ପୋଖରୀ ପାଲଟିଛି ନର୍ଦ୍ଦମା କୁଣ୍ଡ : ଆବର୍ଜନାରେ ବୁଡ଼ିଗଲା ୨୦ ଲକ୍ଷ

ପୋଖରୀ ପାଲଟିଛି ନର୍ଦ୍ଦମା କୁଣ୍ଡ

ଭୁବନେଶ୍ବର : ପାଖାପାଖି ୨୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ପୋଖରୀର ପୁନରୁଦ୍ଧାର କରାଗଲା। ବର୍ଷ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ପୋଖରୀର ଚେହେରା ବଦଳିଗଲା। କିନ୍ତୁ ବେଶି ଦିନ ରହିଲା ନାହିଁ ପୋଖରୀର ନୂଆ ରଙ୍ଗ ଓ ରୂପ। ମାତ୍ର ୫ ବର୍ଷ ଭିତରେ ପୋଖରୀ ପୁଣି ନର୍ଦ୍ଦମା କୁଣ୍ଡରେ ପରିଣତ ହୋଇଗଲା। ସ୍ଥାନୀୟ ଲୋକେ ଘରର ଆବର୍ଜନା ପକାଇବାରୁ ପୋଖରୀର ଅବସ୍ଥା ବଡ଼ କଦର୍ଯ୍ୟ ହୋଇଗଲା। ସ୍ଥାନୀୟ ଲୋକଙ୍କ ଏଭଳି କଦର୍ଯ୍ୟ କାର୍ଯ୍ୟକୁ ରୋକିବାକୁ ବିଏମ୍‌ସି ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କଲା ନାହିଁ। ତେଣୁ ୨୦ ଲକ୍ଷ ଟଙ୍କା ବରବାଦ୍ ହୋଇଗଲା ବୋଲି କୁହାଯାଉଛି। ଏହା ହେଉଛି ବିଏମ୍‌ସି ୫ ନମ୍ବର ୱାର୍ଡ ଚକେଇସିହାଣି ପୋଖରୀ କଥା। ସୂଚନାଯୋଗ୍ୟ, ୨୦୧୭ ମସିହା ‘ସ୍ବାୟତ୍ତ ଶାସନ ଦିବସ’ ଅବସରରେ ଚକେଇସିହାଣି ମା’ ଓଗାଳମଣି ପୋଖରୀର ଶୁଭ ଉଦ୍‌ଘାଟନ କରାଯାଇଥିଲା। ୧୯ ଲକ୍ଷ ୪ ହଜାର ଟଙ୍କା ଖର୍ଚ୍ଚ ହୋଇ ଏହି ଓଗାଳମଣି ପୋଖରୀର ପୁନରୁଦ୍ଧାର କରାଯାଇଥିଲା। ଏକ ହଜାର ଫୁଟ୍‌ ପରିଧି ବିଶିଷ୍ଟ ଏହି ପୋଖରୀର ପାଣିକୁ ଶୋଧନ କରାଯାଇଥିଲା। ପୋଖରୀ ଚାରିକଡ଼ରେ ସିମେଣ୍ଟ କଂକ୍ରିଟ୍‌ ବାଡ଼ ତିଆରି ହେଲା। ଚାରିପଟେ ଘେରାବାଡ଼ ଲାଗିଲା, ବସିବା ପାଇଁ ସିମେଣ୍ଟ ଚେୟାର ତିଆରି ହେଲା। ପାଦ ଚଲା ରାସ୍ତାରେ ଟାଇଲ୍‌ ପଡ଼ିଲା। ସୁନ୍ଦର ଗାଧୁଆ ତୁଠ ପୋଖରୀର ସୌନ୍ଦର୍ଯ୍ୟ ବଢ଼ାଇଲା। ପୋଖରୀ ହୁଡ଼ା ପାର୍କ ଭଳି ଦେଖାଗଲା। ବେଶ୍ କିଛି ଦିନ ଯାଏଁ ସ୍ଥାନୀୟ ଲୋକେ ପୋଖରୀ‌ ହୁଡ଼ା‌ରେ ବୁଲାବୁଲି କଲେ। ଅପରାହ୍‌ଣରୁ ସଂଜ ଯାଏଁ ସିମେଣ୍ଟ ଚଉକିରେ ବସି ଖୁସି ଗପ କଲେ। ଖରାଦିନେ ପୋଖରୀ ହୁଡ଼ାରେ ବସି ଲୋକମାନେ ଦକ୍ଷିଣା ପବନର ମଜା ଉଠାଇଲେ।
କିନ୍ତୁ ମାତ୍ର ବର୍ଷକ ପରେ ସବୁ ଚିତ୍ର ବଦଳିଗଲା। ବୁଲା କୁକୁର ଓ ଗାଈଗୋରୁ ହୁଡ଼ାକୁ ଅପରିଷ୍କାର କଲେ। ପୋଖରୀର ରକ୍ଷଣାବେକ୍ଷଣ କରାଗଲା ନାହିଁ। ଲୋକେ ଗାଧୁଆପାଧୁଆ କଲେ ନାହିଁ। ବଡ଼ କଥା ହେଉଛି, ସ୍ଥାନୀୟ ଲୋକେ ଘରୁ ଆବର୍ଜନା ଆଣି ପୋଖରୀରେ ପକାଇଲେ। ଫଳରେ ପାଣି ନଷ୍ଟ ହୋଇଗଲା। ତେଣୁ ମା’ ଓଗାଳମଣିଙ୍କ ପୂଜାରେ ମଧ୍ୟ ଏହି ପୋଖରୀ ଜଳ ବ୍ୟବହାର ଉପଯୋଗୀ ହୋଇରହିଲା ନାହିଁ। ସ୍ଥାନୀୟ ବାସିନ୍ଦା ନିବେଦିତା ମହାନ୍ତିଙ୍କ କହିବାନୁସାରେ, କିଛି ଅସାମାଜିକ ଲୋକ ନିଜ ଘରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ପୋଖରୀ ଭିତରକୁ ଫୋପାଡ଼ି ଦେଉଛନ୍ତି। ଫଳରେ ଯେତେ ସଫା କଲେ ମଧ୍ୟ ପାଣି ଦୂଷିତ ହୋଇଯାଉଛି। ସେହିଭଳି ଅଶ୍ବନୀ କୁମାର ସାହୁ କହିଛନ୍ତି, ପୋଖରୀରର ଏଭଳି କଦର୍ଯ୍ୟ ଅବସ୍ଥା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ମଶା ବଢ଼ୁଛନ୍ତି। ଏନେଇ ବିଏମ୍‌ସି ଡ଼େୁପଟି କମିସନର୍‌ (ଉତ୍ତର ଜୋନ୍‌) ପୁରନ୍ଦର ନନ୍ଦଙ୍କ ସହ ଯୋଗଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା।

Share Now:

Kalinga News Beuro

Next Post

ଅନ୍ତିମ ଯାତ୍ରାରେ ସ୍ବର ସମ୍ରାଜ୍ଞୀ : ଶେଷକୃତ୍ୟରେ ସାମିଲ ହେଲେ ବିଶିଷ୍ଟ ନେତା-ଅଭିନେତା

Sun Feb 6 , 2022
ମୁମ୍ବାଇ: ଅନ୍ତିମ ଯାତ୍ରାରେ ସ୍ବର ସମ୍ରାଜ୍ଞୀ। ଏବେ କେବଳ ସ୍ମୃତିରେ ରହିବେ କୋକିଳକଣ୍ଠୀ ଲତା ମଙ୍ଗେସକର। ନିଜ ପରିବାର ଓ ପ୍ରଶଂସକଙ୍କୁ ପଛରେ ଛାଡ଼ି ଏବେ ଅନ୍ତିମ ବିଦାୟ ନେବାକୁ ଯାଉଛନ୍ତି ସମସ୍ତଙ୍କର ପ୍ରିୟ ଲତା ଦିଦି। ତାଙ୍କର ଅନ୍ତିମ ସଂସ୍କାର ପାଇଁ ଏବେ ତାଙ୍କୁ ଶିବାଜୀ ପାର୍କ ଗ୍ରାଉଣ୍ଡକୁ ନିଆଯାଉଛି। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲତାଙ୍କ […]
ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial