କାମନା ମାଣ୍ଡାଙ୍ଗୀ ହତ୍ୟା ମାମଲା : ଅଭିଯୁକ୍ତ ନିର୍ଦୋଷରେ ଖଲାସ

କାମନା ମାଣ୍ଡାଙ୍ଗୀ ହତ୍ୟା ମାମଲା

ରାୟଗଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଭୋଇମଡ଼ା ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ଜିଲ୍ଲା ଦୌରାଜଜ୍ ବିକ୍ରମ କେଶରୀ ପଟ୍ଟନାୟକ। ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ କାମେଶ୍ବର ମାଣ୍ଡାଙ୍ଗୀଙ୍କୁ ନିର୍ଦୋଷରେ ଖଲାସ୍ କରିଛନ୍ତି। ପୂର୍ବରୁ ଗିରଫ ହୋଇ କାମେଶ୍ବର ଜେଲ୍ ଯାଇଥିବା ବେଳେ ମାମଲାର ଶୁଣାଣି ବେଳେ ଜାମିନରେ ଆସିଥିଲେ। ଆଜି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ସହ କାମେଶ୍ବରଙ୍କୁ କୋର୍ଟ ନିର୍ଦୋଷ ଘୋଷଣା କରିଛନ୍ତି। ୨୦୨୦ ଜୁଲାଇ ୨ ତାରିଖରେ କାମନା ମାଣ୍ଡାଙ୍ଗୀଙ୍କୁ ଗାଁ ନିକଟସ୍ଥ ଝରଣାରେ ହତ୍ୟା କରାଯାଇଥିଲା। ପୂର୍ବ ଶତ୍ରୁତା କାରଣରୁ କାମେଶ୍ବର କାମନାଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ନେଇ ଚାନ୍ଦିଲି ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଚାନ୍ଦିଲି ପୁଲିସ ଝରଣା ନିକଟରୁ କାମନାଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ମାମଲା ରୁଜୁ ପରେ ପୁଲିସ ହତ୍ୟା ଅଭିଯୋଗରେ କାମେଶ୍ବରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଚାନ୍ଦିଲି ପୁଲିସ ଚାର୍ଜସିଟ୍ ଦାଖଲ କରିବା ପରେ କୋର୍ଟ କେସ୍ ନଂ-ସିଟି-୧୫/୨୦ ରେ ମାମଲାର ବିଚାର ଆରମ୍ଭ ହୋଇଥିଲା। ଜିଲ୍ଲା ଦୌରାଜଜ୍ ବିକ୍ରମ କେଶରୀ ପଟ୍ଟନାୟକ ମାମଲାର ଶୁଣାଣି କରିଥିଲେ। ହତ୍ୟାର ଶିକାର କାମନାଙ୍କ ପରିବାର ଲୋକଙ୍କ ସହ ଗ୍ରାମବାସୀ, ଡାକ୍ତରଙ୍କୁ ମିଶାଇ ମୋଟ ୧୨ ଜଣ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଥିଲେ। କିନ୍ତୁ ହତ୍ୟାକୁ ନେଇ କେହି ବି ସଠିକ୍ ତଥ୍ୟ ଦେଇ ନପାରିବାରୁ କୋର୍ଟ ଅଭିଯୁକ୍ତ କାମେଶ୍ବରଙ୍କୁ ଆଜି ନିର୍ଦୋଷରେ ଖଲାସ୍ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଅଜିତ କୁମାର ପଟ୍ଟନାୟକ ଓ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଲାବଣ୍ୟ ମୋହନ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

Share Now:

Kalinga News Beuro

Next Post

ଆତଙ୍କିତ ଅବସ୍ଥାରେ ପାକିସ୍ତାନୀ ହିନ୍ଦୁ : କୋର୍ଟ ଆଗରୁ ଯୁବତୀକୁ ବଳପୂର୍ବକ ଅପହରଣ

Tue Dec 21 , 2021
ନୂଆଦିଲ୍ଲୀ : ପାକିସ୍ତାନରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢିଚାଲିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଆଶ୍ବାସନା ସତ୍ତ୍ବେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ କୌଣସି ଲଗାମ ଲଗାଯାଇପାରୁ ନାହିଁ। ନିକଟରେ ପାକିସ୍ତାନର ସିନ୍ଧ ପ୍ରଦେଶର ଉମରକୋଟଠାରେ କେତେକ ଲୋକ ଜଣେ ହିନ୍ଦୁ ଯୁବତୀକୁ ଜବରଦସ୍ତ ଘରୁ ଟାଣି ନେଇ ଏକ କାରରେ ବସାଇ ଅପହରଣ କରିନେଇଥିଲେ। ପରେ ତାଙ୍କୁ ଗଣଦୁଷ୍କର୍ମ କରିବା ସହ ତାର ଧର୍ମାନ୍ତରୀକରଣ […]
ଆତଙ୍କରେ ପାକିସ୍ତାନୀ ହିନ୍ଦୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial