ଦ୍ଵିତୀୟ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର: ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଗ୍ରାହକଙ୍କୁ କରୁଛି ଆକର୍ଷିତ

ଦ୍ଵିତୀୟ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର-1

ରାଉରକେଲା: ଦ୍ଵିତୀୟ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଛି। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ନୂଆଗାଁ ବ୍ଲକ ଅନ୍ତର୍ଗତ କର୍କଟନାସା ପଞ୍ଚାୟତର ପଟବଠାରେ ଶୁକ୍ରବାର ଦିନ ଏହି ଟିଫିନ୍ ସେଣ୍ଟର ଖୋଲିଛି। ଏହାକୁ ନୂଆଗାଁ ସିଡିପିଓ ସାବିତ୍ରୀ ରଣା ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟରର ପରିଚାଳନା ଦାୟିତ୍ୱ ସ୍ଥାନୀୟ କୁନି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି। ମିଶନଶକ୍ତି ମା’ମାନେ ମାଣ୍ଡିଆ ଏବଂ ପୁଷ୍ଟିଶସ୍ୟରୁ ଇଡଲି, ବରା, ପକୁଡ଼ି, ଲଡୁ, ଗୁଲୁଗୁଲା, ଜିଲାପି ଆଦି ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରିପାରିବେ। ପୂର୍ବରୁ ରାଜଗାଙ୍ଗପୁରଠାରେ ଜିଲ୍ଲାର ପ୍ରଥମ ମିଲେଟ ଶକ୍ତି ଟିଫିନ ସେଣ୍ଟର ଖୋଲିଥିଲା। ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହିଭଳି ୮୧ଟି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଏହାର ପରିଚାଳନା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆବଶ୍ୟକ ତାଲିମ୍ ଦିଆଯାଉଛି। ‘‘ପୁଷ୍ଟିଶସ୍ୟରୁ ବିଭିନ୍ନ ପ୍ରକାର ରୁଚିକର ଖାଦ୍ୟ ପ୍ରସ୍ତୁତ କରିବା ଲାଗି ଆମକୁ ତାଲିମ୍ ଦିଆଯାଇଥିଲା। ଆମ ଗୋଷ୍ଠୀର ୧୦ ଜଣ ସଦସ୍ୟ ତାଲିମ୍ ନେଇଥିଲୁ। ଏବେ ପୁଷ୍ଟିଶସ୍ୟରୁ ବିଭିନ୍ନ ସୁଆଦିଆ ଜଳଖିଆ ପ୍ରସ୍ତୁତ କରି ଆମେ ବିକ୍ରି କରିପାରିବୁ। ଏଥିରୁ ଯାହା ରୋଜଗାର ହେବ ସେଥିରେ ଆମେ ଆମ ଘର ଚଳାଇବୁ’’, କହିଛନ୍ତି କୁନି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା କୁମୁଦିନି ଡାଙ୍ଗ। ମାଣ୍ଡିଆ ଏବଂ ବିଭିନ୍ନ ପୁଷ୍ଟିଶସ୍ୟରେ ପ୍ରଚୁର ପରିମାଣର ପୋଷଣ ରହିଛି। ତେଣୁ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ପୁଷ୍ଟିଶସ୍ୟ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ସର୍ବାଧିକ ୧୧ଟି ବ୍ଲକରେ ବର୍ତ୍ତମାନ ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ୭ଟି ବ୍ଲକରେ ପୁଷ୍ଟିଶସ୍ୟ ଚାଷ ସହିତ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି। ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଉଦଘାଟନ ଅବସରରେ ନୂଆଗାଁ ବ୍ଲକ ଉପ କୃଷି ଅଧିକାରୀ କରୁଣା କୁମାରୀ ଟେଟେ, ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ଜିଲ୍ଲା ସଂଯୋଜକ ପ୍ରଣମେଶ କର ଓ ଅରବିନ୍ଦ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲା: ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପିଟିସନ ହାଇକୋର୍ଟରେ ଖାରଜ

Fri Dec 17 , 2021
କଟକ: ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଝଟକା ଲାଗିଛି। ସିବିଆଇ ଏଫ୍ଆ‌ଇଆର୍‌ ରଦ୍ଦ କରିବାକୁ ପ୍ରଭାତ ତ୍ରିପାଠୀ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ହାଇକୋର୍ଟ ଏହି ଆବେଦନକୁ ଆଜି ଖାରଜ କରିଦେଇଛନ୍ତି। ପିଟିସନ ଖାରଜ ହୋଇଯାଇଥିବାରୁ ପ୍ରଭାତ ତ୍ରିପାଠୀଙ୍କ ବିରୋଧରେ ସିବିଆଇ ମାମଲା ଜାରି ରହିବ। ରାଜ୍ୟରେ ଏଟି ଗ୍ରପୁ ଜମାକାରୀଙ୍କଠାରୁ ୫ କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ […]
ପ୍ରଭାତ ତ୍ରିପାଠୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial