ଚେନ୍ନାଇ: ଦିଲ୍ଲୀ ଓ ପଞ୍ଜାବ ପରେ ତାମିଲନାଡୁ ସରକାର ଆଜିଠାରୁ ମାସ୍କ କଟକଣା ଆରମ୍ଭ କରିଛନ୍ତି। ଯେଉଁମାନେ ମାସ୍କ ପିନ୍ଧିବେ ନାହିଁ ସେମାନଙ୍କଠାରୁ ଜରିମାନା ଆଦାୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତାମିଲନାଡୁରେ କୋଭିଡ-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ମାସ୍କ ନ ପିନ୍ଧିଥିବା ବ୍ୟକ୍ତିଙ୍କ ଉପରେ ଜରିମାନା ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତାମିଲନାଡୁ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଜେ ରାଧାକ୍ରିଷ୍ଣନ୍ କହିଛନ୍ତି ଯେ ମାସ୍କ ନ ପିନ୍ଧିଲେ ଜନସାଧାରଣଙ୍କଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରିବାର ନିଷ୍ପତ୍ତି ନିଆଯାଇଛି। ସର୍ବସାଧାରଣ ସ୍ଥାନରେ ବିନା ମାସ୍କରେ ବୁଲୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିବା ପାଇଁ ଆମେ ସ୍ଥାନୀୟ ପ୍ରଶାସନ, ସ୍ୱାସ୍ଥ୍ୟ ଏବଂ ପୁଲିସ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛୁ।” କିଛି ଦିନ ହେବ ନୂଆ ଏବଂ ସକ୍ରିୟ ମାମଲାଗୁଡ଼ିକରେ ବୃଦ୍ଧି ଘଟିଛି। ଗୁରୁବାର ଦିନ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣର ୩୯ଟି ନୂଆ ମାମଲା ଦେଖିବାକୁ ମିଳିଥିଲା। ରାଧାକ୍ରିଷ୍ଣନ୍ କହିଛନ୍ତି ଯେ ଆଜିକାଲି ଲୋକମାନେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧୁନଥିବାର ଦେଖିବାକୁ ମିଳିଛି। ଆଉ ମାସ୍କ ନ ପିନ୍ଧିବା ଦ୍ୱାରା ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ ଏହି କଟକଣା ଜାରି କରାଯାଇଛି। ସୂଚନା ଥାଉ କି ପୂର୍ବରୁ ଦିଲ୍ଲୀ ଓ ପଞ୍ଜାବରେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ସାଧାରଣ ପରିବହନ (ବସ୍, ଟ୍ରେନ୍, ବିମାନ, ଟ୍ୟାକ୍ସି), ସିନେମା ହଲ୍, ସପିଂ ମଲ୍, ବିଭାଗୀୟ ଷ୍ଟୋର, ଶ୍ରେଣୀଗୃହ, ଅଫିସ୍ ରୁମ୍, ଇନ୍ଡୋର ସମାବେଶ ଇତ୍ୟାଦିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
ଦିଲ୍ଲୀ ଓ ପଞ୍ଜାବ ପରେ ଏହି ରାଜ୍ୟରେ ଆରମ୍ଭ ହେଲା ମାସ୍କ କଟକଣା

Share Now: