ଭୁବନେଶ୍ୱରରେ ମାସକ ମଧ୍ୟରେ ଗଡ଼ିବ ୧୦ ଇ-ବସ୍‌

ମାସକ ମଧ୍ୟରେ ଗଡ଼ିବ ୧୦ ଇ-ବସ୍‌

ଏ ବର୍ଷ ୫୦ଟି ବସ୍‌ ଚଳାଇବାକୁ ଯୋଜନା, ଚନ୍ଦ୍ରଶେଖରପୁରରେ ଚାର୍ଜିଂ ଷ୍ଟେସନ୍‌

ଭୁବନେଶ୍ବର : ମାସକ ମଧ୍ୟରେ ଭୁବନେଶ୍ବରରେ ୧୦ଟି ଇ-ବସ୍‌ ଚଳାଚଳ କରିବ। ଏଥିସହ ୨୦୨୨ରେ ୫୦ଟି ବସ୍‌ ଚଳାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଚନ୍ଦ୍ରଶେଖରପୁରଠାରେ ବସ୍‌ଗୁଡ଼ିକର ଚାର୍ଜିଙ୍ଗ ଷ୍ଟେସନ ହେଇଛି। କ୍ରୁଟ ପକ୍ଷରୁ କରାଯାଇଥିବା ଏହି ଚାର୍ଜିଙ୍ଗ ଷ୍ଟେସନରେ ଏକାଥରେ ୫ଟି ବସ୍‌ ଚାର୍ଜ ହବ। ସଫଳତା ମିଳିଲେ ଆଗକୁ ଆଉ ଅଧିକ ଷ୍ଟେସନ୍‌ ବି ହେବ। ଥରେ ଚାର୍ଜ ହେଲେ ଇ-ବସ୍‌ ୧୫୦ କିମି ଯିବ। କରୋନା ପୂର୍ବରୁ ଯେଉଁ ବସ୍‌ ସଂସ୍ଥା ସହ ଆଲୋଚନା ହୋଇଥିଲା ସେମାନଙ୍କ ସହ କଥାବାର୍ତା ହୋଇଛି। ସେମାନେ ହିଁ ବସ୍‌ ଯୋଗାଇଦେବେ ବୋଲି କ୍ରୁଟ କର୍ତୃପକ୍ଷ ସୂଚନା ଦେଇଛନ୍ତି।
ସେପଟେ ‘ମୋ ବସ’ ସେବା ଓ କ୍ରୁଟ୍‌ ସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ସମୀକ୍ଷା କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀରେ ପରିବହନ କ୍ଷେତ୍ରରେ କ୍ରୁଟ, ‘ମୋ ବସ’ ସେବା ଆଜି ଏକ ଅତ୍ୟାଧୁନିକ ଆରାମଦାୟକ ପରିବହନ ବ୍ୟବସ୍ଥା ଭାବେ ଉଭା ହୋଇଛି। ସହରୀ ଯାତାୟାତ ସେବାରେ ସଂସ୍କାର ଆଣିବାର ଆଦର୍ଶ ଭାବେ ଜାତୀୟସ୍ତରରେ ଏକ ମଡେଲ ପାଲଟିଛି। ବର୍ତମାନ ୩୨ଟି ରୁଟ୍‌ରେ ଚଳାଚଳ କରୁଥିବା ୨୨୫ଟି ବସ୍‌ରେ ଭୁବନେଶ୍ବର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ଓ ପୁରୀ ଭଳି ସହରରେ ଦୈନିକ ହାରାହାରି ୧.୫ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି। ଏହି ସବୁ ବସ୍‌ଗୁଡ଼ିକ ସୁ-ବ୍ୟବସ୍ଥିତ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି। ତେବେ ପରିବର୍ତିତ ପରିସ୍ଥିତିରେ ଏଥିରେ ଖୁବ୍‌ଶୀଘ୍ର ବ୍ୟାଟେରି ଚାଳିତ ବା ଇ-ବସ୍ ସାମିଲ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି। ୨୦୧୯ ମସିହାରୁ ପ୍ରତିବର୍ଷ ଦୈନିକ ଯାତ୍ରୀ ପରିବହନ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ରାଜସ୍ବ ମଧ୍ୟ ବଢ଼ିଛି। ଇତିମଧ୍ୟରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଇ-ରିକ୍ସା ସେବା ଆରମ୍ଭ ହୋଇଛି। ଏହା ମାଧ୍ୟମରେ ଲୋକମାନେ ‘ମୋ ବସ୍’ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ନିଜ ଗନ୍ତବ୍ୟସ୍ଥଳକୁ ଯାଇ ପାରିବେ।
ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ୨୦୦ ଯାତ୍ରୀ ଅପେକ୍ଷା ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ପଟିଆ ଓ ଭଗବାନପୁରରେ ଅତ୍ୟାଧୁନିକ ବସ୍ ଡିପୋ ନିର୍ମିତ ହୋଇଥିବା ବେଳେ ଗାଡ଼କଣ, ପୋଖରୀପୁଟ ଓ ନରାଜଠାରେ ଡିପୋ କମ୍ ଅଫିସ ନିର୍ମାଣ କାର୍ଯ୍ୟ ଚାଲିଛି। କ୍ୟାପିଟାଲ ରିଜିଅନର ବିଭିନ୍ନ ଆଭ୍ୟନ୍ତରରେ ସେବା ପ୍ରଦାନ ପାଇଁ ପ୍ରାୟ ୧୦୦ ମିନି ବସ୍ ଚଳାଚଳ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ‘ମୋ ବସ୍’ ସେବା ୨୦୧୯ରୁ ୨୦୨୧ ମଧ୍ୟରେ ଜାତୀୟ ସ୍ତରରେ ଏବଂ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ତରଫରୁ ୭ଟି ପୁରସ୍କାର ପାଇଛି। ଆଗାମୀ ଦିରେ କିପରି ଏହାକୁ ଆହୁରି ଅଧିକ ବ୍ୟାପକ ଓ ସୁଦୃଢ଼ କରାଯାଇପାରିବ, ସେନେଇ ଉଦ୍ୟମ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦେଶ ଦେଇଛନ୍ତି। ଲୋକସେବା ଭବନସ୍ଥିତ ମନ୍ତ୍ରୀ ଶ୍ରୀ ଜେନାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂହ ଓ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଭୁବନେଶ୍ବରରେ ଇ-ବସ୍‌ ଚଳାଇବାକୁ କ୍ରୁଟ୍‌ ଯୋଜନା କରିବା ପରେ ୨୦୧୯ରେ ୩ଟି ଇ-ବସ୍‌ ନିର୍ମାଣକାରୀ ସଂସ୍ଥାଙ୍କୁ ଡକାଯାଇଥିଲା। ସଂସ୍ଥାମାନେ ଭୁବନେଶ୍ବରରେ ଏହି ଇ-ବସ୍‌ର ଡେମୋ ଦେଖାଇଥିଲେ। ହେଲେ କରୋନା ଯୋଗୁଁ ଯୋଜନା ଆଉ ଆଗେଇ ପାରି ନଥିଲା। ବସ୍‌ ଫେରିଯିବା ସହ ଅଧିକାରୀମାନେ ଯୋଜନା କଥା ଭୁଲି ଯାଇଥିଲେ। ହେଲେ ପଛକୁ ପଛ କରୋନାର ଦ୍ବିତୀୟ ଓ ପରେ ତୃତୀୟ ଲହର ଆସିବା ଯୋଗୁଁ ୨ବର୍ଷ ଗଡ଼ି ଯାଇଥିଲା।

Share Now:

Kalinga News Beuro

Next Post

ବାଣ କାରଖାନାରେ ବିସ୍ଫୋରଣ : ଦୁଇ ଭାଇଙ୍କ ସମେତ ଚାରିଜଣଙ୍କର ମୃତ୍ୟୁ

Sat May 7 , 2022
ଲଖନଉ: ଆଜି ସନ୍ଧ୍ୟାରେ ଉତ୍ତରପ୍ରଦେଶର ସାହାରନପୁରରେ ଏକ ବାଣ କାରଖାନାରେ ବଡଧରଣର ବିସ୍ଫୋରଣ ଘଟିଛି।ଏହି ବିସ୍ଫୋରଣରେ ଜଣେ ନାବାଳିକାଙ୍କ ସମେତ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କାରଖାନାର ଅନେକ ଶ୍ରମିକ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ସମ୍ପର୍କୀୟ ଭାଇ ମଧ୍ୟ ଥିଲେ। ଭୟଙ୍କର ବିସ୍ଫୋରଣରେ ପୂରା କୋଠାଟି ନଷ୍ଟ ହୋଇଯାଇଥିବାବେଳେ ବର୍ତ୍ତମାନ ଅଗ୍ନିଶମ ବାହିନୀ ଗାଡି ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମିଳିଥିବା ସୂଚନା […]
ବାଣ କାରଖାନାରେ ବିସ୍ଫୋରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial