେଳେ ଏହାକୁ ୧୦କୁ ବଢ଼ାଯିବ। ଏହି ସମସ୍ତ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ କରିବ।

ସୂଚନାଯୋଗ୍ୟ ଯେ ରେଳ ଷ୍ଟେସନ ମଲ୍ଟି ମୋଡାଲ ହବ୍‌ ପାଇଁ ରାଜ୍ୟ ସରକାର ପ୍ରଥମେ ପ୍ରସ୍ତୁତି କରିଥିବା ବେଳେ ଜାନୁଆରିରେ ଏହାର ଏମ୍‌ଓୟୁ ସ୍ୱାକ୍ଷର ହେବାର ଥିଲା। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦିଆଯିବା ସହ ମୁଖ୍ୟମନ୍ତ୍ରୀ ମଧ୍ୟ ଏମ୍‌ଓୟୁ ସମୟରେ ଉପସ୍ଥିତ ରହିବା ପାଇଁ ସଚିବାଳୟରେ ପହଞ୍ଚି ଯାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏ ଏହି ଏମ୍‌ଓୟୁ ସ୍ୱାକ୍ଷର କରିବାକୁ ଥିବାରୁ ବିଡିଏ ଅଧିକାରୀମାନେ ମଧ୍ୟ ଉପସ୍ଥିତ ହୋଇଯାଇଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏମ୍‌ଓୟୁ ସ୍ୱାକ୍ଷର କରିବାକୁ ଥିବା ଖୋର୍ଧା ରୋଡ ଡିଭିଜନର ରେଲେଓ୍ଵ ମ୍ୟାନେଜର ବ୍ରିଜମୋହନ ଅଗ୍ରଓ୍ଵାଲ ଅସୁସ୍ଥ ହୋଇଯିବାରୁ ଏହା ବାତିଲ୍‌ ହୋଇଯାଇଥିଲା। ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହାପରେ ମୁଖ୍ୟ ଶାସନ ସଚିବ ରେଲେଓ୍ଵ ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନିଙ୍କୁୁ ଚିଠି ଲେଖି ଏମ୍‌ଓୟୁ ସ୍ୱାକ୍ଷର ପାଇଁ ସ୍ଥାନ ଓ ତାରିଖ ଧାର୍ଯ୍ୟ କରିବାକୁ କହିଥିଲେ। ମୁଖ୍ୟ ଶାସନ ସଚିବଙ୍କ ଚିଠି ପାଇବା ପରେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏପ୍ରିଲ ୨୭ ତାରିଖରେ ଚିଠି ଲେଖି ଏମ୍‌ଓୟୁ ସ୍ୱାକ୍ଷର ନେଇ ଆମନ୍ତ୍ରଣ କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

ସର୍ବକ୍ଷମା ଯୋଜନାରେ ବର୍ଗଫୁଟ ପିଛା ୫୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା

Tue May 22 , 2018
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସହରାଞ୍ଚଳ ଏବଂ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ ଆବାସିକ ଘର, ଆପାର୍ଟମେଣ୍ଟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ହସ୍ପିଟାଲ, ବିଭିନ୍ନ ପ୍ରକଳ୍ପ ଆଦିକୁ ରେଗୁଲାରାଇଜ୍‌ କରାଯିବ। ଯେତିକି ନିୟମ ଅଛି, ତା’ଠାରୁ ଅଧିକ ନିର୍ମାଣ କରିଥିଲେ ବି ଏହାକୁ ଭଙ୍ଗାଯିବନି। କେବଳ କିଛି ଜରିମାନା ଦେଇଦେଲେ ବେଆଇନ ଘର ରେଗୁଲାରାଇଜ୍‌ ହୋଇଯିବ। ଏଥିପାଇଁ ନଗର ଉନ୍ନୟନ ବିଭାଗ ସର୍ବକ୍ଷମା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial