ଧାନ ସଂଗ୍ରହରେ ବିଭ୍ରାଟ : ନାମଞ୍ଜୁର କଷ୍ଟମ ମିଲରକୁ ପୁଣି ନିଯୁକ୍ତି

ଧାନ ସଂଗ୍ରହରେ ବିଭ୍ରାଟ

ଖୋର୍ଦ୍ଧା: ଧାନ ସଂଗ୍ରହରେ ଜିଲ୍ଲାରେ ବ୍ୟାପକ ଅନିୟମିତା ହେଉଥିବା ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଛି। ମଣ୍ଡିରୁ ଧାନ ସଂଗ୍ରହ ପାଇଁ ନିୟୋଜିତ ହୋଇଥିବା କଷ୍ଟମ ମିଲର ଓ ଯୋଗାଣ ବିଭାଗର ସହମତିରେ ଏଭଳି ବିଭ୍ରାଟ ହେଉଥିବା ଚାଷୀ ଅଭିଯୋଗ କରୁଛି। ଏଭଳି ସ୍ଥିତିରେ ଧାନସଂଗ୍ରହ ବିଭ୍ରାଟ ଘଟଣାରେ ତଦନ୍ତ କରାଯାଇ ଧାନ ସଂଗ୍ରହରୁ ବାଦ୍ ଦିଆଯାଇଥିବା କଷ୍ଟମ୍ ମିଲରକୁ ପୁଣି ତଦନ୍ତ ଆଢ଼ୁଆଳରେ ନିଯୁକ୍ତି ଦିଆଯିବା ଘଟଣାକୁ ନେଇ ବର୍ତ୍ତମାନ ନିଯୁକ୍ତି ଦିଆଯାଇଛି। ଚାଷୀଙ୍କ ଅଭିଯୋଗ ପରେ ସମବାୟ ବିଭାଗ ଓ ଯୋଗାଣ ବିଭାଗର ଯୁଗ୍ମ ଯାଞ୍ଚର ରିପୋର୍ଟ ଆଧାରରେ ଜିଲ୍ଲାପାଳ ଯେଉଁ ମିଲରକୁ ଧାନ ସଂଗ୍ରହ କାର୍ଯ୍ୟରୁ ବାଦ୍ ଦେଇଥିଲେ, ସେହି ରିପୋର୍ଟ ଆଧାରରେ ପୁଣି ଥରେ ରାଜ୍ୟ ଯୋଗାଣ ବିଭାଗ ଉକ୍ତ ମିଲରକୁ ପୁନଃ ନିୟୋଜିତ କରିଛନ୍ତି। ଏହାକୁ ନେଇ ଚାଷୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୨୦୨୧-୨୨ ଖରିଫ ଧାନ ସଂଗ୍ରହରେ ବାଲିଅନ୍ତା ଓ ବାଲିପାଟଣା ବ୍ଲକର ୧୮ଟି ପ୍ରାଥମିକ କୃଷି ସମବାୟ ସମିତିରୁ ୩୦୯୨୭.୮୪ କ୍ୱିଣ୍ଟାଲ ଧାନ ସଂଗ୍ରହ କରିବାକୁ ଏମ୍ଏସ୍ ସୋନ୍ଥାଳିଆ ରାଇସ୍ ମିଲ୍କୁ ନିୟୋଜିତ କରାଯାଇଥିଲା। ତେବେ ଜାନୁଆରୀ ୨୦ ତାରିଖରେ ଧାନ ସଂଗ୍ରହ ଆରମ୍ଭ ହେବା ପରେ ଧାନ ମଣ୍ଡିରୁ ଧାନ ସଂଗ୍ରହ କରୁନଥିବା ଓ ଧାନ କିଣିବାରେ ମନମାନୀ କରୁଥିବା ନେଇ ଚାଷୀମାନଙ୍କ ପକ୍ଷରୁ ଏକାଧିକ ଅଭିଯୋଗ ହୋଇଥିଲା। ଅଭିଯୋଗ ଭିତ୍ତିରେ ଜିଲ୍ଳା ଯୋଗାଣ ଅଧିକାରୀ ଏସିଏସ୍ଓ ଓ ଏଆର୍ସିଏସ୍‌ଟକୁ ସମ୍ପୃକ୍ତ ଅଭିଯୋଗର ତଦନ୍ତ କରିବାକୁ ଜାନୁଆରୀ ୨୪ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଉକ୍ତ କଷ୍ଟମ୍ ମିଲର ପକ୍ଷରୁ ପ୍ରତିକ୍ରିୟା ରଖାଯାଇଥିଲା ଯେ ମହୁଖଣ୍ଡ ସୋସାଇଟିର ଚାଷୀ ମାନେ ମିଲ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିବାରୁ ଧାନ ସଂଗ୍ରହ କରାଯାଇ ପାରିନଥିଲା।
ଏହି ଘଟଣାରେ ମଧ୍ୟ ଖୋର୍ଦ୍ଧା ଚାଉଳ ମିଲ ସଂଘ ପକ୍ଷରୁ ଜିଲ୍ଳାପାଳଙ୍କୁ ଭେଟି ଧାନ ସଂଗ୍ରହ ବେଳେ ଉପଯୁକ୍ତ ସୁରକ୍ଷା ପାଇଁ ଦାବି କରିଥିଲେ। ଏହି ଘଟଣାରେ, ୨୭ ତାରିଖରେ ଜିଲ୍ଳାପାଳ ଧାନ ସଂଗ୍ରହରେ ବିଭ୍ରାଟ ପାଇଁ କାହିଁକି ଧାନ ସଂଗ୍ରହରୁ ବାଦ୍ ଦିଆଯିବ ନାହିଁ ସେନେଇ କଷ୍ଟମ୍ ମିଲରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଉକ୍ତ କଷ୍ଟମ୍ ମିଲର ନୋଟିସ୍‌ର ପ୍ରତ୍ୟୁତ୍ତରରେ ଧାନମଣ୍ଡିରେ ଧାନ ନଥିବାରୁ ଧାନ କିଣିପାରିନଥିବା ନେଇ ସଫେଇ ଦେଇଥିଲା। ଏହାପରେ ଏଆର୍ସି ଓ ଯୋଗାଣ ବିଭାଗର ଯୁଗ୍ମ ଯାଞ୍ଚ ରିପୋର୍ଟ ଆଧାରରେ ଫେବ୍ରୁଆରୀ ୧ ତାରିଖଷର ଜିଲ୍ଳାପାଳ ସୋନ୍ଥାଳିଆ ରାଇସ୍ ମିଲକୁ ଧାନ ସଂଗ୍ରହରୁ ବାଦ୍ ଦେଇଥିଲେ। ଏହା ବିରୋଧରେ ମିଲ କର୍ତୃପକ୍ଷ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଏହା ମଧ୍ୟରେ, ଫେବ୍ରୁଆରୀ ୧୪ ତାରିଖରେ ସମ୍ପୃକ୍ତ ମିଲର ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥିତ ହୋଇ ନିଜର ଭୁଲ ପାଇଁ କ୍ଷମା ମାଗିବା ସହ ନାମଞ୍ଜୁର ନିର୍ଦ୍ଦେଶକୁ ଫେରାଇ ପୁଣି ଧାନ ସଂଗ୍ରହରେ ନିୟୋଜିତ କରିବାକୁ ଅନୁରୋଧ କରିଥିଲେ। ଇତିମଧ୍ୟରେ ଚଳିତ ମାସ ୭ ତାରିଖରେ ହାଇକୋର୍ଟ ରାଜ୍ୟ ଯୋଗାଣ ନିଗମକୁ କଷ୍ଟମ୍ ମିଲରଙ୍କ ଆବେଦନକୁ ବିଚାରକୁ ନେଇ ଆଇନାନୁସାରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ଯୋଗାଣ ନିଗମ ଏଆର୍ସିଏସ୍ ଓ ଏସିଏସ୍ଓଙ୍କ ଯୁଗ୍ମ ରିପୋର୍ଟ ଅନୁଧ୍ୟାନ କରିବା ପରେ ଜାଣିପାରିଲେ ଯେ ରିପୋର୍ଟର ତଥ୍ୟ କଷ୍ଟମ୍ ମିଲରକୁ ଧାନ ସଂଗ୍ରହରୁ ବାଦ୍ ଦେବା ଭଳି ଏକ ବଡ଼ ଦଣ୍ଡ ପାଇଁ ଯଥେଷ୍ଟ ନୁହେଁ। ଏଣୁ ଆଜି ପୁଣି ଥରେ ମିଲରକୁ ଧାନ ସଂଗ୍ରହରେ ନିୟୋଜିତ କରାଯିବାକୁ ଯୋଗାଣ ନିଗମ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Share Now:

Kalinga News Beuro

Next Post

୧୦୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ : ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ଏମଡି ଦୀପକ କିଣ୍ଡୋ ଗିରଫ

Fri Mar 18 , 2022
ଭୁବନେଶ୍ୱର: ୧୦୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ଏମଡି ଦୀପକ କିଣ୍ଡୋଙ୍କୁ ଗିରଫ କରାଯାଇଛି। ପୂର୍ବତନ ଆଇଏଏସ୍ ଅଧିକାରୀ ସ୍ୱର୍ଗତ ଲିଭନସ କିଣ୍ଡୋଙ୍କ ପୁଅ ଦୀପକ କିଣ୍ଡୋଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଲୁଲୁଡ଼ିହାରୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି। ଦୀପକ କିଣ୍ଡୋ ଦୀର୍ଘ […]
୧୦୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial