ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ

ଗାୟକ ତଥା ସଙ୍ଗୀତ ନିର୍ଦେଶକ ବାପି ଲାହିରିଙ୍କ ଦେହାନ୍ତ

ମୁମ୍ବାଇ: ମୁମ୍ବାଇର ଏକ ଡାକ୍ତରଖାନାରେ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଯାଇଥିବା କଥା ଜଣେ ଡାକ୍ତର ସୂଚନା ଦେଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଏକାଧିକ ଶାରିରୀକ ଅସୁବିଧା ନିମନ୍ତେ ତାଙ୍କର ଚିକିତ୍ସା ଚାଲିଥିଲା। ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ବାପି ଲାହିରି ଘରେ ଥି‌ବାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଜୁହୁସ୍ଥିତ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତରାତିରେ ‘ଅବ୍‌ଷ୍ଟ୍ରକ୍‌ଟିଭ୍‌ ସ୍ଲିପ୍‌ ଆପନିଆ’ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସ୍ମରଣଯୋଗ୍ୟ, ବରିଷ୍ଠ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରି ଗତବର୍ଷ ଏପ୍ରିଲ୍‌ ମାସରେ କୋଭିଡ୍-୧୯ ପଜିଟିଭ୍‌ ହୋଇଥିଲେ। ତା’ପରଠାରୁ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇ ବିଶ୍ରାମ ନେଉଥିଲେ। ଚଳପ୍ରଚଳ ସୁବିଧା ନିମନ୍ତେ ଜୁହୁସ୍ଥିତ ତାଙ୍କ ବାସଭବନରେ ତାଙ୍କ ପାଇଁ ଏକ ହ୍ବିଲ୍‌ ଚେୟାର୍‌ ଏବଂ ଲିଫ୍‌ଟ୍‌ ବ୍ୟବସ୍ଥା କରାଯାଇଥିଲା।
୧୯୭୩ ମସିହାର ଚଳଚ୍ଚିତ୍ର ‘ନହ୍ନା ଶିକାରୀ’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ପ୍ରଥମେ ସେ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇଥିଲେ। ଗତବର୍ଷ ବାପି ଲାହିରି କହିଥିଲେ ଯେ, ପ୍ରଥମେ ସେ କିଶୋର କୁମାରଙ୍କ ଚଳଚ୍ଚିତ୍ର ‘ବଢ୍‌ତିକା ନାମ୍‌ ଦାଢ଼ି’ ଚଳଚ୍ଚିତ୍ରରେ ଜଣେ ଅଭିନେତା ଭାବେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ସେ ଉଦୟଶଙ୍କର ପାଣିଙ୍କ ଓଡ଼ିଆ-ବଙ୍ଗଳା ଦ୍ବିଭାଷୀ ଛବି ‘ମିଛ ମାୟା ସଂସାର’ରେ ବି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ୧୯୮୦ ଏବଂ ୧୯୯୦ ଦଶକରେ ବାପି ଲାହିରି ତାଙ୍କ କ୍ୟାରିୟର୍‌ର ଶୀର୍ଷରେ ଥିଲେ। ୧୯୮୦ ଏବଂ ୧୯୯୦ ଦଶକରେ ବାପି ଲାହିରି ତାଙ୍କ କ୍ୟାରିୟର୍‌ର ଶୀର୍ଷରେ ଥିଲେ। ବଲିଉଡ୍‌ରେ ଡିସ୍କୋ ସଙ୍ଗୀତ ଧାରାକୁ ଜନପ୍ରିୟ କରାଇଥିବା ବାପି ଲାହିରିଙ୍କ ସଙ୍ଗୀତ ଥିବା ପ୍ରମୁଖ ଚଳଚ୍ଚିତ ମଧ୍ୟରେ ରହିଛି, ‘ହିମତ୍‌ୱାଲା’, ‘ତୋଫା’, ‘ଡିସ୍କୋ ଡ୍ୟାନ୍‌ସର୍‌’, ‘ଚଲ୍‌ତେ ଚଲ୍‌ତେ’, ‘ଶରାବି’, ‘ମୱାଲି’, ‘ଜଷ୍ଟିସ୍ ଚୌଧୁରୀ’, ‘ଦଲାଲ୍‌’ ଏବଂ ୨୦୨୦ରେ ‘ବାଗି୩’।

Share Now:

Kalinga News Beuro

Next Post

ନିର୍ବାଚନୀ ହିଂସାକୁ ନେଇ ପରସ୍ପର ବିରୋଧରେ ଅଭିଯୋଗ ଆଣିଲେ ବିଜେପି-ବିଜେଡି ଓ କଂଗ୍ରେସ

Thu Feb 17 , 2022
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନବେଳେ ସାରା ରାଜ୍ୟରେ ଘଟିଥିବା ନିର୍ବାଚନୀ ହିଂସାକୁ ନେଇ ବିଜେପି , ବିଜେଡି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ନିର୍ବାଚନ ସମୟରେ ହୋଇଥିବା ବ୍ୟାପକ ହିଂସାକାଣ୍ଡର ତଥ୍ୟ ପ୍ରମାଣ ନିର୍ବାଚନ କମିଶନଙ୍କୁ ଦିଆଯାଇଛି। କମିଶନ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ନାଗରିକଙ୍କୁ ନିଶ୍ଚିତ କରିବା ଦରକାର। ହିଂସାକାଣ୍ଡକୁ କେମିତି ରୋକିବେ ସେ ନେଇ ନିର୍ବାଚନ […]
ନିର୍ବାଚନୀ ହିଂସା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial