ରୋପ୍-ୱେକୁ ଆଉ କେତେ ଦିନ ? ନିର୍ମାଣ ପରେ ଖତ ଖାଉଛି ବହୁତଳ ପାର୍କିଂ, ଲୋପ ପାଇଯାଉଛନ୍ତି ବିରଳ ଜୀବଜନ୍ତୁ, ପକ୍ଷୀ
ବାରଙ୍ଗ: ନନ୍ଦନକାନନକୁ ଛୁଇଁଲା ୬୨। ଦିଲ୍ଲୀରେ ଅନୁଷ୍ଠିତ କୃଷି ମେଳାରୁ ନନ୍ଦନକାନନର ପରିକଳ୍ପନା କରାଯାଇଥିବା ବେଳେ ଆଜି ବି ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇପାରିନାହିଁ। ପ୍ରତିବର୍ଷ କେବଳ ସୁନେଲି ସପନ ବାଣ୍ଟି ଚାଲିଛନ୍ତି କର୍ତ୍ତୃପକ୍ଷ। କେତେବେଳେ ସିଂହ ଆଣିବାକୁ ଯୋଜନା କରୁଛନ୍ତି ତ ଆଉ କେବେ କଳେବର ବୃଦ୍ଧି କରିବାକୁ ନକ୍ସା। ମାତ୍ର ସବୁ କିଛି କେବଳ ଘୋଷଣା ଓ କାଗଜକଲମରେ ରହିଯାଉଛି। ରାଜ୍ୟର ଏହି ବିଶାଳ ପ୍ରାଣୀ ଉଦ୍ୟାନର କଳେବର ବଢ଼ିବ କ’ଣ ଦିନକୁ ଦିନ କମିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ବିରଳ ପ୍ରଜାତିର ପ୍ରାଣୀଙ୍କ ମୃତ୍ୟୁ ହେଉଛି। ବଂଶବୃଦ୍ଧି ଲାଗି ଯୋଜନା ହେଉଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରୁନାହିଁ। ଯେଉଁଥିପାଇଁ ବିଶାଳ ନନ୍ଦନକାନନର ସୁନେଲି ସ୍ବପ୍ନ କେବେ ପୂରଣ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି। ରୟାଲ ବେଙ୍ଗଲ ଟାଇଗର ବା ଭାରତୀୟ ସାଧାରଣ ବାଘ ପାଇଁ ଦିନେ ନନ୍ଦନକାନନ ପ୍ରସିଦ୍ଧି ଲାଭ କରିଥିଲା। ୧୯୮୦ରେ ପ୍ରଥମ କରି ସାଧାରଣ ରଙ୍ଗର ବାଘ ‘ଦୀପକ’ ଓ ବାଘୁଣୀ ‘ଗଙ୍ଗା’ର ମିଳନରୁ ୩ ଧଳା ବାଘ ଛୁଅ ଜନ୍ମ ଲାଭ କରିବା ସମସ୍ତଙ୍କୁ ବିସ୍ମିତ କରିଥିଲା। ତା’ପରଠାରୁ ଧଳା ବାଘ ସଂଖ୍ୟ ବୃଦ୍ଧି ପାଇଥିଲା। ଏବେ ସୁଦ୍ଧା ୧୬୦ଟି ଧଳା ବାଘ ନନ୍ଦନକାନନରେ ଜନ୍ମ ନେଇଛନ୍ତି। କଳା ବାଘ ବଂଶ ବୃଦ୍ଧି ମଧ୍ୟ କିଛି ମାତ୍ରାରେ ସଫଳ ହୋଇଛି। ୨୦୧୪ ଜୁଲାଇ ୨୮ରେ ଧଳା ବାଘୁଣୀ ‘ସ୍ନେହା’ ଓ ମହାବଳ ‘ମନୀଷ’ ମିଳନରୁ ପ୍ରଥମ କରି ବିରଳ କଳା ରଙ୍ଗର ବାଘ ଛୁଆ ‘କ୍ରିଷ୍ଣା’ ଜନ୍ମ ଲାଭ କରିବା ବିରଳ ରେକର୍ଡ କରିଥିଲା।
୧୯୮୦ରେ ସିଂହଙ୍କ ସଂଖ୍ୟା ୫୬ ଥିଲା। ବାଧ୍ୟ ହୋଇ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ୧୯୯୮ରେ ସିଂହମାନଙ୍କ ଅସ୍ତ୍ରୋପଚାର କରିଥିଲେ। ଶେଷ ଶାବକ ଭାବେ ୨୦୦୦ରେ ‘କାବେରୀ’ ଓ ‘କରିସ୍ମା’ ଜନ୍ମ ଲାଭ କରିଥିଲେ। ଏହାପରଠାରୁ ଲଗାତର ଭାବେ ସିଂହ ବଂଶ ହ୍ରାସ ପାଇ ୨୦୧୨ରେ ଦୁଇ ଅଙ୍କ ତଳକୁ ଖସିଥିଲା। ଗୁଜୁରାଟରୁ ହଳେ ଏସୀୟ ସିଂହ ଆଣି ବଂଶ ବୃଦ୍ଧି ଯୋଜନା କରାଯାଇଥିଲେ ମଧ୍ୟ ସଫଳ ହୋଇ ନଥିଲା। ଯେଉଁଥିପାଇଁ ୨୦୧୪ରେ ବେଙ୍ଗାଲୁରୁରୁ ସିଂହୀ ‘ରୁକ୍ମିଣୀ’ ଓ ‘ନରସିଂହା’ଙ୍କୁ ଅଣାଯିବାରୁ ବଂଶ ବୃଦ୍ଧି ଯୋଜନାକୁ ସଫଳତା ମିଳିଛି। ‘କଳ୍ପନା’ ଓ ‘ଜିତ୍’ ଜନ୍ମ ନେଇଛନ୍ତି। ସିଂହ ବଂଶ ବୃଦ୍ଧି ଯୋଜନା ଏବେ ପ୍ରଥମ ସୋପାନରେ ରହିଛି। ବହୁ ଦିନ ଧରି ବନ୍ଦ ରହିଥିବା ଶିଶୁ ରେଳ ଗତ ନଭେମ୍ବର ୧୭ରେ ନୂଆ ରୂପରେ ଆସିଛି ସତ। ମାତ୍ର ଅଧା ବାଟରେ ଝୁଂଟିପଡୁଛି। ଚଳାଚଳ କରିବାର ୪୮ ଘଣ୍ଟା ନପୁରୁଣୁ ଇଞ୍ଜିନ୍ରେ ସଟ ସର୍କିଟ ଯୋଗୁଁ ବନ୍ଦ ରହିଥିଲା। କିଛି ଦିନ ବ୍ୟବଧାନରେ ଟ୍ରାକ୍ ବାହାରକୁ ବି ଚାଲିଯାଇଥିଲା। ପରବର୍ତ୍ତି ସମୟରେ ମରାମତି କରାଯାଇ ଚାଲୁ ରହିଛି। ତେବେ ୨୦୧୨ରୁ ବନ୍ଦ ରହିଥିବା ନନ୍ଦନକାନନର ରୋପ ୱେ କାର୍ଯ୍ୟ ଏଯାବତ୍ ସରି ନାହିଁ। ଏକ ଦଶନ୍ଧି ଧରି ବନ୍ଦ ରହିଥିଲେ ମଧ୍ୟ ଚଲାଇ ନ ପାରିବା କର୍ତ୍ତୃପକ୍ଷଙ୍କ ପାରିବା ପଣିଆ ନେଇ ପ୍ରଶ୍ନ ଉଠିଛି। ବହୁତଳ ପାର୍କିଂ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉଦ୍ଘାଟନ କି କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଯେଉଁଥିପାଇଁ କୋଟି କୋଟି ଟଙ୍କାର ସମ୍ପତ୍ତି ଖତ ଖାଉଛି। ଓରାଙ୍ଗଓଟାନ, ନୀଳଗିରି ହନୁ, ସିଂହଲାଞ୍ଜି ମାଙ୍କଡ, ଭାରତୀୟ ଗଣ୍ଡା, ଜେବ୍ରାଙ୍କ ଭଳି ବିରଳ ଜୀବ ଓ କାସ୍ବାରୀ ଭଳି ବିରଳ ପକ୍ଷୀଙ୍କ ବଂଶ ଲୋପ ପାଇଛି। ସାଥୀ ମରିଯିବାରୁ ଲାଲ ହାତ ତାମରିନ୍ ମାଙ୍କଡ, ଜିରାଫ ‘ଖୁସୀ’, ହଳିଦୀ ପିଠିଆ ଶୁଆ, କକାଟିଲ, କ୍ରାଷ୍ଟାଲ କକୋଟୋ ଭଳି ବିରଳ ପ୍ରାଣୀ ଓ ପକ୍ଷୀ ଏକାକୀ ଜୀବନ ବିତାଉଛନ୍ତି। ଏମାନଙ୍କ ପାଇଁ ସାଥୀଟିଏ ଅଣାଯାଇ ପାରି ନାହିଁ। ଜିରାଫ ‘ଖୁସୀ’ର ସାଥୀ ଓ ନୂଆ ପ୍ରଜାତିର ହୁଲକ ଗିବନ ଆଣିବାକୁ କର୍ତ୍ତୃପକ୍ଷ ବାରମ୍ବାର ଘୋଷଣା କରୁଥିଲେ ମଧ୍ୟ କେବେ ଆଣିବେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚ୍ଚୀ ସୃଷ୍ଟି ହୋଇଛି। ମାଈ ଅଷ୍ଟ୍ରିଚ ପକ୍ଷୀ, ଆସାମି ମାଙ୍କଡ, ଅଣ୍ଡିରା ତାମରିନ ମାଙ୍କଡ, ଗୋଲଡେନ ଫିଜାଣ୍ଟ ପକ୍ଷୀ, ନୀଳଗାଈ, ଗୁରାଣ୍ଟି, ଚିଙ୍କାର, ସମ୍ବର, ବାରାଶିଙ୍ଗା ହରିଣ, ଧୂସର ଗଧିଆ, ବଜ୍ରକାପ୍ତା, ଅଜଗର ସାପ, ସିଂହ ମୃତ୍ୟୁ ମଧ୍ୟ ଚର୍ଚ୍ଚାରେ ରହିଛି।
ମା’ ହେଲା ସିମ୍ପାଞ୍ଜି ‘ରାକ୍ଷୀ’
ନନ୍ଦନକାନନର ସିମ୍ପାଞ୍ଜି ‘ରାକ୍ଷୀ’ ମା’ ହୋଇଛି। ନନ୍ଦନକାନନ ପ୍ରତିଷ୍ଠା ଦିବସର ଠିକ୍ ଦିନକ ପୂର୍ବରୁ ସେ ପ୍ରାଣୀ ଉଦ୍ୟାନକୁ ଏକ ମାଈ ଶାବକ ଭେଟି ଦେଇଛି। ରାକ୍ଷୀର ଏହା ନୂଆବର୍ଷ ଭେଟି ବୋଲି ଚର୍ଚ୍ଚା ହେଉଛି ଓ ଏନେଇ ଆଜି ନନ୍ଦନକାନନ କର୍ମଚାରୀମହଲରେ ଖୁସି ଖେଳିଯାଇଛି। ଗତ ରାତିରୁ ରାକ୍ଷୀ ଛୁଆକୁ ଜନ୍ମ ଦେଇଥିଲା। ଗତକାଲି ସକାଳେ ରାକ୍ଷୀ କୋଳରେ ଶାବକଟି ସ୍ତନ୍ୟପାନ କରି ଖେଳୁଥିବା ଦେଖି ଦାୟିତ୍ବରେ ଥିବା ଜନ୍ତୁରକ୍ଷକ କେଦାର ପାତ୍ର ଖୁସି ହୋଇଯାଇଥିଲେ ଓ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଖବର ଜଣାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ପରେ ୬୦ ନମ୍ବର (କ) ଖୁଆଡ଼ ପାଖରେ ଭିଡ଼ ସୃଷ୍ଟି ହୋଇଥିଲା। ରାକ୍ଷୀର ଏହା ପ୍ରଥମ ଗର୍ଭ। ଅଣ୍ଡିରା ସିମ୍ପାଜି ଜୁଲୁ ସହ ମିଳନରୁ ଏହି ଶାବକଟି ଜନ୍ମ ନେଇଛି। ଏହି ଶାବକକୁ ମିଶାଇ ଏବେ ନନ୍ଦନକାନନର ସିମ୍ପାଞ୍ଜି ସଂଖ୍ୟା ୮ରେ ପହଁଚିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଅଣ୍ଡିରା ଜୁଲୁ (୩୧ବର୍ଷ), ରାଜା (୧୦ ମାସ) ଓ ମାଈ ପମ୍ପେଟା (୩୦ ବର୍ଷ),ପୂର୍ଣ୍ଣିମା (୨୧ବର୍ଷ), ପୂଣ୍ଣିମା (୧୧ବର୍ଷ), ରାକ୍ଷୀ (୧୦ ବର୍ଷ), ଲକ୍ଷ୍ମୀ (୫ବର୍ଷ), ଦୁର୍ଗା(୪ବର୍ଷ) ଓ ରାକ୍ଷୀର ନବଜାତ ମାଈ ଶାବକ। ସୂଚନାଯୋଗ୍ୟ, ୧୯୯୪ ଜୁନ୍ ୧୬ରେ ସିଙ୍ଗାପୁର ଚିଡ଼ିଆଖାନାରୁ ପ୍ରଥମ କରି ୪ ବର୍ଷ ବୟସ୍କ ଅଣ୍ଡିରା ସିମ୍ପାଞ୍ଜି ଜୁଲୁ ଓ ସାଢ଼େ ୩ ବର୍ଷ ବୟସ୍କ ମାଈ ପମ୍ପେଟାକୁ ନନ୍ଦନକାନନକୁ ଅଣାଯାଇଥିଲା। ଏହା ପରଠାରୁ ସେମାନଙ୍କ ବଂଶ ବୃଦ୍ଧି ହୋଇଚାଲିଛି। ସେମାନଙ୍କଠାରୁ ମୋଟ ୧୨ଟି ଛୁଆ ଜନ୍ମ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ୮ଟି ଅଛନ୍ତି। ୧୯୯୮ ମେ ୧୨ରେ ପ୍ରଥମ ଜନ୍ମିତ ଏକ ବର୍ଷର ମାଈ ବର୍ଷା, ୨୦୦୬ ସେପ୍ଟେମ୍ବର ୨୬ରେ ପମ୍ପେଟା ଜନ୍ମିତ ସଦ୍ୟଜାତ ଅଣ୍ଡିରାଛୁଆକୁ ଜୁଲୁ ମାରି ଦେଇଥିଲା। ୨୦୧୬ ସେପ୍ଟେମ୍ବର ୨୬ରେ ୨ ବର୍ଷର ଅଣ୍ଡିରା ସିମ୍ପାଞ୍ଜି ଜନ୍ ରୋଗରେ ପଡ଼ି ମରି ଯାଇଥିଲା। ଏହା ପରେ କାର୍ତ୍ତିକ ଓ ସୁଭଦ୍ରାଙ୍କୁ ପାଟନା ଚିଡ଼ିଆଖାନାକୁ ଜିରାଫ୍ ‘ଖୁସି’ ବଦଳରେ ଦିଆଯାଇଛି।