ଚାନ୍ଦିପୁରରୁ ପ୍ରହାର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ପ୍ରହାର କ୍ଷେପଣାସ୍ତ୍ର

ଚାନ୍ଦିପୁର : ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଆଜି ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟାଟିକ୍ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ପ୍ରହାରର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ବେଳେ ଡ଼ିଆରଡ଼ିଓର ବରିଷ୍ଠ ବୈଜ୍ଞାନିକମାନେ ଲଞ୍ଚପ୍ୟାଡ଼ରେ ଉପସ୍ଥିତ ଥିଲେ। ଆଜିର ଏହି ପରୀକ୍ଷଣ ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଲଞ୍ଚପ୍ୟାଡ଼ରୁ ୭ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀ ମାନଙ୍କୁ ଯିବାକୁ ବାରଣ କରାଯାଇଥିଲା। ସେହିପରି ୩ନଂ ଲଞ୍ଚପ୍ୟାଡ଼ର ଅଢେଇ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଗୁଡ଼ୁପାହି, କୁସୁମୁଳିପାହି, ଭୀମପୁରପାହି, ସାହାଦାନଗରପାହି ଗାଁର ୬ ହଜାରରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରହାର କ୍ଷେପଣାସ୍ତ୍ରକୁ ପ୍ରଥମଥର ପାଇଁ ୨୦୧୧ ମସିହା ଜୁଲାଇ ୨୧ ତାରିଖରେ ଓ ଦ୍ବିତୀୟଥର ପାଇଁ ୨୦୧୮ ମସିହା ସେପ୍ଟେମ୍ବର ୨୦ ତାରିଖରେ ପରୀକ୍ଷା କରାଯାଇଥିଲା। ଉଭୟ ପରୀକ୍ଷା ସଫଳ ହୋଇଥିବାବେଳେ, ଏହା ଟାର୍ଗେଟକୁ ୧୦ ମିଟର ଦୂରତା ମଧ୍ୟରେ ହିଟ୍ କରିବାରେ ସକ୍ଷମ ହୋଇଥିଲା। ପ୍ରହାର କ୍ଷେପଣାସ୍ତ୍ରର ଲମ୍ବ ୭.୩୨ ମିଟର ଥିବାବେଳେ, ଓଜନ ୧୨୮୦ କିଲୋଗ୍ରାମ ରହିଛି। ଏହା ୨୫୦ ସେକେଣ୍ଡ ମଧ୍ୟରେ ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତିକରି ୧୫୦ରୁ ୨୦୦ କିଲୋମିଟର ମଧ୍ୟରେ ଟାର୍ଗେଟକୁ ନଷ୍ଟ କରିବାର କ୍ଷମତା ରହିଛି। ପ୍ରହାର କ୍ଷେପଣାସ୍ତ୍ରରେ ୨୦୦ରୁ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ। ଭାରତ ଡ଼ାଇନାମିକ୍ ଲିମିଟେଡ଼ ଦ୍ୱାରା ନିର୍ମିତ ପ୍ରହାର କ୍ଷେପଣାସ୍ତ୍ରକୁ କେନିଷ୍ଟରରୁ ଉତକ୍ଷେପଣ କରାଯିବା ସହିତ ଏହାକୁ ଟେଟ୍ରା ମୋବାଇଲ ଲଞ୍ଚରରୁ ମଧ୍ୟ ଉତକ୍ଷେପଣ କରାଯାଇ ପାରିବ। ପ୍ରହାରର ଟ୍ରାଜେକ୍ଟୋରୀକୁ ବିକଶିତ କରାଯାଇ ଆଜି ପରୀକ୍ଷା କରାଯାଉଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ବାତ୍ୟା କ୍ଷତିପୂରଣ ଦାବିରେ ବାଲିଅନ୍ତା ତହସିଲ ଘେରିଲେ ଭାଗଚାଷୀ

Tue Dec 7 , 2021
ବାଲିଅନ୍ତା : ବାଲିଅନ୍ତା ତହସିଲ ଅଞ୍ଚଳରେ ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଭାଗଚାଷୀଙ୍କୁ ଫସଲ କ୍ଷତିପୂରଣ ବାବଦ ସରକାରୀ ସହାୟତା ମିଳୁନାହିଁ। ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ସିଧାସଳଖ ଜମିମାଲିକମାନଙ୍କ ଆକାଉଣ୍ଟକୁ ଯାଉଛି। ଜମି ମାଲିକମାନେ ମଧ୍ୟ ଭାଗଚାଷୀମାନଙ୍କୁ ଫସଲ କ୍ଷତିପୂରଣ ଅର୍ଥ ଦେଉ ନାହାନ୍ତି। ଆକାଉଣ୍ଟକୁ ଆସୁଥିବା ଟଙ୍କା ମାଗିଲେ ଭାଗଚାଷୀ ଓଲଟି ଜମି ମାଲିକମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଥାନା କୋର୍ଟ ପର୍ଯ୍ୟନ୍ତ କଥା […]
ବାତ୍ୟା କ୍ଷତିପୂରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial