ଶ୍ରେୟ ନେବାକୁ ଲଢ଼େଇ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳିରେ ଅଟକିଛିି ରେଳ ଷ୍ଟେସନ ଉନ୍ନତୀକରଣ ଯୋଜନା

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ୍‌ ଉନ୍ନତୀକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଭିନ୍ନ ଭିନ୍ନ ଯୋଜନା କରିଛନ୍ତି। ଏଥିପାଇଁ ପୃଥକ ପୃଥକ ଖର୍ଚ୍ଚ ଅଟକଳ ବି ହୋଇଛି। କିନ୍ତୁ କାମ ହୋଇପାରୁନି। ନିର୍ମାଣ କାର୍ଯ୍ୟ ଆରମ୍ଭରେ ପ୍ରତିବନ୍ଧକ ସାଜିଛି ଏମ୍‌ଓୟୁ। କେବେ ଓ କେଉଁଠି ଉଭୟ ପକ୍ଷଙ୍କ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହେବ ସ୍ଥିର ହୋଇପାରୁ ନଥିବାରୁ ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତିକରଣ ଯୋଜନା ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇ ଯାଇଛି।

ଏହି ପ୍ରକଳ୍ପ ପାଇଁ ରେଳ ମନ୍ତ୍ରଣାଳୟ ପ୍ରାୟ ୭୮କୋଟି ଟଙ୍କା ଖର୍ଚ୍ଚ କରିବାକୁ ଥିବାବେଳେ ରାଜ୍ୟ ସରକାର ୬୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ତେଣୁ ଏହି ପ୍ରକଳ୍ପର ଶ୍ରେୟ ଯିଏ ଯେଝା ବାଟରେ ନେବାକୁ ଚାହୁଛନ୍ତି। ରେଳ ମନ୍ତ୍ରଣାଳୟ ନୂଆଦିଲ୍ଲୀରେ ଏମ୍‌ଓୟୁ ସ୍ୱାକ୍ଷର କରିବାକୁ କହୁଥିବାବେଳେ ରାଜ୍ୟ ସରକାର ଭୁବନେଶ୍ୱରରେ ଏମ୍‌ଓୟୁ ସ୍ୱାକ୍ଷର ପାଇଁ ଜିଦ୍‌ ଧରିଛନ୍ତି। ରେଳ ଷ୍ଟେସନ୍‌ ଉନ୍ନତିକରଣକୁ ନେଇ ରାଜନୀତି ଜୋର୍‌ ଧରୁଥିବାବେଳେ ଶ୍ରେୟ ନେବା ମାୟାରେ ଏବେ ମୂଳ କାର୍ଯ୍ୟକୁ ପଛକୁ ଠେଲି ଦିଆଯାଇଛି। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱର ରେଳ ଷ୍ଟେସନର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ପ୍ରଥମେ ଯୋଜନା କରିଥିଲେ। ପରବର୍ତୀ ସମୟରେ ସ୍ମାର୍ଟ ସିଟି ଯୋଜନାରେ ଏହାକୁ ସାମିଲ୍‌ କରାଗଲା। ଏଥିପାଇଁ ବିଡିଏ ଓ ପୂର୍ବତଟ ରେଳପଥ କର୍ତୃପକ୍ଷଙ୍କ ମଧ୍ୟରେ ସଚିବାଳୟରେ ଏମ୍‌ଓୟୁ ସ୍ୱାକ୍ଷର ପାଇଁ ସମସ୍ତ ପ୍ରସ୍ତୁତି ବି ହୋଇଥିଲା। ହେଲେ ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ବାତିଲ୍‌ କରି ଦିଆଗଲା। ରାଜ୍ୟ ସରକାର ଏହି ଯୋଜନାର ଶ୍ରେୟ ନେଇଯିବେ ଭାବି ଏନେଇ ସୁଚିନ୍ତିତ ଷଡ୍‌ଯନ୍ତ୍ର କରାଗଲା। ଏପରିକି ଭୁବନେଶ୍ୱରରେ ଯେଉଁ ଏମ୍‌ଓୟୁ ସ୍ୱାକ୍ଷର ହେବାର ଥିଲା ତାହାକୁ ପରବର୍ତୀ ସମୟରେ ଦିଲ୍ଲୀକୁ ସ୍ଥାନାନ୍ତର କରି ଦିଆଗଲା। ନୂଆଦିଲ୍ଲୀରେ ଏମ୍‌ଓୟୁ ସ୍ୱାକ୍ଷର କଲେ ରେଳ ମନ୍ତ୍ରଣାଳୟ ସମସ୍ତ ଶ୍ରେୟ ନେବ ବୋଲି ଭାବି ଏହିଭଳି ଯୋଜନା କରିଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ଜମିରେ, ରାଜ୍ୟ ସରକାରଙ୍କ ଅର୍ଥରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ର ଉନ୍ନତୀକରଣ ହେବାକୁ ଥିବାରୁ ଭୁବନେଶ୍ୱରରେ ହିଁ ଏମ୍‌ଓୟୁ ସ୍ୱାକ୍ଷର କରିବାକୁ କୁହାଯାଇଛି। ଯଦି ରେଳ ମନ୍ତ୍ରଣାଳୟ ଏହି ପ୍ରସ୍ତାବରେ ରାଜି ନହେବ ତେବେ ସ୍ମାର୍ଟ ସିଟି ଯୋଜନାରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ ଉନ୍ନତୀକରଣ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ଅପରପକ୍ଷେ ପୂର୍ବତଟ ରେଳପଥ କର୍ତୃପକ୍ଷଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱର ରେଳ ଷ୍ଟସନର ଉନ୍ନତୀକରଣ ପାଇଁ ଓଡ଼ିଶା ସରକାର ପୂର୍ବରୁ ଯେଉଁ ଯୋଜନା କରିଥିଲେ ସେହି ଅନୁଯାୟୀ ଭୁବନେଶ୍ୱରରେ ଏମ୍‌ଓୟୁ ସ୍ୱାକ୍ଷର କରିବାକୁ ନିଷ୍ପତ୍ତି ହୋଇଥିଲା। ଏମ୍‌ଓୟୁ ସ୍ୱାକ୍ଷର ପାଇଁ ସମସ୍ତ ପ୍ରସ୍ତୁତି ବି ହୋଇଥିଲା। କିନ୍ତୁ ଏମ୍‌ଓୟୁରେ ସ୍ୱାକ୍ଷର କରିବାକୁ ଥିବା ଖୋର୍ଧା ରୋଡ୍‌ ଡିଭିଜନ୍‌ ରେଲେଓ୍ଵ ମ୍ୟାନେଜର ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ଏମ୍‌ଓୟୁ ବାତିଲ୍‌ ହେଲା। ଏହାପରେ ଯଦି ତୁରନ୍ତ ଏମ୍‌ଓୟୁ ସ୍ୱାକ୍ଷର ହୋଇଥାନ୍ତା ତେବେ ଭୁବନେଶ୍ୱରରେ ହୋଇଥାନ୍ତା। କିନ୍ତୁ ଏମ୍‌ଓୟୁ ସ୍ୱାକ୍ଷରରେ ବିଳମ୍ବ ହେବାରୁ ରେଳ ବଜେଟ୍‌ରେ ଭୁବନେଶ୍ୱର ଷ୍ଟେସନ୍‌ ଆଧୁନିକୀକରଣ ନେଇ ଅର୍ଥ ମଞ୍ଜୁର ହୋଇଥିଲା। ଏଥିରେ ଷ୍ଟେସନ୍‌ର ସମ୍ପ୍ରସାରଣ କାର୍ଯ୍ୟ ସହ ଆଧୁନିକୀକରଣକୁ ସାମିଲ୍‌ କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ପ୍ରାୟ ୭୦କୋଟି ଖର୍ଚ୍ଚ କରିବାକୁ ଅର୍ଥ ମଞ୍ଜୁର ହୋଇଛି। ଓଡ଼ିଶା ସରକାର ନିଜସ୍ୱ ଜମିରେ କିଛି ପ୍ରକଳ୍ପ କରିବାକୁ ଯୋଜନା କରିଥିଲେ ହେଁ ଏଥିରେ ପୂର୍ବତଟ ରେଳପଥର ସହଭାଗିତା ରହିବ। ଏହାବାଦ୍‌ ଗୋଟିଏ ପ୍ରକଳ୍ପ ରେଲେଓ୍ଵ ଜମିରେ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ରେଳ ଷ୍ଟେସନ୍‌ ଉନ୍ନତୀକରଣ କାର୍ଯ୍ୟରେ ରେଲେଓ୍ଵ ବଡ଼ ଭାଗୀଦାର ହୋଇଥିବାରୁ ରେଳ ମନ୍ତ୍ରଣାଳୟର ପସନ୍ଦିତ ସ୍ଥାନରେ ହିଁ ଏମ୍‌ଓୟୁ ସ୍ୱାକ୍ଷର କରିବାକୁ କୁହାଯାଇଛି। ଏସବୁ ବାଦ୍‌ ରେଳ ମନ୍ତ୍ରଣାଳୟ ଯାହା ନିଷ୍ପତ୍ତି ନେବ ସେହି ଅନୁଯାୟୀ ଆମେ ପଦକ୍ଷେପ ନେବୁ ବୋଲି ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଏମ୍‌ଓୟୁ ନହେଲେ ବି କାମ ଆରମ୍ଭ ହେବ: ରାଜ୍ୟ ସରକାର
ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି ଯେ, ଷ୍ଟେସନ୍‌ ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ୨୦୧୪ ମସିହାରୁ ଯୋଜନା କରିଛନ୍ତି। ଏବେ ସ୍ମାର୍ଟ ସିଟି ଯୋଜନାରେ ରେଳ ଷ୍ଟେସନ୍‌ରେ ନୂଆ ଟର୍ମିନାଲ ବିଲ୍‌ଡିଂ, ସିଟି ବସ୍‌ ଟର୍ମିନାଲ, ପବ୍ଲିକ କାର୍‌ ପାର୍କିଂ ଏବଂ ରେଳ ଷ୍ଟେସନ୍‌ ମଲ୍ଟି ମୋଡାଲ୍‌ ହବ୍‌କୁ ସାମିଲ୍‌ କରାଯାଇଛି। ଏମ୍‌ଓୟୁ ହୋଇ ନଥିଲେ ବି ବିଡିଏ ରାଜ୍ୟ ସରକାରଙ୍କ ଜମିରେ କାମ କରିବା ଆରମ୍ଭ କରିଦେଇଛି। ପୁରୁଣା ଯାତ୍ରୀ ସଂରକ୍ଷଣ ଟିକେଟ କେନ୍ଦ୍ର ଭାଙ୍ଗିବା ପାଇଁ ବିଡିଏ ଦ୍ୱାରା ନୂଆ ବିଲ୍‌ଡିଂ ନିର୍ମାଣ ହୋଇଛି। ୨ଲକ୍ଷ ବର୍ଗଫୁଟ ଅଞ୍ଚଳରେ ନୂଆ ଷ୍ଟେସନ୍‌ ଅଞ୍ଚଳ ଉନ୍ନତୀକରଣ ହେବ। ଏଥିରେ ପ୍ଲାଟଫର୍ମ ୧ରୁ ୬କୁ ସଂଯୋଗ କରି କନକୋର୍ସ ନିର୍ମାଣ କରାଯିବ। ଏହାକୁ ବିଡିଏ ନିର୍ମାଣ କରିବ। କିନ୍ତୁ ଏଥିପାଇଁ ପୂର୍ବତଟ ରେଳପଥ କର୍ତୃପକ୍ଷଙ୍କ ଅନୁମତି ଦରକାର। ଯଦି ଖୁବ୍‌ ଶୀଘ୍ର ଏମ୍‌ଓୟୁ ସ୍ୱାକ୍ଷର ନହୁଏ ତେବେ ଏହି ଗୋଟିଏ ପ୍ରକଳ୍ପକୁ ଛାଡ଼ି ଅନ୍ୟ କାର୍ଯ୍ୟ ଆରମ୍ଭ କରିଦେବୁ। ଏନେଇ ଡିଜାଇନ୍‌ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଡିଜାଇନ୍‌ ପ୍ରସ୍ତୁତ ହେଲେ ୬୦କୋଟିର ଏହି ପ୍ରକଳ୍ପ ପାଇଁ ଟେଣ୍ଡର ହୋଇ କାମ ଆରମ୍ଭ ହେବ।

ରାଜ୍ୟ ସରକାର ତାଙ୍କ ଜମିରେ କଲେ, ଆମେ ଆମ ଜମିରେ କରିବୁ: ପୂର୍ବତଟ ରେଳପଥ
ରାଜ୍ୟ ସରକାର ବିନା ଏମ୍‌ଓୟୁରେ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରୁଥିବା ଜଣାପଡ଼ିବା ପରେ ପୂର୍ବତଟ ରେଳପଥର ଜଣେ ଅଧିକାରୀ କହିଛନ୍ତି ଯେ, ରାଜ୍ୟ ସରକାର ନିଜସ୍ୱ ଜମିରେ ଯାହା କରିବେ ସେଥିରେ ଆମେ ପ୍ରତିବନ୍ଧକ ଲଗାଇ ପାରିବୁନି। କିନ୍ତୁ ଏହା ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନ୍‌ ଉନ୍ନତୀକରଣ ନେଇ ଯେଉଁ ଭଳି ଯୋଜନା ହୋଇଛି ତାହା ରୂପ ନେଇପାରିବନି। ରାଜ୍ୟ ସରକାର ତାଙ୍କ ଜମିରେ କାର୍ଯ୍ୟ କଲେ ଆମେ ରେଲୱେ ଜମିରେ ଆମ କାର୍ଯ୍ୟ କରିବୁ। ଅତ୍ୟାଧୁନିକ ଷ୍ଟେସନ୍‌ ବିଲ୍‌ଡିଂ ନିର୍ମାଣ, ପ୍ଲାଟଫର୍ମ ୧କୁ ଭାଙ୍ଗି ଆଉ ଦୁଇଟି ପ୍ଲାଟଫର୍ମ, ଷ୍ଟେସନ୍‌କୁ ସଂଯୋଗ କରି ଆଉ ଦୁଇଟି ରେଳ ଧାରଣା ନିର୍ମାଣ କରିବୁ। ଏଥିପାଇଁ ଆମକୁ ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷର କରିବାକୁ ପଡ଼ିବନି। ରାଜ୍ୟ ସରକାର ତାଙ୍କ ଜିଦ୍‌ରେ ରହିଲେ ରେଳ ମନ୍ତ୍ରଣାଳୟ ବି ତା ଜିଦ୍‌ରେ କାର୍ଯ୍ୟ କରିବ।

ଦୁଇଥର ବାତିଲ୍‌ ହେଲାଣି ଏମ୍‌ଓୟୁ
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ରେଳ ଷ୍ଟେସନ୍‌ ଉନ୍ନତୀକରଣ ନେଇ ଗତ ଜାନୁଆରି ୨୦ରେ ପୂର୍ବତଟ ରେଳପଥ କର୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହେବାକୁ ଥିବାବେଳେ ଏହା ବାତିଲ୍‌ ହୋଇଥିଲା। ଏହାପରେ ମୁଖ୍ୟ ଶାସନ ସଚିବ ରେଳବୋର୍ଡ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଏମ୍‌ଓୟୁ ତାରିଖ ଧାର୍ଯ୍ୟ କରିବାକୁ କହିଥିଲେ। ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଏପ୍ରିଲ ୨୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ମେ ୨୩ ତାରିଖରେ ଏମ୍‌ଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ। ଏପରିକି ରେଳ ଭବନରେ ହେବାକୁ ଥିବା ଏମ୍‌ଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଯେ, ଏହି ଏମ୍‌ଓୟୁ ଭୁବନେଶ୍ୱରରେ ସ୍ୱାକ୍ଷର କରାଯାଉ।

Share Now:

Kalinga News Beuro

Leave a Reply

Next Post

ଭୁବନେଶ୍ୱର: ଫ୍ରିଜ୍‌ରେ ବିସ୍ଫୋରଣ, ଉଡ଼ିଗଲା ଛାତ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

Wed Jun 13 , 2018
ଚନ୍ଦ୍ରଶେଖରପୁର: ଇନଫୋସିଟି ଥାନା ଅଧୀନ ଅନ୍ଧାରୁଆ ଜଗନ୍ନାଥ ପ୍ରସାଦ ଚୁନକୋଳି ବସ୍ତିରେ ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ଆଜି ଅପରାହ୍‌ଣରେ ଭୟଙ୍କର ବିସ୍ଫୋରଣ ଘଟିଛି। ବନ୍ଦ ଘରେ ଥିବା ଏକ ଫ୍ରିଜ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଘଟିବାରୁ ଘରର ଛାତ ସଂପୂର୍ଣ୍ଣ ଉଡ଼ିଯିବା ସହ କାନ୍ଥ ଫାଟି ଯାଇଛି। ଖାଲି ସେତିକି ନୁହେଁ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଆପାର୍ଟମେଣ୍ଟରେ ଥିବା କିଛି ଘରର ଝରକା ଓ କବାଟ କାଚ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial