ଭରତପୁର ସଂରକ୍ଷିତ ଜଙ୍ଗଲ ଟ୍ରେଞ୍ଚରେ ଅସ୍ଥାୟୀ ପୋଲ

ଭରତପୁର ସଂରକ୍ଷିତ ଜଙ୍ଗଲ ଟ୍ରେଞ୍ଚରେ ଅସ୍ଥାୟୀ ପୋଲ-1

ସହରକୁ ଫିଟିଛି ହାତୀ ଓ ଅନ୍ୟ ବନ୍ୟଜନ୍ତୁଙ୍କ ବାଟ

ଚନ୍ଦ୍ରଶେଖରପୁର : ସହର ଭିତରକୁ ହାତୀ ପଶିଆସୁଥିବାରୁ ସେମାନଙ୍କୁ ରୋକିବା ପାଇଁ ଭରତପୁର ସଂରକ୍ଷିତ ଜଙ୍ଗଲ କଡ଼େକଡ଼େ ଟ୍ରେଞ୍ଚ୍‌ ଖୋଳାଯାଇଛି। ଟ୍ରେଞ୍ଚ୍‌କୁ ଲାଗି ପାଚେରି କରାଯାଇଛି ଓ ସେଥିରେ କଣ୍ଟାତାର ବାଡ଼ ବି ଦିଆଯାଇଛି। କିନ୍ତୁ ଟ୍ରେଞ୍ଚ୍‌ କଡ଼ରେ ଗଢ଼ି ଉଠିଥିବା ବସ୍ତିର ଲୋକେ ଟ୍ରେଞ୍ଚ୍‌କୁ ପୋତି ଜଙ୍ଗଲ ଭିତରକୁ ଯା’ଆସ କରୁଛନ୍ତି। କିଛି ସ୍ଥାନରେ ଟ୍ରେଞ୍ଚ୍‌ ଉପରେ କଂକ୍ରିଟ୍‌ ସ୍ଲାବ ପକାଇ ଅସ୍ଥାୟୀ ପୋଲ ତିଆରି କରୁଛନ୍ତି। ଫଳରେ ହାତୀମାନେ ସହର ଭିତରକୁ ପଶିବା ପାଇଁ ବାଟ ଫିଟିଯାଇଛି। ଦୁର୍ବଳ ପାଟ୍ରୋଲିଂ ପାଇଁ ବସ୍ତିବାସିନ୍ଦାମାନଙ୍କ ଏହି ବେଆଇନ କାମ ବନ ବିଭାଗର ନଜରକୁ ଆସୁନାହିଁ। ବର୍ଷର ଅଧିକାଂଶ ସମୟରେ ଚନ୍ଦକା ଅଭୟାରଣ୍ୟର ହାତୀମାନେ ଭରତପୁର ସଂରକ୍ଷିତ ଜଙ୍ଗଲରେ ଡେରା ପକାନ୍ତି। ତେଣୁ ଖାଦ୍ୟ ଅନ୍ବେଷଣ କରି ସେମାନେ ସହରମୁହାଁ ହୁଅନ୍ତି। ଭରତପୁର କଳିଙ୍ଗଷ୍ଟୁଡିଓ ଛକରୁ ରେଣ୍ଟାଲ କଲୋନି ଓ ନୀଳାଦ୍ରିବିହାରଠାରୁ ଚୁନୁକୋଳି ପଥରଗାଡ଼ିଆ ପର୍ଯ୍ୟନ୍ତ ଥିବା ଟ୍ରେଞ୍ଚ ଦେଇ ହାତୀମାନେ ସହର ଭିତରକୁ ପଶିଆସନ୍ତି। ବସ୍ତିବାସିନ୍ଦାମାନେ ଜଙ୍ଗଲ ଭିତରକୁ ଯିବା ଆସିବା କରିବା ପାଇଁ ଟ୍ରେଞ୍ଚ ପୋତି ଦେବାରୁ ହାତୀ ଓ ଅନ୍ୟ ବନ୍ୟପ୍ରାଣୀମାନେ ସହରର ଜନବସତି ଭିତରକୁ ପଶିଆସନ୍ତି। ତେଣୁ ବନ ବିଭାଗ ପକ୍ଷରୁ ଟ୍ରେଞ୍ଚ ସହ ପାଚେରି ନିର୍ମାଣ କରାଯାଇଛି। କିନ୍ତୁ ଏବେ ନୀଳାଦ୍ରିବିହାର ପଣ୍ଡାପାର୍କ ଠାରୁ ଚୁନୁକୋଳି ଓ ପଥରଗାଡ଼ିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବସ୍ତି ଲୋକେ ଟ୍ରେଞ୍ଚ ପୋତି ଦେଇଥିବା ଦେଖିବାକୁ ମିଳୁଛି। ଟ୍ରେଞ୍ଚ୍‌ ଓ ପାଚେରି ମଧ୍ୟଭାଗରେ ‌ଝୁମ୍ପୁଡ଼ିଘର କରି ରହୁଛନ୍ତି କିଛି ଆଦିବାସୀ ଲୋକ। ଏମିତିକି ଟ୍ରେଞ୍ଚ୍‌ ଉପରେ ସିମେଣ୍ଟ ପୋଲ ପକାଇ ଅଭୟାରଣ୍ୟ ଭିତରକୁ ଯାତାୟାତ ମଧ୍ୟ କରୁଛନ୍ତି। ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରୁଛନ୍ତି। ଚୁନୁକୋଳି ବସ୍ତି ଅଞ୍ଚଳରେ ସ୍ଥାନୀୟ ବସ୍ତିବାସିନ୍ଦା ଅଭୟାରଣ୍ୟ ପାଚେରି କଡ଼କୁ ଲଗାଇ ମନ୍ଦିର କରିଛନ୍ତି। ଅନ୍ଧାରିଆ ଓ ଅଣଓସାରିଆ ରାସ୍ତାରେ ବନ ବିଭାଗ କିମ୍ବା ପୁଲିସ ପାଟ୍ରୋଲିଂ ଗାଡ଼ି ପ୍ରବେଶ କରିପାରୁନଥିବାରୁ ଅସାମାଜିକ ଯୁବକମାନେ ସେଠାରେ ନିଶା ଆସର ଜମାଉଛନ୍ତି।
ଜଙ୍ଗଲ ସଂଲଗ୍ନ ବସ୍ତି ଭିତରକୁ ହାତୀ ପଶି ଆସିବା ଏକ ସାଧାରଣ ଘଟଣା ହୋଇସାରିଛି। ଗତ ଡିସେମ୍ବର ମାସରେ ଏକ ହାତୀ ଦଳ ଅଭୟାରଣ୍ୟ ପାର୍‌ ହୋଇ ପଥରଗାଡ଼ିଆ ଭିତରେ ପଶି ଫସଲ ନଷ୍ଟ କରିଥିଲେ। ଗତ ଅକ୍ଟୋବର ମାସରେ ଦୁଇଟି ହାତୀ ନୀଳାଦ୍ରିବିହାର ସରସ୍ବତୀ ବସ୍ତିରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ। ତେବେ ବେଶି କ୍ଷତିଗ୍ରସ୍ତ ହେଉଛନ୍ତି ହରିଣମାନେ। ଗତ ସେପ୍ଟେମ୍ବର ମାସରେ ତିନୋଟି ହରିଣ ବାଟବଣା ହୋଇ ନୀଳାଦ୍ରିବିହାର ବସ୍ତିରେ ପଶି ଯାଇଥିଲେ। ସେମାନଙ୍କୁ ବୁଲା କୁକୁରମାନେ ଝୁଣିପକାଇଥିଲେ। ଏବେ ଭରତପୁର ସଂରକ୍ଷିତ ଜଙ୍ଗଲରେ ହରିଣ ସଂଖ୍ୟା ବୃଦ୍ଧି ପାଇଥିବାରୁ ବହୁ ସମୟରେ ସେମାନେ ବାଟବଣା ହୋଇ ପୋତା ହୋଇଥିବା ଟ୍ରେଞ୍ଚ ଦେଇ ଜନବସତି ଭିତରକୁ ପଶି ଆସୁଛନ୍ତି। ସେହିଭଳି ବସ୍ତିଲୋକମାନେ ଜଙ୍ଗଲ ଭିତରକୁ ପକାଉଥିବା ବର୍ଜ୍ୟ ପଦାର୍ଥ ଖାଇ ହରିଣ ବାର୍‌ହା ଭଳି ବଣ୍ୟପ୍ରାଣୀମାନେ ପ୍ରାଣହରାଉଛନ୍ତି। ‌ତେଣୁ ବନ ବିଭାଗ ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ଟ୍ରେଞ୍ଚ୍‌କୁ ସୁରକ୍ଷିତ ରଖିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Share Now:

Kalinga News Beuro

Next Post

ସତର୍କତାର ସହ କାଗଜ ତ୍ରିରଙ୍ଗା ବ୍ୟବହାର ପାଇଁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ

Tue Jan 18 , 2022
ନୂଆଦିଲ୍ଲୀ : ଆଗକୁ ଗଣତନ୍ତ୍ର ଦିବସ। ଦେଶର ବିଭିନ୍ନ ସ୍ଥାନରେ ଏହି ଜାତୀୟ ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ ଗଣତନ୍ତ୍ର ଦିବସ ପାଳନ ବେଳେ ଯେପରି ଜାତୀୟ ପତାକାର ଅସମ୍ମାନ ନ ହୁଏ ସେଦିଗରେ ସତର୍କ ରହିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ସରକାରମାନଙ୍କୁ ସତର୍କ କରାଇଦେଇଛି। ବିଶେଷକରି କାଗଜ ନିର୍ମିତ ଜାତୀୟ ପତାକାର ବ୍ୟବହାର ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଗଣତନ୍ତ୍ର ଦିବସ ସମାରୋହ […]
କାଗଜ ତ୍ରିରଙ୍ଗା ବ୍ୟବହାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial