୧୪ରେ ପାଦଦେଲା କମିସନରେଟ୍ ପୁଲିସ : ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ଲକ୍ଷ୍ଚ୍ୟୁତ

୧୪ରେ ପାଦଦେଲା କମିସନରେଟ୍ ପୁଲିସ

ଭୁବନେଶ୍ବର: କମିସନରେଟ୍‌ ପୁଲିସକୁ ୧୪ ବର୍ଷ ପୂରିଛି। ୨୦୦୮ ଜାନୁଆରି ୧ରେ ଦ୍ବୈତନଗରୀ ଭୁବନଶ୍ବେର-କଟକକୁ ନେଇ ଗଠିତ ହୋଇଥିଲା କମିସନରେଟ୍ ପୁଲିସ। ଏହି ୧୪ବର୍ଷ ଭିତରେ ୭ଜଣ ଆଇପିଏସ୍‌ ପୁଲିସ କମିସନର୍ ଭାବେ ଦାୟିତ୍ବ ତୁଲାଇଛନ୍ତି। ନୂଆ ଥାନା, ଫାଣ୍ଡି ପ୍ରତିଷ୍ଠା ହୋଇଛି। ଅପରାଧ ନିୟନ୍ତ୍ରଣ ପାଇଁ ନୂଆ ନୂଆ ଯୋଜନା ହୋଇଛି। କିନ୍ତୁ କମିସନରେଟ୍‌ ପୁଲିସ ବ୍ୟବସ୍ଥା ପାଇଁ ଅପରିହାର୍ଯ୍ୟ ଆଇନଶୃଙ୍ଖଳା ନିୟନ୍ତ୍ରଣ ଓ ଅପରାଧ ନିୟନ୍ତ୍ରଣ ଅଲଗା ହୋଇପାରିଲା ନାହିଁ। ଫଳରେ କମିସନରେଟ୍‌ ପୁଲିସ ଗଠନର ମୂଳ ଲକ୍ଷ୍ୟ ସାଧିତ ହୋଇପାରିନାହିଁ। ଅପରାଧ ତଦନ୍ତ ବାଧାପ୍ରାପ୍ତ ହେଉଛି। ପୁଲିସ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରୁକରୁ ଅପରାଧ ନିୟନ୍ତ୍ରଣ ପୁଲିସ ହାତରୁ ଖସି ଯାଉଛି। କମିସନରେଟ୍ ପୁଲିସ ଗଠନ ବେଳେ ଗେଜେଟ୍‌ରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ୨ ଭାଗ ହେବ। ଅଲଗା ଅଲଗା ଏହି ଦୁଇ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ମାତ୍ର ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ପୁଲିସ ଆଇନଶୃଙ୍ଖଳା ନିୟନ୍ତ୍ରଣକୁ ଅଧିକ ସମୟ ଦେବାକୁ ବାଧ୍ୟ ହେଉଛି। ୨୦୨୧ ମସିହା କଥାକୁ ବିଚାରକୁ ନେଲେ ଜଣାପଡ଼େ ଯେ ଆଇନ ଶୃଙ୍ଖଳା ପାଇଁ ୧୪୨୨ଥର ପୁଲିସ ବନ୍ଦୋବସ୍ତ କରାଯାଇଥିଲା। ଭିଆଇପି ଗସ୍ତ ପାଇଁ ୧୩୧୫ ଥର ପୁଲିସ ଏସକର୍ଟ କରାଯାଇଥିଲା। ସେହିଭଳି ଶୋଭାଯାତ୍ରା, ଦୁର୍ଗାପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ, ବିକ୍ଷୋଭ ପାଇଁ ମୋଟ ୬୫୨୨ ଲାଇସେନ୍ସ ଦିଆଯାଇ ପୁଲିସ ନିୟୋଜିତ ହୋଇଥିଲା।
ଏହି ହିସାବକୁ ଦେଖିଲେ ପୁଲିସ ଅପରାଧ ନିୟନ୍ତ୍ରଣ ଦିଗରେ ସମୟ ଦେଇପାରୁନାହିଁ। ଫଳରେ ଚଳିତ ବର୍ଷ ପ୍ରାୟ ୩୭ ପ୍ରତିଶତ ମାମଲାର ତଦନ୍ତ ଅଧୁରା ରହିଯାଇଛି। ରାଜଧାନୀରେ ଘଟିଥିବା ୩୩ ହତ୍ୟାକାଣ୍ଡ ମାମଲାରୁ ପୁଲିସ ଏଯାବତ୍ ୭୩ ପ୍ରତିଶତ ମାମଲାରେ ତଦନ୍ତ ପ୍ରକ୍ରିୟା ଶେଷ କରିବାରେ ବିଫଳ ହୋଇଛି। ସେହିଭଳି ଚୋରି, ଛିନ୍‌ତାଇ, ଲୁଟ୍‌ ଭଳି ମାମଲାରେ ପୁଲିସ ତଦନ୍ତ ବାଧାପ୍ରାପ୍ତ ହୋଇଛି। ଏହା ଭିତରେ କମିସନରେଟ୍ ପୁଲିସକୁ ଚଳିତ ବର୍ଷ ୩ଟି ନୂଆ ଥାନା ମିଳିଥିବା ବେଳେ ଉଭୟ କଟକ ଓ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଅପରାଧ ଶାଖା ଖୋଲା ଯାଇଛି। ଏହି ଅପରାଧ ଶାଖାରେ ସାଇବର ଠକେଇ ମାମଲାର ତଦନ୍ତ ହେବ। ଆସନ୍ତା ସମୟରେ ସାଇବର ଅପରାଧ ନିୟନ୍ତ୍ରଣ କମିସନରେଟ୍ ପୁଲିସ ପାଇଁ ବଡ଼ ଆହ୍ବାନ ହେବ ବୋଲି ଜଣାପଡ଼ିଛି। ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ନିଶା, ବନ୍ଧୁକ କାରବାର, ଛିନ୍‌ତାଇ, ଚୋରି ଭଳି ମାମଲାରେ କମିସନରେଟ୍ ପୁଲିସକୁ ପୂର୍ବାପେକ୍ଷା ବହୁ ମାତ୍ରାରେ ସଫଳତା ମିଳିଛି। ଅପରାଧ ନିୟନ୍ତ୍ରଣ ପାଇଁ ପିଓପିଡି, ଟିମ୍-୬୦ ଟିମ୍ କାମ କରୁଛି। ୧୨ କେଜି ଧଳାଜହର ଓ ୮୩ ବନ୍ଧୁକ ଜବତ କରାଯାଇଛି। ଲୋକଙ୍କ ନିକଟତର ହେବା ପାଇଁ ପୁଲିସ ବସ୍ତିକୁ ଚାଲ ଅଭିଯାନ ଚଳାଇଛି। ଆଗକୁ ଅପରାଧକୁ ନିୟନ୍ତ୍ରଣ ପାଇଁ ପୁଲିସ ଆହୁରି ତତ୍ପରତା ଦେଖାଇବ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ଅପରାଧର ରାଜଧାନୀ : ନୂଆବର୍ଷର ପ୍ରଥମ ଦିନରେ ବୀଭତ୍ସ ହତ୍ୟାକାଣ୍ଡ

Sat Jan 1 , 2022
ଖଣ୍ଡାରେ ଆକ୍ରମଣ କରି ଯୁବକଙ୍କୁ ହାଣିଲେ ଭୁବନେଶ୍ୱର: ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ଏୟାରଫିଲଡ ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ନୁଆସାହି ଅଞ୍ଚଳର କିଛି ଯୁବକ ରାତିରେ ନୂଆବର୍ଷ ଭୋଜି କରୁଥିଲେ। ସେହି ସମୟରେ କପିଳେଶ୍ୱର ଅଞ୍ଚଳର କିଛି ଯୁବକ ଆସି ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ କପିଳେଶ୍ଵର ଅଞ୍ଚର କିଛି […]
ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial