ଅବ୍ୟବସ୍ଥାର ଅନ୍ୟ ନାମ କ୍ୟାପିଟାଲ ହସ୍ପିଟାଲ

ଅବ୍ୟବସ୍ଥାରେ କ୍ୟାପିଟାଲ ହସ୍ପିଟାଲ

ଡାକ୍ତର ଆସିଲେନି, ଧାରଣାରେ ବସିଲେ ରୋଗୀ

ଭୁବନେଶ୍ୱର: ବୁଧବାର କ୍ୟାପିଟାଲ ହସ୍ପିଟାଲରେ ଦେଖିବାକୁ ମିଳିଥିଲା ଏକ ଅଭା‌ବନୀୟ ଦୃଶ୍ୟ। ବଡ଼ ଆଶାରେ ଡାକ୍ତରଙ୍କୁ ଦେଖା କରିବାକୁ ଆସିଥିବା ରୋଗୀମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ନ୍ୟୁରୋଲୋଜି ବିଭାଗ ପାଇଁ ଉଦ୍ଦିଷ୍ଟ ଓପିଡି କାଉଣ୍ଟର ନିକଟରେ ରୋଗୀମାନଙ୍କୁ ଧାରଣା ଦେଇଥିବା ଦେଖାଯାଇଥିଲା। ସପ୍ତାହକୁ ମାତ୍ର ତିନି ଦିନ ରୋଗୀ ଦେଖୁଥିବା ନ୍ୟୁରୋଲୋଜି ଡାକ୍ତର ଆଜି ପାଳି ଥିବା ସତ୍ତ୍ବେ ଆସିନଥିବାରୁ ରୋଗୀମାନେ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ। ଶେଷରେ ପୁଲିସ ସେମାନଙ୍କୁ ବୁଝାସୁଝା କରି ଧାରଣାରୁ ହଟାଇଦେଲା। ସେମାନେ କିନ୍ତୁ ବଡ଼ ବ୍ୟଥିତ ହୋଇ ଫେରିଥିଲେ। ଖୋର୍ଦ୍ଧା ବୋଲଗଡ଼ରୁ ଆସିଥିବା ନଟବର ମହାରଣାଙ୍କ ଅଭିଯୋଗ ଅନୁସାରେ ସେ ଏହା ପୂର୍ବରୁ ୩ ଥର ଆସି ଟିକେଟ୍‌ ନପାଇ ଫେରିଥିଲେ। ମାତ୍ର ୪୦ ଜଣଙ୍କୁ ଟିକେଟ୍‌ ମିଳୁଥିବାରୁ ସେ ପୂର୍ବରୁ ଟିକେଟ୍‌ ନପାଇ ଫେରିଥିଲେ। ତେଣୁ ଆଜି ରାତି ୨ଟାରୁ ଆସିଥିଲେ। ତାଙ୍କ ସମ୍ପର୍କୀୟ ଟିକେଟ୍‌ ପାଇଁ ଧାଡ଼ିରେ ଠିଆ ହୋଇଥିବା ବେଳେ ସେ ଧାଡ଼ି ବାହାରେ ବସିରହିଥିଲେ। ୬ ଘଣ୍ଟା କାଳ ଧାଡ଼ିରେ ଠିଆ ହେଲେ ବି ଭାଗ୍ୟକୁ ଟିକେଟ୍‌ ମିଳିଯାଇଥିଲା। ତେଣୁ ଭଲ ଡାକ୍ତରଙ୍କୁ ଦେଖା କରିବାର ଆଶା ପୂରଣ ହେବ ବୋଲି ସେ ଖୁସି ହୋଇ ଯାଇଥିଲେ। ମାତ୍ର ଏବେ ଖବର ଦିଆଯାଉଛି କି ଡାକ୍ତର ଆସିବେ ନାହିଁ। ଯଦି ଡାକ୍ତର ନଆସିବାର ଥିଲା, ତେବେ ଟିକେଟ୍‌ କାଉଣ୍ଟର ବନ୍ଦ କରିବା କଥା। ଏତେ ଦୂରରୁ ଆସି ପୁଣି ଏତେ ସମୟ ଧାଡ଼ିରେ ଠିଆ ହେବା ପରେ ନିରାଶ କରିବା ବଡ଼ ଅନ୍ୟାୟ। ଏମିତି ଅଭିଯୋଗ କରିଥିଲେ ଅନେକ ରୋଗୀ। ସେମାନେ ହସ୍ପିଟାଲର ଏଭଳି ଅନ୍ୟାୟ ବିରୋଧରେ ଧାରଣାରେ ବସିଥିଲେ। ଏନେଇ କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକ ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି ଯେ ଆଜି ନ୍ୟୁରୋଲୋଜି ଡାକ୍ତର ନ ଆସିବା କଥା ଠିକ୍ ସମୟରେ ଜଣାପଡ଼ିନଥିଲା। କୌଣସି ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ସେ ଜଣାଇଥିଲେ ବି କେହି ଦେଖିପାରିନଥିଲେ। ତେଣୁ କିଛି ଲୋକଙ୍କୁ ଟିକେଟ୍‌ ଦିଆଯାଇଥିଲା। ସେ ଆଜି ସକାଳ ୮ଟା ବେଳେ ଫୋନ୍‌ କରି ଆସିବେ ନାହିଁ ଜଣାଇଥିଲେ। ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହେଲା। ଏଣିକି ସେ ଛୁଟି ନେବା କଥା ଗୋଟିଏ ଦିନ ପୂର୍ବରୁ ଜଣାଇବେ ବୋଲି ତାଙ୍କୁ କୁହାଯାଇଛି ବୋଲି ଡାକ୍ତର ପଣ୍ଡା କରିଥିଲେ। ତେଣୁ ଆଗକୁ ରୋଗୀମାନେ ଯେମିତି ଏଭଳି ସମସ୍ୟାରେ ପଡ଼ିବେ ନାହିଁ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, କ୍ୟାପିଟାଲ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗକୁ କଟକରୁ ମାତ୍ର ଜଣେ ଡାକ୍ତର ସପ୍ତାହକୁ ମାତ୍ର ୩ ଦିନ ଆସୁଛନ୍ତି। ସେ ଦିନକୁ ମାତ୍ର ୪୦ ଜଣ ରୋଗୀଙ୍କର ଚିକିତ୍ସା କରୁଛନ୍ତି। ତେଣୁ ପଞ୍ଜୀକରଣ ପାଇଁ ଏଠାରେ ଲୋକେ ଧାଡ଼ିବାନ୍ଧି ଅପେକ୍ଷା କରୁଛନ୍ତି। ପ୍ରଥମ ୪୦ ଟିକେଟ୍‌ ପାଇଁ ପ୍ରତିଯୋଗିତା ହେଉଛି।

Share Now:

Kalinga News Beuro

Next Post

ପୁଲିସ-ନକ୍ସଲ ଗୁଳିବିନିମୟ: ଜଣେ ନକ୍ସଲ ମୃତ, ଯବାନ ଆହତ

Fri Mar 11 , 2022
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜେପୁର ଜିଲ୍ଲାର ନେମେଡି ଥାନା ଅନ୍ତର୍ଗତ କେକା ଏବଂ ମେସେଲା ଜଙ୍ଗଲରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ପୁଲିସ ଜାଣିବା ପରେ ଡିଆରଜି ଏବଂ ସିଆରପିଏଫ ଯବାନ ଚଢ଼ାଉ କରିଥିଲେ। ସେଠାରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା। ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ଘଟଣାସ୍ଥଳରେ […]
ପୁଲିସ-ନକ୍ସଲ ଗୁଳିବିନିମୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial