ଚନ୍ଦ୍ରଶେଖରପୁରରେ ନାଇଟ୍‌ କର୍ଫ୍ୟୁକୁ ଫୁ’: ପୁଲିସ ମୁଖ୍ୟ ରାସ୍ତାରେ, ଗଳିକନ୍ଦିରେ ଅମାନିଆଙ୍କ ଉତ୍ପାତ

ଚନ୍ଦ୍ରଶେଖରପୁରରେ ନାଇଟ୍‌ କର୍ଫ୍ୟୁକୁ ଫୁ

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଅଞ୍ଚଳରେ ନାଇଟ୍‌ କର୍ଫ୍ୟୁକୁ ଅମାନିଆ ଓ ଅପରାଧୀମା‌ନେ ଫୁ’ କରି ଦେଇଥିବା ଦେଖାଯାଉଛି। ଏହି ଅଞ୍ଚଳର ବାର୍‌ଗୁଡ଼ିକର ଗ୍ରାହକମାନେ ରାତିରେ ଫେରିବା ବେଳେ ରାସ୍ତାରେ ଉତ୍ପାତ କରୁଛନ୍ତି। ପୁଲିସ କିଛି ମୁଖ୍ୟ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଅପରାଧୀମାାନେ ଗଳିକନ୍ଦିରେ ଅନାୟାସରେ ବିଚରଣ କରୁଛନ୍ତି। ଫଳରେ ଏହି ଅଞ୍ଚଳରେ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ସାଙ୍ଗକୁ ଚୋରି ଛିନ୍‌ତାଇ ବଢ଼ିବାରେ ଲାଗିଛି। ଅମାନିଆମାନଙ୍କ ଦ୍ରୁତ ଗାଡ଼ିଚାଳନା ସାଧାରଣ ଲୋକଙ୍କ ପାଇଁ କାଳ ହେଉଛି। ମଦ୍ୟପମାନଙ୍କ ଉତ୍ପାତ କାରଣରୁ କର୍ମଜୀବୀମାନେ ବିଳମ୍ବିତ ରାତିରେ ଘରକୁ ଫେରିବା ବେଳେ ସମସ୍ୟାରେ ପଡ଼ୁଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ରାତି ୧୦ଟା ପରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେଉଥିଲେ ବି ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଅମାନିଆଙ୍କ ଉତ୍ପାତ ଦେଖିବାକୁ ମିଳୁଛି। ବିଳମ୍ବିତ ରାତିରେ ଏହି ରାସ୍ତାରେ ରେସିଂ ବାଇକ୍‌ର କାନଫଟା ଶବ୍ଦ ସାଧାରଣ ଲୋକଙ୍କ ସ୍ବାଭାବିକ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ବାର୍‌ରୁ ଫେରୁଥିବା ନିଶାସକ୍ତ ଯୁବକମାନେ ରାସ୍ତାରେ ଦ୍ରୁତ ଗାଡ଼ି ଚାଳନା କରି ଅନ୍ୟମାନଙ୍କୁ ହଇରାଣ କରୁଛନ୍ତି। ସେହିଭଳି ରାତି ୧୦ଟା ପରେ ଏହି ରାସ୍ତାରେ ଦ୍ରୁତବେଗରେ ଯାଉଥିବା କାର୍‌ଗୁଡ଼ିକ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ବାଇକ୍‌ ଓ କାର୍‌ ଚାଳକମାନେ ବେପରୁଆ ଗାଡ଼ିଚାଳନା କରି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି। କିନ୍ତୁ ପୁଲିସ ଏସବୁ ଦେଖୁଥିଲେ ବି ନିରବଦ୍ରଷ୍ଟା ସାଜୁଥିବା ଅଭିଯୋଗ ହେଉଛି। ଏସବୁ ପଛରେ ମୁଖ୍ୟ କାରଣ ହେଉଛି ଏହି ଅଞ୍ଚଳର ବାର୍‌ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଛି। ଏହାର ସୁଯୋଗ ନେବା ପାଇଁ ରାଜଧାନୀର ଅନ୍ୟ ଅଞ୍ଚଳରୁ ଗ୍ରାହକମାନେ ଏଠାକୁ ଆସୁଛନ୍ତି। ବାର୍‌ ବନ୍ଦ ହେବା ପରେ ସେମାନେ ଫେରିବା‌ ବେଳେ ନିଛାଟିଆ ରାସ୍ତାରେ ଦ୍ରୁତ ବେଗରେ ଗାଡ଼ି ଚାଳନା କରୁଛନ୍ତି। ବେଳେବେଳେ ନାଇଟ୍‌ କର୍ଫ୍ୟୁ ପାଇଁ ପୁଲିସ ଏହି ମୁଖ୍ୟ ରାସ୍ତାରେ ପଇଁତରା ମାରୁଥିବାରୁ ସେମାନେ ଗଳି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ତେଣୁ ଅପରାଧୀମାନେ ମଧ୍ୟ ଏହି ଭଳି ରାସ୍ତାରେ ଛକି ରହୁଛନ୍ତି ଓ ଅପରାଧ ଘଟାଉଛନ୍ତି। ସେହିଭଳି ବାର୍‌ ଗ୍ରାହକମାନଙ୍କ ପାଇଁ ଏହି ଅଞ୍ଚଳର ରାସ୍ତାରେ ଏବେ ଅଧିକ ସଂଖ୍ୟାରେ କିନ୍ନରମାନଙ୍କୁ ଦେଖିବାକୁ ମିଳୁଛି। ସେମାନଙ୍କ ସହ ଅନ୍ୟ ଦେହଜୀବୀମାନେ ମଧ୍ୟ ଛକରେ ଛକରେ ଆଡ଼ା ଜମାଉଛନ୍ତି। ଫଳରେ ଦିନକୁ ଦିନ ଏହି ଅଞ୍ଚଳର ରାସ୍ତାଗୁଡ଼ିକ ବିପଜ୍ଜନକ ହୋଇପଡ଼ୁଛି। ବେଶି ସମସ୍ୟାରେ ପଡ଼ୁଛନ୍ତି, ରାତିରେ କର୍ମକ୍ଷେତ୍ରରୁ ଫେରୁଥିବା କର୍ମଜୀବୀ। ଚନ୍ଦକା, ମଞ୍ଚେଶ୍ବର ଓ ରସୁଲଗଡ଼ ଶିଳ୍ପାଞ୍ଚଳରୁ ତଥା ବିଭିନ୍ନ ଗଣମାଧ୍ୟମର କର୍ମଚାରୀମାନେ ବିଳମ୍ବିତ ରାତିରେ ଯାତାୟାତ କରନ୍ତି। ସେମାନେ ଅପରାଧୀମାନଙ୍କ ଦ୍ବାରା ଯେତିକି ସମସ୍ୟାରେ ପଡ଼ନ୍ତି, ଅମାନିଆଙ୍କ ଯୋଗୁଁ ତା’ଠୁ ଅଧିକ ଯନ୍ତ୍ରଣା ଭୋଗ କରନ୍ତି। ସେମାନେ ଲୁଟେରାମାନଙ୍କ ଶିକାର ହେଉଥିବା ବେଳେ ଅମାନିଆଙ୍କ ‌ବେପରୁଆ ଗାଡ଼ିଚାଳନା ଯୋଗୁଁ ଦୁର୍ଘଟଣାର ଶିକାର ହେଉଛନ୍ତି। ପୁଲିସ କିଛି କିଛି ମୁଖ୍ୟ ଛକକୁ ଜଗୁଥିବା ବେଳେ ଅନ୍ୟ ସ୍ଥାନ ଏବେ ଅପରାଧୀଙ୍କ କବ୍‌ଜାରେ ରହୁଥିବା କୁହାଯାଉଛି।

Share Now:

Kalinga News Beuro

Next Post

ଶୁକଶାରୀ ମନ୍ଦିର ନିକଟରେ ଖନନ: ବାହାରିଲା ଆଉ ଏକ ମନ୍ଦିରର ଜଗମୋହନ

Fri Feb 11 , 2022
ପୁରୁଣା ଭୁବନେଶ୍ୱର: ଶୁକଶାରୀ ମନ୍ଦିର କଡ଼ରେ ଭାରତୀୟ ପୁରାତତ୍ତ୍ଵ ବିଭାଗ(ଏଏସ୍ଇ) ଦ୍ଵାରା ଚାଲିଥିବା ଖନନ ବେଳେ ପୁଣି ଏକ ପ୍ରାଚୀନ ମନ୍ଦିର ଅଂଶ ଦେଖିବାକୁ ମିଳିଛି। ଏହା ଏକ ପୁରାତନ ମନ୍ଦିରର ଜଗମୋହନ ଅଂଶ ବୋଲି ପ୍ରତ୍ନତତ୍ତ୍ବବିତ୍‌ କହିଛନ୍ତି। ଆଜି ଅପରାହ୍ନରେ ଏଏସ୍ଆଇ ପକ୍ଷରୁ ଖନନ ବେଳେ ଏହି ପୁରାତନ ମନ୍ଦିରର ୪ଟି ବଡ଼ ବଡ଼ ପଥର ଦେଖିବାକୁ ମଳିଛି। ଏଏସ୍ଆଇ କର୍ମଚାରୀ ଶୁକଶରୀ ନିକଟରେ ଖନନ ବେଳେ ପୂର୍ବ […]
ଶୁକଶାରୀ ମନ୍ଦିର ନିକଟରେ ଖନନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial