ମାଟିରେ ମିଶିବ ଶିଶୁଭବନର ଐତିହାସିକ କୋଠା : ନିର୍ମାଣ ହେବ ୪ ଲେନ୍ ରାସ୍ତା

ମାଟିରେ ମିଶିବ ଶିଶୁଭବନ

ଦିନେ ଥିଲା ରାଜ୍ୟପାଳଙ୍କ ସଚିବାଳୟ, ଗଡ଼ଜାତ ମିଶ୍ରଣର ମୂକସାକ୍ଷୀ

କଟକ: ଦିନେ ମୋଗଲ ପ୍ରଶାସକଙ୍କଠାରୁ ଆରମ୍ଭ କରି ମରହଟ୍ଟା, ବ୍ରିଟିସ୍ ଏମିତିକି ଆଧୁନିକ ଓଡ଼ିଶାର ପ୍ରଥମ ରାଜ୍ୟପାଳ ରହୁଥିଲେ କଟକରେ। କଟକର ଚାନ୍ଦିନୀଚୌକ ନିକଟରେ ଥିବା ବର୍ତ୍ତମାନର ଶିଶୁଭବନ ପରିସରର ଏହି କୋଠୀକୁ କୁହାଯାଏ ରାଜଭବନ। ତାହାକୁ ଏବେ ହସ୍ପିଟା‌ଲରେ ପରିଣତ କରି ଦିଆଯାଇଛି। କିନ୍ତୁ ଅନେକ ଐତିହାସିକ ଘଟଣାର ମୂକସାକ୍ଷୀ ଥିବା ଏହି ପୁରୁଣା ଅଟ୍ଟାଳିକାର ଏକ ଅଂଶକୁ ଏବେ ଭାଙ୍ଗିବା ପାଇଁ ଯୋଜନା କରାଯାଇଛି। ରାଜ୍ୟପାଳଙ୍କ ସଚିବାଳୟ କୁହାଯାଉଥିବା ବର୍ତ୍ତମାନର ପୁରୁଣା ସର୍ଜରି ୱାର୍ଡକୁ ଭାଙ୍ଗି ସେହି ଜମିରେ ପ୍ରଶସ୍ତ ରାସ୍ତା ନିର୍ମାଣ କରାଯିବାକୁ ଯୋଜନା କରାଯାଉଛି। ଜାପାନ କୋଠା ପଛପଟେ ନିର୍ମାଣାଧୀନ ୭ ମହଲା କୋଠା ପାଇଁ ଏହି ରାସ୍ତା ନିର୍ମାଣ ହେବ। ସୂଚନା ଅନୁଯାୟୀ, ବର୍ତ୍ତମାନ ଶିଶୁଭବନର ମେଡିକାଲ୍ ୱାର୍ଡ-୨ ଭାବେ ପରିଚିତ କୋଠା ରାଜଭବନ ଥିଲା। ଏଠି ଥିବା ୬ଟି କୋଠରୀକୁ ରାଜ୍ୟପାଳ ଶୋଇବା ପାଇଁ ବ୍ୟବହାର କରୁଥିଲେ। ଏବେ ଯେଉଁଠି ଶିଶୁଭବନ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି, ସେଠି ନୃତ୍ୟଶାଳା ପାଇଁ କାଠର ମଞ୍ଚ ଥିଲା। ଏବେ ବି ଏହି କୋଠାର ଚଟାଣରେ କାଠ ମଞ୍ଚ ଥିବା ଦେଖିବାକୁ ମିଳେ। ତା ପାଖକୁ ଲାଗି ଏବେ ଯେଉଁଠି ପୁରୁଣା ସର୍ଜରି ଓାର୍ଡ ରହିଛି, ସେଠି ରାଜ୍ୟପାଳଙ୍କ ସଚିବାଳୟ ଥିବା କୁହାଯାଏ। ଅର୍ଥାତ ରାଜଭବନର ସମସ୍ତ ସରକାରୀ କାମ ଏହି କୋଠାରେ ହିଁ ହେଉଥିବା କୁହାଯାଏ। ମୋଗଲଙ୍କଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶା ନିର୍ମାଣ ପର୍ଯ୍ୟନ୍ତ ଏହି କୋଠାଗୁଡ଼ିକ ସହିତ ଅନେକ ସ୍ମୁତି ଓ ଅନୁଭୂତି ଜଡ଼ିତ ରହିଛି। ୬୫ ବେଡ ବିଶିଷ୍ଟ ମେଡିକାଲ୍ ୱାର୍ଡ-୨କୁ ୭ ମହଲା ନୂଆ କୋଠାକୁ ସ୍ଥାନାନ୍ତର କରାଯିବ। ବେଡ୍ ସ୍ଥାନାନ୍ତର କରାଯିବା ପରେ ଏହି ରାଜଭବନ କୋଠାର ଭବିଷ୍ୟତ କଣ ହେବ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। କିନ୍ତୁ ୪୦ ବେଡ୍ ଓ ଓଟି ଥିବା ସର୍ଜରି ୱାର୍ଡ କୋଠାକୁ ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଛି। ଶିଶୁଭବନର ଜାପାନ କୋଠା ପଛପଟେ ନିର୍ମାଣାଧୀନ ୭ ମହଲା କୋଠା ପାଇଁ ୪ ଲେନ୍‌ ରାସ୍ତାର ଆବଶ୍ୟକତା ରହିଛି। ଏଥିପାଇଁ ସର୍ଜରି ୱାର୍ଡ କୋଠା ଭାଙ୍ଗି ରାସ୍ତା ନିର୍ମାଣ କରାଯିବ। ଏହି ରାସ୍ତା ସିଧା ରିଙ୍ଗ ବନ୍ଧରେ ବେଲଭ୍ୟୁ ଛକ ସହିତ ସଂଯୋଗ କରାଯିବ।
ପୂର୍ବରୁ ଗଭର୍ଣ୍ଣରଙ୍କ ସଚିବଙ୍କ ପାଇଁ ଥିବା କ୍ବାର୍ଟର ଏବେ ପିଡବ୍ଲୁଡିର ଷ୍ଟୋର୍ ରୁମ କରାଯାଇଛି। ଡାକ୍ତର କଲୋନିର ଶେଷ ଆଡ଼କୁ ଥିବା ଏହି କୋଠାରେ ପୂର୍ବରୁ ଅଧୀକ୍ଷକଙ୍କ କ୍ବାର୍ଟର ଥିଲା। ଲାଲବାଗ ପଟୁ ଶିଶୁଭବନ ମୁଖ୍ୟ ଗେଟ୍ ବାଟେ ଆସିଲେ ଡାହାଣ ପଟେ ଏବେ ଯେଉଁଠି ସିଏମସିର ଶୌଚାଳୟ ନିର୍ମାଣ ହୋଇଛି, ଏହାର ପଛପଟେ ଘୋଡ଼ାଶାଳ ଥିଲା। ତାକୁ ପରେ ନର୍ସଙ୍କ ପାଇଁ କ୍ବାର୍ଟର କରାଗଲା। ଏବେ ଏହି କୋଠା ବି ଭାଙ୍ଗିରୁଜି ଗଲାଣି। ରମାଦେବୀ ଶିଶୁ ବିହାର ସମେତ ପଛପଟେ ଥିବା ୭ଟି କ୍ବାର୍ଟରକୁ ଖଜଣା ଆଦାୟ ପାଇଁ ବ୍ୟବହାର କରାଯାଉଥିଲା। ଯଦିଓ ଏଠି ଶିଶୁଭବନ କର୍ମଚାରୀ ରହୁଛନ୍ତି, କିନ୍ତୁ ଏବେ ଏଠି ପ୍ରାୟ ୫ଟି କୋଠା ଅସୁରକ୍ଷିତ ହୋଇପଡ଼ିଲାଣି। ମୋଗଲ ସୁବେଦାରଙ୍କ ଦ୍ବାରା ୧୬୩୩ ମସିହା ପୂର୍ବରୁ ନିର୍ମାଣ ହୋଇଥିବା ଲାଲବାଗ ପ୍ୟାଲେସ(ବର୍ତ୍ତମାନର ଶିଶୁଭବନ)ର କୋଠାଗୁଡ଼ିକ କାଳକ୍ରମେ ପୁନଃ ପରିବର୍ତ୍ତନ କରାଯାଇ ଆସିଛି। ଏବେ ମେଡିକାଲ୍ ଓାର୍ଡ-୨, ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଓ ସର୍ଜରି ୱାର୍ଡ କେବଳ ଐତିହାସିକ ସ୍ମୃତି ଭାବେ ପଡ଼ି ରହିଛି। କୁହାଯାଏ ଭକ୍ତକବି ସାଲବେଗଙ୍କ ବାପା ଲାଲବେଗ ମୋଗଲ ସୁବେଦାର ଭାବେ ନିଯୁକ୍ତ ହୋଇଥିଲେ। ଆଜିର ଶିଶୁଭବନଟି ସୁବେଦାର ଲାଲବେଗଙ୍କ ଲାଲକିଲ୍ଲା ଥିଲା। ଏହାରି ଭିତରେ ସୁବେଦାରଙ୍କ ଅତିଥି କକ୍ଷ, ରୋଷେଇ ଘର, ଖାଇବା ଘର, ନୃତ୍ୟଶାଳା, ଘୋଡ଼ାଶାଳ ଇତ୍ୟାଦି ଥିଲା। ପରେ ଏହି କୋଠା ମରହଟ୍ଟାଙ୍କ ହାତକୁ ଚାଲିଯାଇଥିଲା। ବ୍ରିଟିସ ରାଜତ୍ବ କାଳରେ ଏହି ଲାଲକିଲ୍ଲାକୁ ଜିଲ୍ଲାର ଜିଲ୍ଲାପାଳ ଏବଂ କମିସନରଙ୍କ କୋଠି ଭାବେ ବ୍ୟବହାର କରାଗଲା। ଜନ୍ ବିମସ, ରେଭେନସାଙ୍କ ଭଳି ଇଂରେଜ ସାହେବମାନେ ଏହି କୋଠାରେ ରହୁଥିଲେ। ସ୍ବାଧୀନତା ପରେ ଏହି କୋଠା ରାଜଭବନ ଭାବରେ ପରିଚୟ ପାଇଥିଲା। ଚନ୍ଦୁଲାଲ ତ୍ରିବେଦୀ ଏବଂ ଯଶୋବନ୍ତ ନାରାୟଣ ସୁକଠଣକର ଭଳି ଓଡ଼ିଶାର ରାଜ୍ୟପାଳମାନେ ଏହି କୋଠୀରେ ରହୁଥିଲେ। ଗଡ଼ଜାତ ମିଶ୍ରଣ ସମୟରେ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଏହି କୋଠାରେ ରହିଥିଲେ। ଓଡ଼ିଶାର ଗଡ଼ଜାତ ରାଜାମାନେ ଡକ୍ଟର ହରେକୃଷ୍ଣ ମହତାବଙ୍କ ନେତୃତ୍ବରେ ଏହି କୋଠାରେ ହିଁ ସ୍ବାଧୀନ ଭାରତର ଶାସନ ସହିତ ମିଶିବା ପାଇଁ ଚୁକ୍ତି ସ୍ବାକ୍ଷର କରିଥିଲେ। ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ଏଠାରେ ବି ରହିଥିଲେ। ୧୯୬୦ରେ ରାଜଭବନ କଟକରୁ ଭୁବନେଶ୍ବରକୁ ସ୍ଥାନାନ୍ତର ପରେ ତତ୍କାଳୀନ ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁକଠଣକର ଏହି କୋଠାକୁ ଭାରତୀୟ ରେଡକ୍ରସ ସଂସ୍ଥାକୁ ଶିଶୁଙ୍କ ହସପିଟାଲ୍ ପାଇଁ ଟେକି ଦେଇଥିଲେ। ୧୯୬୬ ମସିହାରୁ ରାଜ୍ୟ ସରକାର ଏଠାରେ ଶିଶୁଭବନ ଖୋଲି ଚିକିତ୍ସା ଆରମ୍ଭ ହୋଇଥିଲା। ୧୯୯୨ରେ ଶିଶୁଭବନକୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଶିଶୁ ଚିକିତ୍ସାଳୟ ଭାବରେ ନାମିତ କରା ଯାଇଥିଲା। ଏତେ ସବୁ ସ୍ମୃତି ବହନ କରୁଥିବା ଶିଶୁଭବନର ଶେଷ ତିନୋଟି ଐତିହ୍ୟପୂର୍ଣ୍ଣ କୋଠା ମଧ୍ୟରୁ ଗୋଟିଏ କୋଠା ଏବେ ମାଟିରେ ମିଶିବାକୁ ଯାଉଥିବା ବେଳେ ଅନ୍ୟ କୋଠା ଗୁଡିକର ସ୍ଥିତିକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଶିଶୁ ରୋଗୀଙ୍କ ପାଇଁ ଅତ୍ୟାଧୁନିକ କୋଠା ପ୍ରସ୍ତୁତ କରି ଏହାକୁ ଏକ ସ୍ମାରକୀ କରି ଉତ୍ତରପିଢି ପାଇଁ ସାଇତି ରଖିବା ଦିଗରେ କ’ଣ ପଦକ୍ଷେପ ନିଆଯାଇ ପାରିବ ନାହିଁ ବୋଲି ଏବେ ଅନେକ କଟକିଆ ପ୍ରଶ୍ନ କରୁଛନ୍ତି।

Share Now:

Kalinga News Beuro

Next Post

୫ ଜିଲ୍ଲାରେ ପଡ଼ିବ ଘନ କୁହୁଡ଼ି : ୟେଲୋ ୱାର୍ଣ୍ଣିଂ ଜାରି

Wed Jan 19 , 2022
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ପାଣିପାଗରେ ସେପରି କୌଣସି ବଡ଼ ଧରଣ ପରିବର୍ତ୍ତନର ସମ୍ଭାବନା ନାହିଁ। ରାଜ୍ୟର ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବାର ସମ୍ଭାବନା ଅଧିକ ରହିଛି। ତେବେ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ଏବଂ ଉପକୂଳ ଓଡ଼ିଶା, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅଗଭୀରରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନା […]
୫ ଜିଲ୍ଲାରେ ପଡ଼ିବ ଘନ କୁହୁଡ଼ି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial