ଠକକୁ ଚିହ୍ନନ୍ତୁ : ଜମି ବିକିବା ନାଁରେ ୨କୋଟି ଚଳୁ

ଜମି ବିକିବା ନାଁରେ ୨କୋଟି ଚଳୁ

ମିକ୍ସଚର ଫ୍ୟାକ୍ଟ୍ରି ଏମ୍‌ଡି ଗିରଫ,୨ ସହଯୋଗୀ ଫେରାର୍‌

ଭୁବନେଶ୍ବର : ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଏକ ପ୍ଲଟ୍‌ ବିକିବା ବାହାନାରେ ଜଣେ ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କଠାରୁ ୨ କୋଟିରୁ ଊର୍ଧ୍ବ ଟଙ୍କା ଠକେଇ କରିଥିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଜଣେ ମିକ୍ସଚର ଫ୍ୟାକ୍ଟ୍ରି ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି)ଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବାପ୍‌ସା ଏଣ୍ଟରପ୍ରାଇଜର୍ସ ଏମ୍‌ଡି ପଦାରବିନ୍ଦ ମହାପାତ୍ର(୪୩)। କଟକ ପୁରୀ ଘାଟ ଥାନା ଅଞ୍ଚଳର ବାସିନ୍ଦା ପଦାରବିନ୍ଦଙ୍କୁ ପୁଲିସ ଗତକାଲି ରାତିରେ ଭୁବନେଶ୍ବର ଷ୍ଟେସନରୁ ଗିରଫ କରିଛି। ରାଜ୍ୟ ବାହାରକୁ ଫେରାର୍ ହେବାକୁ ବସିଥିବା ବେଳେ ପିଛା କରୁଥିବା ପୁଲିସ ତାଙ୍କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ ବାପ୍‌ସା ଏଣ୍ଟରପ୍ରାଇଜର୍ସ ନାଁରେ ଏକ ମିକ୍ସଚର ଫ୍ୟାକ୍ଟ୍ରି କରିବା ପାଇଁ ଓଡିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ(ଇଡ୍‌କୋ) ପକ୍ଷରୁ ପ୍ଲଟ୍ ନଂ ୨୧୬ ଓ ୨୧୬/୧କୁ ଯୋଗାଇ ଦିଆଯାଇଥିଲା। ତିନି ଜଣ ଅଂଶୀଦାର ଯଥା ବାଣୀ ମହାପାତ୍ର, ପଦାରବିନ୍ଦ ମହାପାତ୍ର ଓ ସୌମାତ୍ରା ମହାପାତ୍ରଙ୍କୁ ଏହି ପ୍ଲଟ୍‌ ପ୍ରଦାନ କରାଯାଇଥିଲା। ସେମାନେ ଉକ୍ ପ୍ଲଟ୍‌ ଉପରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସହିଦନଗର ଶାଖାରୁ ୫ କୋଟି ଟଙ୍କା ଋଣ ନେଇଥିଲେ। ମାତ୍ର ଧାର୍ଯ୍ୟ ସମୟରେ ଋଣ ପରିଶୋଧ କରିନଥିଲେ। ତେଣୁ ବ୍ୟାଙ୍କ ପକ୍ଷରୁ ୨୦୧୯ ଡିସେମ୍ବରରେ ଇ-ନିଲାମ ପାଇଁ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା। ପ୍ଲଟ୍‌କୁ ନିଲାମରୁ ରକ୍ଷା କରିବାକୁ ୩ ଭାଗୁଆଳି ଲାଗି ପଡ଼ିଥିଲେ। ୨୦୨୦ ମାର୍ଚ୍ଚ ସୁଦ୍ଧା ଭିତରେ ଏକକାଳୀନ(ଓଟିଏସ୍‌) ପ୍ରଥମ ପର୍ଯ୍ୟାୟରେ ୧ କୋଟି ୬୫ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିବା ପାଇଁ ସେମାନେ ଚୁକ୍ତି କରିଥିଲେ। ତେଣୁ ଟଙ୍କା ଯୋଗାଡ଼ କରିବାକୁ ଏମ୍‌ଡି ପଦାରବିନ୍ଦ ଖୋର୍ଦ୍ଧା ପିଏନ୍‌ କଲେଜ୍‌ର ଅବସରପ୍ରାପ୍ତ ଅଧ୍ୟକ୍ଷ ଚୌଧୁରୀ ପ୍ରତାପ କୁମାର ଦାସଙ୍କୁ ଭେଟିଥିଲା। ଫ୍ୟାକ୍ଟ୍ରି ପ୍ଲଟର ସମସ୍ୟା ଜଣାଇଥିଲେ। ଓଟିଏସ୍‌ ବାବଦକୁ ଟଙ୍କା ଦେଲେ ତାଙ୍କ ନାମରେ ଜମି କରିଦେବେ ବୋଲି କହିଥିଲେ। ବୋର୍ଡ ରିଜୋଲ୍ୟୁସନ୍‌ରେ ସର୍ବସମ୍ମତିକ୍ରମେ ଚୌଧୁରୀ ପ୍ରତାପ କୁମାର ଦାସଙ୍କୁ ପ୍ଳଟ୍ ବିକ୍ରୟ କରିବାକୁ ସହମତି ପ୍ରକାଶ ପାଇଥିଲା। ତେଣୁ ୨୦୨୦ ମାର୍ଚ୍ଚରେ ଶ୍ରୀ ଦାସ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆରେ ୧.୬୫ କୋଟି ଟଙ୍କା ଜମା କରି ଋଣ ପରିଶୋଧ କରିଥିଲେ। ମାତ୍ର ଏହା ପରେ ପ୍ଲଟ୍‌ ରେଜିଷ୍ଟ୍ରେସନ୍ କରିବାକୁ ତିନି ଜଣଯାକ ଆଉ ଧରାଛୁଆଁ ଦେଇନଥିଲେ। ତେବେ ଏଥିପାଇଁ ଆଉ ୬୦ ଲକ୍ଷ ଟଙ୍କା ଦାବି କରିଥିଲେ। ଉଭୟପକ୍ଷଙ୍କ ମଧ୍ୟରେ କଥାବାର୍ତ୍ତା ହେବା ପରେ ଶ୍ରୀ ଦାସ ସେମାନଙ୍କୁ ୪୭ଲକ୍ଷ ଟଙ୍କା ଦେଇଥିଲେ। ଏମିତିରେ ଶ୍ରୀ ଦାସ ୨.୧୨ କୋଟି ଟଙ୍କା ଗଣି ଦେବା ପରେ ମଧ୍ୟ ତିନି ଭାଗୁଆଳି ପୁଣି ଲୁଚକାଳି ଖେଳିଲେ। ତେଣୁ ସେମାନେ ତାଙ୍କୁ ଠକିଥିବା ବୁଝିବା ପରେ ଶ୍ରୀ ଦାସ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ଥାନାରେ ମାମଲା ହୋଇଥିବା ଜାଣିବା ପରେ ପଦାରବିନ୍ଦଙ୍କ ଦୁଇ ପାର୍ଟନର ବାଣୀ ଓ ସୌମାତ୍ରା ଫେରାର୍ ହୋଇଯାଇଥିଲେ। ସେମାନେ ରାଜ୍ୟ ବାହାରକୁ ଚାଲିଯାଇଥିଲେ। ତେବେ ପଦାରବିନ୍ଦକୁ ପିଛା କରୁଥିବା ପୁଲିସ‌ ରବିବାର ରାତିରେ ଭୁବନେଶ୍ବର ଷ୍ଟେସନରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଫେରାର୍‌ ଥିବା ବାଣୀ ଓ ସୌମାତ୍ରାକୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ପ୍ରକାଶ ଥାଉ କି, ପୂର୍ବରୁ ଅଭିଯୁକ୍ତ ପଦାରବିନ୍ଦ ନାମରେ ବଡ଼ଗଡ଼ ଥାନା ଓ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ଠକେଇ ମାମଲା ରହିଛି।

Share Now:

Kalinga News Beuro

Next Post

କାହିଁକି ରାସ୍ତା ସମ୍ପ୍ରସାରଣ ନାଁରେ ଗଛ ବଳି ? କାଟିଦେଲେ ଆଉ ୪୦୦

Tue Jan 18 , 2022
ଚନ୍ଦ୍ରଶେଖରପୁର : ରାସ୍ତା ସମ୍ପ୍ରସାରଣ ପାଇଁ ଉତ୍କଳ ହସ୍ପିଟାଲରୁ ଓଇଆର୍‌ସି ପର୍ଯ୍ୟନ୍ତ ରାସ୍ତା ମେଡିଆନ୍‌ରେ ଥିବା ଗଛ ବଳି ଜାରି ରହିଛି। ଗତ ସପ୍ତାହରେ ହଜାରେ ଗଛ କାଟିଥିଲେ। ଆଉ ଏବେ ୪୦୦ ଗଛ କାଟି ଦେଇଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଶୈଳଶ୍ରୀବିହାର ଆଡ଼କୁ ଯାଇଥିବା ଉକ୍ତ ରାସ୍ତାର ୪୦୦ ମିଟର ମଧ୍ୟରେ ଥିବା ଗଛ କଟାଯାଇଛି। ଗଛକୁ ସୁରକ୍ଷା ଦେଉଥିବା ତାର ବାଡ଼ଗୁଡ଼ିକୁ ଶନିବାର ହଟାଇବା ପରେ […]
ରାସ୍ତା ସମ୍ପ୍ରସାରଣ ପାଇଁ ଗଛ ବଳି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial