ଐତିହାସିକ ନନ୍ଦକୁଣ୍ଡ ଏବେ ନର୍କକୁଣ୍ଡ : ଉଚ୍ଚ ଅଦାଲତଙ୍କ ସଫେଇ ନିର୍ଦ୍ଦେଶକୁ ଫୁ’

ନନ୍ଦକୁଣ୍ଡ ଏବେ ନର୍କକୁଣ୍ଡ

ପୁରୁଣା ଭୁବନେଶ୍ୱର: ସ୍ଥାନୀୟ ଗ୍ୟାରେଜ୍‌ ଛକ ନିକଟ ନନ୍ଦକିଶୋରନଗରର ଐତିହାସିକ ନନ୍ଦକୁଣ୍ଡ ପୁଷ୍କରିଣୀ (କଣ୍ଡରା ପୋଖରୀ) ଦୀର୍ଘ ବର୍ଷ ହେଲା ସଫା କରାଯାଇନାହିଁ। ଫଳରେ ଏହି ପୋଖରୀ ପାଣିରେ କ୍ରମାଗତ ଆବର୍ଜନା ଜମିବା ଦ୍ୱାରା ନଷ୍ଟ ହୋଇଗଲାଣି। ସେହିଭଳି ଦଳ ଭର୍ତ୍ତି ହୋଇ ପୋଖରୀ ପୋତି ହେବାକୁ ବସିଲାଣି। ତେଣୁ କିଛି ବର୍ଷ ହେଲା ଅବ୍ୟବହୃତ ହୋଇ ରହିବା ଦ୍ବା‌ରା ଏହାର ଜଳ କଳା ପଡ଼ିଗଲାଣି। ତେଣୁ କଣ୍ଡରା ପୋଖରୀ ଏବେ ପୁରୁଣା ଭୁବନେଶ୍ବରର ମଶାଙ୍କ ଏନ୍ତୁଡ଼ିଶାଳ ବୋଲି କୁହାଯାଉଛି। ଦିନେ ଏକ ଐତିହାସିକ ପୋଖରୀ ଭାବେ ପରିଚୟ ରଖିଥିବା ଏହି ନନ୍ଦକୁଣ୍ଡ ଏବେ ନର୍କକୁଣ୍ଡ ହୋଇସାରିଛି। ମାତ୍ର ବିଏମ୍‌ସି କର୍ତ୍ତୃପକ୍ଷ ବେଫିକର। ଏମିତିକି ଏହି ପୋଖରୀ ମରାମତି ବା ନବୀକରଣ ପାଇଁ ଉଚ୍ଚନ୍ୟାୟାଳୟ ବିଏମ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ ବି ତାକୁ ଫୁ’ କରି ଉଡ଼ାଇ ଦେଇଛନ୍ତି କର୍ତ୍ତୃପକ୍ଷ।
ବିଏମ୍‌ସିର ଅବହେଳା କାରଣରୁ ଏହି ପୋଖରୀ ମଶାବଂଶ ବୃଦ୍ଧି ପାଇଁ ଉପଯୁକ୍ତ ହେଲା। ଫଳରେ ସ୍ଥାନୀୟ ଲୋକେ ମଶାଙ୍କ ଉତ୍ପାତରେ ବଡ଼ ଦୁର୍ବିଷହ ଜୀବନ ଜିଇଁବାକୁ ବାଧ୍ୟ ହେଲେ। ୨୦୧୮ ମସିହାରେ ସ୍ଥାନୀୟ ଲୋକେ ଉଚ୍ଚ ଅଦାଲତର ଦ୍ବାରସ୍ଥ ହେଲେ। ମାମଲାର ଶୁଣାଣି କରି ଉଚ୍ଚନ୍ୟାୟାଳୟ ତୁରନ୍ତ ଏହି ପୋଖରୀ ସଫେଇ ପାଇଁ ବିଏମ୍‌ସିକୁ ନିର୍ଦେଶ ଦେଇଥିଲେ। ପରିତାପର କଥା, ଏହା ଭିତରେ ୩ ବର୍ଷ ବିତିଗଲାଣି। ଅଥଚ ପୋଖରୀରୁ ମାଟି ମୁଠାଏ ଉଠିପାରିଲା ନାହିଁ। ଏଣେ ପୋଖରୀରେ ମଇଳା ଆବର୍ଜନା‌ ପୋତି ହୋଇ ଚାଲିଥିବା ବେଳେ ପୋଖରୀ ଭିତରେ ମଶାବଣ ହୋଇଗଲାଣି। କେବଳ ସେତିକି ନୁହେଁ, ପୋଖରୀ ପୋତି ହୋଇପଡ଼ୁଥିବା ବେଳେ ତାକୁ ଜବରଦଖଲ କରିବାକୁ ମାଫିଆମାନଙ୍କ ଲୋଲୁପଦୃଷ୍ଟି ପଡ଼ିଲାଣି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅଣଦେଖା କରିବା ଅଭିଯୋଗରେ କିଛି ଦିନ ପୂର୍ବେ ଏକାମ୍ର ଜନଜାଗରଣ ମଞ୍ଚ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିଥିଲା। ତଥାପି ଆଜି ଯାଏଁ କିଛି ହେଲା ନାହିଁ। ଏଣେ ମଶା ଦାଉରେ ଲୋ‌କେ ଅତିଷ୍ଠ ହୋଇପଡ଼ିଲେଣି। ଦିନ ରାତି ସବୁ ସମୟରେ ମଶା କାମୁଡ଼ି ଅସ୍ତବ୍ୟସ୍ତ କରିପକାଉଛନ୍ତି। ସଞ୍ଜ ହେଉହେଉ ଲୋକେ ଘର ବନ୍ଦ କରି ରହୁଛନ୍ତି। ତେଣୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ କୁହୁଳିବାରେ ଲାଗିଛି। ବିଏମ୍‌ସି ତୁରନ୍ତ ଏଥିପ୍ରତି ଦୃଷ୍ଟି ନ ଦେଲେ, ଗଣଆନ୍ଦୋଳନ କରାଯିବ ବୋଲି ମଞ୍ଚର ସଭାପତି ଭୀଷ୍ମନାରାୟଣ ନାୟକ ଓ ବରିଷ୍ଠ ନାଗରିକମାନେ ଚେତାବନୀ ଦେଇଛନ୍ତି।

Share Now:

Kalinga News Beuro

Next Post

କୋଟିଆର ସର୍ବଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀ ମମତା ଜାନୀ

Fri Jan 21 , 2022
କୋରାପୁଟ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ। କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ଓ ନେତାଙ୍କ ଭିଡ ଜମୁଛି। ଏସବୁ ଭିତରେ କୋଟିଆର ଜିଲ୍ଲା ପରିଷଦ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ସର୍ବଦଳୀୟ କମିଟିର ନିଷ୍ପତ୍ତି ଅନୁସାରେ କୋଟିଆର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ମମତା ଜାନୀ। ଆଜି ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ସମୟରେ […]
ପଞ୍ଚାୟତ ନିର୍ବାଚନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial