ବେପରୁଆ ବିଏମ୍‌ସି : ଭୁଆସୁଣି ବାୟୋମାଇନିଂ ପ୍ରକଳ୍ପରେ କେଁ

ଭୁଆସୁଣି ବାୟୋମାଇନିଂ ପ୍ରକଳ୍ପ

ଭୁବନେଶ୍ବର: ନାନା କଳ୍ପନାଜଳ୍ପନା, ବାଦବିବାଦ ପରେ ଜାନୁଆରି ଶେଷ ସୁଦ୍ଧା ଭୁଆସୁଣିରେ ବାୟୋମାଇନିଂ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯୋଜନା ହୋଇଥିଲା। କେବଳ ଯୋଜନା ହୋଇନଥିଲା ବରଂ ଦୁଇଟି ସଂସ୍ଥାଙ୍କ ସହ ଚୁକ୍ତିନାମା କରିଥିଲା ବିଏମ୍‌ସି। ଉଭୟ ସଂସ୍ଥା ମଧ୍ୟ ପ୍ରସ୍ତୁତ ଥିଲେ। ଚଟାପଟ୍‌ କାମ ଆରମ୍ଭ କରିବା ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ହେଲେ ସେଥିରେ ଏବେ ଉଠିଛି କେଁ। ଯେତିକି ଆବର୍ଜନା ସେଠାରେ ପଡ଼ିଛି ସେତିକି ଆବର୍ଜନାକୁ ପରିଚାଳନା କରିବା ପାଇଁ ଚୁକ୍ତି ହୋଇଛି। କିନ୍ତୁ ବିଏମ୍‌ସି ସେଠାରେ(ଭୁଆସୁଣି) ଏବେ ବି ଟନ୍‌ ଟନ୍‌ ଆବର୍ଜନା ଗଦା କରିବାରେ ଲାଗିଛି। ଅନ୍ୟତ୍ର ଆବର୍ଜନା ଗଦା କରିବା ପାଇଁ ବିଏମ୍‌ସି ପାଖ‌ରେ ଜାଗା ନଥିବାରୁ ପ୍ରକଳ୍ପ ଆରମ୍ଭ ହୋଇ ପାରୁନି। ସହରରୁ ଯେତିକି ଆବର୍ଜନା ବାହାରୁଛି ସେ ସବୁକୁ ପରିଚାଳନା କରିବା ପାଇଁ ଯଥେଷ୍ଟ ପରିମାଣର ଏମ୍‌ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ପ୍ରସ୍ତୁତ ହୋଇନାହିଁ। ଫଳରେ ବାୟୋ ମାଇନିଂ ପ୍ରକଳ୍ପ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଭୁଆସୁଣିର ପ୍ରାୟ ୬୦ ଏକର ଜାଗାରେ ୧୬ଲକ୍ଷ ମେଟ୍ରିକ୍ ଟନ୍ ଆବର୍ଜନା ଗଦା ହୋଇ ରହିଥିଲା। କିନ୍ତୁ କ୍ରମାଗତ ଭାବରେ ଏଠାରେ ଆବର୍ଜନା ଜମା ହେଉଥିବାରୁ ଏହାର ପରିମାଣ ୧୬ ଲକ୍ଷରୁ ବଢ଼ି ଗଲାଣି। ଏକ ନିର୍ଦ୍ଦିଷ୍ଟ ପରିମାଣର ଆବର୍ଜନା ପରିଚାଳନା ପାଇଁ ସଂସ୍ଥାଦ୍ବୟ ସହ ଚୁକ୍ତି ହୋଇଥିଲା। ଆବର୍ଜନା ଆଉ ଗଦା ନ କରିବା ପାଇଁ ସର୍ତ୍ତ ରହିଥିଲା। ଏହା ପଛର ଯୁକ୍ତି ଥିଲା ଯେ ଯଦି ନୂଆ ଆବର୍ଜନା ଗଦା ହେଉଥିବ ଓ ଏପଟେ ପରିଚାଳନା ହୋଇ ଚାଲିଥିବ; ତେବେ ଗୋଦରା କୋଡ଼େ ଯେତେ ମାଡ଼େ ସେତେ ଭଳି ସ୍ଥିତି ହେବ। ଏଣୁ ନୂଆ ଆବର୍ଜନା ଗଦା ହେବା ବନ୍ଦ ହେଲେ ପ୍ରକଳ୍ପ କାମ ଆରମ୍ଭ କରାଯିବା କଥା। ଅନ୍ୟପଟେ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ନୂଆ ଆବର୍ଜନା ପକାଇବା ବନ୍ଦ କରିବା ପାଇଁ ବିଏମ୍‌ସି ନିକଟରେ ବାରମ୍ବାର ଦାବି ରଖୁଛନ୍ତି। କିନ୍ତୁ ବିକଳ୍ପ ଜାଗା ନ ଥିବାରୁ ବିଏମ୍‌ସି ସେମାନଙ୍କ ସହ ଆଲୋଚନାକୁ ଏଯାଏ ଓହ୍ଲାଉ ନାହିଁ। ଉପାୟଶୂନ୍ୟ ହୋଇ ବିଏମ୍‌ସି ଆବର୍ଜନା ଗଦା କରିବାରେ ଲାଗିଛି। ଫଳରେ ପ୍ରକଳ୍ପ ଆରମ୍ଭ ହେବା ଦିନ ଗଡ଼ି ଗଡ଼ି ଯାଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି।
ବର୍ଷା ଦିନ ଆସିଲେ ସମସ୍ୟା ଆହୁରି ବଢ଼ିବ
ଆଗକୁ ବର୍ଷା ଋତୁ ଆସୁଛି। ବର୍ଷା ଆସିଗଲେ ଏହି କାମ ଆଉ ସମ୍ଭବ ହେବ ନାହିଁ। କାରଣ ବର୍ଷ ବର୍ଷ ଧରି ଆବର୍ଜନା ଏଠାରେ ଗଦା ହୋଇ ରହିବା ଫଳରେ ବିଭିନ୍ନ ପ୍ରକାରର ଆବର୍ଜନା ବାନ୍ଧି ହୋଇ ରହିଛି। ସେଗୁଡ଼ିକୁ ପ୍ରଥମେ ଜେସିବି ସାହାଯ୍ୟରେ ତଳଉପର କରାଯିବ। ବେଶ୍‌ କିଛି ଦିନ ଖୋଲା ପବନ ଓ ସୂର୍ଯ୍ୟକିରଣ ପାଇବା ପରେ ପୃଥକୀକରଣ ପ୍ରକ୍ରିୟା ଆରମ୍ଭ ହେବ। ପ୍ରକଳ୍ପ ଆରମ୍ଭ ହେବା ଯଦି ବିଳମ୍ବ ହେଲା ତେବେ ଠିକ୍‌ ଆବର୍ଜନାକୁ ଖରା ଦେ‌ବା ବେଳକୁ ହିଁ ବର୍ଷା ହେବ। ଏଣୁ ଉଦ୍ଦେଶ୍ୟ ପୂରଣ ହେବ ନାହିଁ। ଏବେ ପ୍ରଶ୍ନ ଉଠୁଛି ବାୟୋମାଇନିଂ ପାଇଁ ଚୁକ୍ତି କଲା ବେଳେ ବିଏମ୍‌ସି ଏହି ଦିଗ ପ୍ରତି ଧ୍ୟାନ ଦେଲା ନାହିଁ କାହିଁକି? ପ୍ରତ୍ୟେହ ସହରରୁ ବାହାରୁ ଥିବା ଆବର୍ଜନାକୁ ପରିଚାଳନା କରିବା ଭଳି ଏମ୍‌ସିସିଗୁଡ଼ିକୁ ପ୍ରସ୍ତୁତ କରାଯାଇନଥିଲା ତେବେ ଚୁକ୍ତିନାମା କରାଯାଇଥିଲା କାହିଁକି? ଏବେ ଆବର୍ଜନା ଗଦା କରିବାକୁ ଜାଗା ଖୋଜିବେ ନା ଯଥେଷ୍ଟ ପରିମାଣର ଏମ୍‌ସିସି ଖୋଲିବା ପରେ ବାୟୋମାଇନିଂ ଆରମ୍ଭ ହେବ? ଏଭଳି ଅନେକ ପ୍ରଶ୍ନ ଏବେ ବିଏମ୍‌ସିକୁ ବିବାଦକୁ ଟାଣିଥିବା ବେଳେ ପ୍ରକଳ୍ପ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆବଶ୍ୟକ ମୁତାବକର ଏମ୍‌ସିସି ଖୋଲା ଯାଉଛି। ନୂଆ ଆବର୍ଜନା ଯେଭଳି ସେଠାକୁ ଯିବ ନାହିଁ ଆମେ ବ୍ୟବସ୍ଥା କରୁଛୁ। ଖୁବ୍‌ଶୀଘ୍ର ବାୟୋମାଇନିଂ କାମ ଆରମ୍ଭ ହେବ। ପ୍ରଥମେ ୨୦୧୯ ମସିହାରେ ୬୩ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ହେବାକୁ ଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ୨୦୨୧ ଏପ୍ରିଲ ମାସରେ ପୁଣି ଥରେ ୪୦ କୋଟି ବ୍ୟୟରେ ପ୍ରକଳ୍ପ ପାଇଁ ଯୋଜନା ହେଲା। ତାହା ମଧ୍ୟ ଫେଲ୍‌ ମାରିଲା। ଏବେ ୧୦୩ କୋଟି ଟଙ୍କାରେ ଏହି ପ୍ରକଳ୍ପ ହେବ। ଜାଗୃତି ଓ ଜନଆଧାର ସେବାଭାବି ସଂସ୍ଥାକୁ ଏହି କାମ କରିବା ପାଇଁ ସ୍ବୀକୃତି ମିଳିଛି। ୬୦ ଏକର ଜମିକୁ ଆବର୍ଜନାମୁକ୍ତ କରାଯାଇ ଖାଲ ଜାଗାକୁ ପୂର୍ଣ୍ଣ କରାଯିବ। ୨୦୨୫ ମସିହା ଜୁଲାଇ ମାସ ସୁଦ୍ଧା ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି।
କେମିତି ହେବ ଏହି ବାୟୋମାଇନିଂ
ଭୁଆସୁଣିର ପ୍ରାୟ ୬୦ ଏକର ଜାଗାରେ ୧୬ଲକ୍ଷ ମେଟ୍ରିକ୍ ଟନ୍ ଆବର୍ଜନା ଗଦା ହୋଇ ରହିଛି। ବାୟୋମାଇନିଂ ପ୍ରକ୍ରିୟ‌ାରେ ଦିନକୁ ୨ହଜାର ଟନ୍ ଆବର୍ଜନା ପୃଥକୀକରଣ ଓ ପ୍ରକ୍ରିୟାକରଣ ହେବ। ପ୍ରଥମେ ୱିଣ୍ଡ୍ରୋସ୍‌ ପ୍ରକ୍ରିୟାରେ ଜେସିବି ସାହାଯ୍ୟରେ ଆବର୍ଜନାକୁ ତାଡ଼ି ଖୋଲା ପବନ ଓ ଖରା ଦିଆଯିବ। ଏହା ପରେ ଟ୍ରନେଲ୍‌ ମେସିନ୍‌ରେ ସହାୟତାରେ ଆକାର ଅନୁସାରେ ଅର୍ଥାତ୍‌ ୧୦୦, ୩୫, ୧୬ ଓ ୬ ମିଲିମିଟର ଆକାରର ଆବର୍ଜନାକୁ ଅଲଗା ଅଲଗା କରିଦିଆଯିବ। ଏହା ପରେ ଫାଇନ୍‌ ଆର୍ଥ ଓ ଆରଡିଏଫ୍‌ ଏଭଳି ଦୁଇ ଭାଗରେ ଆବର୍ଜନାକୁ ବାଣ୍ଟି ଦିଆଯିବ। ଆରଡିଏଫ୍‌ରେ ପ୍ଲାଷ୍ଟିକ୍‌, କନା, ଅଖା, କାଠ, ଇଟା-ପଥର-କଂକ୍ରିଟ୍‌ ପ୍ରଭୃତି ଜିନିଷ ରହିବ। ଏହାକୁ ପରିଚାଳନା କରାଯାଇ ସିମେଣ୍ଟ ଫ୍ୟାକ୍ଟ୍ରି ଓ ଥର୍ମାଲ ପ୍ଲାଣ୍ଟକୁ ଯିବ। ଖାଲୁଆ ଜାଗା ଭର୍ତ୍ତି କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇ ପାରିବ। ବାକି ୬ ମିଲିମିଟର ଆକରର ଯେଉଁ ଆବର୍ଜନା ବାହାରିବ ତାହା ଫାଇନ୍‌ ଆର୍ଥ। ଏଥିରେ ରସାୟନିକ ପଦାର୍ଥ ମିଶାଯାଇ କମ୍ପୋଷ୍ଟ କରାଯିବ, ଯାହା ଏହି ପ୍ରକଳ୍ପର ଶେଷ ଉତ୍ପାଦ ହେବ।

Share Now:

Kalinga News Beuro

Next Post

ଆଫଗାନୀଙ୍କ ଧୈର୍ଯ୍ୟର ପରୀକ୍ଷା ନିଅ ନାହିଁ : ପାକିସ୍ତାନକୁ ତାଲିବାନର ଚେତାବନୀ

Sun Apr 17 , 2022
କାବୁଲ: ଆଫଗାନିସ୍ତାନର ଖୋସ୍ତ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ ଘଟଣାକୁ ନେଇ ଖପ୍ପା ହୋଇଛି ତାଲିବାନ। ଆଫଗାନିସ୍ତାନର ଖୋସ୍ତ ଏବଂ କୁନାର ପ୍ରଦେଶରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ନେଇ ତାଲିବାନ ରବିବାର ଦିନ ପାକିସ୍ତାନକୁ ଚେତାବନୀ ଦେଇଛି। ତାଲିବାନ, ଆଫଗାନିସ୍ତାନର ଧୈର୍ଯ୍ୟ ପରୀକ୍ଷା ନକରିବାକୁ ପାକିସ୍ତାନକୁ କହିଛି। ଶୁକ୍ରବାର ରାତିରେ ଆଫଗାନିସ୍ତାନର ଖୋଷ୍ଟ ଏବଂ କୁନାର ପ୍ରଦେଶରେ ପାକିସ୍ତାନ ଦ୍ୱାରା ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏହି ଆକ୍ରମଣରେ ୪୦ରୁ ଅଧିକ ସାଧାରଣ […]
ପାକିସ୍ତାନକୁ ଚେତାବନୀ ଦେଲା ତାଲିବାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial