ପରଲୋକରେ କମଳଦେଶର ରାଜକୁମାର

କମଳଦେଶର ରାଜକୁମାର ପ୍ରଫୁଲ୍ଲ କର

ଭୁବନେଶ୍ବର: ନିରବି ଗଲେ ପ୍ରଫୁଲ୍ଲ! ଆଉ ନାହାନ୍ତି କମଳ ଦେଶର ରାଜକୁମାର!! ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଓ ଗୀତିକାର ପ୍ରଫୁଲ୍ଲ କରଙ୍କର ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ଚଳଚ୍ଚିତ୍ର ସଂଗୀତ, ଲଘୁ ସଂଗୀତ, ଭକ୍ତି ସଂଗୀତ ଓ ଓଡ଼ିଶୀ ସଂଗୀତର ଅପ୍ରତିନ୍ଦ୍ବନ୍ଦ୍ବୀ କଳାକାର ତଥା ସ୍ରଷ୍ଟା ପ୍ରଫୁଲ୍ଲ କର ନିଜର ଅନବଦ୍ୟ ସୃଷ୍ଟି ଲାଗି ସମଗ୍ର ରାଜ୍ୟରେ ଘରେ ଘରେ ପରିଚିତ ଥିଲେ। ତାଙ୍କର ବିୟୋଗରେ ରାଜ୍ୟର ସାଂସ୍କୃତିକ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଭୁବନେଶ୍ବର ସତ୍ୟନଗର ବାସଭବନରେ ତାଙ୍କ ଦେହାନ୍ତ ହୋଇଯାଇଛି। ଏ ସମ୍ପର୍କରେ ତାଙ୍କ ପୁଅ ମହାଦୀପ କର ସୂଚନା ଦେଇଛନ୍ତି। ୧୯୩୯ ଫେବୃଆରି ୧୬ ତାରିଖରେ ଜନ୍ମିତ ପ୍ରଫୁଲ୍ଲ କରଙ୍କୁ ମୃତ୍ୟୁବେଳକୁ ୮୩ ବର୍ଷ ହୋଇଥିଲା। ଓଡିଶୀ ଓ ଶାସ୍ତ୍ରୀୟ ସଂଗୀତରେ ଧୂରୀଣ ଥିବା ପ୍ରଫୁଲ୍ଲ କର ଅନେକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିବା ସହ ଗୀତ ରଚନା ମଧ୍ୟ କରିଛନ୍ତି । ଆଦ୍ୟ କଳାକାର ଜୀବନରେ ସେ ଗାଇଥିବା ‘କମଳ ଦେଶର ରାଜକୁମାର ମୁଁ ହାତରେ ପୁଷ୍ଫ ଧନୁ..’ ଗୀତଟି ତାଙ୍କୁ ଲୋକପ୍ରିୟ କରାଇଥିଲା। ସେହି ଦିନଠାରୁ ସେ କମଳ ଦେଶର ରାଜକୁମାର ରୂପେ ସଂଗୀତ ଦୁନିଆରେ ପରିଚିତ ହୋଇଯାଇଥିଲେ। ବହୁ ଲୋକପ୍ରିୟ ଓ କାଳଜୟୀ ଓଡ଼ିଆ ଗୀତର ସ୍ରଷ୍ଟା ବର୍ଷୀୟାନ୍ ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଓଡ଼ିଶାର ପୁରପଲ୍ଲୀରେ ବେଶ୍ ପରିଚିତ ଥିଲେ। ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶନା ଦେବା ସହ ବହୁ ମନଜିଣା ଲଘୁସଂଗୀତର ଗାୟକ, ସଂଗୀତକାର ଓ ଗୀତିକାର ଥିଲେ ସେ। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସଂଗୀତ କ୍ଷେତ୍ରରେ ଅବଦାନ ଲାଗି ତାଙ୍କୁ ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ୨୦୦୪ ପ୍ରଦାନ କରାଯାଇଥିଲା। ଏଥିସହ ସେ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ,ଗାୟକ ଓ କଣ୍ଠଶିଳ୍ପୀ ଭାବେ ବହୁ ବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ୨୦୧୫ରେ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଏଥି ସହିତ ୨୦୦୮ରେ ସ୍ବର୍ଣ୍ଣ ସଂଜୀବନୀ ସମ୍ମାନ, ୨୦୦୯ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ବି ସେ ପାଇଥିଲେ।
ପ୍ରଫୁଲ୍ଲ କର ସଂଗୀତ ଜଗତରେ ପ୍ରବେଶ କରୁ କରୁ ଜଣେ ସୁଗାୟକ ଭାବେ ସଫଳତା ହାସଲ କରିଥିଲେ। କମଳ ଦେଶର ରାଜକୁମାର ମୁଁ, ମିଳନ୍ତା କି ମତେ ଉଡ଼ନ୍ତା ଥାଳିଆ, ମୁଁ ତ ନିରୀହ କେରାଣ୍ଡି ମାଛ, ହଇରେ ଫୁଲଗଛ, ନା ନା ମୋତେ ପ୍ରେମ କରନା, କାଳୀ କପାଳି ନରମୁଣ୍ଡ ମାଳି.. ଆଦି ଆଧୁନିକ ଗୀତ ଗାଇ ସେ ଓଡ଼ିଶାର ଯୁବପିଢ଼ି ଭିତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲେ। ଏହାପରେ ୧୯୭୫ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ସଂଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ସେ ପ୍ରବେଶ କରିଥିଲେ। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଛବି ଥିଲା-ମମତା। ଏହି ଚଳଚ୍ଚିତ୍ରର ଅଧିକାଂଶ ଗୀତ ଲୋକପ୍ରିୟ ହୋଇଥିଲା। ଏଥିରେ ତାଙ୍କ ସ୍ବରାରୋପିତ ‘ରେ ଆତ୍ମନ୍ ନିଦ୍ରା ପରିହରି…’ ଗୀତଟି ଓଡ଼ିଆ ସଂଗୀତର ଏକ କାଳଜୟୀ ଗୀତର ମାନ୍ୟତା ପାଇଥିଲା। ଏହାପରେ ତାଙ୍କୁ ଆଉ ପଛକୁ ଫେରି ଚାହିଁବାକୁ ପଡ଼ିନାହିଁ। ଏହାପରେ ସେ ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ବଳିଦାନ, ସତୀ ଅନସୂୟା, ରାମାୟଣ, ମାନସୀ, ପୂଜା, ଗୌରୀ, ତପସ୍ୟା, ବତୀଘର, ସମୟ ବଡ଼ ବଳବାନ୍, ହିସାବ ନିକାଶ ଓ ଭୁଲି ହୁଏନା ଆଦି ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇ ଆଗଧାଡ଼ିର ସଂଗୀତ ନିର୍ଦ୍ଦେଶକ ଭାବେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ସ୍ବରାରୋପିତ ଚଳଚ୍ଚିତ୍ରରେ ନିଶ୍ଚିତ ଭାବେ ଶ୍ରୋତାଙ୍କ ମନକୁ ଛୁଇଁଲା ଭଳି ଗୀତ ରହୁଥିଲା। ସହସ୍ରାଧିକ ଗୀତର ସ୍ରଷ୍ଟା ପ୍ରଫୁଲ୍ଲଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ଗୀତଗୁଡ଼ିକ ମଧ୍ୟରୁ ରେ ଆତ୍ମନ୍( ମମତା), ମୋ ପ୍ରିୟାଠାରୁ କିଏ( ସିନ୍ଦୂର ବିନ୍ଦୁ), ଆହେ ଦୟାମୟ ( ବଳିଦାନ), ସୀମାହୀନ ଦରିଆ ( ବତୀଘର), ଢ଼ାଳିଦିଅ ସାରା ଧରଣୀରେ ଆଜି (ତପସ୍ୟା), ବହିଯାଏ ରେ ଗଙ୍ଗା ( ବଳିଦାନ), କି ସୁନ୍ଦର ଆହା ( ଗୌରୀ), ନେଇ ଯା’ରେ ମେଘ ମତେ ( ବଳିଦାନ), ରାମ ଯିବେ ବନବାସ( ରାମାୟଣ) ମାଝିରେ..(ଶେଷ ଶ୍ରାବଣ), କୋଟିଏ ତାରାରେ ମିଳେ ଗୋଟିଏ ଜହ୍ନ ( ଭୁଲି ହୁଏନା) ଆଦି ବେଶ ଲୋକପ୍ରିୟ। ଏଥିସହ ବହୁ ଲୋକପ୍ରିୟ ଜଗନ୍ନାଥ ଭଜନର ସ୍ରଷ୍ଟା। ତାଙ୍କ ନିର୍ଦ୍ଦେଶିତ ଭଜନ କ୍ୟାସେଟ୍ ‘ପ୍ରଭୁକୃପା’ ସାରା ଓଡ଼ିଶାରେ ଚହଳ ପକାଇଥିଲା। ସେଥିରେ ଅନୁରାଧା ପୌଡ଼ୱାଲ୍ ଗାଇଥିବା କାଳିଆ ମୋ ଦେହେ ବୋଳିଦେ ତୋ ଦେହ କଳା ଓ ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି…ଆଜି ମଧ୍ୟ ଲୋକଙ୍କ ମୁହଁରେ ଗୁଣୁଗୁଣାଉଛି। ଗାୟକ, ସଂଗୀତ ନିର୍ଦ୍ଦେଶକ ଓ ଗୀତିକାର ହେବା ସହ ସେ ଜଣେ ସ୍ତମ୍ଭକାର ମଧ୍ୟ ଥିଲେ। ବିଭିନ୍ନ ଓଡ଼ିଆ ଦୈନିକୀରେ ସେ ବେଶ୍ କିଛି ବର୍ଷ ଧରି ସ୍ତମ୍ଭ ରଚନା କରିଥିଲେ। ଏଥିସହ ସେ ସକ୍ରିୟ ରାଜନୀତିରେ ମଧ୍ୟ ଯୋଗଦାନ କରିଥିଲେ। ସେ କଂଗ୍ରେସ ଦଳରେ ଯୋଗଦାନ କରି ଦଳୀୟ ପ୍ରାର୍ଥୀ ଭାବେ ପୁରୀରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ।
ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନକୁ ବିଶିଷ୍ଟ ବ୍ୟକ୍ତିଙ୍କ ଆଗମନ ହୋଇଥିଲା। ବିଶିଷ୍ଟ ସଂଗୀତଜ୍ଞମାନେ ସଂଗୀତ ଦୁନିଆ ପ୍ରତି ତାଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ପହଞ୍ଚାଇଛି ବୋଲି କହିବା ସହ ତାଙ୍କର ପରିବାରକୁ ସମବେଦନା ଜଣାଇଛନ୍ତି। ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି।

Share Now:

Kalinga News Beuro

Next Post

ଆଜି ବିଶ୍ବ ଐତିହ୍ୟ ଦିବସ: ଅବହେଳିତ ଐତିହ୍ୟ ପୁଷ୍କରିଣୀ

Mon Apr 18 , 2022
ପୁରୁଣା ଭୁବନେଶ୍ୱର: ପ୍ରତିବର୍ଷ ଏପ୍ରିଲ ୧୮ ତାରିଖରେ ପାଳନ ହେଉଛି ବିଶ୍ବ ଐତିହ୍ୟ ଦିବସ। ସଭା ସମିତି ଭାଷଣବାଜିରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ହେଲେ ଐହିହ୍ୟସ୍ଥଳ ଓ ଐତିହ୍ୟ ପୁଷ୍କରିଣୀର ସୁରକ୍ଷା ତଥା ସଂରକ୍ଷଣ ଦିଗରେ ସେତେଟା ଉଦ୍ୟମ ହେଉଥିବା ପରିଲକ୍ଷିତ ହେଉନାହିଁ। କେବଳ ଦିବସ ପାଳନରେ ସୀମିତ ରହିଯାଉଛି ଐତିହ୍ୟ ଦିବସ। ଏକାମ୍ର କ୍ଷେତ୍ରର ଐତିହ୍ୟ ପୁଷ୍କରିଣୀର ଅବସ୍ଥାରୁ ଏହା ସ୍ପଷ୍ଟ ଅନୁମେୟ। ମନ୍ଦିରମାଳିନୀ ସହର ଭୁବନେଶ୍ୱର […]
ଐତିହ୍ୟ ପୁଷ୍କରିଣୀ ଅବହେଳିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial