ପୁରୁଣା ଦରରେ ସେଲ୍‌ଡିଡ୍‌କୁ ଓଏସ୍‌ଏଚ୍‌ବିର ନା : ଆଦେଶ ଅବମାନନା ନେଇ ହାଇକୋର୍ଟ କ୍ଷୁବ୍ଧ

ପୁରୁଣା ଦରରେ ସେଲ୍‌ଡିଡ୍‌କୁ ଓଏସ୍‌ଏଚ୍‌ବିର ନା

ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ବିଧି ଜାରି

ଭୁବନେଶ୍ୱର : ଗ୍ରାହକଙ୍କୁ ସେଲ୍‌ ଡିଡ୍‌ ବା ବିକ୍ରି କବଲା ଦେବାରେ ଅବହେଳା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା (ଓଏସ୍‌ଏଚ୍‌ବି)ର ସଚିବଙ୍କୁ ଅଡ଼ୁଆରେ ପକାଇଛି। ଘର ଆବଣ୍ଟନ ସମୟରେ ଧାର୍ଯ୍ୟ ଦର ଅନୁଯାୟୀ ଗ୍ରାହକଙ୍କୁ ଆସନ୍ତା ୩ ସପ୍ତାହ ମଧ୍ୟରେ ଜମିର ସେଲ୍‌ଡିଡ୍‌ ଦେବା ପାଇଁ ହାଇକୋର୍ଟ ଆଦେଶ ଦେଇଥିଲେ ହେଁ ଓଏସ୍‌ଏଚ୍‌ବିର ଟାଳଟୁଳ ନୀତି ଯୋଗୁଁ ହାଇକୋର୍ଟ କ୍ଷୁବ୍ଧ ହେବା ସହ ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ବିଧି ଜାରି କରିବାକୁ ଆଦେଶ ଦେଇଛନ୍ତି। ଆସନ୍ତା ଫେବ୍ରୁଆରି ୧ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। ସୂଚନାନୁଯାୟୀ, ଆର୍ଯ୍ୟବିହାର, ଉଦୟଗିରି ବିହାର, କଳିଙ୍ଗନଗର, ଅନନ୍ତବିହାର, ପୋଖରୀପୁଟ, ଚନ୍ଦ୍ରଶେଖରପୁର, ପଟିଆ, କପିଳପ୍ରସାଦ, ଆଇଗିଣିଆ, ଜୟଦେବବିହାର ଏବଂ ଡୁମୁଡୁମାରେ ୨୦ବର୍ଷ ହେଲା ସାଧାରଣ ପ୍ରଶାସନର ଜମିରେ ଓଏସ୍‌ଏଚ୍‌ବି ଘର ନିର୍ମାଣ କରି ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେଇଥିଲା। କିନ୍ତୁ ଓଏସ୍‌ଏଚ୍‌ବି ନାମରେ ଏହି ଜମି ସବୁ ପଞ୍ଜୀକରଣ ହୋଇ ନଥିବାରୁ କ୍ରେତାଙ୍କୁ ମାଲିକାନାସ୍ବତ୍ବ ମିଳି ପାରୁ ନଥିଲା। ନିଜ ନାମରେ ଜମି ନଥିବାରୁ ହିତାଧିକାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏନେଇ ଅଭିଯୋଗ ହେବା ପରେ ଶେଷରେ ମୁଖ୍ୟମନ୍ତ୍ରୀ ଏହି ସବୁ ଜାଗା ଉପରେ ଜରିମାନା, ସୁଧ ତଥା ବିଭିନ୍ନ ଦେୟ ବାବଦକୁ ପାଖାପାଖି ୧୦କୋଟି ଟଙ୍କା ଓଏସ୍‌ଏଚ୍‌ବିକୁ ଛାଡ଼ କରି ଦେଇଥିଲେ। ଅର୍ଥାତ୍ ଆବଣ୍ଟନ ସମୟର ଦର ଅନୁସାରେ ଓଏସ୍‌ଏଚ୍‌ବି ଏହି ସବୁ ଜମିର ପଞ୍ଜୀକରଣ କରିଥିଲା। କିନ୍ତୁ କ୍ରେତାଙ୍କ ସହ ନୂଆ ଦର(ବର୍ତ୍ତମାନର ବେଞ୍ଚମାର୍କ ମୂଲ୍ୟ) ଅନୁସାରେ ସେଲ୍‌ଡିଡ୍ କରିବାକୁ ଚାହିଥିଲା। ଏଭଳି ସର୍ତ୍ତ ରଖିଥିଲା ଯେ କ୍ରେତା ଯଦି ଲିଜ୍‌ଡିଡ୍ କରିବେ, ତେବେ ପୁରୁଣା ଦରରେ ଓ ସେଲଡିଡ୍ କଲେ ନୂଆ ଦରରେ କରିବେ। କିନ୍ତୁ ଘର ଆବଣ୍ଟନ ସମୟରେ ଓଏସ୍‌ଏଚ୍‌ବି ଚୁକ୍ତିନାମା କରିଥିଲା ଯେ ଭବିଷ୍ୟତରେ ଯେବେ ବି ଏହି ସବୁ ଜମିର ସେଲ୍‌ଡିଡ୍‌ ଦିଆଯିବ, ତାହା ପୁରୁଣା ଧାର୍ଯ୍ୟ ଦର ଅନୁସା‌‌ରେ ଦିଆଯିବ। କିନ୍ତୁ ଏବେ ଓଏସ୍‌ଏଚ୍‌ବି ସେ ଚୁକ୍ତିନାମାରୁ ଓହରିବାରୁ ବିବାଦ ଦେଖାଦେଇଛି। ଏହା ବିରୋଧରେ ୩୦ରୁ ଊର୍ଦ୍ଧ୍ବ କ୍ରେତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗତବର୍ଷ ନଭେମ୍ବର ୨ ତାରିଖରେ ହାଇକୋର୍ଟ ୩ ସପ୍ତାହ ମଧ୍ୟରେ ପୁରୁଣା ଦରରେ ଲିଜ୍‌ ଡିଡ୍‌ ନୁହେଁ, କେବଳ ସେଲ୍‌ଡିଡ୍‌ ଦେବାକୁ ଆଦେଶ ଦେଇଥିଲେ। ଅର୍ଥାତ୍‌ ୨୦୨୧ ମସିହା ଡିସେମ୍ବର ୧ ତାରିଖ ସୁଦ୍ଧା ଚୁକ୍ତିନାମା ମୁତାବକ ପୁରୁଣା ଦରରେ ଗ୍ରାହକଙ୍କୁ ସେଲ୍‌ଡିଡ୍ ଦେବାକୁ ଓଏସ୍‌ଏଚ୍‌ବିକୁ ଆଦେଶ ଦେଇଥିଲା। ହେଲେ ହାଇକୋର୍ଟଙ୍କ ଧାର୍ଯ୍ୟ ସମୟ ଭିତରେ ସେଲଡିଡ୍‌ ନ ମିଳିବାରୁ ଆବେଦନକାରୀମାନେ ପୁଣିଥରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏଥିରେ ହାଇକୋର୍ଟ ହାଉସିଂବୋର୍ଡ ଉପରେ କ୍ଷୁବ୍ଧ ହେବା ସହ ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ବିଧି ଜାରି କରିବାକୁ ଆଦେଶ ଦେଇଛନ୍ତି।
ଏ ନେଇ ଓଏସ୍‌ଏଚ୍‌ବି ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର କହିଛନ୍ତି, ହାଉସିଂବୋର୍ଡ ପକ୍ଷରୁ ରାଜ୍ୟରେ ୧୯୯୭, ୨୦୦୪ ଓ ୨୦୦୬ରେ ୧୯ହଜାର ୨୧୮ଟି ଘର(ଇଡବ୍ଲୁଏସ୍) ଦିଆଯାଇଛି। ପୁରୁଣା ଦରରେ ହିତାଧିକାରୀ ଲିଜ୍‌ଡିଡ୍ କରିବେ। ସରକାର ୧୭୬୪ହିତାଧିକାରୀଙ୍କ ୧୦ କୋଟି ଛାଡ଼ କରିଛନ୍ତି। କିନ୍ତୁ ପୁରୁଣା ଦରରେ ସେଲଡିଡ୍‌ ପାଇଁ ସରକାରଙ୍କ ନିର୍ଦ୍ଦେଶ ନାହିଁ। ତେବେ ହାଇକୋର୍ଟ କ’ଣ ଆଦେଶ ଦେଇଛନ୍ତି, ତାହା ଉପରେ ଆମେ ବିଚାର କରିବୁ।

Share Now:

Kalinga News Beuro

Next Post

୨ ବର୍ଷ ପରେ ଧରାପଡ଼ିଲା କୁଖ୍ୟାତ ହତ୍ୟାକାରୀ ପପୁ ଚେମି

Mon Jan 24 , 2022
ଭୁବନେଶ୍ବର : ୨ ବର୍ଷ ତଳେ ମଞ୍ଚେଶ୍ବର ଥାନା ରଙ୍ଗମାଟିଆରେ ଘଟିଥିବା ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗତକାଲି ରାତିରେ ପୁଲିସ ଗିରଫ କରିଛି। ଦୀପକ ବେହେରା ଓରଫ୍ ନଣ୍ଡା ହତ୍ୟାକାଣ୍ଡର ଏହି ମୁଖ୍ୟ ଅଭିଯୁକ୍ତ ହେଲା ଅଭିଜିତ୍‌ ଚେମି ଓରଫ୍ ପପୁ(୨୫)। ୨ ବର୍ଷ କାଳ ଲୁଚକାଳି ଖେଳିବା ପରେ ଗତକାଲି ପୁଲିସ ତାକୁ ଗିରଫ କରିବାରେ ସଫଳ ‌ହୋଇଛି। ପୂର୍ବରୁ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୭ […]
୨ ବର୍ଷ ତଳର ନଣ୍ଡା ହତ୍ୟା ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial