ଖଣ୍ଡଗିରି ଯାତ୍ରା ପାଇଁ ଆସିଲା ବିଏମ୍‌ସିର ଗାଇଡଲାଇନ

ଖଣ୍ଡଗିରି ଯାତ୍ରା

ବିଧିରେ ହେବ ମେଳା, ଯାତ୍ରା, ଦୋକାନ ବଜାର ବନ୍ଦ, ୨ ବର୍ଷରେ ୮ କୋଟି କ୍ଷତି

ଖଣ୍ଡଗିରି : ମାସ ମାସ ଧରି ରିହର୍ସାଲ ପରେ ଖଣ୍ଡଗିରି ପଡ଼ିଆରେ ହୋଇଥାଏ ପରୀକ୍ଷା। କେଉଁ ଯାତ୍ରା ପାର୍ଟି କେଉଁ ନୂଆ ନାଟକ ନେଇ ଆସିଲେ, କେମିତି ପ୍ରଦର୍ଶନ କରୁଛନ୍ତି; ତାକୁ ନେଇ ସବୁଠି ଚର୍ଚ୍ଚା, ଆଲୋଚନା ଚାଲେ। ରାଜଧାନୀ ଛାତି ଉପରେ ଯାତ୍ରା ପାର୍ଟିମାନେ ସେମାନଙ୍କର ସଫଳତାର ସାର୍ଟିଫିକେଟ୍‌ ନେଇ ଅବଶିଷ୍ଟ ସମୟ ରାଜୁତି କରନ୍ତି। ଜଲିଉଡ୍‌ର ଏହି ଖବର ଯାତ୍ରା ସମୀକ୍ଷକମାନେ ରିପୋର୍ଟ କରିବା ପରେ ଅବଶିଷ୍ଟ ଓଡ଼ିଶାରୁ ଯାତ୍ରା ପାର୍ଟିମାନଙ୍କୁ କଲ୍ ଆସିଥାଏ। କହିବାକୁ ଗଲେ, ଖଣ୍ଡଗିରି ଯାତ୍ରା ମହାସମରରେ ଶ୍ରେଷ୍ଠ ତଥା ସଫଳ ପ୍ରଦର୍ଶନ କରିଥିବା ଯାତ୍ରା ପାର୍ଟି ସେବର୍ଷ ଆଉ ପଛକୁ ଫେରି ଚାହାନ୍ତି ନାହିଁ। ଏ ଦୃଷ୍ଟିରୁ ଯାତ୍ରା ପାର୍ଟି ମାଲିକଙ୍କ ପାଇଁ ଖଣ୍ଡଗିରି ଯାତ୍ରାର ଗୁରୁତ୍ବ ସବୁଠୁ ଅଧିକ। ହେଲେ କରୋନା ଏବେ ଏହି ଯାତ୍ରାଜଗତକୁ ବିପର୍ଯ୍ୟୟ ଭିତରକୁ ଠେଲି ଦେଇଛି। ଗତବର୍ଷ ଖଣ୍ଡଗିରିରେ ଯାତ୍ରା ଉପରେ କଟକଣା ଲାଗିଥିଲା। ଏବର୍ଷ ବିିଏମ୍‌ସି ଖଣ୍ଡଗିରି ମେଳା ଅବସରରେ ଯାତ୍ରା ଓ ଦୋକାନ ବଜାର ହୋଇପାରିବ ନାହିଁ ବୋଲି ବିଜ୍ଞପ୍ତି ଜାରି କରିଛି। ଏକ ବେସରକାରୀ ହିସାବକୁ ବିଶ୍ବାସକୁ ନେଲେ, କୁମ୍ଭମେଳା ସମୟରେ ଖାଲି ଖଣ୍ଡଗିରି ଯାତ୍ରାରୁ ପାଖାପାଖି ୪ କୋଟିରୁ ଅଧିକ ବେପାର ହୋଇଥାଏ। ତେଣୁ ସରକାରଙ୍କ ଏହି ନିଷ୍ପତ୍ତି ଏବେ ଯାତ୍ରା ମାଲିକଙ୍କର ୪ କୋଟିରୁ ଅଧିକ ଟଙ୍କା ପାଣିକୁ ଠେଲି ଦେଇଛି। ତେଣୁ ୨ବର୍ଷରେ ଯାତ୍ରାପାଟିଗୁଡ଼ିକ ପାଖାପାଖି ୮ କୋଟି ଟଙ୍କା ହରାଇଲେଣି। କିଛି ଯାତ୍ରାପାର୍ଟି ମାଲିକଙ୍କ କହିବା କଥା, ପୂରା ବର୍ଷ ଉପରେ ଖଣ୍ଡଗିରି ଯାତ୍ରାର ପ୍ରଭାବ ଥିବାରୁ ବର୍ଷର ଅନ୍ୟ ସମୟର କ୍ଷତି ହିସାବ କରାଯାଇପାରିବ ନାହିଁ। ଏହାର ପରିମାଣ ବହୁଗୁଣ ହୋଇପାରେ। ଖଣ୍ଡଗିରି ଯାତ୍ରାରେ ଯାତ୍ରା ଜଗତର କଳାକାରମାନେ ନିଜର ଶ୍ରେଷ୍ଠ ଅଭିନୟର ପରାକାଷ୍ଠା ଦେଖାଇଥାନ୍ତି। ମେଳା ପାଇଁ ୫ଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହୋଇଥାଏ। ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ, ସନାତନ ସେବା ସଂସ୍ଥା, ଇନ୍ଦିରା ସାଂସ୍କୃତିକ ପରିଷଦ, ମା’ ମଙ୍ଗଳା ସାଂସ୍କୃତିକ ପରିଷଦ ଓ ମା’ ବାରଭୁଜା ସାଂସ୍କୃତିକ ପରିଷଦ ଯାତ୍ରା ପରିଚାଳନା କରନ୍ତି। ପ୍ରତି ଯାତ୍ରା ପାର୍ଟିରେ ୨୦୦ ବ୍ୟକ୍ତି କାମ କରୁଥିବା ବେଳେ ୧୨ଦିନ କାଳ ୧୨ରୁ ୧୫ ଯାତ୍ରା ପାର୍ଟି ନିଜର ପ୍ରତିଭା ପ୍ରଦର୍ଶନ କରନ୍ତି। ରାତି ପିଛା ଯାତ୍ରା ପାର୍ଟି ୨ ଲକ୍ଷ ଟଙ୍କା ହିସାବରେ ପ୍ରତି ପାର୍ଟି ୩ରୁ ୫ଦିନ ଯାତ୍ରା ପରିବେଷଣ କରନ୍ତି। କେବଳ ଖଣ୍ଡଗିରି ଯାତ୍ରାରୁ ପାର୍ଟି ମାଲିକ ୪କୋଟି ଟଙ୍କାର ବ୍ୟବସାୟ ହୋଇଥାଏ। କେବଳ ଯାତ୍ରା ପାର୍ଟି କିମ୍ବା କମିଟି ନୁହେଁ, ଆଖପାଖରେ ଥିବା ହୋଟେଲ, ଗେଷ୍ଟ୍ ହାଉସ ସମେତ ୨୦୦ରୁ ଅଧିକ ଉଠାଦୋକାନୀ ମଧ୍ୟ ରୋଜଗାର ପାଆନ୍ତି। ପ୍ରତ୍ୟକ୍ଷ ଭାବେ ୨ହଜାରରୁ ୨୫୦୦ ସହ ବ୍ୟକ୍ତି ରୋଜଗାର ପଆନ୍ତି। ଏହାବ୍ୟତୀତ ଯାତ୍ରା ଦେଖା ସହିତ ମେଳାର ବି ଲାଭ ଉଠାଇଥାନ୍ତି ଲୋକେ। ଖଣ୍ଡଗିରି ମେଳାରେ ବାହାଘର ପାଇଁ ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ଅନେକ ଜିନିଷର ବ୍ୟବସାୟ ହୋଇଥାଏ। ବିଶେଷକରି ମେଳା ସମୟରେ ପଥର ଶିଳ, ଚକି ଓ ଅନ୍ୟ ସାମଗ୍ରୀର ଭଲ ବ୍ୟବସାୟ ହୋଇଥାଏ। ପ୍ରତି ଛୋଟ ବଡ଼ ଦୋକାନୀ ବର୍ଷକ ପାଇଁ ରୋଜଗାର ଖଣ୍ଡଗିରି ମେଳାରୁ ପାଇଥା’ନ୍ତି। କିନ୍ତୁ ୨ ବର୍ଷ ହେଲା ମହାମାରୀ କାରଣରୁ ବେପାର ବନ୍ଦ ଥିବାରୁ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଯାତ୍ରାକୁ ନେଇ ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦର କୃଷ୍ଣଚନ୍ଦ୍ର ଜେନାଙ୍କ କହିବା କଥା, ଦର୍ଶକ ସଂଖ୍ୟାକୁ ଏକ ହଜାରରେ ସୀମିତ ରଖିବା ଓ ନାଇଟ୍ କର୍ଫ୍ୟୁ ପୂର୍ବରୁ ଯାତ୍ରା ସାରିବା ଆଦି କଟକଣାରେ ଯାତ୍ରା ପରିବେଷଣ କରିବା ସମ୍ଭବ ନୁହେଁ। କଟକଣା ମଧ୍ୟରେ ଯାତ୍ରା କଲେ, ଉଭୟ ପାର୍ଟି ଓ ଆୟୋଜକ ବିପୁଳ କ୍ଷତିରେ ପଡ଼ିବେ। ୨ ବର୍ଷ ହେଲା ଲକ୍ଷ ଲକ୍ଷ ଟଙ୍କା ବଇନା ଦେଇ କ୍ଷତି ସହୁଥିବା ବେଳେ କ୍ଷତିର ଭରଣା କେବେ ହେବ ତାହା ଆଶା, ଆଶଙ୍କାରେ ଅଛି।
ସେହିପରି ଯାତ୍ରା ମାଲିକ ସଂଘର ସମ୍ପାଦକ ଆର୍ କେ ହୀରାଲାଲାଙ୍କ କହିବା କଥା ପ୍ରଶାସନର କୋଭିଡ୍ ନିୟମ ଅନୁସାରେ ଯାତ୍ରା କରାଇବା ସମ୍ଭବ ନୁହେଁ। ବ୍ୟବସାୟ ଦୃଷ୍ଟିରୁ ମଧ୍ୟ କେବଳ ଖଣ୍ଡଗିରିରେ ହିଁ ଅଧିକ ବ୍ୟବସାୟ ହୋଇଥାଏ। ତେବେ ୨ବର୍ଷ ଯାତ୍ରା ବନ୍ଦ ହେବାରୁ ଓଡ଼ିଶାର ପ୍ରାୟ ସମସ୍ତ ପାର୍ଟିକୁ ବିପୁଳ କ୍ଷତି ସହିବାକୁ ପଡ଼ିଛି। ଏହା କେବଳ ଯାତ୍ରା କଳାକାରଙ୍କୁ ପ୍ରଭାବିତ କରିନି ଯାତ୍ରା ଉପରେ ନିର୍ଭର କରିଥିବା ହଜାର ହଜାର ଲୋକଙ୍କୁ ହତାଶ କରିଛି।

Share Now:

Kalinga News Beuro

Next Post

ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି : ମୁଖ୍ୟମନ୍ତ୍ରୀ

Mon Feb 7 , 2022
ସମସ୍ତେ ମିଶି ପାଠପଢାର କ୍ଷତିକୁ ଭରଣା କରିବା, ପିଲାଙ୍କର କିଛି ଅସୁବିଧା ହେବ ନାହିଁ ଭୁବନେଶ୍ବର : ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପିଲାମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ, ସ୍କୁଲ ଖୋଲିବା ଖୁସିରେ […]
ସ୍କୁଲ ଖୋଲିଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial