ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ତାରିଖ : ଫେବୃଆରୀ ୧୬ରୁ ମତଦାନ ଆରମ୍ଭ, ୨୮ରେ ସରିବ ଗଣତି

ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ୱର: ଆଜି ରାଜ୍ୟ ନିର୍ବାଚନ କମିସନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ରାଜ୍ୟ ନିର୍ବାଚନ କମିସନ୍ ଏକ ସାମ୍ବାଦିକ ସମ୍ମିଳନୀ କରି ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏଥିସହ ଆଜିଠାରୁ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି। ଘୋଷଣା ମୁତାବକ, କୋଭିଡ୍ କଟକଣା ଭିତରେ ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ଯାଏ ମତଦାନ କରାଯାଇପାରିବ। ପାଞ୍ଚଟି ପର୍ଯ୍ୟାୟରେ ମତଦାନ ହେବ। ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ନିର୍ବାଚନ ହେବ। ସେହିପରି ଭୋଟ ଗଣତି ଫେବ୍ରୁଆରି ୨୫, ୨୬ ଓ ୨୮ ତାରିଖରେ ହେବ। ଆଗାମୀ ଆଜିଠାରୁ ଲାଗୁ ହୋଇଥିବା ଆଚରଣବିଧି ଫେବୃଆରୀ ୨୮ ତାରିଖ ଯାଏ ବଳବତ୍ତର ରହିବ। ଖାସକରି ଚଳିତ ପଞ୍ଚାୟତ ନିର୍ବାଚନ ବିନା ରାଲି ଓ ବିନା ରୋଡ ସୋ’ରେ ହେବ। କରୋନା କାରଣରୁ କୌଣସି ରାଲିକୁ ଅନୁମତି ମିଳିବ ନାହିଁ। ସେହିଭଳି ରୋଡ ସୋ’ ଉପରେ ରୋକ ଲଗାଯାଇଛି। ଭୋଟ ଗ୍ରହଣ ସରିଲେ ବ୍ଲକ ସ୍ତରରେ ଭୋଟ ଗଣତି ହେବ। ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିଲେ ଦଣ୍ଡିତ ହେବେ। ଏଥର ଜଣେ ପ୍ରାର୍ଥୀ ସର୍ବାଧିକ ୫ଜଣଙ୍କୁ ସାଙ୍ଗରେ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ। କୌଣସି ପ୍ରକାରର ସମ୍ମିଳନୀକୁ ଅନୁମତି ମିଳିବ ନାହିଁ। ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିପାରିବେ ପ୍ରାର୍ଥୀ। ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଜାନୁଆରି ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିଭଳି ୧୭ ଜାନୁଆରିରୁ ୨୧ ଜାନୁଆରି ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ୨୨ ଜାନୁଆରିରେ ନାମାଙ୍କନପତ୍ର ଯାଞ୍ଚ କରାଯିବ, ୨୫ ଜାନୁଆରି ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ। ସେହି ୨୫ ଜାନୁଆରିରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହେବା ପରେ ବ୍ଲକସ୍ତରରେ ଭୋଟ ଗଣତି ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀ।
ରାଜ୍ୟରେ ମୋଟ୍ ୯୧, ୯୧୩ଟି ୱାର୍ଡରେ ନିର୍ବାଚନ ହେବ। ୬୭୯୪ଟି ପଞ୍ଚାୟତରେ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ପାଇଁ ଏବଂ ୮୫୩ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ଅନୁଷ୍ଠିତ ହେବ। ୪୩୩ ଜିଲ୍ଲା ପରିଷଦ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସକାଳ ୭ଟାରୁ ଦିନ ୧ଟା ଯାଏ ମତଦାନ କରାଯାଇପାରିବ। ନିର୍ବାଚନ ସରିବା ପରେ ବ୍ଲକରେ ସେଣ୍ଟ୍ରାଲ୍ କାଉଣ୍ଟିଙ୍ଗ ହେବ। ଏଥର ପଞ୍ଚାୟତ ନିର୍ବାଚନ ପାଇଁ ମୋଟ ଭୋଟର ହେଉଛନ୍ତି ୨ କୋଟି ୭୯ ଲକ୍ଷ।ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ୧୫ଟା ସରପଞ୍ଚପ୍ରାର୍ଥୀଙ୍କ ପାଇଁ ୩୨ ପ୍ରକାର, ସମିତି ସଭ୍ୟ ପାଇଁ ୧୯ ପ୍ରକାର ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ୧୯ ପ୍ରକାରର ଚିହ୍ନ ଜାରି ହୋଇଛି। ଏଣେ ୱାର୍ଡ ମେମ୍ବର ପାଇଁ ହଳଦିଆ, ସରପଞ୍ଚ ପାଇଁ ଗୋଲାପି ଓ ଜିଲ୍ଲା ପରିଷଦ ପାଇଁ ଧଳା ବ୍ୟାଲଟ ବ୍ୟବହାର ହେବ। ଏଣେ ଏଥର ପଞ୍ଚାୟତ ନିର୍ବାଚନ ଖର୍ଚ୍ଚ ବି ବଢ଼ିଛି। ସରପଞ୍ଚ/ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ୮୦ ହଜାରରୁ ବଢ଼ି ୨ ଲକ୍ଷ ହୋଇଛି ଖର୍ଚ୍ଚ ସୀମା। ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ୨ ଲକ୍ଷରୁ ବୃଦ୍ଧି ହୋଇ ୫ଲକ୍ଷ ଟଙ୍କା ହୋଇଛି। ୨୦୧୭ର ପଞ୍ଚାୟତ ନିର୍ବାଚନରେ ୮୫୧ ଜିଲ୍ଲା ପରିଷଦ ଜୋନରେ ହୋଇଥିଲା ନିର୍ବାଚନ। ଏଥିମଧ୍ୟରୁ ୪୭୩ଟିରେ ବିଜେଡି ଜିତିଥିବା ବେଳେ ବିଜେପି ୨୯୭ଟି ଜିଲ୍ଲା ପରିଷଦ ଜୋନରେ ଜିତିଥିଲା। ଅପରପକ୍ଷରେ କଂଗ୍ରେସ ୬୬ଟି ଜିଲ୍ଲା ପରିଷଦ ଜୋନରେ ଜିତିଥିଲା। ୨୦୧୭ରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ଫେବୃଆରୀ ୧୩, ଫେବୃଆରୀ ୧୫ ଫେବୃଆରୀ ୧୭, ଫେବୃଆରୀ ୧୯ ଓ ଫେବୃଆରୀ ୨୧ ତାରିଖରେ ନିର୍ବାଚନ ହୋଇଥିଲା। ଏଥିରେ୨୧ ଜିଲ୍ଲାର ଜିଲ୍ଲା ପରିଷଦ ଅଧକ୍ଷ ପଦ ବିଜେଡି ହାତେଇଥିଲା ୮ଟି ଜିଲ୍ଲାରେ ବିଜେପି ଜିଲ୍ଲା ପରିଷଦ ଅଧକ୍ଷ ପଦ ହାତେଇଥିଲା। ତେବେ ଝାରସୁଗୁଡ଼ାରେ କଂଗ୍ରେସ ହାତକୁ ଯାଇଥିଲା ଜିଲ୍ଲା ପରିଷଦ ଅଧକ୍ଷ ପଦ। ସୂଚନାଯୋଗ୍ୟ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ଦିନ ରାଜ୍ୟ ନିର୍ବାଚନ କମିସନ ସର୍ବଦଳୀୟ ବୈଠକ ଡାକି ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିଛନ୍ତି। ଏହା ପରେ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ନିର୍ବାଚନ ପ୍ରସ୍ତୁତି ବିଷୟରେ ଅବଗତ କରାଇଛନ୍ତି। ସଂଧ୍ୟାରେ ମୁଖ୍ୟ ସଚିବ, ଗୃହ ସଚିବ ଓ ପୁଲିସି ଡିଜିଙ୍କ ସହ କମିସନର ଆଲୋଚନା କରିଛନ୍ତି। ମଙ୍ଗଳବାର ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହେବ ବୋଲି କୁହାଯାଉଛି। ଗତକାଲି ନିର୍ବାଚନ କମିସନର ଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ କମିସନର ରାଜନୈତିକ ଦଳର ନେତାମାନଙ୍କୁ ନିର୍ବାଚନ ସମୟରେ ଲାଗୁ ହେବାକୁ ଥିବା ଗାଇଡଲାଇନ, ପ୍ରାର୍ଥୀଙ୍କ ପାଇଁ କ’ଣ ଆବଶ୍ୟକ ଏବଂ ରାଜନୈତିକ ଦଳର ଭୂମିକା ବିଷୟରେ ଅବଗତ କରାଇଛନ୍ତି। ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ୫ବର୍ଷର କାର୍ଯ୍ୟକାଳ ଆଗାମୀ ମାର୍ଚ୍ଚ ମାସରେ ଶେଷ ହେବାକୁ ଥିବାରୁ ସମ୍ବିଧାନର ଧାରା ୨୪୩ ଅନୁସାରେ ତା’ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେବା ଦରକାର ବୋଲି କମିସନର କହିଥିଲେ। ହେଲେ ବିରୋଧୀ ଦଳଗୁଡ଼ିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ନିର୍ବାଚନ ଆଉ ୨ରୁ ୩ମାସ ଘୁଞ୍ଚାଇବାକୁ ପ୍ରସ୍ତାବ ଦେଇଥିଲେ। କମିସନର କହିଥିଲେ ଯେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ବେଳେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ପ୍ରାର୍ଥୀମାନେ ସେମାନଙ୍କର ଜାତି ସାର୍ଟିଫିକେଟ୍ ଦାଖଲ କରିବେ। ସଂପୃକ୍ତ ଜାତି ସାର୍ଟିଫିକେଟଗୁଡ଼ିକ ଓଡ଼ିଶା ରାଜ୍ୟର କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଠାରୁ ପ୍ରାପ୍ତ ହୋଇଥିବା ଆବଶ୍ୟକ।

Share Now:

Kalinga News Beuro

Next Post

ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ : ଅପରାହ୍ନ ୪ଟାରେ କୋଭିଡ୍ ସ୍ଥିତି ନେଇ କରିବେ ଆଲୋଚନା

Tue Jan 11 , 2022
ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ। ଅପରାହ୍ନ ୪ଟାରେ କୋଭିଡ୍ ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଗତ ଶନିବାର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି କରୋନା ସ୍ଥିତି ସମୀକ୍ଷା କରିଥିଲେ ମୋଦୀ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ରେକର୍ଡ ଦୈନିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି। ଆଉ କିଛି ରାଜ୍ୟରେ ମଧ୍ୟ ସ୍ଥିତିି ବିଗିଡ଼ିବାରେ […]
ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ଆଜି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial