ସରଗରମ ଭୁବନେଶ୍ୱର ବ୍ଲକ ରାଜନୀତି: ସରିଲା ନାମାଙ୍କନ, ଏଣିକି ପ୍ରଚାର

ସରଗରମ ଭୁବନେଶ୍ୱର ବ୍ଲକ ରାଜନୀତି

ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ ନାମାଙ୍କନ ଦାଖଲ, ସରପଞ୍ଚ ପଦ ଲାଗି ୧୩୬ ପ୍ରାର୍ଥିପତ୍ର

ଭୁବନେଶ୍ୱର : ନାମାଙ୍କନ ଶେଷ ହେଉହେଉ ଜମିଲାଣି ଭୁବନେଶ୍ବର ଉପକଣ୍ଠ ଗାଁ ରାଜନୀତି। ଶେଷ ଦିନରେ ଭୁବନେଶ୍ବର ବ୍ଲକ ଅଧୀନ ବିଭିନ୍ନ ଜିଲ୍ଲା ପରିଷଦ ଜୋନ୍‌, ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ଲାଗି ସର୍ବାଧିକ ନାମାଙ୍କନ ଦାଖଲ ହୋଇଛି। ୱାର୍ଡ ମେମ୍ବର ପଦ ଲାଗି କେବଳ ଆଜି ୧୯୭ ଜଣ ନାମାଙ୍କନ ଭରିଛନ୍ତି। ସରପଞ୍ଚ ପଦବି ପାଇଁ ୫୬, ସମିତି ସଭ୍ୟ ପଦବି ଲାଗି ୨୯ ଓ ଜିଲ୍ଲା ପରିଷଦ ଜୋନ୍‌ ଲାଗି ୯ ଜଣ ନାମାଙ୍କନ ଭରିଛନ୍ତି। ୫ ଦିନର ନାମାଙ୍କନ ହିସାବକୁ ନେଲେ ବିଭିନ୍ନ ରାଜନୈତିକ ଦଳରୁ ମୋଟ ୧୬ ଜଣ ନାମାଙ୍କନ ଭରିଥିବା ବେଳେ ସମିତି ସଭ୍ୟ ଲାଗି ୮୧, ସରପଞ୍ଚ ପଦବି ଲାଗି ୧୩୬ ଓ ୱାର୍ଡ ମେମ୍ବର ଲାଗି ୫୧୩ ଜଣ ନାମାଙ୍କନ ଦାଖଲ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ବର ବ୍ଲକରେ ସବୁଠାରୁ ଅଧିକ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ଜଣାପଡ଼ିଛି। ବିଜେଡିରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହେବା ଆଶା ବାନ୍ଧି ବସିଥିବା କେତେକ ଆଶାୟୀଙ୍କୁ ଶେଷ ମୂହୁର୍ତ୍ତରେ ନିରାଶ ହେବାକୁ ପଡ଼ିଛି। ସେମାନେ ଦଳୀୟ ଟିକେଟ୍‌ ପାଇବାରୁ ବଞ୍ଚିତ ହୋଇଛନ୍ତି। ଭୁବନେଶ୍ବର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅବିନାଶ ପଟ୍ଟନାୟକ ୨୯ ନମ୍ବର ଜୋନ୍‌ ପାଇଁ ବିଜେଡି ପ୍ରାର୍ଥୀ ହେବାକୁ ଆଶା ବାନ୍ଧି ବସିଥିଲେ। ମାତ୍ର ଶେଷ ମୁହୂର୍ତ୍ତରେ ନିରାଶ ହୋଇଛନ୍ତି। ଏହି ଜୋନ୍‌ ପାଇଁ ଦଳ ପକ୍ଷରୁ ସୁବାସ କୁମାର ସୁନ୍ଦରାୟ ପ୍ରାର୍ଥୀ ହୋଇଛନ୍ତି। ଆଜି ଶେଷ ଦିନରେ ବିଜେଡି ପ୍ରାର୍ଥମାନେ ନାମାଙ୍କନ ଭରିଛନ୍ତି। ଭୁବନେଶ୍ବର ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଦେବବ୍ରତ ସାହୁଙ୍କ ନିକଟରେ ଜିଲ୍ଲା ପରିଷଦ ଜୋନ୍‌ ଲାଗି ୩୨ ଜଣ ନାମାଙ୍କନ ଭରିଛନ୍ତି। ମାତ୍ର ଭୁବନେଶ୍ବର ବ୍ଲକରୁ ୯ଟି ନାମାଙ୍କନ ଦାଖଲ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ପରିଷଦ ଜୋନ୍‌-୨୯ ପାଇଁ ବିଜେଡିରୁ ସୁବାସ କୁମାର ସୁନ୍ଦରାୟ, କଂଗ୍ରେସରୁ ପ୍ରସନ୍ନ କୁମାର ଦାଶ, ବିଏସ୍‌ପିରୁ ରଞ୍ଜିତ ସାମଲ, ୨୮ ନମ୍ବର ଜୋନ ପାଇଁ କଂଗ୍ରେସରୁ ଅଜୟ ପରିଡ଼ା, ବିଜେଡିରୁ ପ୍ରଭାତ ପରିଡ଼ା, ୩୦ ନମ୍ବର ଜୋନ ପାଇଁ ବିଜେଡିରୁ ବବିତା ରାଉତ, କଂଗ୍ରେସରୁ ପ୍ରତିମା ମହାନ୍ତି, ବିଏସପିରୁ ଅହଲ୍ୟା ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
କରୋନା କଟକଣା ଭିତରେ ନାମାଙ୍କନ ଦାଖଲ ହୋଇଥିବାରୁ ସମସ୍ତ ପ୍ରାର୍ଥୀ ସୀମିତ ପ୍ରସ୍ତାବକ ଓ ସମର୍ଥକଙ୍କୁ ସାଙ୍ଗରେ ଧରି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କେତେକ ସ୍ଥାନରେ ଟିକେଟ୍‌ ପାଇବାରୁ ବଞ୍ଚିତ ହୋଇଥିବା ନେତାମାନେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ସହ ସାମିଲ ହୋଇଥିଲେ। ନିରାଡମ୍ବର ଭାବେ ପ୍ରାର୍ଥୀପତ୍ର ଦାଖଲ ହୋଇଥିଲେ ମଧ୍ୟ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ପତିଆରା ଦେଖିବାକୁ ମିଳିଥିଲା। ସମର୍ଥିତ ପ୍ରାର୍ଥୀଙ୍କ ସହ ବିଜେଡି, ବିଜେପି ଓ କଂଗ୍ରେସର ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଥିଲା। ବିଜେଡ଼ି ପ୍ରାର୍ଥୀମାନଙ୍କ ନାମାଙ୍କନ ସମୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ମୁନ୍ନା ଖାଁ, ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ବିଜେଡି ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର ସାମିଲ ହୋଇ ପ୍ରାର୍ଥୀଙ୍କୁ ଉତ୍ସାହିତ କରିଥିଲେ। କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ସମୟରେ ବିଧାୟକ ସୁରେଶ କୁମାର ରାଉତରାୟ, ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ, ରଶ୍ମୀ ମହାପାତ୍ର, ମନୋରଞ୍ଜନ ଦାଶ ଭାଗ ନେଇଥିଲେ। ସେହିପରି ବିଜେପିରୁ ବାବୁ ସିଂ, ବିଶ୍ବ ରଞ୍ଜନ ବଡ଼ଜେନା, ମଦନ ମୋହନ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ସେପଟେ ସମିତି ସଭ୍ୟ ପ୍ରାର୍ଥୀମାନେ ଭୁବନେଶ୍ବର ବ୍ଲକ କାର୍ଯ୍ୟାଳୟରେ ନିରାଡମ୍ବର ଭାବେ ନାମାଙ୍କନ ଭରିଛନ୍ତି। ପ୍ରଥମ ଦିନରେ ୪, ଦ୍ବିତୀୟ ଦିନରେ ୬, ତୃତୀୟ ଓ ୪ର୍ଥ ଦିନରେ ୨୧ ଲେଖାଏ ନାମାଙ୍କନ ଦାଖଲ ହୋଇଥିବା ବେଳେ ଆଜି ସର୍ବାଧିକ ୨୯ଟି ହୋଇଛି। ସରପଞ୍ଚ ଓ ୱାର୍ଡ ମେମ୍ବରମାନେ ନିଜ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି। ଦଳୀୟ ସମର୍ଥନ ନ ଥିଲେ ମଧ୍ୟ କେତେକ ପଞ୍ଚାୟତରେ ଗୋଟିଏ ଦଳରୁ ଏକାଧିକ ନେତା ପ୍ରାର୍ଥୀ ହୋଇଛନ୍ତି। ଆଗକୁ ନାମାଙ୍କନ ପ୍ରତ୍ୟାହାର ସୁଯୋଗ ଥିଲେ ମଧ୍ୟ କିଛି ନେତା ନିଜ ଜିଦ୍‌ରେ ଅଟଳ ଅଛନ୍ତି। କୌଣସି ବି ପରିସ୍ଥିତିରେ ନିଷ୍ପତ୍ତିରୁ ଓହରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଯାହାକୁ ନେଇ ଗାଁ ରାଜନୀତି ଏବେ ଉଷ୍ମ ହେବାରେ ଲାଗିଛି।

Share Now:

Kalinga News Beuro

Next Post

କଟକ ସେକ୍ଟର୍‌-୧୩ରେ ଲୁଟେରା ଆତଙ୍କ : ପୁଲିସ ବଦଳରେ ଠେଙ୍ଗାବାଡ଼ି ଧରି ପାଟ୍ରୋଲିଂ କରୁଛନ୍ତି ସାଧାରଣ ଲୋକେ

Sat Jan 22 , 2022
କଟକ: କଟକ ସହରରେ ବି ଏମିତି ଅଞ୍ଚଳ ରହିଛି, ଯେଉଁଠି ସଞ୍ଜ ବୁଡ଼ିଲେ ଅନ୍ଧାର ହୋଇଯାଉଛି। ଗୋଟିଏ ବି ଷ୍ଟ୍ରିଟ୍ ଲାଇଟ୍ ନାହିଁ। ସପ୍ତାହ ଭିତରେ ସିରିଜ୍ ଲୁଟ୍ ପରେ ଲୋକେ ନିଜେ ରାତିରେ ଠେଙ୍ଗାବାଡ଼ି ଧରି ରାତିରେ ପାଟ୍ରୋଲିଂ କରୁଛନ୍ତି। ପୁଲିସ ସେମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ସିଡିଏ ସେକ୍ଟର ୧୩ ବାସିନ୍ଦା। ଗଲା ଏକ ସପ୍ତାହ ହେବ ସ୍ଥାନୀୟ ବାସିନ୍ଦା ଗଳି […]
ସେକ୍ଟର୍‌-୧୩ରେ ଲୁଟେରା ଆତଙ୍କ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial