ବାତ୍ୟା ଜୱାଦର ପ୍ରଭାବ : ଲଗାଣ ବର୍ଷାରେ ଉପକଣ୍ଠ ବେହାଲ

ଲଗାଣ ବର୍ଷାରେ ଉପକଣ୍ଠ ବେହାଲ

ପାଚିଲା ଧାନ ଅଣ୍ଡାଳୁଛି ଚାଷୀ

ବାଲିଅନ୍ତା: ବାତ୍ୟା ଜୱାଦ ଦୁର୍ବଳ ହୋଇଯାଇଥିଲେ ହେଁ ଲଗାଣ ବର୍ଷା ଯୋଗୁଁ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋକଙ୍କ କଚ୍ଚାଘ‌ରେ ବର୍ଷା ଜଳ ଲହଡ଼ି ମାରିବା ସହ କାନ୍ଥ ଭାଙ୍ଗି ଯାଇଛି। ସେହିପରି ହଜାର ହଜାର ହେକ୍ଟର ଚାଷ ଜମିରେ ବର୍ଷାଜଳ ଜମି ରହିବା ଯୋଗୁଁ ଧାନ ଓ ଅନ୍ୟାନ୍ୟ ପନିପରିବା ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ଆଜି ଅପରାହ୍‌ଣ ଆଡ଼କୁ ବର୍ଷା ଛାଡ଼ିଯିବା ପରେ କିଛି ଚାଷୀ ବର୍ଷା ଜଳରେ ଶୋଇ ପଡ଼ିଥିବା ପାଚିଲା ଧାନ କାଟୁଥିବା ଦେଖିବାକୁ ମିଳୁଥିଲା। ମିଳିଥିବା ସୂଚନାନୁଯାୟୀ, ବାଲିଅନ୍ତା ତହସିଲ ବ୍ରାହ୍ମଣଷଡ଼ଙ୍ଗୀ ରାଜସ୍ବ ସର୍କଲ ଅଧୀନ ସରକଣା ଉପରମୁଣ୍ଡ ସାହିରେ ୭ ଜଣଙ୍କର ମାଟିକାନ୍ଥ ଭାଙ୍ଗି ଯାଇଛି। ମୀନା ନାଏକ, କବିତା ନାଏକ, କଳ୍ପନା ନାଏକ, ଭଗବାନ ନାଏକ, ରୀନା ନାଏକ, କେଳୁ ନାଏକ, ଆରତ ନାଏକ, ବିଦ୍ୟାଧର ନାୟକ , କାଳୀ ନାଏକ ଏବଂ ଗୋପି ନାଏକଙ୍କ ମାଟି ଘର କାନ୍ଥ ଭାଙ୍ଗି ଯାଇଛି। ସେହିପରି ଜୟଦେବ ପଞ୍ଚାୟତ ଅଧୀନ ନାରାୟଣ ଭୋଇଙ୍କ ଘର ଭାଙ୍ଗି ଯାଇଥିବାରୁ ସେ ସ୍କୁଲଘରେ ଆଶ୍ରୟ ନେଇଛନ୍ତି। ଉପରୋକ୍ତ ପରିବାରଙ୍କୁ ଏଯାବତ୍‌ ସରକାରଙ୍କ ପକ୍କାଘର ଯୋଜନାରେ ଘର ମିଳି ନଥିବାରୁ ସେମାନେ କଚ୍ଚାଘରେ ରହୁଥିଲେ। ଆର୍ଥିକ ଅନଟନ ଯୋଗୁଁ ଏବର୍ଷ ସେମାନେ ଛପର ବି କରିପାରିନଥିଲେ। ତେଣୁ ବର୍ଷା ପାଣି ଗଳି ଘର ଭିତରେ ଲହଡ଼ି ମାରିଥିଲା।
ପରିବାରଲୋକ ଥାଳି, ତାଟିଆ ସାହାଯ୍ୟରୁ ଘରୁ ପାଣି ବାହାର କରୁଥିବା ଦେଖିବାକୁ ମିଳିଥିଲା। ବାଲିଅନ୍ତା ତହସିଲଦାର ଓ ବିଡିଓ ସେମାନଙ୍କୁ ଶୀଘ୍ର ସହାୟତା ପ୍ରଦାନ କରିବା ସହ ସରକାରୀ ଯୋଜନାରେ ପକ୍କାଘର ଯୋଗାଇ ଦେବାକୁ ପଦକ୍ଷେପ ନିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ସେହିପରି ବାଲିପାଟଣା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେବଳ ରବିବାର ଦିନ ଏଠାରେ ୩୨.୩ ମିମି ବର୍ଷା ରେକର୍ଡ କରାଯାଇଛି। ଶନିବାର ରାତିରୁ ବର୍ଷା ବଢ଼ିବାରୁ ହେକ୍ଟର ହେକ୍ଟର ଚାଷ ଜମିରେ ବର୍ଷାଜଳ ଢେଉ ଖେଳୁଛି। ଶୀଘ୍ର ପାଣି ନ ଛାଡ଼ିଲେ ବିଲ‌ରେ ଧାନ ଗଜା ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ସେହିପରି କୋବି ଫସଲ ମଧ୍ୟ କ୍ଷୟକ୍ଷତି ହୋଇଛି। କୋବି କିଆରିରେ ପାଣି ଜମି ରହିବାରୁ ତାହା ପଚିଯିବାର ଆଶଙ୍କା ଦେଖାଦେଇଛି। ଅପରପକ୍ଷେ କୃଷି କର୍ମଚାରୀ ଗାଁ ଗାଁ ବୁଲି କ୍ଷୟକ୍ଷତି ଆକଳନ କରିବେ ବୋଲି ବ୍ଲକ୍‌ କୃଷି ଅଧିକାରୀ ତରୁଣ କୁମାର ଛୋଟରାୟ ସୂଚନା ଦେଇଛନ୍ତି। ସରକାରୀ ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ବୈଠକ ପରେ ସରକାରଙ୍କୁ କ୍ଷୟକ୍ଷତିର ରିପୋର୍ଟ ଦିଆଯିବ ବୋଲି ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ଏଣିକି ସବୁ ଷ୍ଟେସନରେ ଟ୍ରେନରେ ଚଢ଼ିପାରିବେ ଯାତ୍ରୀ : ପଡ଼ିବନି ଫାଇନ

Mon Dec 6 , 2021
ନୂଆଦିଲ୍ଲୀ: ବେଳେବେଳେ ଆପଣ କୌଣସି କାରଣରୁ ଷ୍ଟେସନରୁ ଟ୍ରେନରେ ଚଢିପାରିନଥାନ୍ତି। ଆଉ ଅନ୍ୟ ଷ୍ଟେସନରେ ଟ୍ରେନରେ ଚଢିବା ଦ୍ୱାରା ଆପଣଙ୍କୁ ଫାଇନ ଦେବାକୁ ପଡିଥାଏ। ତେବେ ଏବେ ରେଳ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଅଛି। ବର୍ତ୍ତମାନ ଆପଣ ମୂଳ ରେଳ ଷ୍ଟେସନ ପରିବର୍ତ୍ତେ ଅନ୍ୟ କୌଣସି ଷ୍ଟେସନରୁ ମଧ୍ୟ ଟ୍ରେନରେ ଚଢିପାରିବେ। ଏଥିପାଇଁ ରେଳବାଇ ଆପଣଙ୍କୁଠାରୁ କୌଣସି ଜରିମାନା ଆଦାୟ କରିବ ନାହିଁ। ସୂଚନା ମୁତାବକ ବୋର୍ଡିଂ […]
ଯେକୌଣସି ଷ୍ଟେସନରେ ଟ୍ରେନରେ ଚଢ଼ିପାରିବେ ଯାତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial