ଧୂଳିରେ ଅଣନିଃଶ୍ବାସୀ ମଞ୍ଚେଶ୍ବରବାସୀ : ବିଭିନ୍ନ ରୋଗର ଶିକାର ହେଉଛନ୍ତି ସ୍ଥାନୀୟ ଲୋକ

ଧୂଳିରେ ଅଣନିଃଶ୍ବାସୀ ମଞ୍ଚେଶ୍ବର

ଚନ୍ଦ୍ରଶେଖରପୁର : ମଞ୍ଚେଶ୍ବର ରେଳ ଷ୍ଟେସନ୍ ନିକଟ ରଙ୍ଗମାଟିଆ, ଭୋଟପଡ଼ା ଓ ଆଖପାଖ ବସ୍ତି ବର୍ଷ ସାରା ଧୂଳି ଚାଦରରେ ଘୋଡ଼େଇ ହୋଇ ରହୁଛି। ବର୍ଷାକାଳର କିଛି ଦିନକୁ ବାଦ୍‌ ଦେଲେ ଅନ୍ୟ ସବୁ ସମୟରେ ସିମେଣ୍ଟ ଓ ରାସ୍ତା ଧୂଳି ସ୍ଥାନୀୟ ଲୋ‌କଙ୍କୁ ଅଣନିଃଶ୍ବାସୀ କରି ପକାଉଥିବା ଅଭିଯୋଗ ହେଉଛି। ସିମେଣ୍ଟ ଡିପୋ ଓ ବର୍ଷ ବର୍ଷର ଅସଜଡ଼ା ରାସ୍ତା ପାଇଁ ଉଡ଼ୁଥିବା ଧୂଳିରେ ଆକ୍ରାନ୍ତ ହୋଇ ବହୁ ସ୍ଥାନୀୟ ଲୋକ ବିଭିନ୍ନ ରୋଗର ଶିକାର ହେଉଛନ୍ତି ଓ ଶେଷରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଅତ୍ୟନ୍ତ ଅସ୍ବା‌ସ୍ଥ୍ୟସ୍ଥକର ପରିବେଶରେ ଜୀବନ ବିତାଉଥିବା ଏହି ଅଞ୍ଚଳର ଲୋକମାନେ ବାରମ୍ବାର ବିଭିନ୍ନ ଫୋରମ୍‌ରେ ଅଭିଯୋଗ କଲେ ବି କିଛି ସୁଫଳ ମିଳିନାହିଁ ବୋଲି କହିଛନ୍ତି। ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ଭୋଟପଡ଼ା ଅଞ୍ଚଳର ଲୋକଙ୍କ ଅଭିଯୋଗ ଅନୁସାରେ ମଞ୍ଚେଶ୍ବର ରେଳ ଷ୍ଟେସନ୍ ନିକଟରେ ଥିବା ସିମେଣ୍ଟ ଅନ୍‌ଲୋଡିଂ ସେକ୍‌ସନ୍ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତିଦିନ ଶହଶହ ଟ୍ରକ୍ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ରାସ୍ତା ଦେଇ ଏଠାକୁ ଯାତାୟାତ କରୁଛନ୍ତି। ବର୍ଷ ବର୍ଷ ଧରି ଏହି ରାସ୍ତା ମରାମତି ହୋଇନଥିବାରୁ ପିଚୁ ଉଠିଗଲାଣି ଓ ବଡ଼ବଡ଼ ଖାଲଖମା ସୃଷ୍ଟି ହୋଇଛି। ପିଚୁ ଉଠି ଯାଇଥିବାରୁ ବେଶି ଧୂଳି ଉଡ଼ୁଛି। ପରିସ୍ଥିତି ଏମିତି ହୋଇଛି ଯେ ସ୍ଥାନୀୟ ଅଞ୍ଚଳର ସମସ୍ତଙ୍କ ଘରର ବାହାର, ଭିତର ଓ ଦୋକାନ ବଜାରରେ ଧୂଳିର ମୋଟା ଆବରଣ ବସି ଗଲାଣି। ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ଲୋକେ ଧୂଳିରେ ବେଶି ପ୍ରଭାବିତ ହେଉଛନ୍ତି। ଏତେ ଧୂଳି ଉଡ଼ୁଛି ଯେ ଦିନ ବେଳା କୁହୁଡ଼ି ଭଳି ଅବସ୍ଥା ହେଉଛି ଓ ରାସ୍ତା ଦେଖାଯାଉନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗକ୍ରମେ ୨ ବ‌ର୍ଷ ପୂର୍ବେ ମଞ୍ଚେଶ୍ବର ଷ୍ଟେସନ୍ ପାଖରୁ ଉତ୍ତର କ୍ୟାବିନ୍ ନିକଟକୁ ଏହି ‌ସିମେଣ୍ଟ୍ ଡିପୋକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ରାସ୍ତା ଅବସ୍ଥାରେ କୌଣସି ପରିବର୍ତନ ହେଲାନାହିଁ। ତେଣୁ ଧୂଳି ଉଡ଼ିବା ବନ୍ଦ ହେଲା ନାହିଁ। ନିୟମାନୁସାରେ ସିମେଣ୍ଟ ଡିପୋ ପକ୍ଷରୁ ନିୟମିତ ବ୍ୟବଧାନରେ ରାସ୍ତାରେ ପାଣି ସିଞ୍ଚନ ପାଇଁ ବ୍ୟବସ୍ଥା ରହିଛି। ମାତ୍ର ଏହା କରାଯାଉନାହିଁ। ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ମଧ୍ୟ ଡିପୋ ପକ୍ଷରୁ କର୍ଣ୍ଣପାତ କରାଯାଉନାହିଁ ବୋଲି ଲୋକେ କ୍ଷୋଭର ସହ ଜଣାଇଛନ୍ତି। ତେଣୁ ଏହା ବିରୋଧରେ ଲୋକଙ୍କ ଅସ‌ନ୍ତୋଷ ଦାନା ବାନ୍ଧୁଛି ଓ ଆଗାମୀ ଦିନରେ ଲୋକେ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି।

Share Now:

Kalinga News Beuro

Next Post

ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା : ୟେଲୋ ୱାର୍ଣ୍ଣିଂ ଜାରି

Tue Jan 11 , 2022
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ। ତେବେ କଳାହାଣ୍ଡି, ବରଗଡ଼, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ଜାନୁଆରି ୧୨ ତାରିଖ […]
୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial