ଦ୍ବୈତନଗରୀରେ କାଗଜକଲମରେ ଯୋଜନା ମାଳମାଳ

କାଗଜ କଲମରେ ଯୋଜନା ମାଳମାଳ

ଭୁବନେଶ୍ବର: ଯୋଜନା ମାଳମାଳ। ମାତ୍ର ସବୁ କାଗଜ, କଲମ ଓ ଘୋଷଣାରେ ସୀମିତ। କାର୍ଯ୍ୟକାରୀ କଲା ବେଳକୁ ବଳ ପାଉନି କି କର୍ମଚାରୀ ମିଳୁନାହାନ୍ତି। କେଉଁଠି ମାସ ମାସ କାଳ ପଦୋନ୍ନତି ପାଇ ସୁଦ୍ଧା କର୍ମଚାରୀ ଥାନା ଛାଡ଼ୁନାହାନ୍ତି ତ ଆଉ କୋଉଠି ବର୍ଷକରେ ଗୋଟିଏ ଥାନାରୁ ୪ ଆଇଆଇସି ବଦଳିଲେଣି। ଏହିଭଳି ଗୋଟିଏ ଦୃଷ୍ଟାନ୍ତ ନୁହେଁ, ଦ୍ବୈତନଗରୀରେ ଶୃଙ୍ଖଳିତ ବିଭାଗରେ ଏହିଭଳି ମାଳମାଳ ଅବ୍ୟବସ୍ଥା ମୁଣ୍ଡ ଟେକିଛି। କେବଳ କର୍ମଚାରୀ ଅଦଳବଦଳରେ ନୁହେଁ, ଅପରାଧ ଦମନ କ୍ଷେତ୍ରରେ ବି କମିସନରେଟ୍ ପୁଲିସ ପଛେଇଛି। ଡିସିପି କ୍ରାଇମ୍‌କୁ ନେଇ ଗଠନ ହେବାକୁ ଥିବା ସ୍ବତନ୍ତ୍ର ଅପରାଧ ଶାଖା କେବଳ ନାମକୁ ମାତ୍ର ଘୋଷଣା କରାଯାଇଛି। ଗତ ଡିସେମ୍ବରରେ କମିସନରେଟ୍ ପୁଲିସରେ ପ୍ରଥମଥର ପାଇଁ ଡିସିପି କ୍ରାଇମ୍ ପଦବି ସୃଷ୍ଟି କରାଯାଇ ସ୍ବତନ୍ତ୍ର ଅପରାଧ ଶାଖା ଖୋଲାଗଲା। ଉଦ୍ଦେଶ୍ୟ ଥିଲା, ମାତ୍ରାଧିକ କାର୍ଯ୍ୟଭାର ତୁଲାଉଥିବା କମିସନରେଟ୍ ପୁଲିସର କର୍ମଚାରୀଙ୍କୁ ସ୍ବତନ୍ତ୍ର ତଥା ସଙ୍ଗିନ ଆପରାଧିକ ମାମଲାଗୁଡ଼ିକରେ ତଦନ୍ତରେ ସହଯୋଗ କରିବା ଏବଂ ଦ୍ବୈତନଗରୀରେ ନିଶା ନିୟନ୍ତ୍ରଣ ସାଙ୍ଗକୁ ପେସାଦାର ଅପରାଧୀଙ୍କୁ ସାବାଡ୍ କରିବା ପାଇଁ ଉଦ୍ୟମ କରାଯିବ। ତେଣୁ ଏହି କ୍ରମରେ ୨୦୨୧ ଡିସେମ୍ବର ୨୯ରେ ପୂର୍ବତନ ଟ୍ରାଫିକ୍ ଡିସିପି ମାୟାଧର ସେଠୀଙ୍କୁ ଏହାର ମଙ୍ଗ ସମ୍ଭାଳିବାକୁ ଦାୟିତ୍ବ ଦିଆଗଲା। ୮ ଥାନାରେ ନାହାନ୍ତି ଆଇଆଇସି; ସମ୍ଭାଳୁଛନ୍ତି ଏସ୍ଆଇ, ଏସିପି, ଡିଏସ୍‌ପି ଘୋଷଣାରେ ସୀମିତ ଡିସିପି କ୍ରାଇମ୍ ଟିମ୍; ୨ ମାସ ପରେ ବି କର୍ମଚାରୀ ନାହାନ୍ତି ମାତ୍ର ଇତିମଧ୍ୟରେ ପ୍ରାୟ ୨ ମାସ ବିତିବାକୁ ବସିଥିଲେ ସୁଦ୍ଧା ମାୟାଧରଙ୍କ ଟିମ୍‌ରେ ଏପର୍ଯ୍ୟନ୍ତ ଜଣେ ହେଲେ କର୍ମଚାରୀଙ୍କୁ ସାମିଲ୍ କରାଯାଇନାହିଁ। କର୍ମଚାରୀ ନିଯୁକ୍ତି ଦୂରର କଥା, ଏହି ଟିମ୍‌ର ଗଠନଶୈଳୀ କିଭଳି ହେବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଫଳରେ ୨ମାସ ମଧ୍ୟରେ ଏହି ସ୍ବତନ୍ତ୍ର ଅପରାଧ ଶାଖା ଏପର୍ଯ୍ୟନ୍ତ କମିସନରେଟ୍ ପୁଲିସକୁ ଗୋଟିଏ ବି ମାମଲାର ତଦନ୍ତରେ ସହଯୋଗ କରିନାହିଁ। ଅପରପକ୍ଷେ ରାଜଧାନୀରେ ଏବେ ବି ଚୋରି, ଡକାୟତି, ହତ୍ୟାକାଣ୍ଡ ଭଳି ମାଳମାଳ ସଙ୍ଗିନ ମାମଲାରେ ପୁଲିସକୁ ସଫଳତା ମିଳିନାହିଁ। କେବଳ ସଙ୍ଗିନ ଅପରାଧ ନୁହେଁ, ଯାଁଳା ଫାଣ୍ଡିରେ ଥିବା କାର୍‌ରୁ ମହିଳାଙ୍କ କଙ୍କାଳ ମିଳିବା, କୁଆଖାଇ ନଦୀ ପଠାରୁ ଅଜଣା ମୃତଦେହ ମିଳିବା, ଡେଲ୍ଟା ଛକରେ ଥିବା ଶ୍ରୀଲକ୍ଷ୍ମୀନାରାୟଣ ଜୁଏଲର୍ସରୁ ୭୦ଲକ୍ଷ ଟଙ୍କାର ସୁନାଗହଣା ଚୋରି ହେବା ଭଳି ଅନେକ ଘଟଣାରେ ଅପରାଧୀ ଅପହଞ୍ଚ ହୋଇ ଅଛନ୍ତି। ସେହିଭଳି ଥାନାରେ ଆଇଆଇସିଙ୍କୁ ଦାୟିତ୍ବ ମିଳିବାରେ ବି କମିସନରେଟ୍‌ ପୁଲିସ ପଛେଇଛି। ଦ୍ବୈତନଗରୀର ୮ଟି ଥାନାରେ ଏବେ ବି ଆଇଆଇସି ନାହାନ୍ତି। ଏସିପି, ଡିଏସ୍‌ପି ଓ ଏସ୍ଆଇ ରୢାଙ୍କର ଅଧିକାରୀ ଦାୟିତ୍ବ ତୁଲାଉଛନ୍ତି। ଭୁବନେଶ୍ବରର କ୍ୟାପିଟାଲ୍ ଥାନାରେ ଗିରିଜା ଶଙ୍କର ଚକ୍ରବର୍ତ୍ତୀ, ସହିଦନଗରରେ ହିମାଂଶୁ ସ୍ବାଇଁ, ଖାରବେଳନଗରରେ ଅରୁଣ ସ୍ବାଇଁ, ଚନ୍ଦ୍ରଶେଖରପୁରରେ ପ୍ରଦୀପ କୁମାର ମହାପାତ୍ର, ନନ୍ଦନକାନନରେ ବିଶ୍ବରଂଜନ ସେନାପତି ଡିଏସ୍‌ପି ଓ ଏସିପି ପାହ୍ୟାକୁ ଯିବା ସତ୍ତ୍ବେ ଥାନା ଦାୟିତ୍ବରେ ଅଛନ୍ତି। ଖୁବ୍‌ଶୀଘ୍ର ଏମାନଙ୍କର ବଦଳି ପରେ ଥାନା ଫାଙ୍କା ପଡ଼ିବା ଏକପ୍ରକାରର ଥୟ। ସେହିଭଳି ନୂଆ କରି ଫାଣ୍ଡିରୁ ଥାନା ହୋଇଥିବା ପାହାଳ ଥାନାରେ ଷ୍ଟାଲିନ୍ କୁମାର ବିଶ୍ବାଳ ଏସ୍ଆଇ ପଦବିରେ ଥାଇ ଦାୟିତ୍ବ ତୁଲାଉଛନ୍ତି। କଟକର ମଙ୍ଗଳବାଗ ଥାନାରେ ଅମିତାଭ ମହାପାତ୍ର ମଧ୍ୟ ଡିଏସ୍‌ପି ପାହ୍ୟାକୁ ଯାଇଥିଲେ ସୁଦ୍ଧା ବଦଳି ହୋଇନଥିବାରୁ ଏବେ ବି ଥାନା ଦାୟିତ୍ବରେ ରହିଛନ୍ତି। ବଡ଼ କଥା ହେଉଛି, ଭୁବନେଶ୍ବରର ସବୁଠୁ ବ୍ୟତିକ୍ରମ ଥାନା ଭାବେ ଭରତପୁର ଥାନା ସ୍ଥାନ ପାଇଛି। ଥାନା ମାନ୍ୟତା ପାଇବାର ଗତ ବର୍ଷକ ମଧ୍ୟରେ ୪ଜଣ ଆଇଆଇସି ବଦଳି ହୋଇସାରିଲେଣି। ଖଣ୍ଡଗିରି ଥାନାରୁ ଅଲଗା ହେବା ସମୟରେ ଦୁର୍ଗା ପ୍ରସାଦ ଜେନା ଥାନା ଦାୟିତ୍ବରେ ଥିଲେ। ଏହାର କିଛି ମାସ ମଧ୍ୟରେ ଶ୍ରୀ ଜେନାଙ୍କୁ ଟ୍ରାଫିକକୁ ବଦଳି କରାଯାଇଥିଲା ଏବଂ ବଡ଼ଗଡ଼ରୁ ଜ୍ୟୋତି ରଂଜନ ପତିଙ୍କୁ ଆଇଆଇସି ଭାବେ ଦାୟିତ୍ବ ଦିଆଯାଇଥିଲା। ହେଲେ ହଠାତ୍ ତାଙ୍କୁ ମଧ୍ୟ ଡିସିପି ମୁଖ୍ୟାଳୟକୁ ବଦଳି କରାଗଲା। ଏହା ପରେ ଜଟଣୀରେ ଥିବା ଆଇଆଇସି ବିଶ୍ବରଂଜନ ସାହୁ ଥାନା ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କଲେ। ମାତ୍ର ଦାୟିତ୍ବ ଗ୍ରହଣ କରିବାର ଦିନ କେଇଟା ମଧ୍ୟରେ ତାଙ୍କୁ ନୂଆପଲ୍ଲୀ ଥାନାର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏବେ ଅଘୋଷିତ ଭାବେ ବରିଷ୍ଠ ଅଧିକାରୀ ତାଙ୍କୁ ନୂଆପଲ୍ଲୀ ଥାନାରେ ପୂର୍ଣ୍ଣକାଳୀନ ଦାୟିତ୍ବ ତୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ଚାଲୁଥିବାରୁ ନିର୍ବାଚନ ଆଚରଣ ବିଧି ପାଇଁ କାର୍ଯ୍ୟାଦେଶ ଘୋଷଣା ହୋଇନାହିଁ। ଆସନ୍ତା ୨୪ତାରିଖ ନିର୍ବାଚନ ସରିବା ପରେ ତାଙ୍କୁ ନୂଆପଲ୍ଲୀ ଦାୟିତ୍ବ ଦିଆଯିବ। ଯେଉଁଥିପାଇଁ ଭରତପୁର ଥାନା ପୁଣି ଥରେ ମୁରବି ବିହୀନ ହେବା ଏକରକମ ସ୍ପଷ୍ଟ ହୋଇଛି।

Share Now:

Kalinga News Beuro

Next Post

ପରମାଣୁ ବାହିନୀକୁ ‘ହାଇଆଲର୍ଟ’ରେ ରଖିଲେ ରାଷ୍ଟ୍ରପତି ପୁଟିନ୍‌

Sun Feb 27 , 2022
ମସ୍କୋ: ଗୋଟିଏ ପଟେ ୟୁକ୍ରେନ ସହ ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଅନ୍ୟପଟେ ଋଷୀୟ ପରମାଣୁ ବାହିନୀକୁ ହାଇଆଲର୍ଟରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ପୁଟିନ୍‌ ଋଷର ପ୍ରତିରକ୍ଷା ମନ୍ତ୍ରୀ ଏବଂ ସେନାମୁଖ୍ୟଙ୍କୁ ପରମାଣୁ ବାହିନୀକୁ ‘ଯୁଦ୍ଧ ଲାଗି ସ୍ୱତନ୍ତ୍ର ପ୍ରସ୍ତୁତି’ରେ ରଖିବାକୁ ରବିବାର ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ପାଶ୍ଚାତ୍ୟ […]
ପରମାଣୁ ବାହିନୀକୁ ‘ହାଇଆଲର୍ଟ’ରେ ରଖିଲେ ପୁଟିନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial