ଅଳଙ୍କାର ଦୋକାନ ଲୁଟ୍‌ ଘଟଣା : ସସ୍‌ପେନ୍ସ କ୍ୟାମେରାରେ ଲୁଟେରାଙ୍କ କାରନାମା

ଅଳଙ୍କାର ଦୋକାନ ଲୁଟ୍‌ ଘଟଣା

ଭୁବନେଶ୍ୱର : ଫୁଲ୍‌-ପ୍ରୁଫ୍‌ ପ୍ଲାନ୍‌ ସହ ଆସିଥିଲେ ଲୁଟେରା। କେଉଁଠି ସିସି କ୍ୟାମେରା, କେଉଁଠି କାଚ କବାଟ ଓ କେଉଁଠି ଷ୍ଟ୍ରଙ୍ଗ ରୁମ୍‌; ସବୁ ସେମାନଙ୍କୁ ଜଣାଥିଲା। ବିଲେଇ କପାଳକୁ ଶିକା ଛିଡ଼ିବା ଭଳି ସେରାତିରେ ପିସିଆର୍‌ ଗାଡ଼ି ଥରକ ପାଇଁ ବି ସେବାଟ ଦେଇ ଯାଇନଥିଲା। ତେଣୁ ୪ ଘଣ୍ଟା ମଧ୍ୟରେ ସବୁ କାମ ଅନାୟାସରେ ହୋଇଯାଇଥିଲା। ଦୋକାନରେ ଥିବା ୭୦ ଲକ୍ଷ ଟଙ୍କାର ସୁନା, ରୁପା ଗହଣା ସହ କ୍ୟାସ୍‌ ଡ୍ର’ରୁ ଦେଢ଼ ଲକ୍ଷ ଟଙ୍କା ପୋଛି ଦେଇଥିଲେ। ଏପରିକି ପ୍ରମାଣ ନଷ୍ଟ କରିବା ପାଇଁ ଡିଭିଆର୍‌ ମେସିନ୍‌କୁ ସାଥିରେ ନେଇ ଯାଇଥିଲେ। ତେଣୁ ଗହଣା ଦୋକାନ ସହ ସଂଶ୍ଲିଷ୍ଟ ଥିବା କୌଣସି ବ୍ୟକ୍ତି ଏହି ହାଇପ୍ରୋଫାଇଲ୍‌ ଲୁଟ୍‌ ପଛରେ ସାମିଲ ଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଦୋକାନରେ କାମ କରୁଥିବା ଓ ପୂର୍ବରୁ କାମ କରିଥିବା କୌଣସି କର୍ମଚାରୀ, ଦୋକାନକୁ ଡେକୋରେଟ୍‌ କିମ୍ବା ସୁରକ୍ଷା ବ୍ୟବସ୍ଥା କରିଥିବା କେହି ବ୍ୟକ୍ତି ଏହା ପଛର ମାଷ୍ଟରମାଇଣ୍ଡ ଥାଇପାରନ୍ତି। ତା’ ସୂଚନା ଆଧାରରେ ଲୁଟେରାମାନେ ଏତେ ବଡ଼ ଲୁଟ୍‌ କରିଛନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଡେଲ୍ଟା ଛକସ୍ଥିତ ନୀଳିମା କମ୍ପ୍ଲେକ୍ସରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାର୍ସରୁ ଲୁଟ୍‌ ମାମଲାରେ ପୁଲିସ୍‌ର ତଦନ୍ତ ଏବେ ଏହି ଦିଗରେ ଆଗକୁ ବଢ଼ିଛି। ଉପରୋକ୍ତ ବ୍ୟକ୍ତିମାନଙ୍କୁ ପୁଲିସ ପଚରାଉଚରା କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। ଏହାବ୍ୟତୀତ ପୁଲିସ ଟାୱାର ଡମ୍ପିଂ ଟେକ୍ନୋଲୋଜି ସହାୟତାରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି। ଲୁଟ୍‌ ସମୟରେ ମଧ୍ୟରେ ଉକ୍ତ ଅଞ୍ଚଳରେ କେଉଁ ମୋବାଇଲଗୁଡ଼ିକ ଆକ୍ଟିଭ୍‌ ଥିଲା, ତାହାର ତାଲିକା ବାହାର କରିବା ସହ ସେଗୁଡ଼ିକର କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌) ମଧ୍ୟ ଯାଞ୍ଚ କରିଛି। ତେବେ ସେଥିମଧ୍ୟରେ ୫ରୁ ୭ ମୋବାଇଲ୍‌ ଉପରେ ପୁଲିସର ସନ୍ଦେହ ହୋଇଛି। ଉକ୍ତ ମୋବାଇଲ୍‌ଗୁଡ଼ିକ ଏବେ ରାଜ୍ୟ ବାହାରକୁ ଚାଲି ଯାଇଥିବାରୁ ପୁଲିସ ତାହାକୁ ଟ୍ରାକିଂ କରି ରାଜ୍ୟ ବାହା‌ରେ ଡେରା ପକାଇଛି।
ଗହଣା ଦୋକାନରେ ଲାଗିଥିବା ସସପେନ୍ସ କ୍ୟାମେରା ଫୁଟେଜ୍‌ରୁ ପୁଲିସ ଜାଣିବାକୁ ପାଇଛି ଯେ ଦୋକାନକୁ ପ୍ରବେଶ ପାଇଁ ୨ଟି ବାଟ ଥିବା ବେଳେ ଲୁଟେରା ରୁପା କାଉଣ୍ଟର୍‌ ମଧ୍ୟ ଦେଇ ପ୍ରଥମେ ପଶିଛି। ଗ୍ୟାସ କଟର୍‌ରେ ଗ୍ରିଲ୍ କାଟିବା ପରେ ସଟର୍‌ କାଟିଛି। ସଟର୍‌ ଆରପଟେ ବାମ ପାର୍ଶ୍ବରେ କାଚ କବାଟ ଲାଗିଥିବାରୁ ଲୁଟେରା ବାମ ପାର୍ଶ୍ବରୁ ୧ଫୁଟ୍ ଛା଼ଡି ସଟର୍‌ କାଟିଛି। ଏହା ପରେ କାଚ କବାଟର ହ୍ୟାଣ୍ଡେଲ୍‌ ପାଖରୁ ହାତୁଡ଼ିରେ ଭାଙ୍ଗି ଭିତରକୁ ପଶିଛି। ଭିତରେ ଲାଗିଥିବା କ୍ୟାମେରାଗୁଡ଼ିକୁ ବୁଲାଇଦେବା ସହ ଗୁପ୍ତ ସ୍ଥାନରେ ଥିବା ଡିଭିଆର୍ ମେସିନ୍‌କୁ ଖୋଲି ରଖିଛି। ପରେ ରୁପା ଅଳଙ୍କାର ଲୁଟ୍ କରାଯାଇଛି। ପଛ କବାଟର ତଳପାର୍ଶ୍ବକୁ କାଠ କଟର୍‌ରେ କାଟିବାକୁ ଉଦ୍ୟମ କରି ବିଫଳ ହେବା ପରେ ଦୋକାନରେ ଥିବା ଗ୍ୟାସ୍‌କୁ ଆଣି କବାଟକୁ ନିଆଁ ଲଗାଇଛି। କବାଟର ତାଲା ଭାଙ୍ଗିଯିବା ପରେ ସୁନାଗହଣା ଥିବା ଚାମ୍ବର୍‌ରେ ପଶି କ୍ୟାମେରା ଭଙ୍ଗାଯାଇଛି ଏବଂ ପରେ କ୍ୟାସ୍‌ ବାକ୍ସରେ ଥିବା ସାମଗ୍ରୀ ଲୁଟ୍ କରାଯାଇଛି। କେବଳ ସେତିକି ନୁହେଁ, କିଛି ଦିନ ହେଲା ଗହଣା ଦୋକାନର ଆଲାରାମିଂ ବ୍ୟବସ୍ଥା ଅଚଳ ହୋଇଯାଇଥିଲା ବୋଲି ଜଣାପଡ଼ିଛି। ଲୁଟେରା ଗ୍ରିଲ୍ କାଟି ଦୋକାନ ଭିତରକୁ ପଶିବା ମାତ୍ରେ ସାଇରନ୍ ବାଜି ଖୁବ୍ ଜୋର୍‌ରେ ଶବ୍ଦ ହୋଇଥା’ନ୍ତା ଏବଂ ସ୍ବୟଂଚାଳିତ ଭାବେ ମାଲିକ ମୋବାଇଲ୍‌କୁ କଲ୍ ଯାଇଥା’ନ୍ତା। ମାତ୍ର କିଛି ସପ୍ତାହ ତଳେ ଏହି ସୁରକ୍ଷା ବ୍ୟବସ୍ଥା ଅଚଳ ହୋଇଯାଇଥିଲା। ଏହି ବ୍ୟବସ୍ଥା ଅଚଳ ହେବା କଥା କେବଳ ଗହଣା ବ୍ୟବସାୟୀ ସନ୍ଦୀପ ଓ ତାଙ୍କ ବାପା ଓମ୍‌ପ୍ରକାଶଙ୍କ ବ୍ୟତୀତ ଏହାକୁ ଲଗାଇଥିବା କମ୍ପାନି କର୍ତ୍ତୃପକ୍ଷଙ୍କ କର୍ମଚାରୀ ଓ ଗହଣା ଦୋକାନର କର୍ମଚାରୀ ଜାଣିଥିଲେ। ଅପରପକ୍ଷରେ ରାସ୍ତାରେ ଲାଗିଥିବା ସିସି କ୍ୟାମେରାରୁ ଜଣାପଡ଼ିଛି ଯେ ଏହି ଗହଣା ଦୋକାନ ଲୁଟିବା ପାଇଁ ଗୋଟିଏ କାର୍, ପଲସର୍ ବାଇକ୍ ଓ ସ୍କୁଟି ବ୍ୟବହାର ହୋଇଥିଲା। କାର୍‌ଟି ଜାଗମରା ରାସ୍ତା ସେପଟକୁ ଛିଡ଼ା ହୋଇଥିବା ବେଳେ ୨ଜଣ ଦୁର୍ବୃତ୍ତ ପଲସର୍ ବାଇକ୍‌ ନେଇ ରାସ୍ତାର ଏ ପାର୍ଶ୍ବରୁ ସେ ପାର୍ଶ୍ବକୁ ଯିବା ଆସିବା କରୁଥିଲେ। ଲୁଟ୍‌ ପରେ ଲୁଟେରାମାନେ କାର୍‌, ସ୍କୁଟି ଓ ପଲସର୍ ସହ ଅନ୍ତର୍ଧ୍ୟାନ ହୋଇଯାଇଥିଲେ।

Share Now:

Kalinga News Beuro

Next Post

ଲୁଟେରାକୁ ଅଧାଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଲେ ସ୍ଥାନୀୟ ଲୋକେ

Fri Dec 10 , 2021
ଭୁବନେଶ୍ବର : ଜଣେ ଯୁବକଙ୍କ ବ୍ୟାଗ୍ ଓ ମୋବାଇଲ୍ ଲୁଟ୍‌ ଉଦ୍ୟମ କରୁଥିବା ୨ ଲୁଟେରା ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ି ବହେ ଛେଚା ଖାଇଛନ୍ତି। ଜଣଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିବା ସହିତ ଅଧା ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଛନ୍ତି। ଡୁମୁଡୁମା ସତ୍ୟନଗର ଅଞ୍ଚଳରେ ଆଜି ଅପରାହ୍‌ଣରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖବର ପାଇ ପିସିଆର୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି […]
ଅଧାଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial