ଲୋପ ପାଇଯିବ କି ମଠ ସଂସ୍କୃତି ?

ଭୁବନେଶ୍ବରର ମଠ ସଂସ୍କୃତି

ଛାମୁଣ୍ଡିଆ ତଳେ ୨, ଅର୍ଥ ସଂକଟରେ ଗୋପାଳ ତୀର୍ଥ ମଠ

ଭୁବନେଶ୍ବର: ଦିନ ଥିଲା ପୁରୁଣା ଭୁବନେଶ୍ବରର ମଠ ସଂସ୍କୃତି ଓଡ଼ିଆ ପ୍ରାଣର ଭାବାବେଗ ସହିତ ଜଡ଼ିତ ଥିଲା। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ସମୟରେ ଚାରି ଚାରିଟି ମଠରୁ ଭୋଗ ଲାଗି ହେଉଥିଲା। ମାତ୍ର ସମୟ ବଦଳିଯାଇଛି। ପ୍ରଶାସନର ଅବହେଳାରୁ ଏହି ପ୍ରାଚୀନ ମଠ ସଂସ୍କୃତି ଲୋପ ପାଇବାକୁ ବସିଲାଣି। ଦୁଇଟି ମଠ ପ୍ରାୟ ବିଲୁପ୍ତ ହୋଇ ସାରିଥିବା ବେଳେ ଖୋଦ୍ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ଅଧୀନକୁ ଆସିଥିବା ଆଉ ଗୋଟିଏ ମଠ ଅର୍ଥାଭାବରୁ ସଂକଟରେ ପଡ଼ିଛି। ଅନ୍ୟ ଏକ ମଠ ନିଜ ତତ୍ତ୍ବାବଧାନରେ ଚଳୁଛି ଓ ଅର୍ଥାଭାବ ପାଇଁ ବି ସେହି ମଠ ବେଶି ଦିନ ତିଷ୍ଠିବ ନାହିଁ ବୋଲି ଆଶଙ୍କା କରାଯାଉଛି। ଏକାମ୍ର କ୍ଷେତ୍ରରେ ଥିବା ୪ଟି ମୁଖ୍ୟ ମଠ ଶ୍ରୀଲିଙ୍ଗରାଜ ମନ୍ଦିର ସେବା ପୂଜା ସହ ଜଡ଼ିତ ରହିଛି। ସେଗୁଡ଼ିକ ହେଲା ଭାରତୀ ମଠ, ଶିବତୀର୍ଥ ମଠ, ଶଙ୍କରାନନ୍ଦ ମଠ ଓ ଗୋପାଳତୀର୍ଥ ମଠ। କେବଳ ଭାରତୀ ମଠକୁ ବାଦ୍‌ ଦେଲେ ଅନ୍ୟ ତିନି ମଠ ମନ୍ଦିର ପ୍ରଶାସନ ଅଧୀନକୁ ଯାଇସାରିଛି। ଶ୍ରୀଲିଙ୍ଗରାଜ ମନ୍ଦିରର ପାରିପାର୍ଶିକ ବିକାଶ କାର୍ଯ୍ୟ ବେଳେ ଅର୍ଥାତ୍ ୨୦୨୦ ସେପ୍ଟେମ୍ବର ୨୯ରେ ଶିବତୀର୍ଥ ମଠ, ଶଙ୍କରାନନ୍ଦ ମଠ ଓ ଗୋପାଳ ତୀର୍ଥ ମଠକୁ ମନ୍ଦିର ପ୍ରଶାସନ ଅଧୀନକୁ ନିଆଗଲା। ଏନେଇ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିର ପ୍ରଶାସନ, ମଠର ମହନ୍ତ ଓ ପୂଜକଙ୍କୁ ଚିଠି କରାଯାଇଥିଲା। ବିଏମ୍‌ସି ପକ୍ଷରୁ କୁହାଯାଇଥିଲା ଯେ ମଠର ରକ୍ଷଣାବେକ୍ଷଣ, ଆର୍ଥିକ ପରିଚାଳନା ଓ ବିଭିନ୍ନ ସେବା ମନ୍ଦିର ପ୍ରଶାସନ ବୁଝାସୁଝା କରିବ। ତେଣୁ ଏହି ୩ ମଠର ଦାୟିତ୍ବ ଓ ଏହାର ଜମିଜମା ପ୍ରଶାସନ ନିଜ ହାତକୁ ନେଇଗଲା। ଗୋଟିଏ ପ୍ରଶାସନ ଅଧୀନରେ ରହିବା ଦ୍ବାରା ମଠଗୁଡ଼ିକର ପରିଚାଳନା ପୂର୍ବାପେକ୍ଷା ଭଲ ହେବ ଓ ଏହା ଏକାମ୍ର କ୍ଷେତ୍ର ବିକାଶ ଯୋଜନାରେ ବଡ଼ ସହାୟକ ହେବ। ତେବେ ଏହାର ଦିନ କେଇଟା ପରେ ଶିବତୀର୍ଥ ମଠ ଓ ଶଙ୍କରାନନ୍ଦ ମଠକୁ ସମ୍ପୂର୍ଣ ଭାଙ୍ଗି ଦିଆଗଲା। ଏବେ ଅସ୍ଥାୟୀ ଛାମୁଣ୍ଡିଆ କରାଯାଇ ରୁକୁଣା ରଥଯାତ୍ରା ବେ‌ଳେ ଭୋଗ ବଢ଼ାଯାଉଛି। ଏହି ମଠଦ୍ବୟର ଅସ୍ଥିତ୍ବ ଆଉ ନାହିଁ। ପଥୁରିଆ ବଡ଼ୁ ସାହି ନିକଟ ରଥଦାଣ୍ଡ କଡ଼ରେ ରହିଛି ଗୋପାଳତୀର୍ଥ ମଠ। ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଘରଗୁଡ଼ିକ ଭୁଶୁଡ଼ି ପଡ଼ିବା ଆଶଙ୍କା ଦେଖାଗଲାଣି। ଅର୍ଥାଭାବରୁ ପୂଜାର୍ଚ୍ଚନା ବଡ଼ କଷ୍ଟରେ ଚାଲିଛି। ପୂର୍ବରୁ ପ୍ରତିଦିନ ଏଠାରୁ ଅମୃତ ମଣୋହି ଭୋଗ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଖକୁ ଯାଉଥିଲା। ଲିଙ୍ଗରାଜଙ୍କ ଚାମର ସେବା ଏହି ମଠ ପକ୍ଷରୁ କରାଯାଉଥିଲା। ଠାକୁରଙ୍କୁ ଭୋଗ ଲାଗି ହେବା ପରେ ମଠ ମହନ୍ତ ମନ୍ଦିରକୁ ଯାଇ ଚାମର ସେବା କରୁଥିଲେ। ସେହିପରି ଚନ୍ଦନ ଯାତ୍ରା ସମୟରେ ୨୨ ଦିନ ପରେ ଠାକୁର ପ୍ରତ୍ୟାବର୍ତନ କଲା ବେଳେ ମଠ ତରଫରୁ ଭୋଗଲାଗି କରାଯାଉଥିଲା। ରୁକୁଣା ରଥଯାତ୍ରା ବେଳେ ମଠ ସମୁଖରେ ରଥାରୁଢ଼ ଠାକୁରଙ୍କୁ ‌ଭୋଗ ବଢ଼ାଯାଉଥିଲା। ମାତ୍ର ମହନ୍ତଙ୍କ ମୃତ୍ୟୁ ପରେ ବହୁ ବିଧି ଓ ସେବା ବନ୍ଦ ହୋଇଗଲାଣି। ତେବେ ରୁକୁଣା ରଥଯାତ୍ରା ‌ବେଳର ବିଧି ରହିଛି। ପୂଜକ ବାଇଧର ସାହୁଙ୍କ କହିବା କଥା ୨୮ବର୍ଷ ତଳୁ ମଠ ମହନ୍ତ କୃଷ୍ଣଚନ୍ଦ୍ର ଦାସଙ୍କ ମୃତ୍ୟୁ ହୋଇଯାଇଛି। ସେବେଠୁ ମଠର ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇପଡ଼ୁଛି। ମାଗିଯାଚି ସେବା କରାଯାଉଛି। ବିଏମ୍‌ସି ପକ୍ଷରୁ କିଛି ସହଯୋଗ କରାଯାଉନାହିଁ। ପୂଜକ ଗୃହ କି ଶୌଚାଳୟ ତିଆରି ହେଲାନାହିଁ। ମଠ ପାଇଁ ମାସିକ ୧୦ ହଜାର ଟଙ୍କା ଆବଶ୍ୟକ। ‌କିନ୍ତୁ ଏତେ ଅର୍ଥ ନଥିବାରୁ ବଡ଼ କଷ୍ଟରେ ପରମ୍ପରା ରକ୍ଷା କରାଯାଉଛି। ଓଡ଼ିଶା ହିନ୍ଦୁ ଓ ଦେବୋତ୍ତର ଆଇନ ଅନୁଯାୟୀ ଦେବୋତ୍ତର କମିସନରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମଠ ପରିଚାଳିତ ହେବାର ନିୟମ ରହିଛି। ଏଠାରେ ଏହି ମଠ ସବୁ ମନ୍ଦିର ପ୍ରଶାସନ ଅଧୀନକୁ ଯିବା ପରେ ସ୍ଥିତି ସୁଧୁରିବ ବୋଲି ଆଶା ଥିଲା। ମାତ୍ର ତାହା ହୋଇପାରିନାହିଁ। ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

Share Now:

Kalinga News Beuro

Next Post

ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁଟି ନେଲେ ୧କୋଟି

Mon Apr 18 , 2022
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ଲାଗିଥିବା ଗୁରୁଗ୍ରାମରେ ଦିନକୁ ଦିନ ଅପରାଧ ମାମଲା ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଗୁରୁଗ୍ରାମରେ ଟଙ୍କା ଭର୍ତ୍ତି ଭ୍ୟାନରୁ ଲୁଟେରା ଏକକୋଟି ଟଙ୍କା ଲୁଟି ନେଇଥିବା ଖବର ମିଳିଛି। ୪ରୁ ୫ ଜଣ ଲୁଟେରା ହାତରେ ବନ୍ଧୁକ ଧରି ଟଙ୍କା ଭର୍ତ୍ତି ଥିବା ଭ୍ୟାନ ଚଲାଉ ଥିବା ଚାଳକ ଓ ସେଥିରେ ବସିଥିବା କର୍ମଚାରୀଙ୍କ ଆଖିରେ ହଠାତ ଲଙ୍କା ଗୁଣ୍ଡ ଫିଙ୍ଗି ଦେଇଥିଲେ। ଯାହାଫଳରେ କର୍ମଚାରୀ […]
ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁଟି ନେଲେ ୧କୋଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial