ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ରେକର୍ଡ଼ ୧୦୦୬୩ ୟୁନିଟ୍ ରକ୍ତଦାନ : ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ମହାନ ଜନନାୟକ ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଓଡ଼ିଶା-ମୋ ପରିବାର, ସାରା ରାଜ୍ୟରେ ‘ଜୀବନବିନ୍ଦୁ’ ରକ୍ତଦାନ ଶିବିର ଆୟୋଜନ କରି ୧୦୦୬୩ ୟୁନିଟ୍ ରକ୍ତ ସଂଗ୍ରହ କରିଛି। ଗ୍ରୀଷ୍ମ ପ୍ରବାହ ସମୟରେ ରକ୍ତର ବହୁଳ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଦିବସରେ ଓଡ଼ିଶା-ମୋ ପରିବାର ତରଫରୁ ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରାୟ ୯୬ଟି ସ୍ଥାନରେ ‘ଜୀବନବିନ୍ଦୁ’ ରକ୍ତଦାନ ଶିବିର ଆୟୋଜନ କରାଯାଇ ଉପରୋକ୍ତ ୧୦୦୬୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇପାରିଛି, ଯାହା ଆମ ରାଜ୍ୟରେ ଗୋଟିଏ ଦିନରେ ରକ୍ତସଂଗ୍ରହ କ୍ଷେତ୍ରରେ ଏକ ସର୍ବକାଳୀନ ରେକର୍ଡ଼ ଅଟେ। ଉତ୍ସାହିତ ସ୍ୱେଚ୍ଛାସେବୀ ଓ ରକ୍ତଦାତାମାନେ ସ୍ୱତଃପ୍ରବୃତ ଭାବେ ରକ୍ତଦାନ କରିଥିଲେ। ବିଭିନ୍ନ ଜିଲ୍ଲାରେ ବ୍ଲଡ୍ ବ୍ୟାଙ୍କ କର୍ମଚାରୀମାନେ ଦୁଇଟି ପର୍ଯ୍ୟାୟରେ ଶିବିରକୁ ଆସି ରକ୍ତ ସଂଗ୍ରହ କରିଥିଲେ। ଗଞ୍ଜାମ, ବାଲେଶ୍ୱର, ବରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାର କିଛି ସ୍ଥାନରେ ରାତି ୧୨ଟା ପର୍ଯ୍ୟନ୍ତ ଶିବିର ଚାଲୁ ରହିଥିବାର ଦେଖାଦେଇଛି। ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ରାଜ୍ୟ ଥାଲାସେମିଆ ସୋସାଇଟି ମଧ୍ୟ ଆଗକୁ ଆସି ଭୁବନେଶ୍ୱର ଠାରେ ରକ୍ତଦାନ ଶିବିର ଆୟୋଜନ କରିଥିଲେ। ଏହି ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ସହିତ ଗତକାଲି ଜୀବନବିନ୍ଦୁ, ଓଡ଼ିଶା-ମୋ ପରିବାର ଆନୁକୁଲ୍ୟରେ ସଂଗୃହୀତ ହୋଇଥିବା ମୋଟ ରକ୍ତ ୟୁନିଟ୍ ସଂଖ୍ୟା ୨ ଲକ୍ଷକୁ ଛୁଇଁ ପାରିଛି। ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଟୁଇଟ୍ ମାଧ୍ୟମରେ ସମସ୍ତ ସ୍ୱେଚ୍ଛାକୃତ ରକ୍ତଦାତା ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଏହି ଅନନ୍ୟ ସେବା ପାଇଁ ଭୂୟସୀ ପ୍ରଶଂସା ମଧ୍ୟ କରିଛନ୍ତି। ଗତକାଲିର ବିଶେଷ ଦିବସରେ ପ୍ରଥମ ୩ଟି ଜିଲ୍ଲା ଯଥାକ୍ରମେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୦୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ, କଟକରୁ ୯୫୯ ୟୁନିଟ୍ ଏବଂ ବାଲେଶ୍ୱରରୁ ୯୩୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଓଡ଼ିଶା-ମୋ ପରିବାର ତରଫରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ନିୟୋଜିତ ସମସ୍ତ ସ୍ୱେଚ୍ଛାସେବୀ ରକ୍ତଦାତା, ବ୍ଲଡ୍ ବ୍ୟାଙ୍କର ଡାକ୍ତର ଓ କର୍ମଚାରୀ ଏବଂ ସର୍ବୋପରି ବିଭିନ୍ନ ଦଳୀୟ ପଦାଧିକାରୀ ତଥା କର୍ମୀମାନଙ୍କୁ ଧନ୍ୟବାଦ ଜଣାଇବା ସହ ଭବିଷ୍ୟତରେ ଏହି ମହତ କାର୍ଯ୍ୟକ୍ରମରେ ସମସ୍ତଙ୍କ ଅକୁଣ୍ଠ ସହଯୋଗ କାମନା କରାଯାଇଛି।

Share Now:

Kalinga News Beuro

Next Post

ପରଲୋକରେ କମଳଦେଶର ରାଜକୁମାର

Mon Apr 18 , 2022
ଭୁବନେଶ୍ବର: ନିରବି ଗଲେ ପ୍ରଫୁଲ୍ଲ! ଆଉ ନାହାନ୍ତି କମଳ ଦେଶର ରାଜକୁମାର!! ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଓ ଗୀତିକାର ପ୍ରଫୁଲ୍ଲ କରଙ୍କର ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ଚଳଚ୍ଚିତ୍ର ସଂଗୀତ, ଲଘୁ ସଂଗୀତ, ଭକ୍ତି ସଂଗୀତ ଓ ଓଡ଼ିଶୀ ସଂଗୀତର ଅପ୍ରତିନ୍ଦ୍ବନ୍ଦ୍ବୀ କଳାକାର ତଥା ସ୍ରଷ୍ଟା ପ୍ରଫୁଲ୍ଲ କର ନିଜର ଅନବଦ୍ୟ ସୃଷ୍ଟି ଲାଗି ସମଗ୍ର ରାଜ୍ୟରେ ଘରେ ଘରେ ପରିଚିତ […]
କମଳଦେଶର ରାଜକୁମାର ପ୍ରଫୁଲ୍ଲ କର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial