୨୦୨୨ରେ ବି ସରିବନି ଜାଇକା ପ୍ରକଳ୍ପ : ଟେଷ୍ଟିଂ ପାଇଁ ଲାଗିବ ଏକ ବର୍ଷରୁ ଅଧିକ

୨୦୨୨ରେ ବି ସରିବନି ଜାଇକା ପ୍ରକଳ୍ପ

କଟକ: ଜାଇକା ଯନ୍ତ୍ରଣାରୁ ସହରବାସୀଙ୍କୁ ନିକଟରେ ନିସ୍ତାର ମିଳିବାର ନାହିଁ। ବିଭଗୀୟ ଯନ୍ତ୍ରୀ ଏକଥା ସ୍ବୀକାର କରୁଛନ୍ତି। ୨୦୨୨ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ୨୦୨୩ରେ ବି ଏହା ସରିବାର କୌଣସି ଗ୍ୟାରେଣ୍ଟି ଦେଇପାରୁନାହାନ୍ତି କର୍ତ୍ତୃପକ୍ଷ। ୨୦୧୩ରେ ଆରମ୍ଭ ହୋଇଥିବା ଜାଇକା ପ୍ରକଳ୍ପ ୮ ବର୍ଷ ହେବ ଚାଲିଥିବା ବେଳେ ସହର ମଧ୍ୟରେ ପାଇପ୍‌ ବିଛା ଓ ଚ୍ୟାମ୍ବର୍‌ କାମ ସହିତ ବର୍ଜ୍ୟଜଳ ନିଷ୍କାସନର ଟେଷ୍ଟିଂ କାମ ଶେଷ ହେବାକୁ ଆହୁରି ଏକବର୍ଷରୁ ଅଧିକ ସମୟ ଲାଗିବ। ୫ବର୍ଷରେ ଶେଷ ହେବାକୁ ଥିବା ପ୍ରକଳ୍ପ ୮ବର୍ଷରେ ଶେଷ ନହେବାକୁ ନେଇ ସାଧାରଣରେ ଅସ‌ନ୍ତୋଷ ବଢ଼ି ଚାଲିଛି। ସହରର ଡ୍ରେନେଜ୍‌ ଓ ସ୍ବେରେଜ୍‌ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ ୨୦୧୩ରେ ଜାଇକା (ଜାପାନ ଇଣ୍ଟର‌ନ୍ୟାସନାଲ୍‌ କର୍ପୋରେସନ୍‌ ଏଜେନ୍ସି) ପ୍ରକଳ୍ପ ଆରମ୍ଭ କରିଥିଲା। ଏଥିପାଇଁ ୨୦୧୨ ଅକ୍ଟୋବର ଏକ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। ସହରର ୩୬୨ କିଲୋମିଟର ରାସ୍ତାରେ ପାଇପ୍‌ ଓ ଚ୍ୟାମ୍ବର୍‌ କରିବାକୁ ୯୮୮କୋଟି ୨୦ ଲକ୍ଷ ଟଙ୍କାର ବଜେଟ୍‌ ଥିଲା। ସମୟ ଗଡ଼ିବା ସହ ଏବେ ଏହି ବଜେଟ୍‌ ୩ ହଜାର କୋଟି ଟଙ୍କା ଉପରକୁ ଗଲାଣି। ୪ ବର୍ଷ ମଧ୍ୟରେ ପ୍ରକଳ୍ପ କାମ ଶେ‌ଷ କରିବାକୁ କୁହାଯାଇଥିଲା। ମାତ୍ର ନିର୍ଦ୍ଧାରିତ ସମୟଠାରୁ ୫ବର୍ଷ ଅଧିକ ସମୟ ବିତିଯାଇଥିଲେ ବି ଏଯାଏ ତାହା ସରି ନାହିଁ। ଆସନ୍ତା ୨୦୨୨ ବର୍ଷରେ ବି ପ୍ରକଳ୍ପ କାମ ଶେଷ ହେବାର ନାହିଁ। ୩୬୨ କିଲୋମିଟର ରାସ୍ତାରୁ ଏବେ ସୁଦ୍ଧା ୩୩୨ କିଲୋମିଟର ରାସ୍ତାରେ ପାଇପ୍‌ ବିଛା ଓ ଚ୍ୟାମ୍ବର୍‌ କାମ ଶେଷ ହୋଇଛି। ବାକି ୩୦ କିଲୋମିଟର ରାସ୍ତା ମଧ୍ୟରୁ ୧୮ କିଲୋମିଟର ରାସ୍ତା ବିବାଦ ମଧ୍ୟରେ ରହିଛି।
ଏହାକୁ ବାଦ୍‌ ଦେଇ ବାକିଥିବା ୧୨ କିଲୋମିଟର ରାସ୍ତାରେ ୨୦୨୨ ଜୁନ୍‌ ମଧ୍ୟରେ ପାଇପ୍‌ ବିଛା ଓ ଚ୍ୟାମ୍ବର୍‌ କାମ ଶେଷ କରିବାକୁ ଜାଇକା ସ୍ଥିର କରିଛି। ମାତ୍ର କାମ ଶେଷ ହୋଇଥିବା ୩୩୨ କିଲୋମିଟର ରାସ୍ତାରେ ଏବେ ଟେଷ୍ଟିଂ ଚାଲିଛି। ଯେଉଁଥିରେ ଅନେକ ସ୍ଥାନରେ କାମ ଶେଷ ହୋଇଥିଲେ ବି ଚ୍ୟାମ୍ବର୍‌ ଓ ଏହାର ପାର୍ଶ୍ବ ଅଞ୍ଚଳ ଦବିବା, ପାଇପ୍‌ରେ ବ୍ଲକେ‌ଜ୍‌ ହେବା, ଗୋଟିଏ ଚ୍ୟାମ୍ବର୍‌ରୁ ଅନ୍ୟ ଚ୍ୟାମ୍ବର୍‌କୁ ପାଇପ୍‌ ସଂଯୋଗ କରିବା ଆଦି ପାଇଁ ବାରମ୍ବାର ରାସ୍ତା ଖୋଳାଯାଇ କାମ କରାଯାଉଛି। ଏଥିରେ ସହରର ସାହିବସ୍ତିରେ ଅନେକ ସମସ୍ୟା ଦେଖାଯାଉଛି। ଟେଷ୍ଟିଂ ଆଳରେ ଗୋଟିଏ ରାସ୍ତାକୁ ବାରମ୍ବାର ଖୋଳି କାମ କରାଯାଉଥିବାରୁ ସହରବାସୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସବୁ ପାଇପ୍‌ ଓ ଚ୍ୟାମ୍ବର୍‌ ଟେଷ୍ଟିଂ କାମ ଶେଷ ହେବାକୁ ଏକବର୍ଷରୁ ଅଧିକ ସମୟ ଲାଗିବ। ଏହାକୁ ଦେଖିଲେ ସହରବାସୀଙ୍କୁ ୨୦୨୩ରେ ବି ଜାଇକା ଯନ୍ତ୍ରଣାରୁ ତ୍ରାହି ମିଳିବ ନାହିଁ ବୋଲି ସ୍ପଷ୍ଟ ହେଉଛି। ସହରରେ ବିଭିନ୍ନ ସମସ୍ୟା ପାଇଁ ଜାଇକା ପ୍ରକଳ୍ପରେ ଅନେକ ବିଳମ୍ବ ହୋଇଛି। ପ୍ରକଳ୍ପ କେବେ ଶେଷ ହେବ ତାହା ନିର୍ଦ୍ଦିଷ୍ଟ ଭାବେ କହି ହେବ ନାହିଁ। ଆସନ୍ତା ୨୦୨୨ ଜୁନ୍‌ ସୁଦ୍ଧା ପାଇପ୍‌ ବିଛା ଓ ଚ୍ୟାମ୍ବର୍‌ କାମ ଶେଷ ହେବ। ସବୁ ପାଇପ୍‌ ଓ ଚ୍ୟାମ୍ବର୍‌ର ଟେଷ୍ଟିଂ ପାଇଁ ଆଉ କିଛି ଅଧିକ ସମୟ ଲାଗବ ବୋଲି ଜାଇକାର ‌ସର୍ବୋଚ୍ଚ ଯନ୍ତ୍ରୀ ଇଂଜିନିୟର ହାଡ଼ିବନ୍ଧୁ ବେହେରା କହିଛନ୍ତି।

Share Now:

Kalinga News Beuro

Next Post

ଦୁର୍ବଳ ହେଉଛି ବାତ୍ୟା ଜୱାଦ୍ : ଓଡ଼ିଶା ଉପରୁ ବିପଦ ଟଳିଲା

Sat Dec 4 , 2021
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଜୱାଦ୍ ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ କରିଛି। ଆଜି ଅପରାହ୍ନ ସାଢେ ୨ଟା ବେଳେ ଏହା ବିଶାଖାପାଟଣାଠାରୁ ୨୦୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ତଥା ଗୋପାଳପୁରଠାରୁ ୩୧୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିଲା। ଆଜି ରାତି ସୁଦ୍ଧା ବାତ୍ୟା ଦୁର୍ବଳ ହେବା ସହ ଏକ ଡିପ୍ ଡିପ୍ରେସନରେ ପରିଣତ ହେବ ଓ ଉତ୍ତର ଦିଗରେ […]
ବାତ୍ୟା ଜଓ୍ବାଦ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial