ଟାଙ୍ଗିଆପଡ଼ାରେ ୧୪୯୮ ଏକରରେ ହେବ ବିମାନବନ୍ଦର : ୪୧୦୬ ଜଣ ପ୍ରଭାବିତ ହେବେ; ଉତ୍ସାହ ଯେତିକି, ଆଶଙ୍କା ସେତିକି

ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକର ଟାଙ୍ଗିଆପଡ଼ାଠାରେ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା କରାଯିବ। ଏଥିପାଇଁ ବେସରକାରୀ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଟ୍ଵିଟ୍‌ ଯୋଗେ ସୂଚନା ଦିଆଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ତେବେ ଭିଟାମାଟି ହରାଇବା ଆଶଙ୍କାରେ କେତେକ ଗ୍ରାମବାସୀ ମଧ୍ୟ ଆଶଙ୍କାରେ ରହିଛନ୍ତି।

ଭବିଷ୍ୟତରେ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ହେବା ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଜମି ନିରୂପଣ ପାଇଁ କୁହାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୁପାରିସ ଅନୁଯାୟୀ ରାଜ୍ୟ ସରକାର ତିନିଟିି ସ୍ଥାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପଠାଇଥିଲେ। ଏହାପରେ ବିଶେଷଜ୍ଞ କମିଟି ଏହାକୁ ଯାଞ୍ଚ କରି ଟାଙ୍ଗିଆପଡ଼ାକୁ ବାଛିଥିଲେ। ଯାହା ଉପରେ ମନ୍ତ୍ରଣାଳୟ ମୋହର ମାରିଛି।

ପ୍ରାରମ୍ଭିକ ସୂଚନା ଅନୁଯାୟୀ ଟାଙ୍ଗିଆପଡ଼ା ଓ ମଲ୍ଲୀପୁର ପଞ୍ଚାୟତର ପ୍ରାୟ ୧୪୯୮.୮୩୨ ଏକର ଜମିରେ ନୂଆ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା କରିିବା ପାଇଁ ଚିହ୍ନଟ କରାଯାଇଛି। ଏହି ଜମିରୁ ପ୍ରାୟ ୮୦ ଭାଗ ଅଞ୍ଚଳ ଟାଙ୍ଗିଆପଡ଼ା ପଞ୍ଚାୟତର ହୋଇଥିବା ବେଳେ ଅବଶିଷ୍ଠ ୨୦ ଭାଗ ମଲ୍ଲୀପୁର ପଞ୍ଚାୟତର। ଟାଙ୍ଗିଆପଡ଼ା ପଞ୍ଚାୟତର ଅରାଙ୍ଗ ଓ ଟାଙ୍ଗିଆପଡ଼ା ଏବଂ ମଲ୍ଲୀପୁର ପଞ୍ଚାୟତର ନିଆଳ ଓ ମଲ୍ଲୀପୁର ରାଜସ୍ୱ ଗ୍ରାମରେ ବିମାନ ବନ୍ଦର ପାଇଁ ଚିହ୍ନଟ କରାଯାଇଥିବା ୧୪୯୮.୮୩୨ ଏକର ଜମି ରହିଛି। ସେଥିମଧ୍ୟରୁ ଅଧିକାଂଶ ସରକାରୀ, ଗୋଚର, ଅନାବାଦୀ ରହିଥିବା ବେଳେ ଅଳ୍ପ କିଛି ଚାଷ ଜମି ରହିଛି। ସେହିପରି ୧୦୮.୭୪୮ ଏକର ଜମି ଜଙ୍ଗଲ କିସମର ବୋଲି ଜଣାପଡ଼ିଛି। ଏହିି ଜଙ୍ଗଲ କିସମ ଜମିର କେତେକ ସ୍ଥାନରେ କାଜୁ ନିଗମ ପକ୍ଷରୁ କାଜୁ ଜଙ୍ଗଲ କରାଯାଇଛି।

ପ୍ରସ୍ତାବିତ ଆର୍ନ୍ତଜାତୀୟ ବିମାନ ବନ୍ଦର ପାଇଁ ନିରୂପିତ ସ୍ଥାନରେ ବିମାନ ବନ୍ଦର ପ୍ରତିଷ୍ଠା କରାଗଲେ ପ୍ରାୟ ସେହି ଚାରିଟି ଗ୍ରାମର ୪,୧୦୬ ଜଣ ଲୋକ ପ୍ରଭାବିତ ହେବେ ବୋଲି କରାଯାଇଥିବା ସର୍ଭେରୁ ଜଣାପଡ଼ିଛି। ତେବେ ଏହି ସ୍ଥାନଟି ବିମାନ ବନ୍ଦର ପାଇଁ ସମ୍ପୂର୍ଣ୍ଣ ବିପଦମୁକ୍ତ ସ୍ଥାନଭାବେ ପ୍ରାରମ୍ଭିକ ସର୍ଭେରୁ ଜଣାପଡ଼ିଛି। ଏହି ବିମାନ ବନ୍ଦର ପାଇଁ କୌଣସି ବାସଗୃହ କିମ୍ବା ଅନୁଷ୍ଠାନ କ୍ଷତିଗ୍ରସ୍ତ ହେବ ନାହିଁ ବୋଲି ଖୋର୍ଦ୍ଧା ଉପଜିଲ୍ଲାପାଳ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି। ସେହିପରି ଟାଙ୍ଗିଆପଡ଼ା ପଞ୍ଚାୟତର ସରପଞ୍ଚ କଲ୍ୟାଣୀ ଦଳେଇ ମଧ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି। ତେବେ ସରକାରୀ କିମ୍ବା ଅନାବାଦୀ ଜାଗାରେ ରହିଥିବା ଲୋକଙ୍କୁ ଏଥିପାଇଁ ଥଇଥାନ କରାଗଲେ ଭଲ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି ଯେ, ଖୋର୍ଦ୍ଧାରେ ବିମାନବନ୍ଦର ହେବା ଶୁଭ ଖବର। ତେଣୁ ଦଳମତ ନିର୍ବିଶେଷରେ ସମସ୍ତେ ଏହାକୁ ସ୍ୱାଗତ କରନ୍ତୁ।

Share Now:

Kalinga News Beuro

Leave a Reply

Next Post

ଆଜିଠୁ ବଢ଼ିଲା ରନ୍ଧନ ଗ୍ୟାସ୍‌ ମୂଲ୍ୟ

Fri Jun 1 , 2018
ନୂଆଦିଲ୍ଲୀ: ଲିକୁଇଫାଏଡ୍‌ ପେଟ୍ରୋଲିୟମ୍‌ ଗ୍ୟାସ୍‌ ବା ରନ୍ଧନ ଗ୍ୟାସ୍‌ର ମୂଲ୍ୟ ଶୁକ୍ରବାର ଠାରୁ ଅର୍ଥାତ୍‌ ଆଜି ଠାରୁ ବୃଦ୍ଧି ପାଇଛି। ରିହାତି ମିଳୁଥିବା ସିଲିଣ୍ଡର୍‌ ପିଛା ଟ ୨. ୩୪ ଓ ରିହାତି ମିଳୁ ନ ଥିବା ସିଲିଣ୍ଡର୍‌ ପିଛା ଟ ୪୮/- ବୃଦ୍ଧି କରାଯାଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ବର୍ଦ୍ଧିତ ରିହାତି ସିଲିଣ୍ଡର୍‌ ଦର ଟ. ୪୯୩. ୫୫ ଏବଂ ଅଣରିହାତି ସିଲିଣ୍ଡର୍‌ର ମୂଲ୍ୟ ଟ. ୬୯୮. […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial