ଧୋକା ଦେଲା ମୌସୁମୀ : ୪୮ ଘଣ୍ଟା ପରେ ଗାଏବ ହୋଇଯିବ

ଭୁବନେଶ୍ୱର : ନିର୍ଧାରିତ ସମୟରେ ପହଞ୍ଚିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଗତ ତିନି ଦିନ ଧରି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ଯେ ଏହା ସକ୍ରିୟ ରହିଛି ଓ ବର୍ଷା ହେବ। ମୌସୁମୀ ଆଗମନକୁ ଦେଖି ଚାଷୀମାନେ ମଧ୍ୟ ବୁଣାବୁଣି କରିବା ପାଇଁ ଜମି ପ୍ରସ୍ତୁତ କରି ନେଇଥିଲେ। କିନ୍ତୁ ଠିକ୍‌ ସମୟରେ ଧୋକା ଦେଇଛି ମୌସୁମୀ।
ଗତ ୮ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁବା ପରେ ସକ୍ରିୟ ହେବା ପରିବର୍ତେ ଦୁର୍ବଳ ହେବାରେ ଲାଗିଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନକୁ ଛାଡ଼ିଦେଲେ ମୌସୁମୀ ବର୍ଷା ସେଭଳି ହୋଇପାରି ନାହିଁ। ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିବ ବୋଲି ଯାହା କୁହାଯାଇଥିଲା ତାହା ବି ହେଲାନାହିଁ। ଚାଷୀମାନେ ବୁଣାବୁଣି କରିବା ପାଇଁ ଜମି ପ୍ରସ୍ତୁତ କରୁଥିବା ବେଳେ ଏବେ ଅଧାରେ ଅଟକିଯାଇଛି। ମୁହଁ ଫେରାଇ ନେଇପାରେ। ଆଉ ୪୮ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ନ ହେଲେ ଅନ୍ୟ ସ୍ଥାନରେ ପାଗ ପ୍ରାୟତଃ ଶୁଖିଲା ରହିବ।
ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଆଉ ୪୮ ଘଣ୍ଟା ପରେ ସାରା ଦେଶରୁ ମୌସୁମୀ ଗାଏବ ହୋଇଯିବା ସମ୍ଭାବନା ଅଧିକ। ଆଉ ଆଗକୁ ବଢ଼ିବନି। ଯେତିକି ସ୍ଥାନରେ ପ୍ରବାହିତ ହୋଇଛି ସେତିକିରେ ରହିବ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ। ଏବେ ମୌସୁମୀ ଆଗଭଳି ସକ୍ରିୟ ନାହିଁ। ବରଂ ଦୁର୍ବଳ ହେବାରେ ଲାଗିଛି। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ମୌସୁମୀ ପ୍ରଭାବ ସକ୍ରିୟ ହେବାର ସମ୍ଭାବନା ବି ନାହିଁ। ଜୁନ୍‌ ୧୯ ପର୍ଯ୍ୟନ୍ତ ବର୍ଷା ହେବନାହିଁ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।
ଓଡ଼ିଶା ସମ୍ପର୍କରେ ବିଭାଗ ଆକଳନ କରିଛି ଯେ ୧୩ ତାରିଖ ଯାଏ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷାର ଆଶଙ୍କା ରହିଛି। ଏହାପରେ ମୌସୁମୀ ଦୁର୍ବଳ ହେବା ସହ ବର୍ଷା ପରିମାଣ କମିବ। ୧୫ ତାରିଖ ପରେ ଓଡ଼ିଶାରେ ବର୍ଷାର ସମ୍ଭାବନା ନାହିଁ। କାଳବୈଶାଖୀ ହୋଇପାରେ। ଆସନ୍ତା ୨୪ ଘଣ୍ଟା ଯାଏ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଉତ୍ତର ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୫ରୁ ୬୫ କି.ମି. ବେଗରେ ପବନ ହେବାର ସମ୍ଭାବନା ରହିଛି।
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀର ଆଶଙ୍କା ରହିଛି। ୧୩ ଓ ୧୪ ତାରିଖରେ ଉତ୍ତର-ପଶ୍ଚିମ ଓଡ଼ିଶାର ମାତ୍ର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାପରେ ଓଡ଼ିଶାରୁ ଗାଏବ ହୋଇଯିବ ମୌସୁମୀ। ବର୍ଷା ପରିମାଣ କମିବ।
ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦରେ ସର୍ବାଧିକ ୯୩ ମି.ମି. ବର୍ଷା ହୋଇଥିବା ବେଳେ କେନ୍ଦୁଝରରେ ୬୩.୪, ସମ୍ବଲପୁରରେ ୪୫ ମି.ମି. ବର୍ଷା ହୋଇଛି। ଅନ୍ୟ କେତେକ ସ୍ଥାନରେ ୧୦ ମି.ମି.ରୁ କମ୍‌ ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Leave a Reply

Next Post

ଶ୍ରେୟ ନେବାକୁ ଲଢ଼େଇ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳିରେ ଅଟକିଛିି ରେଳ ଷ୍ଟେସନ ଉନ୍ନତୀକରଣ ଯୋଜନା

Wed Jun 13 , 2018
ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ୍‌ ଉନ୍ନତୀକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଭିନ୍ନ ଭିନ୍ନ ଯୋଜନା କରିଛନ୍ତି। ଏଥିପାଇଁ ପୃଥକ ପୃଥକ ଖର୍ଚ୍ଚ ଅଟକଳ ବି ହୋଇଛି। କିନ୍ତୁ କାମ ହୋଇପାରୁନି। ନିର୍ମାଣ କାର୍ଯ୍ୟ ଆରମ୍ଭରେ ପ୍ରତିବନ୍ଧକ ସାଜିଛି ଏମ୍‌ଓୟୁ। କେବେ ଓ କେଉଁଠି ଉଭୟ ପକ୍ଷଙ୍କ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହେବ ସ୍ଥିର ହୋଇପାରୁ ନଥିବାରୁ ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତିକରଣ ଯୋଜନା ଏବେ ଅନିଶ୍ଚିତତା ମଧ୍ୟକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial