ବିଏମ୍‌ସିର ଭଙ୍ଗାଗଢ଼ା ଖେଳ: ସହିଦନଗରବାସୀଙ୍କ ପାଇଁ କାଳ

ବିଏମ୍‌ସିର ଭଙ୍ଗାଗଢ଼ା ଖେଳ

ଗଛ କାଟି ଦୋକାନ ଘର ନିର୍ମାଣ

ଭୁବନେଶ୍ୱର: ରାସ୍ତା‌ପାର୍ଶ୍ଵକୁ କବ୍‌ଜା କରିନେଲେଣି ଉଠାଦୋକାନୀ। ଗୋଟିଏ କି ଦୁଇଟି ସ୍ଥାନ ନୁହେଁ, ସହର ସାରା ରାସ୍ତାପାର୍ଶ୍ବ ଜବରଦଖଲ। କେଉଁଠି ହୋଟେଲ ଖୋଲିଛି ତ ଆଉ କେଉଁଠି ପାନ ଦୋକାନ। ଯିଏ ଯେଉଁଠି ପାରିଲା କବ୍‌ଜା କରିନେଲା। ବିଏମ୍‌ସି ଉଚ୍ଛେଦ କରୁଛି, ମାତ୍ର ଫଳ କିଛି ହେଉନି। ଦିନରେ ଯେଉଁଠି ଉଚ୍ଛେଦ ହେଉଛି, ରାତି ପାହିଲା ବେଳକୁ ସେ ସ୍ଥାନର କିଛି ଦୂରରେ ପୁଣି ନିର୍ମାଣ ହେଉଛି। ଏହା ଏବେ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ସଦ୍ୟତମ ଉଦାହରଣ, ସହିଦନଗରରେ ନିର୍ମାଣାଧୀନ ବହୁତଳ ଗାଡ଼ି ରହଣିସ୍ଥଳକୁ ସଂଯୋଗ କରୁଥିବା ରାସ୍ତାରେ। ବହୁତଳ ପାର୍କିଂକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ପ୍ରଶସ୍ତୀକରଣ ଲାଗି କିଛି ଦିନ ତଳେ ବିଏମ୍‌ସି ପକ୍ଷରୁ ରାସ୍ତାପାର୍ଶ୍ଵରେ ଥିବା ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇଥିଲା। ମାତ୍ର ଉଚ୍ଛେଦ ପ୍ରକ୍ରିୟା ଶେଷ ହେବା କ୍ଷଣି ଦୋକାନୀମାନେ ସଙ୍ଗେ ସଙ୍ଗେ ନିକଟସ୍ଥ ଆଉ ଏକ ରାସ୍ତାପାର୍ଶ୍ଵକୁ ଜବରଦଖଲ କରିନେଲେ। ସେଠାରେ ଥିବା ବଡ଼ବଡ଼ ଗଛଗୁଡ଼ିକୁ ବି କାଟି ପକାଇଲେ। ରାତିରେ ଏମିତି ନିର୍ମାଣ କଲେ ଯେ ସକାଳୁ ଘର ଠିଆ ହୋଇଗଲା। ପରିଣାମସ୍ବରୂପ ଏହା ନିକଟରେ ଥିବା ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ, ଏକ ନର୍ସିଂହୋମ୍‌, ଜୟଦେବ ପାଠଗାର ଓ ସାଂସ୍କୃତିକ ଗବେଷଣା କେନ୍ଦ୍ର, କୌଶଳ ବିକାଶ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଆସୁଥିବା କର୍ମଚାରୀ ଓ ଗ୍ରାହକ ଏବେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଗାଡ଼ି ରହିବା ପାଇଁ ଜାଗା ମିଳୁ ନାହିଁ। ପ୍ରଶ୍ନ ଉଠୁଛି, ଦୋକାନୀଙ୍କ ଏତେ ସାହସ କିଭଳି ହେଲା। ରାସ୍ତାପାର୍ଶ୍ଵରୁ ଗଛ କାଟି ଘର ନିର୍ମାଣ କରାଯାଉଥିଲେ ମଧ୍ୟ କେହି କିଭଳି ଜାଣିପାରିଲେ ନାହିଁ। ବିଏମ୍‌ସି ଅଧିକାରୀ ଓ ନିକଟରେ ଥିବା ସିଟି ଫରେଷ୍ଟ ଡିଭିଜନ୍‌ ଅଧିକାରୀଙ୍କ ଏଥିପ୍ରତି ନଜର ପଡ଼ିଲାନି କି? ନା ଦୋକାନୀଙ୍କ ସହ ସଲାସୁତରାରେ କର୍ତ୍ତୃପକ୍ଷ ଆଖି ବନ୍ଦ କରିଦେଇଛନ୍ତି। ସ୍ମାର୍ଟସିଟି ସୌନ୍ଦର୍ଯ୍ୟୀକରଣରେ ରାସ୍ତାପାର୍ଶ୍ଵ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଇ ସେମାନଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ କରାଯାଉଛି। ତେବେ ଏଠାରେ ସେଭଳି ନ କରି ଗୋଟିଏ ରାସ୍ତାକୁ ପ୍ରଶସ୍ତ କରିବା ନାଁରେ ଆଉ ଗୋଟିଏ ରାସ୍ତାକୁ ସଙ୍କୁଚିତ କରିବା କେତେଦୂର ଯୁକ୍ତିଯୁକ୍ତ। ବିଏମ୍‌ସି କର୍ତୃପକ୍ଷ ଏଥିପ୍ରତି ଗୁରୁତ୍ତ୍ଵ ନଦେଲେ ଆଗାମୀ ଦିନରେ ବହୁତଳ ଗାଡ଼ି ପାର୍କିଂସ୍ଥଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Next Post

ଓମିକ୍ରନକୁ ନେଇ ଆସିଲା ଆଶ୍ୱସ୍ତିକର ଖବର: ଘାତକ ହେଉନି ଭୂତାଣୁର ନୂଆ ଭାରିଆଣ୍ଟ

Tue Dec 7 , 2021
ନୂଆଦିଲ୍ଲୀ: ‘ଓମିକ୍ରନ’କୁ ନେଇ ସାରା ବିଶ୍ୱରେ ଆତଙ୍କ ଦେଖାଦେଇଥିବା ବେଳେ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଦେଇଥିବା ତଥ୍ୟ ସାମାନ୍ୟ ଆଶ୍ୱସ୍ତି ଆଣିଛି। ଏହି ତଥ୍ୟ ଅନୁସାରେ ଯଦିଓ ‘ଓମିକ୍ରନ’ ଅଧିକ ସଂକ୍ରାମକ, ହେଲେ କମ୍ ଘାତକ। ଡେଲଟା ଭାରିଆଣ୍ଟ ତୁଳନାରେ ଏହି ନୂଆ ଭାରିଆଣ୍ଟ ୨ ଗୁଣରୁ ଅଧିକ ବେଗରେ ବ୍ୟାପୁଛି, ହେଲେ ‘ଓମିକ୍ରନ’ରେ ଆକ୍ରାନ୍ତ ହେବା ପରେ ଗମ୍ଭୀର ହେବାର ମାମଲା ମଧ୍ୟ କମ୍ ରହିଛି। ଓମିକ୍ରନକୁ ନେଇ […]
ଘାତକ ହେଉନି ଭୂତାଣୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial