ଜୁଲାଇ ପର୍ଯ୍ୟନ୍ତ ଖାଲି ରହିବ ତାଳଦଣ୍ତା କେନାଲ: ସୌନ୍ଦର୍ଯ୍ୟ ହରାଉଛି ସିନ୍ଥେଟିକ୍‌ ୱାଲ୍‌

ଖାଲି ରହିବ ତାଳଦଣ୍ତା କେନାଲ

କଟକ: ତାଳଦଣ୍ତା କେନାଲ ଜୁଲାଇ ପର୍ଯ୍ୟନ୍ତ ଖାଲି ରହିବ। ରାଣୀହାଟଠୁ ମାତୃଭବନ ପର୍ଯ୍ୟନ୍ତ କେନାଲର ନବୀକରଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ଜଳସେଚନ ବିଭାଗ ପକ୍ଷରୁ ମହାନଦୀରୁ ପାଣି ଛଡ଼ାଯାଉନାହିଁ। ବର୍ତ୍ତମାନ ଯୋବ୍ରାଠୁ ରାଣୀହାଟ ପର୍ଯ୍ୟନ୍ତ କେନାଲର ଉଭୟ ପାର୍ଶ୍ବରେ ସିନ୍ଥେଟିକ୍‌ ୱାଲ୍‌ ବିଛା ସରିଥିଲା ବେଳେ ୨୦୨୨ ଜୁଲାଇ ସୁଦ୍ଧା ମାତୃଭବନ ପର୍ଯ୍ୟନ୍ତ କାମ ଶେଷ କରିବାକୁ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏଥିପାଇଁ ଟେଣ୍ତର ଆହ୍ବାନ ସରିଛି। ତେବେ ଏଥିପୂର୍ବରୁ କେନାଲ ଉଭୟ ପାର୍ଶ୍ବରୁ ପାଖାପାଖି ୧୫୦ ଗଛ କଟା କାର୍ଯ୍ୟ ବନ ବିଭାଗ ମିଳିତ ସହଯୋଗରେ କରାଯାଉଛି। କେନାଲ ମଧ୍ୟରେ ତିନୋଟି ସ୍ଥାନରେ ନୂଆ ପୋଲ ନିର୍ମାଣ କରାଯିବ। ଉକ୍ତ ପୋଲଗୁଡ଼ିକରେ ସହରର ଐତିହ୍ୟକୁ ସ୍ଥାନ ଦିଆଯିବ। କେନାଲର ଉଭୟ ପାର୍ଶ୍ବରେ ଚଉଡ଼ା ରାସ୍ତା ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ପ୍ରାୟତଃ ଶେଷ ହେଲାଣି। କେବଳ ଗଛ କଟା ଶେଷ ହୋଇଯିବା ପରେ ନୂଆ ଠିକା ସଂସ୍ଥାକୁ କେନାଲର ଉଭୟ ପାର୍ଶ୍ବରେ ସିନ୍ଥେଟିକ୍‌ ୱାଲ୍‌ ବିଛାଯିବା କାର୍ଯ୍ୟ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସହରରେ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ତାଳଦଣ୍ତା କେନାଲ୍‌କୁ ବଛା ଯାଇଥିଲା।
ଯେଉଁଥିପାଇଁ ପାଖାପାଖି ସାଢେ ୧୪ କୋଟି ଟଙ୍କା ବିନିମୟରେ ଯୋବ୍ରାଠୁ ରାଣୀହାଟ ପର୍ଯ୍ୟନ୍ତ ଦେଢ କିଲୋମିଟର କେନାଲ ପାର୍ଶ୍ବ ରାସ୍ତା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଥିଲା। ୨୦୨୧ ମାର୍ଚ୍ଚ ସୁଦ୍ଧା କାମ କେନାଲ କାର୍ଯ୍ୟ ଶେଷ ହେବା ପରେ ଏଥିରେ ବୋଟିଂ ସହିତ ଅନ୍ୟାନ୍ୟ ଜଳକ୍ରୀଡ଼ାକୁ ସାମିଲ କରାଯିବାକୁ ଘୋଷଣା କରାଯାଇଥିଲା। ହେଲେ ମାର୍ଚ୍ଚ ସୁଦ୍ଧା କାମ ଶେଷ ହୋଇଥିଲେ ବି ଏହା ଭିତରେ ଡଙ୍ଗା ଚାଲିପାରିଲା ନାହିଁ। ଫଳରେ କେନାଲ୍‌ରେ ପାଣି ଜମି ରହିବା ଦ୍ବାରା ସିନ୍ଥେଟିକ୍‌ ୱାଲ୍‌ ତାହାର ସୌନ୍ଦର୍ଯ୍ୟ ହରାଇବାରେ ଲାଗିଛି। ଏବେ ମାତୃଭବନ ପର୍ଯ୍ୟନ୍ତ ସିନ୍ଥେଟିକ୍‌ ୱାଲ୍‌ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ଏହା ଶେଷ ନହେବା ପର୍ଯ୍ୟନ୍ତ କେନାଲ୍‌ରେ ପାଣି ଛଡ଼ାଯିବ ନାହିଁ। ହେଲେ ଜୁଲାଇ ପରେ ଖରିଫ ଚାଷ ପାଇଁ କେନାଲ୍‌ରେ ପାଣି ଛାଡ଼ିବା ବାଧ୍ୟତାମୂଳକ ହୋଇଥିବାରୁ ଏହାରି ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଯୋବ୍ରା ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀ ରାଜେଶ ମହାନ୍ତି ସୂଚନା ଦେଇଛନ୍ତି। ତେଣୁ କେନାଲ୍‌ରେ ଜଳକ୍ରୀଡ଼ା ମାଧ୍ୟମରେ ପର୍ଯ୍ୟଟନ ବିକାଶ ପାଇଁ ଆହୁରି ୭ମାସ ଅପେକ୍ଷା କରିବାକୁ ହେବ ବୋଲି କୁହାଯାଉଛି।

Share Now:

Kalinga News Beuro

Next Post

ସମାବେଶୀ ସରକାର ନ ଗଢିଲେ ଆଫଗାନିସ୍ତାନରେ କ୍ଷମତା ହରାଇବ ତାଲିବାନ : ଋଷ କୂଟନୀତିଜ୍ଞ

Fri Dec 17 , 2021
ନୂଆଦିଲ୍ଲୀ : ତାଲିବାନ ଖୁବଶୀଘ୍ର ଆଫଗାନିସ୍ତାନରୁ କ୍ଷମତାଚ୍ୟୁତ ହେବାର ସମ୍ଭାବନା ରହିଛି ! ଏପରି ଭବିଷ୍ୟତବାଣୀ କରିଛନ୍ତି ଋଷିଆର ଜଣେ ବରିଷ୍ଠ କୂଟନୀତିଜ୍ଞ। ଆଫଗାନିସ୍ତାନରେ ଅବସ୍ଥାପିତ ଋଷୀୟ ରାଷ୍ଟ୍ରଦୂତ ଜାମିର କାବୁଲୋଭ କହିଛନ୍ତି ଯେ ତାଲିବାନକୁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ପଡ଼ିବ। ତାଲିବାନକୁ ଏକ ସମାବେଶୀ ସରକାର, ଯେଉଁଥିରେ ସବୁ ପକ୍ଷଙ୍କ ପ୍ରତିନିଧିତ୍ବ ଥିବ, ଗଢିବାକୁ ପଡ଼ିବ। ଏପରି ନକଲେ ତାଲିବାନ ଖୁବଶୀଘ୍ର କ୍ଷମତା ହରାଇବ। କାରଣ ଏହା […]
କ୍ଷମତା ହରାଇବ ତାଲିବାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial