ନନ୍ଦନକାନନରେ ମଙ୍ଗଳବାର ଠାରୁ ପୁଣି ଗଡ଼ିବ ଟୟ ଟ୍ରେନ୍‌ : ରୋପ୍‌ୱେକୁ ଆହୁରି ଅପେକ୍ଷା

ନନ୍ଦନକାନନର ଟୟ ଟ୍ରେନ୍‌

ବାରଙ୍ଗ: ନନ୍ଦନକାନନର ଟୟ ଟ୍ରେନ୍‌ ଗଡ଼ିବା ନିଷ୍ପତ୍ତି ଏବେ ଟଳମଳ ଅବସ୍ଥାରେ। ନୂଆ ଟୟଟ୍ରେନ୍‌ (ବ୍ୟାଟେରିଚାଳିତ)ରେ ନିଆଁ ଲାଗିବା ପରଠାରୁ ଏହାର ଚଳାଚଳ ବନ୍ଦ ହୋଇଯାଇଥିଲା। ତେବେ ପୁଣି କେବେ ଏହି ରେଳଗାଡ଼ି ଗଡ଼ିବ, ତାହା ସ୍ଥିର ହୋଇପାରୁନାହିଁ। ବ୍ୟାଟେରିଚାଳିତ ଟ୍ରେନ୍‌ଟି ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ କି ନୁହେଁ ବୋଲି କର୍ତ୍ତୃପକ୍ଷ ନିଶ୍ଚିତ ହୋଇପାରୁନଥିବା ଜଣାପଡ଼ିଛି। ବାରମ୍ବାର ରେଳଧାରଣାରେ ଗଡ଼ାଇ ପରୀକ୍ଷା କରାଯାଉଥିଲେ ବି କର୍ତ୍ତୃପକ୍ଷ ଏଥିରେ ଯାତ୍ରୀଙ୍କ ନିରାପତ୍ତାକୁ ନେଇ ଭରସା କରିପାରୁନାହାନ୍ତି। ଆସନ୍ତା ମଙ୍ଗଳବାର ପୁଣି ଏହି ରେଳଗାଡ଼ି ଗଡ଼ିବ ବୋଲି କୁହାଯାଉଥିଲେ ବି ତାହା ଅନିଶ୍ଚିତତା ଭିତରେ ରହିଥିବା ସୂଚନା ମିଳିଛି। ସେହିଭଳି ଦୀର୍ଘ ଦିନ ବନ୍ଦ ହୋଇ ପଡ଼ିଥିବା ରୋପ୍‌ୱେ ମଧ୍ୟ କେବେ ଚାଲିବ ଜଣାପଡ଼ୁନାହିଁ। ତେଣୁ ଏହି ଦୁଇ ଆକର୍ଷଣର ମାଧ୍ୟମ ନଥିବାରୁ ଦିନକୁ ଦିନ ନନ୍ଦନକାନନକୁ ପର୍ଯ୍ୟଟକଙ୍କ ସଂଖ୍ୟା କମୁଥିବା କୁହାଯାଉଛି। ସୂଚନାନୁସାରେ, ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ୧୯୭୧ଅଗଷ୍ଟ ୮ରେ ନନ୍ଦନକାନନରେ ଶିଶୁ ରେଳଗାଡ଼ିରେ ଭ୍ରମଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଶ୍ବନାଥ ଦାସ ଏହାକୁ ଉଦ୍‌ଘାଟନ କରିଥିଲେ। ଲୋକପ୍ରିୟ ହେବାରୁ ପରେ ଏହାର ଉନ୍ନତୀକରଣ କରାଗଲା ଓ ଏହାକୁ ଟୟଟ୍ରେନ୍ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୯୩ ନଭେମ୍ବର ୧୪ରେ ଶିଶୁ ଦିବସ ଅବସରରେ ଟୟ ଟ୍ରେନ୍ ଉଦ୍‌ଘାଟନ କରିଥିଲେ। ସେତେବେଳେ ଏହାର ପରିଚାଳନା ଦାୟିତ୍ବ ନିଜେ ନନ୍ଦନକାନନ କର୍ତ୍ତୃପକ୍ଷ ହାତରେ ରଖିଥିଲେ। ଏହା ପରେ ୨୦୦୮ ମସିହାରେ ପାଞ୍ଚବର୍ଷିଆ ଟେଣ୍ଡର୍‌ ମାଧ୍ୟମରେ ଗଙ୍ଗାଧର ରାଉତଙ୍କୁ ଦିଆଯାଇଥିଲା। ୨୦୧୪-୧୫ ଆର୍ଥିକ ବର୍ଷରେ ସିଟିକନ୍‌ ପ୍ରାଇଭେଟ୍‌ ଲିମିଟେଡ ନାମକ ଏକ କୋଲକାତାର ଘରୋଇ ସଂସ୍ଥା ଟେଣ୍ଡର୍‌ ମାଧ୍ୟମରେ ଏହାର ପରିଚାଳନା ଭାର ନେଇଥିଲା। ତେବେ ୨୦୧୪ ମସିହାରେ ଟୟ ଟ୍ରେନ୍‌ ଅଚଳ ହେବାରୁ ମାତ୍ର ବର୍ଷକ ଭିତରେ ସିଟିକନ୍‌ ସଂସ୍ଥା ଏଥିରୁ ଓହରିଗଲା। ଏମିତିକି ତା’ର ଅମାନତ ରାଶି ବାଜ୍ୟାପ୍ତି ହୋଇଯାଇଥିଲା। ଏହା ପରେ ୨୦୧୬ ଡିସେମ୍ବର ୯ରେ ରାଇଟସ୍‌ ଲିମିଟେଡ୍‌ ନାମକ ଏକ ସଂସ୍ଥା ଏହି ରେଳଗାଡ଼ିର ନବୀକରଣ ଭାର ନେଇଥିଲା। ନୂତନ ରେଳଧାରଣା, ପ୍ଲାଟଫର୍ମ ନିର୍ମାଣ ଓ ବ୍ୟାଟେରି ଚାଳିତ ଇଂଜିନ ବ୍ୟବସ୍ଥା ଓ ୫ଟି ବଗି ଲଗାଇ ଆଧୁନିକୀକରଣ କରିବା ଲାଗି ୪୯.୬୩ ଲକ୍ଷ ଟଙ୍କା ଦାଖଲ କରି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହିତ ଚୁକ୍ତି ସ୍ବାକ୍ଷର କରିଥିଲା। ଚଳିତବର୍ଷ ଅକ୍ଟୋବରରେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅକ୍ଟୋବର ୮ ତାରିଖରେ ଏହାର ଉଦ୍‌ଘାଟନ କରିଥିଲେ।
ଉଦ୍‌ଘାଟନ ପରେ ପରୀକ୍ଷାମୂଳକ ଭାବେ ୩ମାସ ପାଇଁ ଚଳାଚଳ ଦାୟିତ୍ବ ଉକ୍ତ ସଂସ୍ଥାକୁ ନ୍ୟସ୍ତ କରାଯାଇଥିଲା। ଅକ୍ଟୋବର ୧୭ରେ ପ୍ରଥମ କରି ଟୟ ଟ୍ରେନ୍‌ରେ ଯାତ୍ରୀମାନେ ବସି ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ସେହି ଦିନ ଅପରାହ୍‌ଣରେ ଟୟଟ୍ରେନ୍‌ ଇଂଜିନରେ ବ୍ୟାଟେରି ସଟ୍‌ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିଲା। ସୌଭାଗ୍ୟକୁ ଯାତ୍ରୀଙ୍କ ସହିତ ଚାଳକ ବର୍ତ୍ତିଯାଇଥିଲେ। ସେହିଦିନଠାରୁ ଆଜିପର୍ଯ୍ୟନ୍ତ ଟୟଟ୍ରେନ୍‌ ଯାତ୍ରା ବନ୍ଦ ରଖାଯାଇଛି। ଏ ସଂପର୍କରେ ନନ୍ଦନକାନନ ଏସିଏଫ୍ କହିଛନ୍ତି ଯେ ପର୍ଯ୍ୟଟକମାନଙ୍କର ସୁରକ୍ଷା ଓ ନିରାପତ୍ତାକୁ ପ୍ରାଥମିକତା ଦେଇ ଟୟଟ୍ରେନ୍‌କୁ ବାରମ୍ବାର ପରୀକ୍ଷଣ କରି ରେଳଧାରଣାରେ ଗଡ଼ା ଯାଉଛି। ସୁରକ୍ଷିତ ଯାତ୍ରା ନିଶ୍ଚିତ ହେବା ପରେ ପୁଣି ଏହି ଶିଶୁ ରେଳଗାଡ଼ି ଗଡ଼ିବ। ଆସନ୍ତା ମଙ୍ଗଳବାର ସୁଦ୍ଧା ପର୍ଯ୍ୟଟକମାନେ ପୁଣି ଟୟଟ୍ରେନ୍‌ରେ ବସି ଭ୍ରମଣ କରିବାର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି। ଅପରପକ୍ଷେ ୨୦୧୦ ଅକ୍ଟୋବର ୨୪ରୁ ବନ୍ଦ ରହିଥିବା ରୋପ୍‌-ୱେ କେବେ ଚାଲିବ, ତାହା ଜଣାପଡ଼ିନାହିଁ। ୧୧ବର୍ଷ ହେଲା ପର୍ଯ୍ୟଟକମାନେ ଏହି ମନୋରଞ୍ଜନ ମାଧ୍ୟମରୁ ବଞ୍ଚିତ ହୋଇଆସୁଛନ୍ତି। ଏବେ ଏହାର ଆଧୁନିକୀକରଣ ଦାୟିତ୍ବ ନେଇଛି ଦାମୋଦର ଇନ୍‌ଫ୍ରା ପ୍ରାଇଭେଟ୍‌ ଲିମିଟେଡ୍‌। ‌କାମ ସରିବା ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ।

Share Now:

Kalinga News Beuro

Next Post

ରାଜଧାନୀରେ ୨୪ ଘଣ୍ଟା ମଧ୍ୟରେ ୧୨୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Sun Nov 14 , 2021
ଭୁବନେଶ୍ବର: ଏବେ ରାଜଧାନୀରେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ କିଛି ଦିନ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୩୦୦ଭିତରେ ରହୁଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୫ଜଣ ଥିବା […]
ଗତ ୨୪ ଘଣ୍ଟା ମଧ୍ୟରେ ୧୨୪ଜଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial