ଏମିତି ଭିକାରିମୁକ୍ତ ଆମ ରାଜଧାନୀ : ଏବେ ବି ରାସ୍ତାକଡ଼ରେ ୭ ଶହରୁ ଅଧିକ

ଏମିତି ଭିକାରିମୁକ୍ତ ଆମ ରାଜଧାନୀ

ଭୁବନେଶ୍ବର: ରାଜଧାନୀକୁ ଭିକାରିମୁକ୍ତ କରିବାକୁ ସରକାର ଓ ବିଏମ୍‌ସି ପ୍ରଶାସନ ନିରନ୍ତର ପ୍ରୟାସ କରୁଛି ବୋଲି ଡିଣ୍ଡିମ ପିଟୁଛି। ଏବାବଦରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି ବୋଲି ପ୍ରଚାର କରାଯାଉଛି। କିନ୍ତୁ ବାସ୍ତବ ଚିତ୍ର ପୂରା ଭିନ୍ନ। ଏବେ ବି ରାଜଧାନୀର ବିଭିନ୍ନ ଅଞ୍ଚଳରେ ମାଳମାଳ ଭିକାରି ବୁଲୁଛନ୍ତି। ପ୍ରାୟ ୭ ଶହରୁ ଅଧିକ ଭିକାରି ରାଜଧାନୀର ବିଭିନ୍ନ ମାର୍କେଟ୍‌ ଅଞ୍ଚଳରେ ହାତ ପାତୁଥିବା ଦେଖିବାକୁ ମିଳିଛି ବୋଲି ଆକଳନ କରାଯାଇଛି। ପ୍ରଶାସନର ଲୋକ ଦେଖାଣିଆ ପଦକ୍ଷେପ ପାଇଁ ରାଜଧାନୀ ଭିକାରିମୁକ୍ତ ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ ୨୦୧୬ ମସିହାରେ ରାଜଧାନୀରେ ୧୫ ଶହରୁ ଅଧିକ ଭିକାରି ଥିବା ନେଇ ସର୍ଭେ କରାଯାଇଥିଲା। ତେଣୁ ସେମାନଙ୍କ ଥଇଥାନ ପାଇଁ ୨୦୨୧ ମସିହାରେ ଭୁବନେଶ୍ବରରେ ଏକାମ୍ର ନିଳୟ ନାମରେ ଶହେ ଶଯ୍ୟା ବିଶିଷ୍ଟ ୩ଟି କେନ୍ଦ୍ର ପ୍ରତିଷ୍ଠା ହେଲା ଓ ୩ଟି ସାମାଜିକ ଅନୁଷ୍ଠାନକୁ ପରିଚାଳନା ଦାୟିତ୍ବ ଦିଆଗଲା। ଅନ୍ଧାରୁଆ କେନ୍ଦ୍ର ଦାୟିତ୍ବ ନେଲା ପତିତା ଉଦ୍ଧାର ସମିତି। ବିକାଶ ଅନୁଷ୍ଠାନ ରହିଲା ରଙ୍ଗମାଟିଆ କେନ୍ଦ୍ର ଦାୟିତ୍ବରେ। ନୂଆଗାଁ କେନ୍ଦ୍ର ଦାୟିତ୍ବ ନେଲା ବିଶ୍ବଜୀବନ ସଂଘ। ବର୍ତ୍ତମାନ ଏହି ସବୁ କେନ୍ଦ୍ରରେ ମୋଟ୍ ୨୬୦ ଜଣ ଅନ୍ତେବାସୀ ରହୁଛନ୍ତି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଉଦ୍ଧାର କରାଯାଇଥିବା କେତେକଙ୍କୁ ବୃଦ୍ଧାଶ୍ରମରେ ରଖାଯାଇଛି। ଆଉ କିଛି ଏବେ ସ୍ବାବଲମ୍ବୀ ହୋଇ ଦୋକାନ କରିଥିବା ନେଇ ମଧ୍ୟ କୁହାଯାଉଛି। ପତିତା ଉଦ୍ଧାର ସମିତି ପକ୍ଷରୁ ମିଳିଥିବା ସୂଚନାନୁସାରେ, ରାସ୍ତାକଡ଼ରେ ଭିକ ମାଗୁଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପ୍ରାଥମିକତା ଭିତ୍ତିରେ ତାଙ୍କ ସଂସ୍ଥା ଉଦ୍ଧାର କରିଥାଆନ୍ତି। ବର୍ତ୍ତମାନ ତାଙ୍କ କେନ୍ଦ୍ରରେ ରହୁଥିବା ୯୬ ଅନ୍ତେବାସୀଙ୍କ ମଧ୍ୟରୁ ୮୫ ଜଣ ମାନସିକ ଭାବେ ଓ ୬ ଜଣ ଶାରୀରିକ ଭିନ୍ନକ୍ଷମ। ମାନସିକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ସ୍ମରଣ ଶକ୍ତି ନଥାଏ। ସେମାନେ ଅଧିକାଂଶ ସମୟରେ ଡଷ୍ଟବିନ୍‌ରୁ ଖାଦ୍ୟ ଆଣି ଖାଇବା ଦେଖାଯାଏ। ଏପରିକି ସେମାନେ ୧୦ରୁ ୧୨ ଦିନ ଧରି କିଛି ନଖାଇ ରହିଥା’ନ୍ତି। ତେଣୁ ତାଙ୍କ ଅନୁଷ୍ଠାନର ଟିମ୍‌ ଏଭଳି ଭିକାରିଙ୍କୁ ଦେଖିଲେ କିମ୍ବା ସୂଚନା ପାଇଲେ, ସେମାନଙ୍କୁ ଉଦ୍ଧାର କରିବା ସହ ଆବଶ୍ୟକ ହେଲେ ଡାକ୍ତରଖାନାରେ ଭର୍ତ୍ତି କରନ୍ତି। ତେବେ ଏବେ ରାଜଧାନୀରେ ବହୁ ସବଳ ବ୍ୟକ୍ତି ବି ଭିକ ମାଗୁଛନ୍ତି। ସେମାନେ ସହଜରେ ଅର୍ଥ ଉପାର୍ଜନ କରିବା ପାଇଁ ଭିକ ମାଗୁଛନ୍ତି। ଏବେ ରାଜଧାନୀରେ ଥିବା ୭ ଶହରୁ ଅଧିକ ଭିକାରିଙ୍କ ମଧ୍ୟରୁ ଅଧିକାଂଶ ଗଞ୍ଜାମରୁ ଆସିଥିବା ଜଣାପଡ଼ିଛି।

ସେହିଭଳି ଝାଡ଼ଖଣ୍ଡ, ଛତିଶଗଡ଼ ଭଳି ବାହାର ରାଜ୍ୟରୁ ବି ବହୁ ଭିକାରି ରାଜଧାନୀରେ ବୁଲୁଛନ୍ତି। ବଡ଼କଥା ହେଉଛି ଛୋଟ ପିଲା ଭିକାରିଙ୍କ ସଂଖ୍ୟା ବି କିଛି କମ୍ ନୁହେଁ। ଅନେକ କ୍ଷେତ୍ରରେ ମା’ମାନେ ନିଜ ଶିଶୁଙ୍କୁ ଏକପ୍ରକାର ନିଶା ଶୁଙ୍ଘାଇ ଦିଅନ୍ତି ଯେପରିକି ସେମାନେ କାନ୍ଦିବେ ନାହିଁ। ସେମାନଙ୍କୁ ଦେଖାଇ ଲୋକଙ୍କ ସମବେଦନା ହାସଲ କରି ମା’ମାନେ ଟଙ୍କା ଉପାର୍ଜନ କରନ୍ତି। ସେହିଭଳି ରାମମନ୍ଦିର, ଶନି ମନ୍ଦିରରେ ଭିକ ମାଗୁଥିବା କିଛି ବ୍ୟକ୍ତି ଦିନବେଳା ଶ୍ରମିକ ଭାବେ କାର୍ଯ୍ୟ କରି ରାତିରେ ଭିକ ମାଗୁଥିବା ଦେଖାଯାଏ। ଆଉ କିଛି ବ୍ୟକ୍ତି ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ରହୁଛନ୍ତି। ରାସ୍ତାକଡ଼ରୁ ଉଦ୍ଧାର ଭିକାରିଙ୍କ ଜୀବିକା ପାଇଁ ବିଭିନ୍ନ ପ୍ରଶିକ୍ଷଣ ଦିଆଗଲେ, ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ପତିତା ଉଦ୍ଧାର ସମିତି କହିଛି। ଏଥିପାଇଁ ତାଙ୍କ ସଙ୍ଗଠନ ମଧ୍ୟ କାର୍ଯ୍ୟ କରୁଛି। ଧୂପକାଠି ତିଆରି, ଫିନାଇଲ, ଝାଡ଼ୁ ଆଦି ତିଆରି କରିବା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ପୂର୍ବରୁ ଭିକାରି ଥିବା କିଛି ଲୋକ ଏବେ ଦୋକାନ କଲେଣି। ରାଜଧାନୀରେ ଭିକାରି ସଂଖ୍ୟାକୁ ଦେଖି ଆଉ କିଛି କେନ୍ଦ୍ର ପ୍ରତିଷ୍ଠା କରିବା ଆବଶ୍ୟକ ଥିବା କୁହାଯାଉଛି। ଏହାବାଦ୍‌ ଭିକାରି ଉଦ୍ଧାର କରୁଥିବା ସଙ୍ଗଠନର ନାମ ଏବଂ ଯୋଗାଯୋଗ ନମ୍ବର ହୋର୍ଡିଂରେ ଦିଆଗଲେ, ଲୋକେ ଭିକାରି ଦେଖି ସେହି ସଙ୍ଗଠନକୁ ଯୋଗାଯୋଗ କରିପାରିବେ। ଫଳରେ ସେମାନଙ୍କୁ ଉଦ୍ଧାର କରିବା ସହଜ ହେବ ବୋଲି ପତିତା ଉଦ୍ଧାର ସମିତି କହିଛି। ବିଏମ୍‌ସି ଅଧିକାରୀ କମଳାକାନ୍ତ ବେହେରା କହିଛନ୍ତି ଯେ ଲୋକମାନେ ଯେତେ ଦିନ ପର୍ଯ୍ୟନ୍ତ ଭିକ ଦେବା ବନ୍ଦ ନକରିବେ, ସହର ଭିକାରିମୁକ୍ତ ହୋଇପାରିବନାହିଁ। ସରକାର ଏବାବଦରେ ୨ କୋଟିରୁ ଅଧିକ ଟଙ୍କା ବ୍ୟୟ କରିଛନ୍ତି। ଥଇଥାନ କେନ୍ଦ୍ରରେ ଅନ୍ତେବାସୀ ସଂଖ୍ୟା ବଢ଼ିଲେ, ସେହି ଅନୁସାରେ ଖର୍ଚ୍ଚ ବୃଦ୍ଧି କରାଯିବ। କିନ୍ତୁ ସମସ୍ୟା ହେଉଛି ସାଧାରଣ ‌ଲୋକଙ୍କ କାମ। ଜନ୍ମ ଦିନ ଭଳି ବିଶେଷ ଅବସରରେ ସେମାନେ ରାସ୍ତା‌କଡ଼କୁ ଆସି ଖାଦ୍ୟ, କମ୍ବଳ, ପୋଷାକ ବିତରଣ କରୁଛନ୍ତି। ଫଳରେ ବହୁ ଅନ୍ତେବାସୀ ଥଇଥାନ କେନ୍ଦ୍ରରୁ ବାହାରି ପଳାଉଛନ୍ତି। ବର୍ତ୍ତମାନ ଥଇଥାନ କେନ୍ଦ୍ରରେ ବହୁ ଶଯ୍ୟା ଖାଲି ରହିଛି। ତେଣୁ ବଦାନ୍ୟ ବ୍ୟକ୍ତିମାନେ କେବଳ ଥଇଥାନ କେନ୍ଦ୍ରରେ ବଣ୍ଟନ କଲେ, ଏହି ସମସ୍ୟାରେ ସୁଧାର ଆସିପାରିବ। ସାମାଜିକ ସୁରକ୍ଷା ବିଭାଗ ଅଧିକାରୀ ସୁବ୍ରତ ଦାସ କହିଛନ୍ତି ଯେ ଭିକାରିଙ୍କୁ ଉଦ୍ଧାର ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଯୋଜନା ପ୍ରସ୍ତୁତ ହୋଇଛି। ପ୍ରତି ହିତାଧିକାରୀଙ୍କ ପାଇଁ ମାସିକ ହିସାବରେ ଅର୍ଥ ବ୍ୟୟ କରାଯାଉଛି। ବିଏମ୍‌ସି ତତ୍ବାବଧାନରେ ଏହି ସବୁ କାର୍ଯ୍ୟ ଚାଲୁଛି।

Share Now:

Kalinga News Beuro

Next Post

ଦେଶଦ୍ରୋହ ଆଇନ ସଂପର୍କରେ ରାଜ୍ୟମାନଙ୍କୁ ପରାମର୍ଶ ଜାରି କରିବ ଗୃହ ମନ୍ତ୍ରାଳୟ

Wed May 11 , 2022
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନ (ଆଇପିସି ଧାରା ୧୨୪-କ) ଉପରେ ସ୍ଥଗିତାଦେଶ ଲଗାଇ ସରକାରଙ୍କୁ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏ ନେଇ ଖୁବଶୀଘ୍ର ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ଗାଇଡଲାଇନ ଜାରି କରାଯିବ। କେନ୍ଦ୍ର ଗୃହ ସଚିବ ଏନେଇ ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ପରାମର୍ଶ ଜାରି କରିବେ ଯେପରିକି ଏହାର ଅପବ୍ୟବହାର ହୋଇ ନପାରିବ। ଆଜି ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନକୁ ସରକାରଙ୍କ ଦ୍ବାରା […]
ଦେଶଦ୍ରୋହ ଆଇନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial