ରାଜଧାନୀ ହେବ ଅତ୍ୟାଧୁନିକ ଲ୍ୟାବ୍‌ ହବ୍‌

ରାଜଧାନୀ ହେବ ଅତ୍ୟାଧୁନିକ ଲ୍ୟାବ୍‌ ହବ୍‌

ଅନ୍ଧାରୁଆରେ ପ୍ରତିଷ୍ଠା ହେବ ଏନ୍‌ସିଡିସିର ଲ୍ୟାବ୍‌, ଜମି ଚିହ୍ନଟ

ଭୁବନେଶ୍ବର : ଆଉ କିଛି ବର୍ଷ ପରେ ଓଡ଼ିଶା ଅତ୍ୟାଧୁନିକ ଲ୍ୟାବ୍‌ର ହବ୍‌ ପାଲଟିଯିବ। ପୂର୍ବରୁ ଆର୍‌ଏମ୍‌ଆର୍‌ସି ଥିବା ବେଳେ ନିକଟରେ କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟସ୍ତରୀୟ ଲ୍ୟାବ୍ ପାଇଁ ସରକାରୀ ଅନୁମୋଦନ ମିଳିଛି। ଆଗକୁ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ବା ଏନ୍‌ସିଡିସିର ଏକ ଶାଖା ଲ୍ୟାବ୍ ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ଅନ୍ଧାରୁଆରେ ଜାଗା ଚିହ୍ନଟ କାର୍ଯ୍ୟ ‌ଶେଷ ହୋଇଛି। ଏହି ଜମିକୁ ୯୯ବର୍ଷ ପାଇଁ ଏନ୍‌ସିଡିସିକୁ ଲିଜ୍‌ରେ ପ୍ରଦାନ ପାଇଁ ଆଇନ ବିଭାଗର ଅନୁମୋଦନ ଅପେକ୍ଷା ରହିଥିବା ସୂଚନା ମିଳିଛି।
ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୬ ମସିହାରେ କେନ୍ଦ୍ର ସରକାର ଏଥିପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ଜାଗା ଚିହ୍ନଟରେ ବିଳମ୍ବ ପାଇଁ ଲ୍ୟାବ୍ ପ୍ରତିଷ୍ଠା ପ୍ରକ୍ରିୟା ବିଳମ୍ବ ହୋଇଥିଲା। ଏବେ ଅନ୍ଧାରୁଆରେ ଏଥିପାଇଁ ୩ ଏକର ଜାଗା ଚିହ୍ନଟ କରାଯାଇଛି। ଏଥିପାଇଁ ଏନ୍‌ସିଡିସି, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଜମିକୁ ୯୯ବର୍ଷ ପାଇଁ ଏନ୍‌ସିଡିସିକୁ ଲିଜ୍ ଆକାରରେ ଦିଆଯିବାକୁ ନିଷ୍ପତ୍ତି ହୋଇଥିବାରୁ ଏହାର ରୂପରେଖ କ’ଣ ହେବ ଏଥିପାଇଁ ଆଇନ ବିଭାଗର ସହାୟତା ଲୋଡ଼ିଛି ସ୍ବାସ୍ଥ୍ୟ ବିଭାଗ। ଏନ୍‌ସିଡିସିର ଏହି ଲ୍ୟାବ୍‌ରେ ଜିକା, ଇବୋଲା, ସ୍ବାଇନ୍ ଫ୍ଲୁ ଭଳି ଅନ୍ୟ ରୋଗର ପରୀକ୍ଷା ହୋଇପାରିବ। ଲ୍ୟାବ୍ ପାଇଁ ଆବଶ୍ୟକ କର୍ମଚାରୀ, ଆବଶ୍ୟକ ପାଥୋଲୋଜିଷ୍ଟ, ମହାମାରୀ ବିଶେଷଜ୍ଞ, ଆରଆରଟି ଭଳି ଆବଶ୍ୟକ କର୍ମଚାରୀ କେନ୍ଦ୍ର ସରକାର ଯୋଗାଇ‌ ଦେବେ। ପୂର୍ବରୁ ଓଡ଼ିଶାର ମାଲକାନଗିରିରେ ଜେଇ ଭଳି ରୋଗ ବ୍ୟାପି ସାରିଥିବା ବେଳେ ଆଗକୁ ମଧ୍ୟ ଅନ୍ୟ ରୋଗ ବ୍ୟାପିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ଏନ୍‌ସିଡିସିର ଏହି ଲ୍ୟାବ୍ ଏଥିପାଇଁ ବେଶ୍‌ ସହାୟକ ହୋଇପାରିବ ବୋଲି କୁହାଯାଉଛି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏନ୍‌ସିଡିସିର ଏହି ଲ୍ୟାବ୍ ପାଇଁ ଏବେ ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିବା ବେଳେ କେବଳ ଆଇନ ବିଭାଗର ଅନୁମୋଦନ ଅପେକ୍ଷାରେ ରହିଛି। ଅନୁମୋଦନ ମିଳିବା ପରେ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। କେନ୍ଦ୍ର ପୂର୍ତ ବିଭାଗ ଏହାର ନିର୍ମାଣ କରିବ। କେବେସୁଦ୍ଧା ଏହି ଲ୍ୟାବ୍ କାର୍ଯ୍ୟକ୍ଷମ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ନ ଥିବା ଅଧିକାରୀ କହିଛନ୍ତି। ସେହିପରି କେବଳ ଏନ୍‌ସିଡିସିର ଲ୍ୟାବ୍ ନୁହେଁ, ରାଜ୍ୟ ସରକାର ମଧ୍ୟ ନିଜସ୍ବ ଖର୍ଚରେ ଏକ ରାଜ୍ୟସ୍ତରୀୟ ଜନସ୍ବାସ୍ଥ୍ୟ(ଆପେକ୍ସ) ଲ୍ୟାବ୍ ପ୍ରତିଷ୍ଠା କରୁଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ୨୦କୋଟି ଟଙ୍କା ଖର୍ଚରେ ଏହାକୁ ପ୍ରତିଷ୍ଠା କରାଯିବ। ଜିଲ୍ଲାସ୍ତରରେ ଯଦିଓ ଜନସ୍ବାସ୍ଥ୍ୟ ଲ୍ୟାବ୍ ରହିଛି, ତେବେ ର‌ାଜ୍ୟସ୍ତରୀୟ ଲ୍ୟାବ୍‌ରେ ଉଭୟ କ୍ୟାପିଟାଲ ହସ୍ପିଟାଲର ରୋଗୀ ଚାପ ସହିତ ଜିଲ୍ଲାରୁ ଆସୁଥିବା ନମୁନାର ମଧ୍ୟ ପରୀକ୍ଷା ହୋଇପାରିବ। ୫ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ବିଭିନ୍ନ ଅତ୍ୟାଧୁନିକ ରୋଗର ପରୀକ୍ଷା ସହିତ କର୍ମଚାରୀଙ୍କୁ ଆବଶ୍ୟକ ତାଲିମ୍ ପ୍ରଦାନ କରାଯିବାର ମଧ୍ୟ ବ୍ୟବସ୍ଥା ରହିବ। ଲ୍ୟାବ୍‌ର ନିର୍ମାଣ କାର୍ଯ୍ୟକୁ ଧାର୍ଯ୍ୟ ସମୟରେ ଶେଷ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଉଲ୍ଲେଖ ଯେ, ରାଜ୍ୟରେ ବିଭିନ୍ନ ରୋଗର ପରୀକ୍ଷା ପାଇଁ ଏକମାତ୍ର ଅତ୍ୟାଧୁନିକ ଲ୍ୟାବ୍ ଆରଏମ୍‌ଆରସିରେ ରହିଛି। ମାତ୍ର ମହାମାରୀ ସମୟରେ ଆରଏମ୍‌ଆରସି ଉପରେ ପ୍ରବଳ ଚାପ ପଡ଼ୁଛି। ଆଉ ୨ଲ୍ୟାବ୍ ପ୍ରତିଷ୍ଠା ପରେ ଗୋଟିଏ ଲ୍ୟାବ୍ ଉପରେ ଥିବା ଚାପ କମିବ ବୋଲି ଆଶା କରାଯାଉଛି।

Share Now:

Kalinga News Beuro

Next Post

ରାୟଗଡ଼ା-କନ୍ଧମାଳ ସୀମାରେ ପ୍ରତିଷ୍ଠା ହେବ ସିଆରପିଏଫ୍ କ୍ୟାମ୍ପ : ମୁତୟନ ହେବେ ଶହେରୁ ଊର୍ଦ୍ଧ୍ବ ଯବାନ୍‌

Wed May 4 , 2022
ରାୟଗଡ଼ା: ରାୟଗଡ଼ା-କନ୍ଧମାଳ-କଳାହାଣ୍ଡି ସୀମାରେ ମାଓ ଦମନ ଅଭିଯାନକୁ ଜୋରଦାର୍ କରିବାକୁ ହୋଇଛି ବ୍ଲୁ ପ୍ରିଣ୍ଟ୍। ୩ ଜିଲ୍ଲାର ଦୁର୍ଗମ ଇଲାକାରେ ମାଓବାଦୀ ମେଳି ବାନ୍ଧି ଅଘଟଣ ଘଟାଇବାକୁ ଯୋଜନା କରୁଥିବାରୁ ପୁଲିସ୍ ରଘୁବାରି (ଡିମିରିଗୁଡା)ରେ ସିଆରପିଏଫ୍ କ୍ୟାମ୍ପ ପ୍ରତିଷ୍ଠା କରିବାକୁ ଯୋଜନା କରିଛି। କ୍ୟାମ୍ପ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଖୁବ୍ ଶୀଘ୍ର ଶହେରୁ ଉର୍ଦ୍ଧ୍ବ ଯବାନଙ୍କୁ ମୁତୟନ କରାଯିବ। ମୁନିଗୁଡ଼ା ବ୍ଲକ୍ ଅମ୍ବାଦଳା ଥାନାରୁ ୨୨ କିମି ଦୂରରେ […]
ସିଆରପିଏଫ୍ କ୍ୟାମ୍ପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial