ରାଜଧାନୀରେ ହୋଇପାରନ୍ତି ମହିଳା ମେୟର : ସଂରକ୍ଷଣ ବଦଳାଇବାକୁ ଉଦ୍ୟମ ଆରମ୍ଭ

ମହିଳା ମେୟର ଦେଖିବ ବିଏମ୍‌ସି

ଭୁବନେଶ୍ବର : କିଏ ହେବ ଭୁବନେଶ୍ବର ମେୟର ? ବିଜେଡି ପୁଣିଥରେ ହାତେଇବ ନା ଛଡ଼େଇ ନେବ ବିଜେପି। କଂଗ୍ରେସ ଲଢ଼େଇରେ ଆଗରେ ରହିବ ନା ପଛକୁ ଠେଲି ହୋଇଯିବ। ଭୁବନେଶ୍ବର ସହରରେ ଦବ୍‌ଦବା ଥିବା ସ୍ବାଧୀନ ପ୍ରାର୍ଥୀ ଆଗକୁ ମାଡ଼ି ଯିବେନି ତ ? ସମ୍ମାନଜନକ ଏହି ପଦବି ମହିଳାଙ୍କ ଲାଗି ସଂରକ୍ଷିତ ହେବା ପରେ ଏବେ ପ୍ରାର୍ଥୀଙ୍କୁ ନେଇ ଏମିତି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସବୁ ଦଳରୁ ଏକାଧିକ ଆଶାୟୀଙ୍କ ନାଁ ଗଳିକନ୍ଦିରେ ଚର୍ଚ୍ଚା ଚାଲିଛି। ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଥିଲେ ମଧ୍ୟ ନେତାଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ନିଜ ସମର୍ଥକଙ୍କୁ ମେୟର ପଦବିରେ ବସାଇବାକୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ନେତାମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ବିଶେଷକରି ଏହାକୁ ନେଇ ବିଜେଡି‌ରେ ଉଷ୍ମତା ବଢ଼ିଛି। କାରଣ ଏବେ ବି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାରେ ବିଜେଡିର ଦବ୍‌ଦବା ଜାରି ରହିଛି। ୨୦୧୯ରେ ବିଜେଡି ସାଂସଦ ପ୍ରାର୍ଥୀ ହାରିଥିଲେ ମଧ୍ୟ ତିନି ବିଧାୟକଙ୍କ ପତିଆରା ପୂର୍ବଭଳି ବଳବତ୍ତର ରହିଥିବାରୁ ଆଶାୟୀଙ୍କ ସଂଖ୍ୟା ସବୁଠାରୁ ଅଧିକ ଏହି ଦଳରେ। ଏକାମ୍ର ଭୁବନେଶ୍ବରରେ ଦୁଇ ଜଣ ପୂର୍ବତନ ମହିଳା କର୍ପୋରେଟର ମେୟର ପ୍ରାର୍ଥୀ ଦୌଡ଼ରେ ଆଗରେ ରହିଛନ୍ତି। ଯେଉଁମାନଙ୍କ ପତିଆରା ଭୁବନେଶ୍ବର ବିଜେଡି ରାଜନୀତିରେ ରହିଛି। ସେମା‌ନେ ଦୁଇରୁ ଅଧିକ ଥର ନିର୍ବାଚିତ ହୋଇ ଲୋକଙ୍କ ଆସ୍ଥା ଭାଜନ ବି ହୋଇଛନ୍ତି। ପୂର୍ବରୁ ବିଏମ୍‌ସିରେ ଡେପୁଟି ମେୟର ହୋଇଥିବା ଦୁଇ ଜଣ ମହିଳାଙ୍କ ନାଁକୁ ନେଇ ମଧ୍ୟ ଜୋରସୋରରେ ଚର୍ଚ୍ଚା ଚାଲିଛି। କାରଣ ସେମାନେ ବି ଏକାଧିକ ଥର ନିର୍ବାଚିତ ହୋଇ ବିଏମ୍‌ସିକୁ ଯିବା ସହ ସଙ୍ଗଠନକୁ ତୃଣମୂଳସ୍ତରରୁ ମଜଭୁତ କରିବାରେ ବି କ୍ଷମତା ରଖିଛନ୍ତି। ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ଦୁଇ ମହିଳା ମଧ୍ୟ ଭୁବନେଶ୍ବର ରାଜନୀତିରେ ପାଦ ଥାପିବାକୁ କିଛି କିଛି ଦିନ ହେବ ଯୋଜନା ଚଲାଇଛନ୍ତି। ସେମାନଙ୍କ ନାଁ ମଧ୍ୟ ଚର୍ଚ୍ଚା ପରିସରକୁ ଆସୁଛି। ବିଜେଡିର ବିଭିନ୍ନ ପଦପଦବିରେ ଥିବା ବ୍ୟକ୍ତିବିଶେଷ ବି ନିଜ ସମ୍ପର୍କୀୟଙ୍କୁ ମେୟର ପ୍ରାର୍ଥୀ କରିବାକୁ ଲାଗିପଡ଼ିଥିବା କୁହାଯାଉଛି। ବିଜେଡିର ଜଣେ ବରିଷ୍ଠ ନେତା ନିଜ ଭଉଣୀଙ୍କୁ ପ୍ରାର୍ଥୀ କରିବାକୁ ଚାହୁଥିବା ନେଇ ଚର୍ଚ୍ଚା ହେଉଛି। ମାତ୍ର ବିଜେଡିରେ କିଛି ବି ସମ୍ଭବ। କାହାକୁ କେଉଁଠୁ ଆଣି କେଉଁଠାରେ ବି ବସାଇ ଦିଆଯିବାର ବହୁ ନଜିରି ରହିଛି। ତେଣୁ ଭୁବନେଶ୍ବର ମେୟର ପଦବିରେ ବି ସେମିତି କିଛି ନ ହେବ ବୋଲି ମାନେ କିଛି ନାହିଁ।
ବିଜେପିରେ ମଧ୍ୟ କିଛି ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭୁବନେଶ୍ବର ସାଂସଦଙ୍କ ଅନୁଗତ ଥିବା ୪ ଜଣ ମହିଳାଙ୍କ ନାଁ ଏବେ ସବୁଠାରୁ ଆ‌ଗରେ। ସେମାନଙ୍କ ମଧ୍ୟରୁ କାହାକୁ ବି ପ୍ରାର୍ଥୀ କରିବା ଲାଗି ସାଂସଦ ଦାବି କରିପାରନ୍ତି। ଏହାବ୍ୟତୀତ ବିଜେପି ରାଜ୍ୟ ସଙ୍ଗଠନର ବିଭିନ୍ନ ପଦପଦବିରେ ରହି ଦଳ ପ‌ାଇଁ କାର୍ଯ୍ୟ କରୁଥିବା ଏକାଧିକ ମହିଳାଙ୍କ ନାଁ ଆଲୋଚନାର ପରିସରକୁ ଆସିଛି। ଭୁବନେଶ୍ବରରେ ୱାର୍ଡସ୍ତରରେ ସେଭଳି ନାମକରା ନେତ୍ରୀ ନ ଥିବାରୁ ବାହାରୁ କିମ୍ବା ରାଜ୍ୟସ୍ତରୀୟ ନେତ୍ରୀଙ୍କୁ ଏଠାରେ ମେୟର ପଦବିରେ ପ୍ରାର୍ଥୀ କରାଯାଇପାରେ ବୋଲି ଗୋଟିଏ ଗୋଷ୍ଠୀ ମତ ବାଢ଼ିଛି।
କଂଗ୍ରେସରେ ମଧ୍ୟ ସମାନ ଅବସ୍ଥା। ଏକ ଦଶନ୍ଧି ଧରି ଦଳ ବିଏମ୍‌ସି ନିର୍ବାଚନରେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରି ନାହିଁ। ୨୦୧୯ ସାଧାରଣ ନିର୍ବାଚନରେ ବି ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ତେଣୁ ସେଭଳି ବଡ଼ ନେତ୍ରୀଙ୍କୁ ଆଗକୁ ଆଣି ଭୋଟ ‌ହାତେଇବା ଦଳ ପାଇଁ କଷ୍ଟକର ହୋଇପଡ଼ିବ। ତେବେ ଏକାମ୍ର ଭୁବନେଶ୍ବରରେ କଂଗ୍ରେସର ମଙ୍ଗୁଆଳ ସାଜିଥିବା ଜଣେ ନେତ୍ରୀଙ୍କ ନାଁକୁ ନେଇ ଆଜି ସନ୍ଧ୍ୟାରେ ବେଶ ଆଲୋଚନା ହେଉଛି।‌ ପୌର ନିର୍ବାଚନ ବିଗୁଲ୍‌ ବାଜି ନ ଥିବାରୁ ଏବେଠାରୁ ପ୍ରାର୍ଥୀ ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ। ଏହା ଚିଠା ପ୍ରସ୍ତାବ ଆସିଛି। ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଆସିଲା ବେଳକୁ ସେଥିରେ ସଂଶୋଧନ ହୋଇପାରେ। ତେଣୁ କିଏ ପ୍ରାର୍ଥୀ ହେବ ସେନେଇ ଏବେଠାରୁ ଆଲୋଚନା କରିବା ଠିକ୍‌ ନୁ‌ହେଁ ବୋଲି କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି। ଅନ୍ୟପକ୍ଷରେ ମେୟର ପଦବି ଲାଗି ସଂରକ୍ଷଣ ତାଲିକା ଆସିବା ପରେ ଅନେକ ଆଶାୟୀଙ୍କ ମନ ଆମ୍ବିଳା ହୋଇଯାଇଛି। ଭୁବନେଶ୍ବର ବିଜେଡିରେ ଦବଦବା ରଖୁଥିବା ତଥା ଏକାଧିକ ଥର ଜିତିଥିବା କର୍ପୋରେଟର ସବୁଠାରୁ ଅଧିକ ଦୁଃଖୀ ହୋଇଛନ୍ତି। ସେମାନେ ଆଶା ବାନ୍ଧିଥିଲେ ପୂର୍ବତନ ମେୟର ତଥା ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପରେ ସେମାନଙ୍କ ପାଳି ପଡ଼ିବ। ଯେଉଁଥିପାଇଁ ତିନି ବର୍ଷ ହେଲା ବିଭିନ୍ନ ୱାର୍ଡରେ ସଙ୍ଗଠନ କରୁଥିଲେ। ସହର ସାରା ବ୍ୟାନର, ହୋଡିଂ ବି ଲଗାଉଥିଲେ। ମାତ୍ର ସେମିତି କିଛି ହେଲା ନାହିଁ। ବରଂ ମେୟର ପଦବି ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯାଇଛି। ଆଶା ମଉଳିଥିଲେ ମଧ୍ୟ ଶେଷ ସୁଯୋଗ ବାକି ରହିଛି। ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ଚିଠା ତାଲିକା ପ୍ରକାଶ ପାଇବାର ୧୫ ଦିନ ମଧ୍ୟରେ ଏନେଇ ଅଭିଯୋଗ ଓ ପ୍ରସ୍ତାବ ଦେଇପାରିବେ। ତେଣୁ ସେଥିରେ ପରିବର୍ତନ କରିବା ପାଇଁ ଆଶାୟୀମାନେ ଲାଗିପଡ଼ିଛନ୍ତି। ସନ୍ଧ୍ୟାରେ ମନ୍ତ୍ରୀ, ବିଧାୟକଙ୍କ ନିକଟ‌ରେ ପହଞ୍ଚି ଅନୁରୋଧ କରୁଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

କ୍ୟାପିଟାଲ ହସ୍ପିଟାଲରେ ମାଡୁଛି କରୋନା

Thu Jan 13 , 2022
ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ମାଡ଼ିଚାଲିଛି କରୋନା। ବହୁ ବିଭାଗରେ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଆକ୍ରାନ୍ତ ହୋଇଗଲେଣି। ବର୍ତ୍ତମାନ ସୁଦ୍ଧା ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ମିଶାଇ ୨୮ରୁ ଅଧିକ କରୋନା ସଂକ୍ରମିତ ‌ହୋଇସାରିଲେଣି। କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗର ଡାକ୍ତର ଓ କର୍ମଚାରୀମାନେ ଅଧିକ ସଂଖ୍ୟ‌ାରେ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତମାନେ ସଙ୍ଗରୋଧରେ ରହୁଥିବାରୁ ଏଣିକି ରୋଗୀ ସେବା ବାଧାପ୍ରାପ୍ତ ହେବା ଆଶଙ୍କା ଉପୁଜିଛି।ତେବେ ଏବାବଦରେ କ୍ୟାପିଟା‌ଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ […]
କ୍ୟାପିଟାଲ ହସ୍ପିଟାଲରେ କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial