ଆଜି ବିଶ୍ବ କର୍କଟ ଦିବସ: ସରକାରଙ୍କ ପାଖେ ନାହିଁ କର୍କଟ ରୋଗୀଙ୍କ ତଥ୍ୟ

ବିଶ୍ବ କର୍କଟ ଦିବସ

ଭୁବନେଶ୍ବର: ରାଜ୍ୟ ସରକାର ଜାଣି ନାହାନ୍ତି କର୍କଟ ରୋଗୀଙ୍କ ସଂଖ୍ୟା। କେଉଁ ଜିଲ୍ଲାରେ କେଉଁ ପ୍ରକାର କର୍କଟ ରୋଗୀ ଅଛନ୍ତି ସେ ସମ୍ପର୍କରେ ମଧ୍ୟ ତଥ୍ୟ ନାହିଁ। ଏଭଳି ସ୍ଥିତିରେ କର୍କଟ ରୋଗ ମୁକାବିଲା କିଭଳି ହେଉଛି ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ୨୦୧୪ ମସିହାରୁ ରାଜ୍ୟରେ ଜନସଂଖ୍ୟା ଆଧାରିତ କର୍କଟ ପଞ୍ଜୀକରଣ (ପପୁଲେସନ ବେସ୍‌ଡ କ୍ୟାନସର ରେଜିଷ୍ଟ୍ରେସନ) କେନ୍ଦ୍ର ପାଇଁ ଆଇସିଏମଆରକୁ ସୁପାରିସ କରିଛି ଏମ୍‌ସ। ମାତ୍ର ଏହାକୁ ଗୁରୁତ୍ବ ଦିଆଯାଉନଥିବାରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପ୍ରତି ବର୍ଷ ଦେଶରେ ୧୪ ଲକ୍ଷ ନୂତନ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିପାଇଁ ୩୯ଟି ଜନସଂଖ୍ୟା ଆଧାରିତ କର୍କଟ ପଞ୍ଜୀକରଣ କେନ୍ଦ୍ର ରହିଛି। ଯାହା ଜରିଆରେ ପ୍ରତି ଘର ବୁଲି କର୍କଟ ରୋଗୀ ସଂଖ୍ୟା ଆକଳନ, କିଏ କେଉଁ ପ୍ରକାର କର୍କଟ ରୋଗରେ ପୀଡ଼ିତ, ଚିକିତ୍ସା ବ୍ୟବସ୍ଥା ସମେତ ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରାଯାଏ। କିଛି ରାଜ୍ୟରେ ଏକାଧିକ କେନ୍ଦ୍ର ରହିଛି। ମାତ୍ର ଓଡ଼ିଶା ଭଳି ରାଜ୍ୟରେ ଗୋଟିଏ ମଧ୍ୟ କେନ୍ଦ୍ର ନ ନଥିବାରୁ ରୋଗୀ ଏବଂ ଚିକିତ୍ସା ସୁବିଧା ମଧ୍ୟରେ ବ୍ୟବଧାନ ବଢ଼ିବାରେ ଲାଗିଥିବା କହିଛନ୍ତି ଏମ୍‌ସ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦିଲ୍ଲୀପ ପରିଡ଼ା। ତାଙ୍କ ମତରେ ରାଜ୍ୟରେ ରୋଗୀ ତୁଳନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର, ପ୍ରଶିକ୍ଷଣପ୍ରାପ୍ତ କର୍କଟ ରୋଗ ବିଶେଷଜ୍ଞ, କର୍କଟ ଡାକ୍ତରଖାନା, ରେଡିଓଥେରାପି ଉପକରଣ, ସର୍ଜିକାଲ ଓଟି, ଆଇସିୟୁ, କେମୋଥେରାପି ଡେ କେୟାର ଦେଖିଲେ ପ୍ରକୃତ ଚିତ୍ର ସ୍ପଷ୍ଟ ହେଉଛି। ନିୟମ ଅନୁଯାୟୀ ୮୦ ହଜାରରୁ ୨ ଲକ୍ଷ ଜନସଂଖ୍ୟା ପାଇଁ ଗୋଟିଏ ଲେଖାଏ ରେଡିଓଥେରାପି ମେସିନ ଆବଶ୍ୟକ। ମାତ୍ର ରାଜ୍ୟରେ ୪ କୋଟି ଜନସଂଖ୍ୟାରେ ୭ଟି ରେଡିଓଥେରାପି ମେସିନ ଆବଶ୍ୟକ। ଏଥିରୁ ୨ରୁ୩ ଟି ପୁରୁଣା ହୋଇଗଲାଣି। ଏଭଳି ସ୍ଥିତିରେ ଏଠାରେ କର୍କଟ ରୋଗ ଚିକିତ୍ସାର ଚିତ୍ର ସ୍ପଷ୍ଟ ଅନୁମେୟ। ଏଥିପାଇଁ ଏମ୍‌ସ ପକ୍ଷରୁ କର୍କଟ ପଞ୍ଜୀକରଣ କେନ୍ଦ୍ର ପାଇଁ ଅନୁରୋଧ କରାଯାଇଛି।
ରାଜ୍ୟରେ କର୍କଟ ରୋଗ ଡାକ୍ତରଖାନା କହିଲେ କେବଳ ଏମ୍‌ସ ଏବଂ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ବୁଝାଏ। ଯେଉଁଠି ସର୍ବାଧିକ ସଂଖ୍ୟକ କର୍କଟ ରୋଗୀ ଆସିଥାଆନ୍ତି। କିନ୍ତୁ ଏହାବାଦ ମଧ୍ୟ ଆହୁରି ଅନେକ ରୋଗୀ ଅଛନ୍ତି ଯେଉଁମାନେ ବିଭିନ୍ନ କାରଣରୁ ଏଠାରେ କର୍କଟ ରୋଗ ଚିକିତ୍ସା କରୁନାହାନ୍ତି। ବାହାରକୁ ଯାଇ ଚିକିତ୍ସା କରୁଛନ୍ତି। ଏଥିସହିତ ବାହାରୁ ମଧ୍ୟ ଅନେକ ରୋଗୀ ଏଠାକୁ ଆସୁଛନ୍ତି। ଏଥିମଧ୍ୟରୁ କିଛି କର୍କଟ ରୋଗ ପ୍ରିଭେଣ୍ଟେବଲ ତ ଆଉ କିଛି କ୍ୟୁରେବଲ କର୍କଟ। ତମାଖୁ ସେବନ ବନ୍ଦ କରି ଦେଲେ ପ୍ରାୟ ୫୦ରୁ ୬୦ ପ୍ରତିଶତ କର୍କଟ ନିୟନ୍ତ୍ରିତ ହୋଇ ପାରିବ। ହେପାଟାଇଟିସ୍‌ ବା ଲିଭର ସମ୍ପର୍କିତ କିଛି କର୍କଟର ଭାକ୍ସିନ ଦ୍ବାରା ମୁକାବିଲା କରାଯାଇ ପାରିବ। ମୁଖ ଗହ୍ବର କର୍କଟ, ସ୍ତନ କର୍କଟ, ପାକସ୍ଥଳୀ ଭଳି କିଛି କର୍କଟ ରୋଗ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହେଲେ ଚିକିତ୍ସା ସମ୍ଭବ। ରୋଗୀ ମଧ୍ୟ ସୁସ୍ଥ ହୁଏ। ଗ୍ୟାଷ୍ଟ୍ରୋ ରୋଗ ବିଶେଷଜ୍ଞ ଡ. ଆଶୁତୋଷ ମହାପାତ୍ର କହିଛନ୍ତି, ଏସିଡିଟି ଥିଲେ, ଭୋକ ନଲାଗିବା, ଓଜନ ହ୍ରାସ ପାଇବା, ମଦ୍ୟପାନ କିମ୍ବା ଧୂମପାନ କରୁଥିଲେ, ପରିବାରର କେହି ଏହି ରୋଗରେ ପୀଡ଼ିତ ଥିଲେ ୪୫ ବର୍ଷରୁ ଉର୍ଦ୍ଧ୍ବ ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ଭାବରେ କର୍କଟ ସ୍କ୍ରିନିଂ କରାଇନେବା ଉଚିତ। ବାସି ଖାଦ୍ୟ ଖାଇଲେ, ଅଧିକ ଲୁଣ ପଡ଼ିଥିବା, ବଂଶାନୁଗତିକ ବ୍ୟକ୍ତିଙ୍କ ଠାରେ ଗ୍ୟାଷ୍ଟ୍ରିକ କ୍ୟାନସ୍‌ର ଦେଖାଯାଏ। ଏଥିପ୍ରତି ସତର୍କ ରହିବାକୁ ପଡ଼ିବ। କର୍କଟ ରୋଗ ରାତାରାତି ହୁଏ ନାହିଁ ଏଥିପାଇଁ ୫ରୁ ୧୦ ବର୍ଷ ଲାଗିଯାଏ। ଯେତେବେଳେ ରୋଗୀ ଜାଣିପାରେ ସେତେବେଳକୁ ଚିକିତ୍ସା କହିଲେ କଷ୍ଟଦାୟକ ଅସ୍ତ୍ରୋପଚାର, ରେଡିଓଥେରାପି କିମ୍ବା କେମୋଥେରାପି ଚିକିତ୍ସା କରାଯାଇପାରେ। କର୍କଟ ରୋଗର ପ୍ରଥମ ପର୍ଯ୍ୟାୟ କିମ୍ବା ପୂର୍ବରୁ ଚିହ୍ନଟ ହୋଇଗଲେ କଷ୍ଟ ଦାୟକ ଚିକିତ୍ସା ପ୍ରକ୍ରିୟାରୁ ରୋଗୀ ବର୍ତ୍ତିଯାଇ ପାରିବ। ବର୍ତ୍ତମାନ ରାଜ୍ୟରେ ପାକସ୍ଥଳୀ, ଖାଦ୍ୟନଳି, ମହିଳା ଓ ଶିଶୁଙ୍କ ମଧ୍ୟରେ ରକ୍ତ କର୍କଟ ଏବଂ ବୋନମ୍ୟାରୋ କର୍କଟ ବୃଦ୍ଧି ପାଇବାରେ ଲାଗିଛି। ସବୁଠାରୁ ଦୁର୍ଭାଗ୍ୟଜନକ ହେଲା, ପ୍ରାୟ ୫ରୁ ୧୦ ପ୍ରତିଶତ ଶିଶୁ ରୋଗୀଙ୍କ ଠାରେ କର୍କଟ ଚିହ୍ନଟ ହେବା ଆରମ୍ଭ କଲାଣି। କୋଭିଡ୍‌ ସମୟରେ କର୍କଟ ରୋଗୀ ଦୁର୍ଦ୍ଦଶା ଭୋଗିଥିଲେ। ପ୍ରଥମ ଲହରରେ କୋଭିଡ୍‌ କଟକଣା ବେଳେ କେମୋଥେରାପି, ରେଡିଓଥେରାପି ବନ୍ଦ ହୋଇଯାଇଥିଲା। ଏଥିଯୋଗୁଁ ଅନେକ କର୍କଟ ରୋଗୀଙ୍କର ଅସମୟରେ ମୃତ୍ୟୁ ହୋଇଥିଲା। ଏଥିପାଇଁ ଦ୍ବିତୀୟ ଲହରରେ ଏମ୍‌ସ ଭଳି ଡାକ୍ତରଖାନାରେ ଓପିଡି ବନ୍ଦ ବେଳେ ରେଡିଓଥେରାପି ଏବଂ କେମୋଥେରାପିକୁ ଅତ୍ୟାବଶକୀୟ ଚିକିତ୍ସା ଭାବରେ ବନ୍ଦରୁ ବାଦ ଦିଆଯାଇଥିଲା। ଏହା ସତ୍ତ୍ବେ ମଧ୍ୟ କର୍କଟ ରୋଗ ଚିକିତ୍ସା ବାଧାପ୍ରାପ୍ତ ହେଉଛି। କର୍କଟ ରୋଗୀ କୋଭିଡ୍‌ ଚିହ୍ନଟ ହେବାପରେ ସେମାନଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଉଛି। ରୋଗ ଏବଂ ରୋଗୀ ସେବା ବ୍ୟବଧାନ ହ୍ରାସ ହିଁ ଚଳିତ ବର୍ଷ କର୍କଟ ଦିବସର ବିଷୟ ବସ୍ତୁ ରହିଛି। ରୋଗୀଙ୍କ ସଂଖ୍ୟା ଜଣାପଡ଼ିଲେହିଁ ରୋଗ ଓ ରୋଗୀ ସେବା ମଧ୍ୟରେ ବ୍ୟବଧାନ ହ୍ରାସ ପାଇବ।

Share Now:

Kalinga News Beuro

Next Post

କୋଟିଆରେ ଆନ୍ଧ୍ରର ପୁଣି ଅନୁପ୍ରବେଶ: ତଳଗଞ୍ଜେଇପଦରରେ ବାଣ୍ଟିଲା ଜମି ପଟ୍ଟା

Sat Feb 5 , 2022
ପଟ୍ଟାଙ୍ଗି: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭଣ୍ଡୁର କରିବାକୁ ଆନ୍ଧ୍ର ପକ୍ଷରୁ ଷଡ଼ଯନ୍ତ୍ର ଆରମ୍ଭ ‌ହୋଇଛି। ଆନ୍ଧ୍ର ପ୍ରଦେଶ ପକ୍ଷରୁ କୋଟିଆ ପଞ୍ଚାୟତରେ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।କୋଟିଆର ଗଞ୍ଜେଇପଦର ଠାରେ ଆନ୍ଧ୍ର ଏଜେଣ୍ଟ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ କରି ଗ୍ରାମବାସୀଙ୍କୁ ପଟ୍ଟା ବଣ୍ଟନ କରି ଫେରିଥିବା ଜଣାପଡିଛି।ଆଗାମୀ ଦିନରେ କୋଟିଆରେ ୫୦୦ରୁ ଊର୍ଦ୍ଧ୍ବ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ଲକ୍ଷରଖିଛି ଆନ୍ଧ୍ର। କିଛି ଦିନର […]
ପୁଣି କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial