ପାଇକ ବିଦ୍ରୋହକୁ ମାନ୍ୟତା ଦାବି: ବରୁଣେଇରୁ ବାହାରିଲା ସଶସ୍ତ୍ର ପାଇକ ଶୋଭାଯାତ୍ରା

ପାଇକ ବିଦ୍ରୋହକୁ ମାନ୍ୟତା ଦାବି

ଖୋର୍ଦ୍ଧା: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଓ ପାଇକ ସ୍ମାରକୀ ନିର୍ମାଣ ଜମି ପ୍ରଦାନ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦାବିରେ ଆଜି ଖୋର୍ଦ୍ଧା ଜିଲ୍ଲା ଠାରେ ଐତିହାସିକ ବରୁଣେଇ ପୀଠରୁ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଏକ ପାଇକ ରାଲି ବାହାରି ଖୋର୍ଦ୍ଧା ସହର ପରିକ୍ରମା କରିଛନ୍ତି। ଆଜି ବରୁଣେଇ ପୀଠରେ ଢ଼େଙ୍କାନାଳ, ଖୋର୍ଦ୍ଧା, ଗଞ୍ଜାମ ଆଦି ବିଭିନ୍ନ ସ୍ଥାନରୁ ପାଇକ ଆଖଡ଼ା ଦଳ, ପାଇକ ଗୁରୁ ଆଦି ପାରମ୍ପରିକ ବେଶ ଓ ଅସ୍ତ୍ରଶସ୍ତ୍ରରେ ଏକତ୍ରିତ ହୋଇଥିଲେ। ଦେବୀ ବରୁଣେଇଙ୍କ ପୂଜାର୍ଚ୍ଚନା ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ବୀର ମହାସଂଘର ସଭାପତି ଡଃ. ପ୍ରକାଶ ଶ୍ରୀଚନ୍ଦନ ଅଧ୍ୟକ୍ଷତା କରିଥିଲେ।
ବୀର ମହାସଂଘର ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡଃ. ଦିଲ୍ଲୀପ ଶ୍ରୀଚନ୍ଦନ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଐତିହାସିକ ପ୍ରଫେସର ନାରାୟଣ ରାଓ, କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ବିଶିଷ୍ଟ ଗବେଷକ ଗୋପାଳକୃଷ୍ଣ ଦାସ, ବିଜେପି ନେତା ଅବନୀ ଜେନା, ତାପଙ୍ଗ ଦଳବେହେରା ସ୍ମୃତି ସଂସଦର ସମ୍ପାଦକ ରହମନ ଖାନ ପ୍ରମୁଖ ଯୋଗ ଦେଇଥିଲେ। ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପ୍ରଦାନ ଓ ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ନିଃଶୁଳ୍କ ଜମି ପ୍ରଦାନ ପାଇଁ ଆଉ ମା’ ବରୁଣେଇଙ୍କୁ ଶପଥ କରି ଦ୍ୱିତୀୟ ପାଇକ ବିପ୍ଲବର ବିଗୁଲ ବାଜିଲା ବୋଲି ବକ୍ତାମାନେ କହିଥିଲେ। ସେମାନଙ୍କ ଦାବିପୂରଣ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ମତ ଦେଇଥିଲେ। ସଭା ପରେ ଶୋଭାଯାତ୍ରାରେ ଖୋର୍ଦ୍ଧାଗଡ଼ ପହଞ୍ଚି ସେଠାରୁ ମାଟି ସଂଗ୍ରହ କରିଥିଲେ। ପଞ୍ଚପାଇକ ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରି ଖୋର୍ଦ୍ଧା ସହର ପରିକ୍ରମା କରିବା ପରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିକୁର ରହମନ, ଆଇନଜୀବୀ ଶିଶିର ପରିଡ଼ା, ସମାଜସେବୀ ମହମ୍ମଦ କେଫାତୁଲ୍ଲା, ଦଳେଇପୁଟ ଦଳବେହେରା, ଶାହାଜାହନ ଖାଁ, ପ୍ରଦୋଷ ହରିଚନ୍ଦନ, ଯୁବ ସମାଜସେବୀ ନଳିନୀ ଚମ୍ପତିରାୟ, ଖୋର୍ଦ୍ଧା ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ର, ଖୋର୍ଦ୍ଧା ବ୍ଲକ କଂଗ୍ରେସ ସଭାପତି ପଦ୍ମ ଚରଣ ରାୟ ପ୍ରମୁଖ ଯୋଗ ଦେଇଥିଲେ।

Share Now:

Kalinga News Beuro

Next Post

ଦ୍ଵିତୀୟ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର: ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଗ୍ରାହକଙ୍କୁ କରୁଛି ଆକର୍ଷିତ

Fri Dec 17 , 2021
ରାଉରକେଲା: ଦ୍ଵିତୀୟ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଛି। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ନୂଆଗାଁ ବ୍ଲକ ଅନ୍ତର୍ଗତ କର୍କଟନାସା ପଞ୍ଚାୟତର ପଟବଠାରେ ଶୁକ୍ରବାର ଦିନ ଏହି ଟିଫିନ୍ ସେଣ୍ଟର ଖୋଲିଛି। ଏହାକୁ ନୂଆଗାଁ ସିଡିପିଓ ସାବିତ୍ରୀ ରଣା ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟରର ପରିଚାଳନା ଦାୟିତ୍ୱ ସ୍ଥାନୀୟ କୁନି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ […]
ଦ୍ଵିତୀୟ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial