ଦୟାୱେଷ୍ଟ କେନାଲର ଦୟନୀୟ ସ୍ଥିତି: ମାଡ଼ି ବସିଲେଣି ଜମି ମାଫିଆ!

ରାଜନେତାଙ୍କ ଚାପରେ ସମସ୍ତେ ଚୁପ୍‌, ଅସହାୟ ପ୍ରାଚୀ ଡିଭିଜନ୍‌, ବିଏମ୍‌ସିର ନିଘା ନାହିଁ

ଭୁବନେଶ୍ୱର: ହଜିଯିବ ଦୟାୱେଷ୍ଟ କେନାଲ। ଦିନେ ଭୁବନେଶ୍ୱରବାସୀଙ୍କ ଲାଇଫ୍‌ ଲାଇନ୍‌ ପାଲଟିଥିବା ଏହି କେନାଲ୍‌ ଅବସ୍ଥା ଏବେ ଦୟନୀୟ ହୋଇପଡ଼ିଛି। କଟକ ଜିଲ୍ଲା ମୁଣ୍ଡୁଳିଠାରୁ ବାହାରିଥିବା ଏହି କେନାଲ ଚକେଇସିଆଣି, ପଳାସୁଣି, ଜିଜିପି କଲୋନି, ଲକ୍ଷ୍ମୀସାଗର, ଝାରପଡ଼ା, ବଡ଼ଗଡ଼, ବ୍ରହ୍ମେଶ୍ୱର ପାଟଣା, ଗ୍ୟାରେଜ୍‌ ଛକ, ସାମନ୍ତରାପୁର ଅଞ୍ଚଳ ଦେଇ ୧୪ କିମି ପ୍ରବାହିତ ହେବା ପରେ ରଥିପୁରଠାରେ ଶେଷ ହୋଇଛି। ଚାଷବାସ ସମେତ ବିଭିନ୍ନ କାର୍ଯ୍ୟ ଲାଗି ଅଞ୍ଚଳବାସୀ ଏହି କେନାଲ ଉପରେ ନିର୍ଭର କରୁଥିବା ବେଳେ ଗତ କିଛି ବର୍ଷ ହେଲା ଏହି କେନାଲ ଉପରେ ପଡ଼ିଛି ଜମି ମାଫିଆଙ୍କ ଲୋଲୁପଦୃଷ୍ଟି। ଖଣ୍ଡ ଖଣ୍ଡ କରି ଏହି କେନାଲ୍‌କୁ ନଷ୍ଟ କରିଚାଲିଛନ୍ତି। କେଉଁଠି କେନାଲକୁ ପୋତି ଘର ତିଆରି ହେଲାଣି ତ ଆଉ କେଉଁଠି ତିଆରି ହୋଇଛି ବ୍ୟବସାୟିକ ପ୍ରତିଷ୍ଠାନ। ଦୟାୱେଷ୍ଟକୁ ବେଧଡ଼କ ନଷ୍ଟ କରାଯାଉଥିଲେ ମଧ୍ୟ ପ୍ରଶାସନର ଏଥିପ୍ରତି ନିଘା ନାହିଁ। ସମସ୍ତେ ସବୁ ଜାଣି ଚୁପ୍‌। କିଛି ରାଜନେତା ଓ କର୍ପୋରେଟର୍‌ ମଧ୍ୟ ଏହାର ମୁଖ୍ୟ କାର୍ପଟଦାର ସାଜିଛନ୍ତି।

ଦୟାୱେଷ୍ଟ କେନାଲ୍‌ର ଦୁଇପାର୍ଶ୍ୱରେ ଗଢ଼ିଉଠିଛି ମାଳ ମାଳ ଘର। କେଉଁଠି ଆଜବେଷ୍ଟସ ତ ଆଉ କେଉଁଠି କୋଠା ଘର ଛିଡ଼ା ହୋଇଛି। ଚକେଇସିଆଣି ଅଞ୍ଚଳରେ କେନାଲ ଭିତରେ ବସ୍ତି ଗଢ଼ି ଉଠିଥିବାରୁ ୫୦ ଫୁଟ୍‌ ଓସାରର କେନାଲ ଏବେ ମାତ୍ର ୧୫ ଫୁଟ୍‌ରେ ପହଞ୍ଚିଛି। ପ୍ରଶାସନ ପକ୍ଷରୁ କେନାଲ୍‌ର ମରାମତି କରାଯାଇଥିଲେ ମଧ୍ୟ ଜବରଦଖଲ ହଟେଇବାକୁ ପ୍ରଶାସନର ହାତ ଯାଉନି। ଖରା ଦିନେ ଏହି କେନାଲ ଶୁଖିଲା ପଡ଼ିଥିଲା ବେଳେ ଏବେ ବର୍ଷା ଦିନ ଆସୁଛି। ତେଣୁ ପରିସ୍ଥିତି ଜଟିଳ ହେବାର ଆଶଙ୍କା ପ୍ର୍ରକାଶ ପାଇଛି।

ପଳାସୁଣି ନିକଟରେ ଜାତୀୟ ରାଜପଥ ଏହି କେନାଲକୁ ଦୁଇ ଭାଗରେ ବିଭକ୍ତ କରିଛି। ଆଉ ଏହିଠାରୁ ଯେଉଁ ଚିତ୍ର ଦେଖିବାକୁ ମିଳୁଛି ତାହା ନ କହିବା ଭଲ। ବେଧଡ଼କ ଭାବେ ପୋତା ଚାଲିଛି କେନାଲ। ଯିଏ ଯେମିତି ପାରିଲେ କେନାଲ୍‌କୁ ପୋତି ଚାଲିଛନ୍ତି। ଇଟା, ଢଳେଇ, କଂକ୍ରିଟ୍‌, ମାଟି ପକାଇ କୋନାଲ ପୋତା ହେଉଛି। କେତେକ ସ୍ଥାନରେ ଲୋକେ ନିଜ ଘର ସମ୍ମୁଖ ସମ୍ପ୍ରସାରଣ କରିବା ଲାଗି କେନାଲ ପୋତୁଛନ୍ତି। ଜିଜିପି କଲୋନିଠାରୁ ଝାରପଡ଼ା ଆଡ଼କୁ ଯାଇଥିବା ପ୍ରାୟ ଦେଢ଼ କିମି ଅଞ୍ଚଳରେ କେନାଲ ଭିତରେ ଗଢ଼ି ଉଠିଛି କୋଠା। ଦୁଇ ପାର୍ଶ୍ୱରେ ଏଭଳି ଘର ତିଆରି ହୋଇଛି, ସତେଯେମିତି ନିଜର ପୈତୃକ ସମ୍ପତ୍ତି। ଏହି ଅଞ୍ଚଳରେ ଗଢ଼ି ଉଠିଥିବା ୩୦୦ରୁ ଅଧିକ ଘରେ ଯେଉଁମାନେ ରହୁଛନ୍ତି, ସେମାନେ ଘର ତିଆରି କରି ନାହାନ୍ତି। ବରଂ କେତେଜଣ ରାଜନୈତିକ ବ୍ୟକ୍ତିଙ୍କ କବ୍‌ଜାରେ ଏହି ଜାଗା ରହିଛି। ସେମାନେ ଘର ତିଆରି କରି ଭଡ଼ା ଲଗାଇ ଦେଇଛନ୍ତି। ଏଥିପାଇଁ ପ୍ରତି ମାସରେ ସେମାନେ ଅର୍ଥ ମଧ୍ୟ ଆଦାୟ କରୁଛନ୍ତି। ବେଆଇନ ଭାବେ ରହୁଥିଲେ ମଧ୍ୟ ଏଠାକୁ ବିଦ୍ୟୁତ ସଂଯୋଗ ହୋଇଛି। ପାଣି ପାଇପି ବି ବିଛା ଯାଇଛି। ଏନେଇ ପ୍ରାଚୀ ଡିଭିଜନ୍‌ର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ, କେନାଲ ଉପରୁ ଜବରଦଖଲ ହଟାଇବା ଲାଗି ଆମେ ବାରମ୍ବାର ବିଏମ୍‌ସିକୁ ଚିଠି ଲେଖିଛୁ। କିଛି ବି ଫଳ ମିଳୁନି। ସେମାନେ ପଦକ୍ଷେପ ନେଉନାହାନ୍ତି।

୨୦ ଭାଙ୍ଗିଥିଲେ, ୨୦୦ ଛିଡ଼ା ହେଲାଣି
ସବୁଠାରୁ ବଡ଼ କଥା ହେଲା, କେନାଲ ଭିତରେ ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ଉଠିଛି। ରାସ୍ତା ପାର୍ଶ୍ୱରେ ମାଂସ ଦୋକାନ ରହିଛି। ପ୍ରତିିଦିନ ହଜାର ହଜାର ଗାଡ଼ି ଏହି ରାସ୍ତା ଦେଇ ଯାଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଭିଡ଼ ମଧ୍ୟ ବଢ଼ୁଛି। ଗତ ୫ ବର୍ଷରେ ଅନେକଥର ଉଚ୍ଛେଦ ପାଇଁ ଉଦ୍ୟମ ହୋଇଛି। ଏଥିପାଇଁ ପ୍ରଚୁର ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଇଛି, କିନ୍ତୁ ଫଳ କିଛି ମିଳିନି। ଗତବର୍ଷ ବର୍ଷା ଆସିବା ପୂର୍ବରୁ ପ୍ରାୟ ୨୦ଟି ଦୋକାନ ଭଙ୍ଗା ଯାଇଥିଲା। ହେଲେ ଗୋଟିଏ ବର୍ଷ ମଧ୍ୟରେ ପୁଣିଥରେ ଛିଡ଼ା ହୋଇଯାଇଛି ୨୦୦ରୁ ଅଧିକ ଦୋକାନ।

ଦଳରେ ଭର୍ତି କେନାଲ
କିଛି ବର୍ଷ ହେଲା ମୌସୁମୀ ଆସିବା ପୂର୍ବରୁ ଦୟାୱେଷ୍ଟ କେନାଲରୁ ଦଳ କଢ଼ା ଯାଉଥିଲା। କିନ୍ତୁ ଏଥର ସେଭଳି କିଛି ବି କରାଯାଇ ନାହିଁ। ଯେମିତିକୁ ସେମିତି କେନାଲରେ ଦଳ ଭର୍ତ୍ତି ହୋଇ ରହିଛି। ଦଲାଲ୍‌ମାନେ କେନାଲକୁ କବ୍‌ଜା କରିବା ଫଳରେ ଉପରମୁଣ୍ଡରୁ ପାଣି ଆସିପାରୁ ନାହିଁ। ସହରରୁ ବାହାରୁଥିବା ଅଳିଆ ଆବର୍ଜର୍ନା ପାଣି ଏବେ କେନାଲ୍‌ରେ ମିଶୁଛି। ଏହି ଆବର୍ଜନା ପାଣି ନିଷ୍କାସିତ ହୋଇପାରୁନି। ପଳାସୁଣିରୁ ଜିଜିପି କଲୋନି ଆଡ଼କୁ ଯାଇଥିବା ରାସ୍ତାର ଉଚ୍ଚତା ବି କମିଯାଇଛି। ବଡ଼ଧରଣର ଅସରାଏ ବର୍ଷା ହେଲେ ସ୍ଥିତି ଖରାପ ହେବାର ଆଶଙ୍କା ପ୍ରକାଶ ପାଇଛି। ଏପରିକି ଯଦି କେନାଲକୁ ଖୋଳା ନ ଯାଏ କିମ୍ବା ଦଳ କଢ଼ା ନ ଯାଏ ତେବେ ବର୍ଷା ଦିନେ ବନ୍ଧ ବୁଡ଼ି ଲୋକଙ୍କ ଘରେ ପାଣି ପଶିବା ଅସମ୍ଭବ ନୁହେଁ ବୋଲି ଆଲୋଚନା ହେଉଛି।

Share Now:

Kalinga News Beuro

Leave a Reply

Next Post

ଚୀନ୍‌ରେ ଆମେରିକୀୟ କୂଟନୀତିଜ୍ଞଙ୍କୁ ରହସ୍ୟମୟ ରୋଗ: ସ୍ୱଦେଶ ଫେରୁଛନ୍ତି କର୍ମଚାରୀ

Fri Jun 8 , 2018
ଗୁଆଙ୍ଗଝୁ(ଚୀନ୍‌): ଚୀନ୍‌ର ଗୁଆଙ୍ଗ୍‌ଝୁସ୍ଥିତ ଦୂତାବାସରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ପୁଣି କୌଣସି ଏକ ଅଜଣା ଏବଂ ରହସ୍ୟଜନକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏଥିରେ ଭୟଭୀତ ହୋଇ ଆମେରିକା ଏହାର କେତେକ କର୍ମଚାରୀଙ୍କୁ ନିଜ ଦେଶକୁ ଫେରାଇ ନେଉଥିବା ଜଣାଯାଇଛି। ଆମେରିକାର କର୍ମଚାରୀମାନେ ରୋଗରେ ଆକ୍ରାନ୍ତ ହୋଇଥିବା ବିଷୟ ଡାକ୍ତରୀ ଯାଞ୍ଚରୁ ଜଣାପଡ଼ିବା ପରେ ଆମେରିକା ଏଭଳି ପଦକ୍ଷେପ ନେଇଛି। ଆମେରିକାର ଏକ ଡାକ୍ତରୀଦଳ ଗୁଆଙ୍ଗଝୁରେ କାର୍ଯ୍ୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial