ଓଡ଼ଗାଁ ରଘୁନାଥ ମନ୍ଦିରରେ ନିମ୍ନମାନର ପ୍ରସାଦ : ବଢ଼ୁଛି ଶ୍ରଦ୍ଧାଳୁଙ୍କ ଅସନ୍ତୋଷ

ଓଡ଼ଗାଁ ରଘୁନାଥ ମନ୍ଦିରରେ ନିମ୍ନମାନର ପ୍ରସାଦ

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀରଘୁନାଥ ଜିଉଙ୍କ ନିମ୍ନମାନର ପ୍ରସାଦକୁ ନେଇ ଅସନ୍ତୋଷ ଦେଖାଦେଇଛି। ପ୍ରତିଦିନ ଭକ୍ତଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ଥିଲେ ମଧ୍ୟ ତାହା ସୁସ୍ବାଦୁ ନୁହେଁ ବୋଲି ଅନେକ କହିଛନ୍ତି। ଏପଟେ ମାସକୁ ଚାଳିଶ ହଜାର ଟଙ୍କା ପ୍ରସାଦରୁ ଆଦାୟ ହେଉଥିବା ବେଳେ ଦେଢ଼ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ମନ୍ଦିର ପ୍ରଶାସନ କହିଛି। ସୂଚନାଯୋଗ୍ୟ, ଓଡ଼ଗାଁର ଶ୍ରୀରଘୁନାଥ ଜିଉ ବେଶ୍‌ ବିଖ୍ୟାତ। ୧୬୨୫ ମସିହାରେ ତିନି ବିଗ୍ରହ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ସୀତା ପୂଜା ପାଇ ଆସୁଥିଲେ। ୧୭୦୩ ମସିହାରେ ନୟାଗଡ଼ ରାଜାଙ୍କ ଦ୍ୱାରା ମନ୍ଦିର ନିର୍ମାଣ ଆରମ୍ଭ ହୋଇ ୧୭୬୩ରେ ପୂର୍ଣ୍ଣାଙ୍ଗ ହୋଇଥିଲା। ୧୯୫୧ ମସିହାରେ ଦେବୋତ୍ତର ବିଭାଗ ହାତକୁ ଗଲା। ସେବେଠାରୁ ଦେବୋତ୍ତର ବିଭାଗ ମନ୍ଦିରର ହାନିଲାଭ କଥା ବୁଝାବୁଝି କରୁଛନ୍ତି। କାଳକ୍ରମେ ମନ୍ଦିରର ପ୍ରସାଦ ଉନ୍ନତମାନର ହେଉଥିଲା। ଭକ୍ତମାନେ ପ୍ରସାଦ ପାଇବାକୁ ଅନେକ ଦୂରରୁ ଆସୁଥିଲେ। ଭାଗ୍ୟରେ ଥିଲେ ପ୍ରଭୁଙ୍କ ପ୍ରସାଦ ସେବନ କରିବାର ସୁଯୋଗ ମିଳେ ବୋଲି ଶ୍ରଦ୍ଧାଳୁମାନେ କହିଥାନ୍ତି। ଆଉ ସେହି ପ୍ରସାଦର ସ୍ବାଦ ଧୀରେ ଧୀରେ ପରିବର୍ତ୍ତନ ହୋଇ ନିମ୍ନଗାମୀ ହୋଇଚାଲିଛି। ମନ୍ଦିରରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ନୀତିକାନ୍ତି ଅନୁଯାୟୀ ପୂଜା ହୋଇଥାଏ। ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ପ୍ରସାଦ ଲାଗି ହୋଇଥାଏ। ସକାଳ ୭ଟା ୩୦ରେ ଖଇକୋରା, ଗୁଡ଼ ମୁଆଁ ବଲ୍ଲଭ ଭୋଗ ହୋଇଥାଏ। ଦିନ ୧୨ଟାରେ ୩ ପ୍ରକାରର ଭୋଗ, ଯଥା: କାନିକା, ଖେଚୁଡ଼ିଖେଚୁଡ଼ା ପ୍ରସ୍ତୁତ ହୁଏ। କାନିକା, ଡାଲମା, ଡାଲି, ତରକାରି, ଭକ୍ତଙ୍କ ପାଇଁ ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ମୋଟ ୭ ଥାଳି ପ୍ରସ୍ତୁତ ହୁଏ। ସେହିପରି ଖେଚେଡ଼ି ଥାଳି ୫୦ ଟଙ୍କାରେ ୪ ଥାଳି ବିକ୍ରି ହେଉଥିବା ବେଳେ ଏଥିରେ ଖେଚେଡ଼ି, ଡାଲମା, ଡାଲି, ତରକାରୀ, ଖଟା, ଭଜା ଏବଂ ଚାଉଳ କ୍ଷୀରି ପ୍ରସ୍ତୁତ ହୁଏ। ଖେଚେଡ଼ା ଥାଳି ୪୦ ଟଙ୍କାରେ ୩ ଥାଳି ପ୍ରସ୍ତୁତ ହେଉଛି। ଏଥିରେ ଖେଚେଡ଼ା, ଡାଲି, ଡାଲମା, ତରକାରୀ ପ୍ରସ୍ତୁତ ହୁଏ। ମୋଟ ୧୪ ଥାଳି ପ୍ରସାଦ ପ୍ରସ୍ତୁତ ହେଉଥିବା ମନ୍ଦିର ପକ୍ଷରୁ କୁହାଯାଇଛି। ଏଥି ସହିତ ୪ କୁଡୁଆ କ୍ଷୀରି ପ୍ରସ୍ତୁତ ହୋଇଥାଏ। କ୍ରାନ୍ତି ଭୋଗରେ ସୁଜି ଖିରି ଏବଂ ଦହି ଅନ୍ନ ହୋଇଥାଏ। ସନ୍ଧ୍ୟା ୬ଟା ସମୟରେ ରାବିଡ଼ି, ଦୁଧମାଣ୍ତୁଅ, ପଣା, ସର, ଗୋପାଳ ଓ ତାଡ଼ିଆ ପ୍ରସ୍ତୁତ ହୁଏ। ସନ୍ଧ୍ୟା ୮ଟା ସମୟରେ ଅନ୍ନ, ଡାଲି, ତରକାରି, ୩୦ ଟଙ୍କା ମୂଲ୍ୟରେ ୫ ଥାଳି ପ୍ରସ୍ତୁତ ହୁଏ। ରାତି ୯ଟାରେ ଗୋପାଳ, କାକରା, ମାଲପୁଆ, ବୁନ୍ଦିଆ, ପୁର ଖୁରୁମା, ମଗଜ ଲଡ଼ୁ, ସାଦା ଖୁରୁମା, ଛେନା ପଣା ଓ ତାଡ଼ିଆ ପ୍ରସ୍ତୁତ ହୋଇ ବଡ଼ସିଂହାର ଭୋଗ ହୁଏ। ଏଥି ସହିତ ଖଇରାଞ୍ଚି ଧୂପରେ ପଣ୍ତା, ସୁଆରଙ୍କ ପାଇଁ ୩ ଥାଳି ଭୋଗ ପ୍ରସ୍ତୁତ ପାଇଁ ନିୟମ ଥିଲେ ମଧ୍ୟ ୧୫ରୁ ୨୦ ଥାଳି ପ୍ରସ୍ତୁତ କରି ସେବାସୀମାନେ କଳାବଜାରୀ କରୁଥିବା ଅଭିଯୋଗ ହୋଇଛି। ସେବାସୀ, ସୁଆର ରଘୁନାଥଙ୍କ ଜମି ଦଖଲ କରି ପୂଜା ଏବଂ ପାଳି ଅନୁଯାୟୀ ଠାକୁରଙ୍କ ପ୍ରସାଦ ପ୍ରସ୍ତୁତ କରନ୍ତି। ଏପଟେ ମନ୍ଦିର ପ୍ରଶାସନ ପକ୍ଷରୁ ଉନ୍ନତମାନର ରାସନ ସାମଗ୍ରୀ ଯୋଗାଇ ଦିଆଯାଏ ବୋଲି ଦେବୋତ୍ତର ଅଧିକାରୀ ତାପସ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ଆମେ ଶ୍ରୀରଘୁନାଥ ଜିଉ ମନ୍ଦିରକୁ ମାସକୁ ଦେଢ଼ ଲକ୍ଷ ଟଙ୍କାର ରାସନ ସାମଗ୍ରୀ ଯୋଗାଇ ଦେଉଛୁ। କିନ୍ତୁ ଏହା ବଦଳରେ ଚାଳିଶ ହଜାର ଟଙ୍କା ଆଦାୟ ହେଉଛି। ମନ୍ଦିରର ପ୍ରସାଦର ସ୍ବାଦ ସଂପର୍କରେ ପଚାରିବାରୁ, ସେବାସୀମାନେ ପ୍ରଭୁଙ୍କ ପାଇଁ ରୋଷେଇ କରିବାର ଦାୟିତ୍ବ ନେଇଛନ୍ତି। ପୂର୍ବ ପରି ପ୍ରସାଦ ସ୍ବାଦ ନ ଥିବା ଆମେ ଅଭିଯୋଗ ପାଇଛୁ। ଆମେ ତାହାର ବିକଳ୍ପ ବ୍ୟବସ୍ଥା କରିବାକୁ ଚିନ୍ତା କରୁଛୁ ବୋଲି ସେ କହିଛନ୍ତି।
ତେବେ ଏହାର ପାଲଟା ଅଭିଯୋଗ କରିଛନ୍ତି କିଛି ସେବାସୀ। ସେମାନେ କହିଛନ୍ତି ଆମକୁ ନିମ୍ନମାନର ଚାଉଳ ଓ ସାମଗ୍ରୀ ପ୍ରଦାନ କରାଯାଉଛି। ୧୨୦ ଟଙ୍କା କାନିକା ଚାଉଳକୁ ୬୦ ଟଙ୍କାରେ କିଣିକି ଦିଆଯାଉଛି। ୬୦ ଟଙ୍କା ଚାଉଳ ୪୦ ଟଙ୍କାରେ ଓ ୪୦ ଟଙ୍କା ଚାଉଳକୁ ୩୦ ଟଙ୍କାରେ ଦିଆଯାଉଥିବାରୁ ତାହା ସୁସ୍ବାଦୁକର ହେଉନାହିଁ। ସେହିପରି ଘିଅ, ମସଲା ବି ନିମ୍ନମାନର ପ୍ରଦାନ କରାଯାଉଛି। ମନ୍ଦିରକୁ ନିମ୍ନମାନର ରାସନ ସାମଗ୍ରୀ ଦେଇ ଅଧିକ ଟଙ୍କାର ବିଲ୍‌ କରି ଅର୍ଥ ବାଟମାରଣା କରାଯାଉଥିବା ଅଭିଯୋଗ ହୋଇଛି। ସର୍ବସାଧାରଣଙ୍କ ପାଇଁ ପ୍ରସାଦ ୮୦ ଟଙ୍କାରେ ବିକ୍ରି କରିବାକୁ ନିୟମ ଥିବା ବେଳେ ଏହାକୁ ସେବାସୀମାନେ ୩ ଶହରୁ ୪ ଶହ ଟଙ୍କା ବିକ୍ରି କରୁଥିବା ଅଭିଯୋଗ ମଧ୍ୟ ହୋଇଛି। ବଡ଼କଥା ହେଉଛି, ଓଡ଼ଗାଁ କିମ୍ବା ନୟାଗଡ଼ରୁ ରାସନ ସାମଗ୍ରୀ ନ କିଣି ଶରଣକୁଳରୁ କିଣାଯାଉଛି। ନୟାଗଡ଼ ଶ୍ରୀଜଗନ୍ନାଥ ମନ୍ଦିର, ଶରଣକୁଳର ବାବା ଲଡ଼ୁକେଶ୍ବର ଏବଂ ଓଡ଼ଗାଁର ଶ୍ରୀରଘୁନାଥଙ୍କ ପାଇଁ ଶରଣକୁଳର ଏକ ଦୋକାନରୁ ସାମଗ୍ରୀ କିଣିବା ପଛରେ କି ରହସ୍ୟ ରହିଛି ସେମାନେ ଜାଣିବାକୁ ଚାହିଛନ୍ତି। ପ୍ରସାଦ ପାଇଁ ରାସନ ସାମଗ୍ରୀ କିଣିବା ବେଳେ ମନ୍ଦିର କମିଟି କର୍ମମର୍ତ୍ତାଙ୍କୁ କାହିଁକି ସେଥିରେ ସାମିଲ୍‌ କରାଯାଉନାହିଁ ବୋଲି ପ୍ରଶ୍ନ ଉଠିଛି। ପ୍ରତ୍ୟେକ ସପ୍ତାହରେ ମନ୍ଦିରର ଆୟବ୍ୟୟ ହିସାବ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବାର ଆବଶ୍ୟକତା ରହିଛି ଏବଂ ନିମ୍ନମାନର ରାସନ ସାମଗ୍ରୀ କିମ୍ବା ପ୍ରସାଦ ବାଟମାରଣା ହେଉଥିବା ସଂପର୍କରେ ସିସିଟିଭି ଯାଞ୍ଚ କରି ଖୋଳତାଡ଼ ହେବାର ଆବଶ୍ୟକତା ରହିଛି।

Share Now:

Kalinga News Beuro

Next Post

ହାତୀ ମଣିଷ ସଂଘର୍ଷ : ବୃଦ୍ଧଙ୍କୁ ଦଳିଦେଲା ହାତୀ

Sat Jan 15 , 2022
ଜଳେଶ୍ଵର: ଆଜି ଭୋର ସମୟରେ ଶୌଚ ପାଇଁ ଯାଉଥିବା ଜଣେ ବୃଦ୍ଧଙ୍କୁ ଏକ ହାତୀ ଦଳି ଦେଇଛି। ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ବଜାରଶୋଳ ଗ୍ରାମରେ। ମୃତକଙ୍କ ନିମ ଫାଗୁ ହାସଦା ବୋଲି କୁହାଯାଇଛି। ଫାଗୁ ଭୋର ସମୟେ ଶୌଚ ହେବାକୁ ଯାଉଥିବା ବେଳେ ପ୍ରବଳ କୁହୁଡି ଯୋଗୁଁ ଦୂରରୁ କିଛି ଦେଖାଯାଉ ନ ଥିଲା।ଏହି ସମୟରେ […]
ବୃଦ୍ଧଙ୍କୁ ଦଳିଦେଲା ହାତୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial