ନୋ ପାର୍କିଂ ଜୋନ୍‌ରେ ପାର୍କିଂ: ବିନା ରସିଦ୍‌ରେ ଫି’ ଆଦାୟ

ନୋ ପାର୍କିଂ ଜୋନ୍‌ରେ ପାର୍କିଂ

ବିଏମ୍‌ସି ଓ ପୁଲିସ ନିୟମକୁ ପାର୍କିଂ ଠିକାସଂସ୍ଥାର ଫୁ’

ଭୁବନେଶ୍ବର: ରାଜଧାନୀରେ ଟ୍ରାଫିକ୍ ପରିଚାଳନା ଓ ପାର୍କିଂ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ଯେତେ ପଦକ୍ଷେପ ନିଆଗଲେ ବି ଫଳ ଶୂନ। ବିଶେଷକରି ପାର୍କିଂ ବ୍ୟବସ୍ଥା‌ରେ କିଛି ବି ସୁଧାର ଆସିବା‌ ପରିଲକ୍ଷିତ ହେଉନାହିଁ। ଏବେ ପାର୍କିଂ ଠିକାସଂସ୍ଥାମାନେ ବିଏମ୍‌ସି ଓ କମିସନରେଟ୍‌ ପୁଲିସର ପାର୍କିଂ ନିୟମକୁ ଫୁ’ କରି ଉଡ଼ାଇ ଦେଉଥିବା ଦେଖିବାକୁ ମିଳୁଛି। ନୋ ପାର୍କିଂ ଜୋନ୍‌ରେ ପାର୍କିଂ କରାଇ ବିନା ରସିଦ୍‌ରେ ଫି’ ଆଦାୟ କରୁଛନ୍ତି। ଯେଉଁଠି କେବଳ ୪ ଚକିଆ ଯାନ ରହିବା କଥା ଓ ୨ଚକିଆ ଯାନ ରଖିବାକୁ ନିଷେଧ କରାଯାଇଛି, ସେଇଠି ପାର୍କିଂ ଠିକା ସଂସ୍ଥା ୨ ଚକିଆ ଯାନ ରଖିବାକୁ ସୁଯୋଗ ଦେଇ ବିନା ରସିଦ୍‌ରେ ଫି’ ଆଦାୟ କରୁଛନ୍ତି। ଦିନ ଦିପହରରେ ସେମାନେ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ବେଆଇନ କାମ କରୁଥିଲେ ବି ବିଭାଗୀୟ ଅଧିକାରୀମାନେ ନିରବ ରହୁଛନ୍ତି। ୟୁନିଟ୍-୧ସ୍ଥିତ ମାର୍କେଟ୍‌ ପାଖରେ ରାସ୍ତା କଡ଼ରେ କେବଳ ୪ଚକିଆ ଗାଡ଼ି ପାର୍କିଂ କରିବା ପାଇଁ ନିୟମ କରାଯାଇଛି। ରାଜମହଲ ଛକ ଓଭରବ୍ରିଜ୍‌ଠାରୁ ଏଜି ଛକ ଯାଏ ଥିବା ପାର୍କିଂ ସ୍ଥାନକୁ କେବଳ କାର୍ ପାର୍କିଂ ସ୍ଥାନ ଭାବେ ବିଏମ୍‌ସି ଚୟନ କରିଛି। ଏଠାରେ ୨ଚକିଆ ଯାନ ନରଖିବା ପାଇଁ ସାଇନ୍‌ ବୋର୍ଡ ଲଗାଯାଇଛି। କିନ୍ତୁ ସେଠାରେ ପାର୍କିଂ ଠିକା ନେଇଥିବା ସଂସ୍ଥା ବାଇକ୍‌ ଓ ସ୍କୁଟି ପାର୍କିଂ କରାଉଛନ୍ତି। ବେଆଇନ ଭାବେ ଏହି କାମ କରାଉଥିଲେ ବି କେହି କହିବାକୁ ନାହିଁ। ବଡ଼ କଥା ହେଉଛି, ବାଇକ୍‌ ପାର୍କିଂ ପାଇଁ ବିଏମ୍‌ସି ୫ ଟଙ୍କା ଫି’ ଧାର୍ଯ୍ୟ କରିଥିବା ବେଳେ ଏଠାରେ ବେଆଇନ ପାର୍କିଂ ପାଇଁ ଲୋକଙ୍କଠାରୁ ୧୦ଟଙ୍କା ଫି’ ଆଦାୟ କରାଯାଉଛି। ପୁଣି ବିନା ରସିଦ୍‌ରେ ଏହି ଫି’ ଆଦାୟ ହେଉଛି। ନିୟମ ନଥିବା ଆଳରେ ଠିକା ସଂସ୍ଥାର କର୍ମଚାରୀ ଲୋକଙ୍କଠାରୁ ୧୦ ଟଙ୍କା ଆଦାୟ କରୁଛନ୍ତି। ଲୋକେ ବି ବିନା ପ୍ରତିବାଦରେ ଏହି ବେଆଇନ କାମକୁ ପ୍ରଶ୍ରୟ ଦେଉଛନ୍ତି। ନିଜ ସୁବିଧା ପାଇଁ ଲୋକେ ଠିକା ସଂସ୍ଥାର ବେଆଇନ କାମକୁ ପଇସା ଦେଇ ସମର୍ଥନ କରୁଛନ୍ତି। ଫଳରେ କାର୍‌ ବା ଅନ୍ୟ ୪ ଚକିଆ ଗାଡ଼ି ରଖିବାକୁ ସ୍ଥାନାଭାବ ହେଉଛି।
ସେହି ଗାଡ଼ିଗୁଡ଼ିକ ରାସ୍ତା ଉପରକୁ ମାଡ଼ି ପାର୍କିଂ ହେଉଛି। ଫଳରେ ରାସ୍ତା ଜାମ୍‌ ଏଠାରେ ଏକ ସାଧାରଣ ଘଟଣା ହୋଇଛି। ସମସ୍ତେ ସବୁ ଦେଖୁଛନ୍ତି କିନ୍ତୁ କେହି କହିବାକୁ ନାହିଁ। ବିଏମ୍‌ସି ଓ ପୁଲିସ ଅଧିକାରୀମାନେ ସବୁ ଦେଖୁଥିଲେ ବି ଆଖି ବୁଜି ଦେଉଛନ୍ତି। ଏମିତିକି ନିକଟରେ କ୍ୟାପିଟାଲ ଥାନା ଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ। ତେବେ ମଝିରେ ମଝିରେ ପୁଲିସ ଆସି ଲୋକଦେଖାଣିଆ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବେଆଇନ ପାର୍କିଂସ୍ଥଳରୁ ଗାଡ଼ି ଉଠାଇ ନେଉଛି ଓ ଗାଡ଼ି ମାଲିକଙ୍କଠାରୁ ଜରିମାନା ଆଦାୟ କରୁଛି। ଅଥଚ ଏହି ବେଆଇନ କାମ କରୁଥିବା ଠିକା ସଂସ୍ଥା ବିରୋଧରେ କିଛି କରାଯାଉନାହିଁ। ଆକଳନ କରାଯାଇଛି ଯେ ଏଠାରେ ଦିନକୁ ପ୍ରାୟ ୨ଶହରୁ ଅଧିକ ୨ ଚକିଆ ଗାଡ଼ି ପାର୍କିଂ କରାଯାଉଛି ଓ ଠିକା ସଂସ୍ଥା ମାଲେମାଲ୍ ହେଉଛି। ଏ ବାବଦରେ ବିଏମ୍‌ସିର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ଯେ ଏଠାରେ ୨ଚକିଆ ଗାଡ଼ି ପାର୍କିଂ କରିବା ପାଇଁ ବାରଣ କରାଯାଇଛି। ତେଣୁ ସେଥିପାଇଁ ଟେଣ୍ଡର ଦିଆଯାଇନାହିଁ। ଯଦି ଏପରି ହେଉଥିବ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଟ୍ରାଫିକ୍‌ ଅତିରିକ୍ତ ଡିସିପି କିଶୋର କୁମାର ପାଣିଗ୍ରାହୀ କହିଛନ୍ତି ଯେ ଏ ବାବଦରେ ଟ୍ରାଫିକ୍ ଡିସିପିଙ୍କୁ ଜଣାଇ ବିଏମ୍‌ସିକୁ ଚିଠି ଲେଖାଯିବ ଓ ବେଆଇନ ପାର୍କିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share Now:

Kalinga News Beuro

Next Post

ଖଣ୍ଡଗିରି ଯାତ୍ରା ପାଇଁ ଆସିଲା ବିଏମ୍‌ସିର ଗାଇଡଲାଇନ

Sun Feb 6 , 2022
ବିଧିରେ ହେବ ମେଳା, ଯାତ୍ରା, ଦୋକାନ ବଜାର ବନ୍ଦ, ୨ ବର୍ଷରେ ୮ କୋଟି କ୍ଷତି ଖଣ୍ଡଗିରି : ମାସ ମାସ ଧରି ରିହର୍ସାଲ ପରେ ଖଣ୍ଡଗିରି ପଡ଼ିଆରେ ହୋଇଥାଏ ପରୀକ୍ଷା। କେଉଁ ଯାତ୍ରା ପାର୍ଟି କେଉଁ ନୂଆ ନାଟକ ନେଇ ଆସିଲେ, କେମିତି ପ୍ରଦର୍ଶନ କରୁଛନ୍ତି; ତାକୁ ନେଇ ସବୁଠି ଚର୍ଚ୍ଚା, ଆଲୋଚନା ଚାଲେ। ରାଜଧାନୀ ଛାତି ଉପରେ ଯାତ୍ରା ପାର୍ଟିମାନେ ସେମାନଙ୍କର ସଫଳତାର ସାର୍ଟିଫିକେଟ୍‌ ନେଇ ଅବଶିଷ୍ଟ […]
ଖଣ୍ଡଗିରି ଯାତ୍ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial