ଫକୀରମୋହନ ଜାତୀୟ ସାହିତ୍ୟ ସମ୍ମାନରେ ସମ୍ମାନିତ ହେବେ ପେରୁମାଲ ମୁରୁଗାନ

ପେରୁମାଲ ମୁରୁଗାନ

ବାଲେଶ୍ବର: ପ୍ରସିଦ୍ଧ ଭାରତୀୟ ତାମିଲ ଲେଖକ ପେରୁମାଲ ମୁରୁଗାନଙ୍କୁ ୨୦୨୨ ବର୍ଷ ପାଇଁ ‘ଫକୀରମୋହନ ଜାତୀୟ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ କୁକୁମୀନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକଙ୍କୁ ନେଇ ଗଠିତ ଖଣ୍ଡପୀଠ ଜରିଆରେ ଏ ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯାଇଛି। ସମ୍ମାନ ଗ୍ରହଣ କରିବା ନେଇ ଶ୍ରୀ ମୁରୁଗାନ୍ ସମ୍ମତି ପ୍ରଦାନ କରିଥିବା ଜଣାଯାଇଛି। ଆସନ୍ତା ଜୁଲାଇ ୧୧ ତାରିଖରେ ବିଶ୍ୱବିଦ୍ୟାଳୟର ୨୪ ତମ ପ୍ରତିଷ୍ଠା ଦିବସରେ ଶ୍ରୀ ମୁରୁଗାନ୍‌ଙ୍କୁ ଏହି ସାରସ୍ଵତ ସମ୍ମାନରେ ସମ୍ମାନିତ କରାଯିବ। ସେ ଜଣେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତିସଂପନ୍ନ ଲେଖକ। ତାଙ୍କର ସୁପ୍ରସିଦ୍ଧ ପୁସ୍ତକ ‘ୱାନ୍‌ ପାର୍ଟ ୱିମେନ୍‌’ ପାଇଁ ୨୦୧୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ଲାଭ କରିଥିଲେ। ‘ପୂନାଚି: ଦି ଷ୍ଟୋରୀ ଅଫ୍‌ ଏ ବ୍ଲାକ୍‌ ଗଟ୍‌’, ‘ସିଜିନ୍‌ ଅଫ୍‌ ଦି ପାମ୍‌’ ଆଦି ତାଙ୍କର ଉଲ୍ଲେଖନୀୟ ସାହିତ୍ୟ କୃତି। ତାଙ୍କ ଦ୍ବାରା ଲିଖିତ ଅନେକ ଉପାଦେୟ ପୁସ୍ତକ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ନିମିତ୍ତ ପ୍ରସ୍ତାବିତ ହୋଇଛି।
ଫକୀରମୋହନ ଜାତୀୟ ସାହିତ୍ୟ ସମ୍ମାନ ଓଡ଼ିଆ ଭାଷା ସାହିତ୍ୟର ପ୍ରାତଃସ୍ମରଣୀୟ ସାହିତ୍ୟିକ ଫକୀରମୋହନ ସେନାପତିଙ୍କ ନାମରେ ନାମିତ କରାଯାଇ ଭାରତୀୟ ତଥା ଇଂରାଜୀ ସାହିତ୍ୟର ପ୍ରତିଭାବାନ ଲେଖକଙ୍କୁ ସମ୍ମାନିତ କରାଯିବାର ଅଭିପ୍ରାୟ ନେଇ ୨୦୦୪ ମସିହାରୁ ଏହା କାର୍ଯ୍ୟକାରୀ ହୋଇଆସୁଛି। ସର୍ବପ୍ର‌ଥମେ ମାଲାୟାଲାମ୍‌ ସାହିତ୍ୟିକ ୟୁ.ଆର୍‌ ଅନନ୍ତମୂର୍ତ୍ତୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା। ବର୍ତ୍ତମାନ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ର ନିଷ୍ପତ୍ତିକ୍ରମେ ଏହି ପରମ୍ପରାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି। ଏହିକ୍ରମରେ ଶ୍ରୀ ମୁରୁଗାନ୍‌ ଏହି ସମ୍ମାନ ତାଲିକାରେ ଦ୍ବିତୀୟ ବ୍ୟକ୍ତି ଭାବେ ସମ୍ମାନପ୍ରାପ୍ତିର ଗୌରବ ଲାଭ କରିବେ। ଏହି ପରିପ୍ରେକ୍ଷୀରେ ଗୁରୁଗାନ୍‌ଙ୍କୁ ୧ ଲକ୍ଷ ୧ଟଙ୍କା ସମ୍ମାନ ରାଶି ଓ ମାନପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।

Share Now:

Kalinga News Beuro

Next Post

ମୋଦୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି ପାଳନ ପାଇଁ ବିଜେପିର ଯୋଜନା

Wed May 11 , 2022
ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଅଷ୍ଟମ ବାର୍ଷିକୀ ପାଳନ ଅବସରରେ ଦେଶର ସଂଖ୍ୟାଲଘୁ ଏବଂ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ଉପରେ ବିଶେଷ ଗୁରୁତ୍ୱ ଦେଇ ଭାରତୀୟ ଜନତା ପାର୍ଟି (ବିଜେପି) ଆସନ୍ତା ମେ ୩୦ରୁ ସମାଜର ସବୁ ବର୍ଗଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ବିଶାଳ ଅଭିଯାନ ଆରମ୍ଭ କରିବ। ପ୍ରସ୍ତାବିତ ଅଭିଯାନ ତମାମ ଦେଶରେ ଦୀର୍ଘ ୧୫ ଦିନ ଧରି ଚାଲିବ। ଦଳୀୟ ସାଂସଦ ଏବଂ ବିଧାୟକଙ୍କ ସମେତ […]
ପ୍ରଧାନମନ୍ତ୍ରୀ ମୋଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial