ମୁମ୍ବାଇ: ମୁମ୍ବାଇରୁ ‘ଓମିକ୍ରନ୍’ର ଉପ-ପ୍ରଜାତି ଏକ୍ସ୍ଇର ଦ୍ବିତୀୟ ମାମଲା ଚିହ୍ନଟ ହୋଇଛି। ବ୍ରିହନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ନିଶ୍ଚିତ କରିଛି ଯେ ମୁମ୍ବାଇର ସାଣ୍ଟାକ୍ରୁଜରେ ରହୁଥିବା ଜଣେ ୬୭ ବର୍ଷ ବୟସ୍କ ବ୍ୟକ୍ତି ଏକ୍ସ୍ଇ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତଜଣକ ମାର୍ଚ୍ଚ ୧୧ରେ ନିଜ କାମ ପାଇଁ ଭଦୋଦରା ଯାଇଥିଲେ। ସେଠାରେ ହୋଟେଲରେ ଏକ ସଭାରେ ଯୋଗଦେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଯେତେବେଳେ ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା, ସେତେବେଳେ ସେ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଥିଲା। ବିଏମସି କହିଛି ଯେ, ସଂକ୍ରମିତଙ୍କଠାରେ କରୋନାର କୌଣସି ଲକ୍ଷଣ ନଥିବାରୁ ସେ ଭଦୋଦରାରୁ ମୁମ୍ବାଇ ଚାଲିଆସିଥିଲେ। ପରେ ତାଙ୍କ ନମୁନାର ଜିନମ ସିକ୍ୟୁଏନସିଂ କରାଯିବାରୁ ସେ ‘ଓମିକ୍ରନ୍’ର ଉପ-ପ୍ରଜାତି ଏକ୍ସ୍ଇ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ବ୍ୟକ୍ତିଜଣକ କରୋନା ଟିକାର ଦୁଇଟି ଡୋଜ ନେଇଛନ୍ତି ଏବଂ ତାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନାହିଁ। ଏବେ ତାଙ୍କ ଅବସ୍ଥା ସ୍ଥିର ଅଛି। ଏହା ପୂର୍ବରୁ ଗୁଜରାଟରେ ‘ଓମିକ୍ରନ୍’ର ଉପ-ପ୍ରଜାତି ଏକ୍ସ୍ଇ ଭାରିଆଣ୍ଟର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା। ମାର୍ଚ୍ଚ ୧୩ ତାରିଖରେ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଉକ୍ତ ରୋଗୀଜଣକ ୧ ସପ୍ତାହ ମଧ୍ୟରେ ସୁସ୍ଥ ହୋଇଯାଇଥିଲେ। ତାଙ୍କୁ ଆକ୍ରାନ୍ତ କରିଥିବା ଭୂତାଣୁର ‘ଜିନୋମ୍-ସିକ୍ବେନ୍ସିଙ୍ଗ୍’ କରାଯିବା ପରେ ସେ ‘ଏକ୍ସଇ କରୋନାଭାଇରସ୍ ଭାରିଆଣ୍ଟ’ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।
ମୁମ୍ବାଇରୁ ଏକ୍ସଇ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଥିବା ଦ୍ବିତୀୟ ଆକ୍ରାନ୍ତ ଚିହ୍ନଟ

Share Now: