୯ରେ ଦାୟିତ୍ବ ନେବେ ନୂଆ ମେୟର : ସୁଲୋଚନାଙ୍କ ପାଇଁ ଅଗ୍ନିପରୀକ୍ଷା

୯ରେ ଦାୟିତ୍ବ ନେବେ ନୂଆ ମେୟର

ଭୁବନେଶ୍ବର: ଆସନ୍ତା ୯ ତାରିଖରେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ନୂଆ ମେୟର ସୁଲୋଚନା ଦାସ। ଦୀର୍ଘ ୩ ବର୍ଷ ଧରି ଏହି ପଦବି ଫାଙ୍କା ପଡ଼ିବା ଫଳରେ ଅଫିସର ରାଜ୍‌ ଚାଲିଥିଲା। ଏବେ ମେୟର କାର୍ଯ୍ୟଭାର ନେବା ପରେ ଅଫିସର ରାଜ୍‌ରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ବିଏମ୍‌ସି ଅଫିସ୍‌ ପାଇଁ ନୂଆ କୋଠା ପ୍ରସ୍ତୁତ ହୋଇନଥିବାରୁ ପୁରୁଣା କୋଠାରେ ମେୟରଙ୍କ ଚାମ୍ବରକୁ ମରାମତି କରାଯାଇଛି। ପୁରୁଣା ଅଫିସ୍‌ରେ ନୂଆ ମେୟର କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି। ତେବେ ନୂଆ ମେୟରଙ୍କ ପାଇଁ ଆନନ୍ଦ ଯେତିକି ତା’ ଠାରୁ ଆହ୍ବାନ ବେଶୀ ରହିଛି। ସବୁଠାରୁ ବଡ଼ ଆହ୍ବାନ ହେଉଛି ଜଳବନ୍ଦୀ ସମସ୍ୟା। ଅସରାଏ ବର୍ଷାରେ ଭୁବନେଶ୍ବର ବାସିନ୍ଦା ଜଳବନ୍ଦୀ ହୋଇଯାଉଛନ୍ତି। ବର୍ଷ ବର୍ଷ ଧରି ଏହାର ସମାଧାନ ଯୋଜନା ହେଉଥିଲେ ମଧ୍ୟ ତାହା ଅଦ୍ୟାବଧି କେବଳ ଯୋଜନାରେ ରହିଯାଇଛି। ଆଗକୁ ବର୍ଷାଋତୁ ଆସୁଛି। ଏଣେ ଡ୍ରେନ୍‌ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ହୋଇନଥିବାରୁ ଏହା ବଡ଼ ଆହ୍ବାନ ହୋଇ ଛିଡ଼ା ହେବାକୁ ଯାଉଛି। ଯଦିଓ ବିଏମ୍‌ସି ତାହାର ବଜେଟ୍‌ରେ ଏହି ଡ୍ରେନ୍‌ ସମ୍ପ୍ରସାରଣ ପାଇଁ ଖର୍ଚ୍ଚ ବ୍ୟବସ୍ଥା ରଖିଛି, ଧିମା ଗତିରେ ଅଧିଗ୍ରହଣ ପ୍ରକ୍ରିୟା ଚାଲୁଥିବାରୁ ଚଳିତ ବର୍ଷ ଖର୍ଚ୍ଚ ନ ହେବା ଥୟ ହୋଇଛି। ଆଉ ଏକ ବଡ଼ ଆହ୍ବାନ ହେଉଛି ପରିମଳ ବ୍ୟବସ୍ଥା। ୬୭ ୱାର୍ଡରୁ ୫୭ଟିରେ ପରିମଳ ବ୍ୟବସ୍ଥା ଘରୋଇକରଣ କରାଯାଇଥିବା ବେଳେ ୧୦ଟିରେ ବିଏମ୍‌ସି ନିଜେ ଦାୟିତ୍ବରେ ରହିଥିଲା। ବିଭିନ୍ନ ସମୟରେ ଦେୟକୁ ନେଇ ବିବାଦ ଦେଖା ଦେବାରୁ ବିଏମ୍‌ସି ସମସ୍ତ ୱାର୍ଡକୁ ୧୦ଟି ପ୍ୟାକେଜ୍‌ରେ ଘରୋଇ କରଣ କରିବାକୁ ଯୋଜନା କରିଥିଲା। ଏଥିରେ ନୂଆ ସଂସ୍ଥା ଚୟନ କରାଯାଇଥାନ୍ତା। ହେଲେ ଏବେ ମାମଲା ହାଇକୋର୍ଟରେ ପହଞ୍ଚିବା ସହ ସ୍ଥିତାବସ୍ଥା ଜାରି ହୋଇଥିବାରୁ ଏହି ଘରୋଇକରଣ ହେବା ସମ୍ଭବ ହୋଇ ନାହିଁ। ଏଣୁ ପୂର୍ବଭଳି ପରିମଳ ବ୍ୟବସ୍ଥା ଭୁଷୁଡ଼ି ପଡ଼ିବା ଆଶଙ୍କା ରହିଛି। ଏବେ ସ୍ବଚ୍ଛ ସର୍ବେକ୍ଷଣ ଚାଲିଛି। ଏଥିରେ ରୢାଙ୍କ ନ ପାଇଲେ ଅପବାଦ ନୂଆ ମେୟର ମୁଣ୍ଡକୁ ଆସିବା ଆଶଙ୍କା ରହିଛି।
ହୋଲ୍ଡିଂ ଟ୍ୟାକ୍ସକୁ ନେଇ ବଡ଼ ବିବାଦ ରହିଛି। ବିଏମ୍‌ସ ମନଇଚ୍ଛା ଏହି ଟ୍ୟାକ୍ସ ବୃଦ୍ଧି କରିବାରୁ ମାମଲା କୋର୍ଟକୁ ଯିବା ପରେ ବର୍ଦ୍ଧିତ ଦେୟ ଉପରେ ରହିତାଦେଶ ହୋଇଛି। କିନ୍ତୁ କୋର୍ଟ ଆଦେଶ ପୂର୍ବରୁ ବର୍ଦ୍ଧିତ ଦରରେ ଅନେକ ଲୋକ ଜମା କରି ଦେଇଛନ୍ତି। ଏହି ବିବାଦକୁ ନେଇ ଅଧିକାଂଶ ଲୋକ ହୋଲ୍ଡିଂ ଟ୍ୟାକ୍ସ ଦେଉ ନାହାନ୍ତି। ଫଳରେ ରାଜସ୍ବ ଆୟ ଆଶାନୁରୂପ ହେଉ ନାହିଁ। ଏହି ଗୋଟିଏ ପ୍ରସଙ୍ଗ ନୁହେଁ, ଜନପ୍ରତିନିଧି ନ ଥିବା ବେଳ‌େ ଅଧିକାରୀମାନଙ୍କର ଅନେକ ନିଷ୍ପତ୍ତି ଜନସ୍ବାର୍ଥ ବିରୋଧରେ ଯାଇଛି। ଯାହା ମେୟରଙ୍କ ପାଇଁ ଆହ୍ବାନ ହେବାକୁ ଯାଉଛି। ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି ବିଏମ୍‌ସି କମିସନର ଅଫିସ୍‌ ଆସୁ ନାହାନ୍ତି କିମ୍ବା ସାଧାରଣ ଲୋକଙ୍କୁ ଦେଖା ଦେଉନାହାନ୍ତି। କାର୍ଯ୍ୟରେ ଯୋଗ ଦେବା ଦିନ ଠାରୁ ଏହି ପ୍ରକ୍ରିୟା ଚାଲିଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ରହିଛି। ମୌଳିକ ସମସ୍ୟାକୁ ନେଇ ଲୋକଙ୍କର ଗଦା ଗଦା ଅଭିଯୋଗ ରହିଛି। ଅନେକ ଛୋଟ ଛୋଟ ସମସ୍ୟା ଯାହା ଅତି ସହଜରେ ସମାଧାନ ହୋଇଯିବା କଥା ତାହା ପଡ଼ି ରହିଥିବାରୁ କେବଳ ମେୟର ନୁହେଁ, ପ୍ରତ୍ୟେକ ନିର୍ବାଚିତ ଜନପ୍ରତିନିଧି ‌ଏଥିରେ ଛନ୍ଦି ହେବାକୁ ଯାଉଛନ୍ତି। ପାର୍କିଂକୁ ନେଇ ବଡ଼ ବିବାଦ ରହିଛି। କିନ୍ନରମାନଙ୍କ ଜୀବନଧାରଣ ମାନ ବୃଦ୍ଧି କରିବାକୁ ଯାଇ ବିଏମ୍‌ସି ପାକିଂ ଜାଗାଗୁଡ଼ିକୁ ନିଲାମ ନ କରି କିନ୍ନରଙ୍କୁ ଦେଇ ଦେଇଛି। ମାସ ଶେଷରେ ନିଲାମ୍‌ ବାବଦକୁ ଚୁକ୍ତି ଅର୍ଥ ପାଇ ବିଏମ୍‌ସି ଖୁସି ହୋଇଯାଉଛି। କିନ୍ତୁ କିନ୍ନରମାନଙ୍କର ଜୀବନଧାରଣ ମାନ ଉନ୍ନତି ନିର୍ଦ୍ଦିଷ୍ଟ କେତୋଟି ପାର୍କିଂ ସ୍ଥଳ ଦେଇ ବାକି ପାର୍କିଂ ସ୍ଥଳକୁ ନିଲାମ କରିଥିଲେ ଅଧିକ ରାଜସ୍ବ ଆସିଥାନ୍ତା। ଜନପଥରେ ଯେଭଳି ଅନ୍‌ଲାଇନ୍‌ ବ୍ୟବସ୍ଥା ହୋଇଛି ଯେଉଁଥିରେ ଠକେଇ ହୋଇ ପାରିବ ନାହିଁ ସେଭଳି ବ୍ୟବସ୍ଥା କରିଥିଲେ ରାଜସ୍ବ ବଢ଼ିବା ସହ ସାଧାରଣ ଲୋକ ଠକାମୀର ଶିକାର ହୋଇନଥାନ୍ତେ। ଏହି ପାର୍କିଂ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରବଳ ଜନ ଅସନ୍ତୋଷ ରହିଛି। ଯାହାକୁ ନୂଆ ପରିଷଦ ସାମ୍ନା କରିବାକୁ ଯାଉଛି। ଅନ୍ୟପଟେ ଭୁବନେଶ୍ବରର ପ୍ରମୁଖ ସମସ୍ୟା ହେଉଛି ବର୍ଜ୍ୟବସ୍ତୁ ପରିଚାଳନା। ଦାରୁଠେଙ୍ଗରେ ଅଦ୍ୟାବଧି ବାୟୋମାଇନିଂ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନଥିବାରୁ ଆବର୍ଜନା ଗଦା ହୋଇ ରହିଛି। ଏଣେ ଆବଶ୍ୟକ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର (ଏମସିସି)ହୋଇ ନ ଥିବାରୁ ଆବର୍ଜନା ଗଦା ହୋଇ ରହୁଛି। ପ୍ରତ୍ୟେକ ଦିନ ଏହି ସମସ୍ୟା ବଢ଼ିବାରେ ଲାଗିଛି। ଏହା ଛଡ଼ା ବସ୍ତିରେ ମୌଳିକ ସମସ୍ୟା, ଜାଗା ମିସନ୍‌, ରାସ୍ତାଘାଟକୁ ନେଇ ରହିଥିବା ସମସ୍ୟା ସମାଧାନ ଦିଗରେ ନୂଆ ମେୟର ଓ ତାଙ୍କ ଟିମ୍‌ କ’ଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି।

Share Now:

Kalinga News Beuro

Next Post

ସିଆଇଏସ୍‌ଫ୍‌ କନ୍‌ଷ୍ଟେବଳଙ୍କ ସହାୟତାରେ ମେଟ୍ରୋ ଷ୍ଟେସନ୍‌ରେ ପିଲା ଜନ୍ମ କଲେ ମହିଳା

Fri Apr 8 , 2022
ନୂଆଦିଲ୍ଲୀ: ଜଣେ ୨୨ ବର୍ଷୀୟା ଗର୍ଭବତୀ ମହିଳା ଗୁରୁବାର ଆନନ୍ଦ ବିହାର ମେଟ୍ରୋ ଷ୍ଟେସନ୍‌ରେ ଏକ ପିଲାକୁ ଜନ୍ମ ଦେଇଛନ୍ତି। ମହିଳାଙ୍କ ଯନ୍ତ୍ରଣା ହେବା ପରେ ତାଙ୍କୁ ସହାଯ୍ୟ କରିବାକୁ ଧାଇଁ ଆସିଥିଲେ ସିଆଇଏସ୍‌ଫ୍‌ର ଜଣେ ମହିଳା କନ୍‌ଷ୍ଟେବଳ ଓ ଆଉ କିଛି ମହିଳା ଯାତ୍ରୀ। ପ୍ରସୂତୀ ଜଣକ ଅପରାହ୍ନ ପ୍ରାୟ ୩.୩୦ ସମୟରେ ଫ୍ଲାଟ୍‌ଫର୍ମରେ ଅପେକ୍ଷା କରିଥିବା ବେଳେ ଏହି ଘଟଣା ଘଟିଥିବା ସୂଚନା ରହିଛି। ପ୍ରସୂତୀ ୩ […]
ମେଟ୍ରୋ ଷ୍ଟେସନ୍‌ରେ ପିଲା ଜନ୍ମ କଲେ ମହିଳା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial