କଟକ-ଭୁବନେଶ୍ୱରରେ ବିଛାହେବ ୨୦୦ କିମି ଗ୍ୟାସ୍‌ ପାଇପ୍‌ ଲାଇନ୍‌

ରାଜଧାନୀରେ ସିଏନ୍‌ଜି ଷ୍ଟେସନ ଉଦ୍‌ଘାଟିତ

ଭୁବନେଶ୍ୱର : ରାଜ୍ୟର ଦୁଇ ପ୍ରମୁଖ ସହର ଭୁବନେଶ୍ୱର ଓ କଟକରେ ୧୦୦ କିମି ଲେଖାଏଁ ଗ୍ୟାସ୍‌ ପାଇପ୍‌ଲାଇନ୍‌ ବିଛାଯିବ। ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଏବଂ ସହରୀ ଗ୍ୟାସ୍‌ ବିତରଣ ପ୍ରକଳ୍ପ ଜରିଆରେ ଦୁଇ ସହରରେ ପାଇପ୍‌ଲାଇନ୍‌ ନିର୍ମାଣ କରାଯିବ। ସହରର କୋଣ ଅନୁକୋଣରେ ଏହି ପାଇପ୍‌ଲାଇନ୍‌ ପହଞ୍ଚିବ। ସେହି ପାଇପ୍‌ ଜରିଆରେ ଲୋକମାନଙ୍କ ଘରେ ଘରେ ଗ୍ୟାସ୍‌ ପହଞ୍ଚିବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍‌ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।

ରାଜଧାନୀର ଚନ୍ଦ୍ରଶେଖପୁରସ୍ଥିତ ଭାରତ ପେଟ୍ରୋଲିୟମ୍‌ କର୍ପୋରେସନ୍‌ ଲିମିଟେଡ୍‌ (ବିପିସିଏଲ୍‌) ପେଟ୍ରୋଲ୍‌ ପମ୍ପ୍‌ଠାରେ କମ୍ପ୍ରେସଡ୍‌ ନାଚୁରାଲ୍‌ ଗ୍ୟାସ୍‌ (ସିଏନ୍‌ଜି) ଷ୍ଟେସନ୍‌କୁ ଉଦ୍‌ଘାଟନ କରିବା ଅବସରରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଗ୍ୟାସ୍‌ ପାଇପ୍‌ଲାଇନ୍‌ ବିଛାଇବା ଦିଗରେ କଟକ ଓ ଭୁବନେଶ୍ୱରରେ ୧୭୦୦ କୋଟି ଟଙ୍କା ବିନିଯୋଗ ହେବ। ଏହି ପାଇପ୍‌ ଜରିଆରେ ପ୍ରାକୃତିକ ଗ୍ୟାସ୍‌ ଯୋଗାଣ କରାଯିବ। ତାହା ରୋଷେଇଠାରୁ ଆରମ୍ଭ କରି ଗାଡ଼ିମଟର ଆଦିରେ ବ୍ୟବହାର କରାଯିବ। ଏହି ପ୍ରକଳ୍ପ ଯେଭଳି ଶୀଘ୍ର କାର୍ଯ୍ୟକାରୀ ହେବ ସେ ଦିଗରେ ରାଜ୍ୟ ସରକାର ସବୁ ପ୍ରକାର ସହାୟତା କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ସିଏନ୍‌ଜି ବ୍ୟବହାର ଜନିତ ଲାଭ ବିଷୟରେ ଶ୍ରୀ ପ୍ରଧାନ କହିଥିଲେ ଯେ ଏହା ଦ୍ୱାରା ଅଟୋ ମାଲିକମାନେ ବିଶେଷ ଭାବେ ଲାଭବାନ ହେବେ। ପେଟ୍ରୋଲ୍‌ ବଦଳରେ ସିଏନ୍‌ଜି ବ୍ୟବହାର କଲେ ଦିନକୁ ୩୦ ଟଙ୍କା ସଞ୍ଚୟ ହେବ। ମାସକୁ ଲୋକମାନେ ୯୦୦ ଟଙ୍କା ସଞ୍ଚୟ କରିପାରିବେ। ଅଟୋ ଏବଂ ଦୁଇ ଚକିଆ ଯାନରେ ସିଏନ୍‌ଜି ମେସିନ୍‌ ଲଗାଇବା ପାଇଁ ୧୫ ହଜାର ଟଙ୍କା ଖର୍ଚ ହେଉଛି। ଏହି ମେସିନ୍‌ ପାଇଁ ଫାଇନାନ୍ସ ସୁବିଧା ଯୋଗାଇ ଦେବା ନିମନ୍ତେ ବିଭିନ୍ନ ବ୍ୟାଙ୍କ ଓ ଗେଲ୍‌ ମଧ୍ୟରେ ବୁଝାମଣା ହୋଇଛି। ଗ୍ରାହକମାନେ ୧୫୦୦ ଟଙ୍କାର ଡାଉନ୍‌ପେମେଣ୍ଟ୍‌ ଦେଇ ଏହି ମେସିନ୍‌ ନିଜ ଗାଡ଼ିରେ ଲଗାଇପାରିବେ। ଯେହେତୁ ମାସକୁ ୯୦୦ ଟଙ୍କା ସଞ୍ଚୟ ହେବ ତେଣୁ ସେମାନେ ୫୦୦ ଟଙ୍କାର ଇଏମ୍‌ଆଇ ଅତି ସହଜରେ ଦେଇ ଆହୁରି ୪୦୦ ଟଙ୍କା ସଞ୍ଚୟ କରିପାରିବେ। ସିଏନ୍‌ଜିର କେଜି ପ୍ରତି ମୂଲ୍ୟ ୬୦ ଟଙ୍କାରୁ ସାମାନ୍ୟ କମ୍‌ ରହିଛି। ଏହା ପ୍ରଦୂଷଣମୁକ୍ତ ହୋଇଥିବା ବେଳେ ଅଧିକ ମାଇଲେଜ୍‌ ମଧ୍ୟ ପ୍ରଦାନ କରିବ ବୋଲି ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଏହି ଅବସରରେ ଗେଲ୍‌ର ନିର୍ଦେଶକ (ପ୍ରକଳ୍ପ) ଆଶୁତୋଷ କର୍ଣ୍ଣାଟକା, କାର୍ଯ୍ୟନିର୍ବାହୀ ନିର୍ଦେଶକ (ପୂର୍ବାଞ୍ଚଳ) କେ ବି ସିଂହ, ପେଟ୍ରୋଲିୟମ୍‌ ପ୍ରାକୃତିକ ଗ୍ୟାସ୍‌ ନିୟାମକ ବୋର୍ଡର ସଦସ୍ୟ ସତପାଲ୍‌ ଗର୍ଗ ଏବଂ ଏସ୍‌ ରଥ ଉପସ୍ଥିତ ଥିଲେ।

Share Now:

Kalinga News Beuro

Leave a Reply

Next Post

ମହାନଦୀ ବିବାଦ: ସୋମବାର ବିଜେଡି ଆଣିବ ମୁଲତବୀ ପ୍ରସ୍ତାବ

Sun Dec 17 , 2017
ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିିଜୁ ଜନତା ଦଳ ସୋମବାର ରାଜ୍ୟସଭାରେ ମୁଲତବୀ ପ୍ରସ୍ତାବ ଆଣିବ ବୋଲି ଜଣାପଡ଼ିଛି। ଏହିି ପ୍ରସଙ୍ଗରେ ବିଜେଡି ସମଭାବାପନ୍ନ ଦଳମାନଙ୍କ ସହିତ ଆଲୋଚନା ଆରମ୍ଭ କରିଦେଇଥିବା ସୂଚନା ମିଳିଛି। ଏ ପରିପ୍ରେକ୍ଷୀର ଦଳ ପକ୍ଷରୁ ତୃଣମୂଳ କଂଗ୍ରେସ ଓ ତେଲେଙ୍ଗାନା ରାଷ୍ଟ୍ର ସମିତି ପରି ଦଳମାନଙ୍କ ସହ ଯୋଗାଯୋଗ କରାଯାଇଛି ଏବଂ ଏ ପ୍ରସଙ୍ଗରେ ସଂସଦରେ ସେମାନଙ୍କର ସମର୍ଥନ ଲୋଡ଼ାଯାଇଛି। ତେବେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial