ଦିବ୍ୟାଙ୍ଗ ଶିଶୁ ଓ ବରିଷ୍ଠ ନାଗରିକଙ୍କ ପାଇଁ ଖୋଲିଲା “ସେନ୍‌ସୋରି ପାର୍କ”

ଖୋଲିଲା ସେନ୍‌ସୋରି ପାର୍କ

ଭୁବନେଶ୍ବର: ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ରାଜ୍ୟର ପ୍ରଥମ ସେନ୍‌ସୋରି ପାର୍କ ଆଜି ସହିଦନଗରରେ ଉଦ୍‌ଘାଟିତ ହୋଇଯାଇଛି। ସବୁ ବର୍ଗର ଦିବ୍ୟାଙ୍ଗ ଶିଶୁଙ୍କ ମନୋରଞ୍ଜନ ପାଇଁ ଏହି ପାର୍କରେ ବ୍ୟବସ୍ଥା ରହିଛି। ପ୍ରବେଶ ପଥରେ ରେଫ୍ଲେକ୍ସଲୋଜି ପାଥ୍‌ ବ୍ୟବସ୍ଥା ଥିବା ବେଳେ ଆକ୍ୟୁପ୍ରେସର ପଏଣ୍ଟ ମଧ୍ୟ ରହିଛି। ହ୍ବିଲ୍ ଚେୟାର, ମେରି ଗୋ ରାଉଣ୍ଡ ଓ ହ୍ବିଲ୍ ଚେୟାର ସ୍ବିଇଙ୍ଗ୍‌ ଭଳି ବ୍ୟବସ୍ଥା ରହିଛି, ଯେଉଁଥିରେ ଜଣେ ଶିଶୁ ହ୍ବିଲ୍ ଚେୟାରରେ ବସି ଦୋଳି ଖେଳିପାରିବ। ଦୃଷ୍ଟିବାଧିତ ଶିଶୁଙ୍କ ପାଇଁ ଫନ୍ ବେଲ୍ ମ୍ୟୁଜିକାଲ୍‌ ଡ୍ରମ୍, ମ୍ୟୁଜିକାଲ୍‌ ପ୍ୟାନେଲ୍, ବଲ୍ ପୁଲ୍, ଷ୍ଟାଣ୍ଡାର୍ଡ ସ୍ଲାଇଡ୍, ମଲ୍ଟି ପ୍ଲେ, ମଲ୍ଟି ଲାଇନ‌ ସ୍ବିଇଙ୍ଗ୍‌, ବଲ୍ ପୁଲ୍, ସ୍ୟାଣ୍ଡ୍‌ ପ୍ଲେ ଇତ୍ୟାଦି ଅତ୍ୟାଧୁନିକ ଖେଳ ଉପକରଣ ରହିଛି। ଆଭେଞ୍ଜର୍‌ କ୍ଲାଇମ୍ବର୍‌ରେ ମଧ୍ୟ ଶିଶୁମ‌ାନେ ହ୍ବିଲ୍ ଚେୟାର୍‌ରେ ବସି ଉପରୁ ତଳକୁ ଖସିପାରିବେ। ତିନି ସିଟ୍‌ ବିଶିଷ୍ଟ ଗ୍ରାଉଣ୍ଡ୍‌ ଲେଭଲ୍ ଏମ୍‌ଜିଆର୍‌ରେ ତିନି ସାଙ୍ଗ ବସି ଆରାମରେ ବୁଲିପାରିବେ। ଏହା ସେମାନଙ୍କୁ ବ୍ରେକ୍ ଡ୍ୟାନ୍ସ ଦୋଳିର ଅନୁଭବ ଦେବ। ସିଙ୍ଗଲ୍ ସିଟର ସ୍ପିଙ୍ଗ୍ ରାଇଡ୍‌, ସୋଲଡର୍ ବିଲ୍‌ଡର୍ ମାଧ୍ୟମରେ ବ୍ୟାୟାମ ସୁବିଧା ରହିଛି ଓ ଏହା ସେମାନଙ୍କୁ ସୁସ୍ଥ ରଖିବାରେ ସହାୟକ ହେବ। ସେହିପରି ଶୌଚାଳୟକୁ ଯିବା ପାଇଁ ଶିଡ଼ି ତିଆରି ହୋଇଛି। ବହୁ ସ୍ଥାନରେ ପିଇବା ପାଣି ପାଇଁ ଟ୍ୟାପ୍ ବ୍ୟବସ୍ଥା ରହିଛି। ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ ଅଧୀନରେ ଥିବା ଏହି ପାର୍କ ୧୩୬୮ବର୍ଗମିଟର ପରିମିତ ଅଞ୍ଚଳରେ ନିର୍ମାଣ କରାଯାଇଛି ଓ ପ୍ରାୟ ୯୯ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ସକାଳ ୫ଟାରୁ ଦିନ ୧୧ଟା ଏବଂ ଅପରାହ୍‌ଣ ୪ଟାରୁ ରାତି ୯ଟା ଯାଏ ଏହି ପାର୍କ ଖୋଲାଯିବ। ଦିବ୍ୟାଙ୍ଗ ଶିଶୁଙ୍କ ସହ ବରିଷ୍ଠ ନାଗରିକମାନେ ମଧ୍ୟ ଏଠାରେ ବୁଲାବୁଲି କରି ମଜା ନେଇପାରିବେ।
ଆଜି ଉଦ୍‌ଘାଟନୀ ଉତ୍ସବରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଭୁବନେଶ୍ବରରେ ଥିବା ଭିନ୍ନକ୍ଷମ ସଶକ୍ତୀକରଣ ପ୍ରତିଷ୍ଠାନ ଢାଞ୍ଚାରେ ବ୍ରହ୍ମପୁର ଓ ସମ୍ବଲପୁରରେ ୨ଟି ସାଟେଲାଇଟ୍ ସେଣ୍ଟର୍‌ ପ୍ରତିଷ୍ଠା କରାଯିବ ବୋଲି ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ। ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମ୍‌ସି ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ରାଜକିଶୋର ଦାସ, ସ୍ମାର୍ଟସିଟି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ବିନୟ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ମାର୍ଟସିଟିର ସାଧାରଣ ପ୍ରବନ୍ଧକ କମଲଜିତ୍ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ନାଗରିକ ସମାଜର ଡା. ଅରୁଣ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ। ପାର୍କ ଖୋଲିବାର କିଛି ଘଣ୍ଟା ନ ପୂରୁଣୁ ମ୍ୟୁଜିକାଲ୍ ପୁଲ୍ ଏବଂ ମ୍ୟୁଜିକାଲ୍ ପ୍ୟାନେଲ୍‌ ଭାଙ୍ଗି ଯାଇଛି। ପିଲାମାନେ ମ୍ୟୁଜିକାଲ୍ ପୁଲ୍‌ ବଜାଇବା ସମୟରେ ଭାଙ୍ଗି ଯାଇଥିଲା। ସେହିପରି ମ୍ୟୁଜିକାଲ୍ ପ୍ୟାନେଲ୍‌କୁ ଉଦ୍‌ଘାଟନ ସମୟରେ ଟେଷ୍ଟ କରିବା ବେଳକୁ ତାହା ଭାଙ୍ଗି ଯାଇଥିବା ଦେଖାଯାଇଥିଲା। ସେଥିରେ ସ୍ୟାଲୋଟେପ୍ ଲଗାଇଯାଇଥିଲା। ସେହିପରି କିଛି ପାଣି ଟ୍ୟାପ୍‌ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। କିଛି ଯନ୍ତ୍ରାଂଶ ବି ସଫା କରାଯାଇନଥିଲା। ଏନେଇ ଅଭିଯୋଗ ହେବାରୁ ସେସବୁକୁ ଖୁବ୍ ଶୀଘ୍ର ମରାମତି କରାଯିବ ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ତାଜ୍‌ମହଲର ୨୨କୋଠରି ମାମଲା : ଜନସ୍ବାର୍ଥ ମାମଲା ବ୍ୟବସ୍ଥାକୁ ବିଦ୍ରୁପ ନ କରିବା ଲାଗି ଆବେଦନକାରୀଙ୍କୁ କହିଲେ ହାଇକୋର୍ଟ ବିଚାରପତି

Thu May 12 , 2022
ଲକ୍ଷ୍ନୌ: ଜନସ୍ବାର୍ଥ ମାମଲା ବ୍ୟବସ୍ଥାକୁ ବିଦ୍ରୁପ ନ କରିବା ଲାଗି ଆଜି ଆହ୍ଲାବାଦ ହାଇକୋର୍ଟ ହାଇକୋର୍ଟଙ୍କର ଦୁଇଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଆବେଦନକାରୀମାନଙ୍କୁ କହିଛନ୍ତି। ତାଜ୍‌ମହଲରେ ବନ୍ଦ କରାଯାଇଥିବା ୨୨ଟି କୋଠରି ଖୋଲିବା ଲାଗି ଏକାଧିକ ଜନସ୍ବାର୍ଥ ମାମଲା ଦାଏର କରିସାରିଲୁଣି ବୋଲି ଆବେଦନକାରୀମାନେ କହିବା ପରେ ଖଣ୍ଡପୀଠ ସେମାନଙ୍କୁ ଭର୍ତ୍ସନା କରି ଏଭଳି କହିଛନ୍ତି। ମାମଲାର ଶୁଣାଣି ବେଳେ ଖଣ୍ଡପୀଠ କହିଲେ, ଆସନ୍ତାକାଲି ଆପଣମାନେ ଆମ ଚେମ୍ବର୍‌ ଦେଖିବା ପାଇଁ […]
ତାଜ୍‌ମହଲର ୨୨କୋଠରି ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial